ମାୟାରେ ମାୟାୱତୀ

  • 11/12/2014

୧-୧୬ ଜୁନ୍ ୨୦୦୭
ଉତ୍ତରପ୍ରଦେଶ ନିର୍ବାଚନ ଫଳାଫଳ ସବୁ ଭବିଷ୍ୟବାଣୀକୁ ମିଥ୍ୟା ବୋଲି ପ୍ରମାଣିତ କରିଛି । ଝୁଲା ବିଧାନସଭାକୁ ଅପେକ୍ଷା କରିଥିବା ଜ୍ୟୋତିଷମାନେ ହତାଶ ହୋଇଛନ୍ତି । ଦୀର୍ଘ ୧୪ବର୍ଷ ପରେ ପ୍ରଥମଥର ପାଇଁ ଉତ୍ତରପ୍ରଦେଶରେ କୌଣସି ରାଜନୈତିକ ଦଳ ସଂଖ୍ୟାଗରିଷ୍ଠତା ହାସଲ କରିଛି ବୋଲି ଗଣମାଧ୍ୟମରେ ବ୍ୟାପକ ପ୍ରଚାର ହେଉଛି । ମାୟାୱତୀଙ୍କର ନେତୃତ୍ୱରେ ବହୁଜନ ସମାଜପାର୍ଟି ସଂଖ୍ୟାଗରିଷ୍ଠତା ହାସଲ କରିଛି କୁହାଯାଉଥିଲେ ହେଁ ଏହା ଯେ ଉଚ୍ଚବର୍ଗର ଲୋକ ବିଶେଷତଃ ବ୍ରାହ୍ମଣମାନଙ୍କୁ ବହୁଜନ ସମାଜ ପାର୍ଟିରେ ଅନ୍ତର୍ଭୁକ୍ତ କରିବା ଦ୍ୱାରା ସମ୍ଭବ ହୋଇଛି ତାହା ବାରମ୍ବାର କୁହାଯାଉଛି । ରାଜୀନ୍ଦର ପୁରୀଙ୍କ ଭଳି ବରିଷ୍ଠ ସାମ୍ବାଦିକ ଓ ରାଜନୈତିକ ସମୀକ୍ଷକ ଏପରି ସଫଳତାର ଶ୍ରେୟ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS)ସହ ଯୋଗାଯୋଗ ଥିବା ବହୁଜନସମାଜ ପାର୍ଟିର ମହାସଚିବ ସତୀଶ ମିଶ୍ରଙ୍କୁ ହିଁ ଦିଅନ୍ତି ଓ ଏହାଙ୍କ ଦ୍ୱାରା ପ୍ରସ୍ତୁତ ଲିଖିତ ଅଭିଭାଷଣଗୁଡ଼ିକୁ ବିଭିନ୍ନ ନିର୍ବାଚନ ସଭାରେ ମାୟାୱତୀ ପଢ଼ିଥିବା ଏହିଭଳି ସଫଳତାର ଅନ୍ୟ ଏକ କାରଣ ବୋଲି ଇଙ୍ଗିତ କରନ୍ତି । (The Statesman, 23rd May, 2007-ଦ୍ରଷ୍ଟବ୍ୟ) । ସତୀଶ ମିଶ୍ର ବ୍ରାହ୍ମଣ ଓ ମାୟାୱତୀଙ୍କ ନେତୃତ୍ୱରେ ବି.ଜେ.ପି. ସହ  ଗଠିତ ପୂର୍ବ ସରକାରରେ ଥିଲେ ଆଡ଼ଭୋକେଟ ଜେନେରାଲ, ଉତ୍ତର ପ୍ରଦେଶ ସରକାରଙ୍କର । ଅଟଳବିହାରୀ ବାଜପେୟୀଙ୍କର ଅନୁମୋଦନରେ ହିଁ ମାୟାୱତୀ ତାଙ୍କୁ ଏପରି ନିଯୁକ୍ତି ଦେଇଥିଲେ । କୁହାଯାଇଛି ଯେ ବ୍ରାହ୍ମଣଙ୍କ ପ୍ରାଧାନ୍ୟଥିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ବହୁଜନ ସମାଜ ପାର୍ଟିକୁ ଭିତରେ ଭିତରେ ସମର୍ଥନ ଯୋଗାଇଥିଲା ।
ତେଣୁ ମାୟାୱତୀ ବ୍ରାହ୍ମଣମାନଙ୍କୁ ବହୁଜନ ସମାଜ ପାର୍ଟିରେ ନେବା ଓ ବ୍ରାହ୍ମଣମାନେ ବହୁଜନ ସମାଜ ପାର୍ଟିରେ ମିଶିବା ଏହି ଦୁଇଟି ପ୍ରବଣତାର ଏକ ତୁଳନାତ୍ମକ ବିଚାର ହେବା ଉଚିତ- ବିଶେଷତଃ ଯେତେବେଳେ ମୁଖ୍ୟଧାରାର ଗଣମାଧ୍ୟମ, ଦଳିତ ନେତ୍ରୀ ମାୟାୱତୀ ବ୍ରାହ୍ମଣମାନଙ୍କୁ ନିଜ ଦଳରେ ସାମିଲ କରି ଏକ ବୈପ୍ଳବିକ ସାମାଜିକ ପ୍ରକ୍ରିୟା (Social Engineering) ଆରମ୍ଭ କରିଛନ୍ତି ବୋଲି ଅନବରତ ପ୍ରଚାର ଚଲାଇଛି । ଏହି ପୃଷ୍ଠଭୂମିରେ ପ୍ରଶ୍ନ ହେବା ଉଚିତ ଯେ ବ୍ରାହ୍ମଣମାନେ ସେମାନଙ୍କ ବିରୋଧୀ ମତବାଦକୁ ଆତ୍ମସ୍ଥ କରିଦେବାର ଯେଉଁ କୌଶଳ ଇତିହାସର ବିଭିନ୍ନ ସମୟରେ ପ୍ରୟୋଗ କରିଛନ୍ତି- ସେହିଭଳି ଏକ କୌଶଳର ଶିକାର ବହୁଜନସମାଜ ପାର୍ଟି ହୋଇଯାଉ ନାହିଁ ତ? ସେମାନେ ବୁଦ୍ଧଙ୍କୁ ଅବତାର କରିଛନ୍ତି, ଜଗନ୍ନାଥଙ୍କୁ ଦେବତା କରିଛନ୍ତି-ପ୍ରତ୍ୟକ୍ଷ ଉଦାହରଣ ରହିଛି ଇତିହାସର କିମ୍ବଦନ୍ତୀରେ ।
କିଏ ବା ଭୁଲିଛି ବହୁଜନ ସମାଜ ପାର୍ଟିର ମୂଳ ସ୍ଳେଗାନ: ‘ତିଳକ, ତରାଜୁ ଓøର ତଲୱାର, ତିନୋଁ କୋ ମାରୋ ଜୁତେ ଚାର’ । ତିଳକ ହେଉଛି ବ୍ରାହ୍ମଣଙ୍କ ଚିହ୍ନ-ତରାଜୁ ବଣିଆଙ୍କର ଓ ତଲୱାର ଠାକୁରଙ୍କର । ଏ ସମସ୍ତେ ଉଚ୍ଚବର୍ଗରେ ଯାଆନ୍ତି । ଏହିମାନଙ୍କୁ ଯୋତା ମାରିବା ପାଇଁ ଯେଉଁ ଦଳ ଦିନେ ଡ଼ାକରା ଦେଇଥିଲା-ସେହି ଦଳ ଉଚ୍ଚବର୍ଗମାନଙ୍କ ପାଇଁ ନିଜର ଦଳର କୋଠରୀକୁ ଖୋଲି ଦେବା ଓ ଏହିଭଳି ଅପମାନସୂଚକ ଡାକରା ଦେଉଥିବା ଦଳ ଭିତରକୁ ଉଚ୍ଚବର୍ଗର ଲୋକେ ପ୍ରବେଶ କରିବା ପାଇଁ ଆଗ୍ରହ୍ୱାନିତ ହେବା- ଏକ ଗହନ ବୁଝାମଣାର ସୂଚନା ଦିଏ । ବହୁଜନସମାଜ ପାର୍ଟିର ପ୍ରତିଷ୍ଠାତା କାଂଶୀରାମଙ୍କର ଅବର୍ତ୍ତମାନରେ ଏହା ଘଟିବା ଦର୍ଶାଇଦିଏ ଯେ, କାଂଶୀରାମ ତାଙ୍କର ଦର୍ଶନ ସମ୍ପର୍କରେ ଯେତେ ରକ୍ଷଣଶୀଳ ଥିଲେ, ତାଙ୍କର ଦର୍ଶନରେ ବିଶ୍ୱାସ କରୁଥିବା ତାଙ୍କର ଶିଷ୍ୟା ମାୟାୱତୀ ସେ ପରିମାଣରେ ରକ୍ଷଣଶୀଳ ନୁହନ୍ତି । ତେଣୁ ମାୟାୱତୀଙ୍କ ସମୟରେ ଉଚ୍ଚବର୍ଗ ବିରୋଧୀ ଡାକରା ଆଜି ଅନୁଚ୍ଚାରିତ ହୋଇଛି, ତାର ସ୍ଥାନ ନେଇଛି ‘ୟେ ହାଥୀ ନହିଁ ଗଣେଷ ହୈ, ବ୍ରହ୍ମା, ବିଷ୍ଣୁ, ମହେଶ ହୈ’ । କ୍ଷୀର ପାନ କରୁଥିବା ଗଣେଷକୁ ନେଇ ସଂଘ ପରିବାର ଯେଉଁ ହଇଚଇ ସାରା ପୃଥିବୀରେ କରିଥିଲା-ତାହା ଅନେକଙ୍କ ସ୍ମୃତିରେ ସତେଜ ଥିବ । ବହୁଜନ ସମାଜ ପାର୍ଟି ଗଣେଷଙ୍କ ଉପରେ ସଂଘ ପରିବାର ଏକଚାଟିଆ ଅଧିକାରକୁ ଏତଦ୍ୱାରା ଖର୍ବ କରିଛି ଓ ବହୁଜନ ସମାଜ ପାର୍ଟିରେ ଉଚ୍ଚବର୍ଗ ପାଇଁ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ପ୍ରତି ହିଁ ଇଙ୍ଗିତ କରୁଛି । ବହୁଜନ ସମାଜ ପାର୍ଟିରେ ବ୍ରାହ୍ମଣମାନଙ୍କର ପ୍ରବେଶ ଫଳରେ, ସଂରକ୍ଷଣ ବ୍ୟବସ୍ଥା ଆର୍ଥôକ ସ୍ଥିତିଭିତ୍ତକ ହେଉ ବୋଲି ମାୟାୱତୀ କହିବା ଆରମ୍ଭ କରିଛନ୍ତି । ଏହା ସମୁଦାୟ ପ୍ରକ୍ରିୟାରେ ଏକ ସୁପ୍ରଭାବ ବୋଲି ଗ୍ରହଣ କରାଯାଇପାରେ । କିନ୍ତୁ ପ୍ରଥମରୁ ଆର୍ଥôକଭିତ୍ତରେ ସଂରକ୍ଷଣ କଥା କହି ଆସୁଥିବା ସାମ୍ୟବାଦୀ ଦଳମାନେ ନିର୍ବାଚନ ରଣାଙ୍ଗନରେ ନିଶ୍ଚିହ୍ନ ହୋଇଯିବା କ’ଣ ଇଙ୍ଗିତ କରେ? ସେହିଭଳି ବିଶ୍ୱନାଥ ପ୍ରତାପ ସିଂହଙ୍କର ଜନମୋର୍ଚ୍ଚାର ଅସଫଳତା କଣ ଇଙ୍ଗିତ କରେ? ବିଶ୍ୱନାଥ ପ୍ରତାପ ସିଂହ ଜଣେ ସଚ୍ଚୋଟ ରାଜନେତା, ଅନୁନ୍ନତ ଶ୍ରେଣୀ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିବାକୁ ଯାଇ ପ୍ରଧାନମନ୍ତ୍ରୀତ୍ୱ ହରାଇଥିବା ଏକ ଉଚ୍ଚାଙ୍ଗ ବ୍ୟକ୍ତିତ୍ୱ । ତଥାପି ସେ ଉତ୍ତରପ୍ରଦେଶ ନିର୍ବାଚନରେ ହେଲେ ଅସଫଳ ।
ମାୟାୱତୀ ଚତୁର୍ଥଥର ପାଇଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏହାପୂର୍ବରୁ ସେ ତିନିଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ମେଣ୍ଟ ସରକାରମାନଙ୍କରେ ଓ ମେଣ୍ଟ ତାଙ୍କର ହୋଇଛି ଏକ ଦିଗରେ ଭାରତୀୟ ଜନତା ପାର୍ଟି ସହିତ ଓ ଅନ୍ୟଦିଗରେ ସମାଜବାଦୀ ପାର୍ଟି ସହିତ । ବର୍ତ୍ତମାନର ନିର୍ବଚନର ଫଳାଫଳ ପ୍ରମାଣିତ କରୁଛି ଯେ, ସେ ଏହି ମେଣ୍ଟ ଫଳରେ ଲାଭବାନ ହିଁ ହୋଇଛନ୍ତି ଓ ଯେଉଁମାନଙ୍କ ସହ ମେଣ୍ଟ କରିଛନ୍ତି ତାଙ୍କୁ ଦୁର୍ବଳ କରିନେଇଛନ୍ତି । ସମ୍ପୂର୍ଣ୍ଣ ବିରୋଧୀ ରାଜନୈତିକ ଦର୍ଶନର ଦଳଗୁଡ଼ିକ ସହ ମେଣ୍ଟ କରି ସେ ଏକ ଭିନ୍ନ ଦର୍ଶନରେ (କୌଣସି ଉପାୟରେ କ୍ଷମତା ଦଖଲ ଦର୍ଶନ) ବିଶ୍ୱାସ କରନ୍ତି ବୋଲି ପ୍ରମାଣିତ କରିଛନ୍ତି । ଏହାକୁ ସେ ଏପରି ଦୃଢ଼ତାର ସହ ସାବ୍ୟସ୍ତ କରିଛନ୍ତି ଯେ ଉତ୍ତର ପ୍ରଦେଶର ମତଦାତାଙ୍କ ଭିତରେ ଏକ ବିଶ୍ୱାସ ସୃଷ୍ଟି ହୋଇପାରିଛି ଯେ ମାୟାୱତୀଙ୍କର ବହୁଜନ ସମାଜ ପାର୍ଟି ହିଁ ସମାଜବାଦୀ ପାର୍ଟି ବା ଭାରତୀୟ ଜନତା ପାର୍ଟି ହାତରୁ କ୍ଷମତା ଛଡ଼ାଇ ନେଇପାରନ୍ତି । ଜିତି ପାରୁଥିବା ଘୋଡ଼ା ଉପରେ ଟଙ୍କା ବାଜି ଲଗାଇଥିବା ଲୋକଙ୍କ ଭଳି ଉତ୍ତରପ୍ରଦେଶର ମତଦାତା ମାୟାୱତୀଙ୍କ ଦଳ ଉପରେ ତାଙ୍କର ମୋହର ବସାଇଛନ୍ତି- ଫଳସ୍ୱରୂପ ମାୟାୱତୀ ବିନାଶ୍ରୟରେ ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି । ଉଚ୍ଚବର୍ଗକୁ ଜୋତା ମାରିବା ପାଇଁ ଡାକରା ଦେଇ ତିନି ତିନିବାର ମେଣ୍ଟ ସରକାରର ମୁଖ୍ୟମନ୍ତ୍ରୀ ହୋଇପାରିଥିବା ମାୟାୱତୀ- ଏହି ଉଚ୍ଚବର୍ଗକୁ ନେବା ଫଳରେ ମେଣ୍ଟ ଦାୟରୁ ମୁକ୍ତି ପାଇଛନ୍ତି ଓ  ଏକକ ଦଳର ନେତ୍ରୀଭାବେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି- କିନ୍ତୁ ବହୁଜନ ସମାଜ ପାର୍ଟି ଯେ ଦଳିତ ଓ ବ୍ରାହ୍ମଣଙ୍କର ବା ଉଚ୍ଚବର୍ଗଙ୍କର ଏକ ମହାମେଣ୍ଟ ଭାବେ ପ୍ରକଟିତ ହୋଇଛି-ତାହାକୁ ଅଣଦେଖା କରିଦିଆଯାଇନପାରେ । ଜାତିର ବିଲୟ ଆମ୍ବେଦକରଙ୍କର ଥିଲା ଲକ୍ଷ୍ୟ । ଆମ୍ବେଦକର ଦର୍ଶନ ଉପରେ ପ୍ରତିଷ୍ଠିତ ବହୁଜନ ସମାଜ ପାର୍ଟି- ଏହିଭଳି ଜାତି ଆଧାରିତ ମେଣ୍ଟ କରି ସୂଚାଇ ଦିଏ ଯେ ଆମ୍ବେଦକରଙ୍କର ଲକ୍ଷ୍ୟ ଠାରୁ ବହୁଜନସମାଜ ପାର୍ଟି ବେଶ ଦୂରରେ । ଯଦି ବ୍ରାହ୍ମଣମାନଙ୍କର ଆତ୍ମସ୍ଥ କରିବାର ଐତିହାସିକ କୌଶଳକୁ ସ୍ମରଣ କରାଯାଏ- ତେବେ ଉଚ୍ଚବର୍ଗର ଅପରିହାର୍ଯ୍ୟତାକୁ ସ୍ୱୀକାର କରିଥିବା ବହୁଜନ ସମାଜ ପାର୍ଟି ଆମ୍ବେଦକରଙ୍କର ଲକ୍ଷ୍ୟକୁ ଯେ କେତେଦୂର ପୂରଣ କରିପାରିବ ତାହା ଅଧିକ ଆଲୋଚନାସାପେକ୍ଷ । ଲକ୍ଷ୍ୟ କରିବାର କଥା ଯେ ଭାରତୀୟ ଜନତା ପାର୍ଟି ତାର ଦ୍ୱାର ଅନୁନ୍ନତ ସଂଖ୍ୟାଲଘୁ ଓ ଦଳିତ ବର୍ଗର ବ୍ୟକ୍ତିମାନଙ୍କ ପାଇଁ ଉନ୍ମୁକ୍ତ କରି ଏକ ଉଚ୍ଚବର୍ଗର ଦଳଭାବେ ଏହାର ପରିଚିତିକୁ ହରାଇନଥିବା ବେଳେ, ଦଳିତମାନଙ୍କର ଦଳ ବହୁଜନ ସମାଜ ପାର୍ଟି, ଉଚ୍ଚବର୍ଗକୁ ଦଳ ଭିତରେ ସାମିଲ କରି ବିଜୟ ଲାଭ କରିବା ପରେ ପରେ  ଉଚ୍ଚବର୍ଗ ପାଇଁ ବିଜୟ ବୋଲି ପ୍ରଚାରିତ ହେଉଛି । ଏହାହିଁ ଉଚ୍ଚବର୍ଗର ଆଧିପତ୍ୟକୁ ସୂଚିତ କରେ ।
କହିବା ବାହୁଲ୍ୟ ଯେ ଉଚ୍ଚବର୍ଗର ଆଧିପତ୍ୟ ସବୁ ଦକ୍ଷିଣପନ୍ଥୀ ରାଜନୈତିକ ଦଳରେ- ପ୍ରଶାସନରେ ତାହା ସାଧାରଣ ପ୍ରଶାସନ ହେଉ ବା ନ୍ୟାୟ ପ୍ରଶାସନରେ ହେଉ- ପ୍ରାୟଃ ସମସ୍ତ ନିର୍ଣ୍ଣାୟକ ସ୍ଥିତିରେ ନିଷ୍ପତ୍ତ ଉଚ୍ଚବର୍ଗର ନିୟନ୍ତ୍ରଣରେ । ଅନେକ ସମୟରେ ଏହି ଆଧିପତ୍ୟ ଭାଙ୍ଗୁଛି ବୋଲି ଭ୍ରମ ସୃଷ୍ଟି ହେଉଛି । ଯଦିବା ଭାଙ୍ଗୁଛି- ତାହା ସାମୟିକ । ପୁଣି ସେ କୌଣସି ଏକ ବାଟ ଦେଇ ଫେରୁଛି । ଶୁଦ୍ରକର ସନେ୍ଦହ ବହୁଜନ ସମାଜ ପାର୍ଟି ଦେଇ ଉଚ୍ଚବର୍ଗର ଆଧିପତ୍ୟ ଫେରୁଛି ଓ ଉଚ୍ଚବର୍ଗର ମାୟାର ଶିକାର ମାୟାୱତୀ ହୋଇଛନ୍ତି ।

Print Friendly, PDF & Email