ଓଡ଼ିଶାରେ ଗତ କିଛିଦିନ ହେଲା କନ୍ୟାଭ୍ରୂଣ ହତ୍ୟା ପ୍ରସଙ୍ଗ ଗଣମାଧ୍ୟମକୁ ବେଶ୍ ଉତ୍ତପ୍ତ କରିରଖିଛି । ଘରୋଇ ନର୍ସିଂହୋମ୍ ଉପରେ ଚଢ଼ଉ, ଡାକ୍ତରମାନଙ୍କ ଗିରଫଦାରିରେ ପ୍ରଶାସନ ସକ୍ରିୟ ହୋଇଉଠିଛି । ହଠାତ୍ ଏକସଙ୍ଗରେ ବିଭିନ୍ନସ୍ଥାନରୁ ପରିତ୍ୟକ୍ତ କନ୍ୟାଭ୍ରୂଣ ମିଳିବା ସମସ୍ତଙ୍କୁ ନିଶ୍ଚିତ ଚକିତ କରିଛି ।
ସ୍ୱାସ୍ଥ୍ୟର ଘରୋଇକରଣ ଓ ‘ଶୁଦ୍ଧ’ ବ୍ୟବସାୟିକ ଭିତ୍ତରେ ଗଢ଼ିଉଠୁଥିବା ସ୍ୱାସ୍ଥ୍ୟସେବା ପାଇଁ ‘ସମର୍ପିତ’ ଗଣ୍ଡା ଗଣ୍ଡା ନର୍ସିଂହୋମ ଯେତେବେଳେ ଛୋଟବଡ଼ ସହରକୁ ବ୍ୟାପି ଯାଇଛି- ସେତେବେଳେ ନୟାଗଡ଼ଠାରୁ ଭୁବନେଶ୍ୱର ଯାଏଁ ଏହିଭଳି ପରିତ୍ୟକ୍ତ କନ୍ୟାଭ୍ରୂଣ ବା ମାଂସପିଣ୍ଡୁଳା ବୁଦାରେ, ପଡ଼ିଆରେ ମିଳିବା କିଛି ବିଚିତ୍ର ନୁହେଁ । ଭ୍ରୂଣହତ୍ୟା ହେବା ଉଚିତ ନୁହେଁ-କିନ୍ତୁ ଗର୍ଭପାତ କରିବାକୁ ସରକାରୀ ସ୍ତରରେ ଯେତେବେଳେ ଉତ୍ସାହିତ କରାଯାଉଛି – ସେତେବେଳେ ଭ୍ରୂଣହତ୍ୟା ଦୁଇଭାଗରେ ବାଣ୍ଟି ହୋଇଯାଏ-ଆଇନସମ୍ମତ ଓ ବେଆଇନ : ଏହି ଦୁଇଟି ଅବସ୍ଥା ମଧ୍ୟରେ ଯେଉଁ ସୂକ୍ଷ୍ମଧାରଟି ରହିଛି – ତାହାକୁ କିଏ କେତେବେଳେ ଡେଇଁପଡ଼ିଛି ଓ ଲିଙ୍ଗ ଚିହ୍ନଟ କରିବା ଯାହା ଆଇନସମ୍ମତ ନୁହେଁ – ତାହା କରି ଯଦି ଭ୍ରୂଣହତ୍ୟା ହୋଇଛି-ତାହାଲେ ସେ ଭ୍ରୂଣହତ୍ୟା ବେଆଇନ ହୋଇଛି । ଭ୍ରୂଣହତ୍ୟା ଆଇନ ବେଆଇନ ନିୟମ ଭିତରେ ଛନ୍ଦିହୋଇଛି ଓ ପରିଶେଷରେ ଯାହା ହୋଇଛି ତାହା ଏକ ସୁସ୍ଥସମାଜ ପାଇଁ ଶୁଭଙ୍କର ନୁହେଁ ।
କନ୍ୟାଭ୍ରୂଣହତ୍ୟାରୁ ଆଶଙ୍କା ସ୍ୱାଭାବିକ ହେଉଛି ଯେ, ଯଦି ଏହିଭଳି ଚାଲେ, ପୁରୁଷସଂଖ୍ୟା ତୁଳନାରେ ସ୍ତ୍ରୀ ସଂଖ୍ୟା ହ୍ରାସ ପାଇବ ଯାହା ପ୍ରକୃତିର ସମତୁଲତାକୁ ଭାଙ୍ଗିଦେବ – ଯାହାର ପରିଣତି ସାମାଜିକ ଅଶାନ୍ତି ହିଁ ହେବ । ଯେତେବେଳେ ଏହିଭଳି ଏକ ଭବିଷ୍ୟତକୁ ନେଇ ଆମେ ଆତଙ୍କିତ ଠିକ୍ ସେହି ସମୟରେ ଆମେ ଏକ ବିପରୀତ ଦୃଶ୍ୟ ଦେଖୁ – ପୃଥିବୀର ଏକ ଭିନ୍ନ ଅଞ୍ଚଳ ହଂକଂରେ । ସେଠାରେ ପୁରୁଷସଂଖ୍ୟା ନାରୀ ସଂଖ୍ୟା ତୁଳନାରେ ହ୍ରାସ ପାଇବାରେ ଲାଗିଛି । ହଂକଂର ପରିସଂଖ୍ୟାନ ଓ ଜନଗଣନା ବିଭାଗ ଦ୍ୱାରା ପ୍ରକାଶିତ ପରିସଂଖ୍ୟାନରୁ ଜଣାଯାଏ ଯେ, ଯଦି ଏହି ହ୍ରାସ ଅବ୍ୟାହତ ରହେ, ତା’ହେଲେ ୨୦୦୬ମସିହାରେ ପ୍ରତ୍ୟେକ ୧୦୦୦ଜଣ ମହିଳାରେ ଦୃଶ୍ୟମାନ ୯୧୨ ପୁରୁଷ ସଂଖ୍ୟା ୨୦୩୬ବେଳକୁ ୭୦୯ରେ ପହଞ୍ଚôବ । ପୃଥିବୀର ଏକ ଅଞ୍ଚଳରେ (ଭାରତବର୍ଷରେ) ୧୦୦ଜଣ ପୁରୁଷରେ ମହିଳା ସଂଖ୍ୟା ହ୍ରାସ ପାଇବାର ନିଶ୍ଚିତ ସମ୍ଭାବନା ଓ ଅନେକ ଅଞ୍ଚଳରେ ୧୦୦ଜଣ ମହିଳା ପୁରୁଷ ସଂଖ୍ୟା ହ୍ରାସ ପାଇବା – ପ୍ରକୃତିର ସମଗ୍ର ମାନବ ସମାଜରେ ସ୍ତ୍ରୀ-ପୁରୁଷ ସଂଖ୍ୟାରେ ସନ୍ତୁଳନ ରକ୍ଷା କରିବାର ଏକ ଉଦ୍ୟମ ପ୍ରତି ଇଙ୍ଗିତ କରୁନାହିଁ ତ?