‘ପବ୍ ଭରୋ’ ଆହ୍ୱାନ-‘ପିଙ୍କ୍ ଚଡ଼ି’ ଅଭିଯାନ : ସ୍ୱାଧୀନତାର ନୂଆ ନିଶାଣ!

  • 17/09/2015

ନାରୀ ସଶକ୍ତିକରଣର ଦୁଇଟି ପରସ୍ପର ବିରୋଧୀ ଦୃଶ୍ୟ । ଗୋଟିଏପଟେ ନିରକ୍ଷର, ଶ୍ରମଜୀବୀ, ସାଧାରଣ ଘରର ସ୍ତ୍ରୀଲୋକମାନଙ୍କର ମଦଭାଟି ଭାଙ୍ଗିବାର ଦୃଶ୍ୟ, ମଦବିରୋଧୀ ଆନେ୍ଦାଳନରେ ସକ୍ରିୟ ଅଂଶଗ୍ରହଣ କରିବାର ଦୃଶ୍ୟ ଓ ଅନ୍ୟପଟେ ଉଚ୍ଚଶିକ୍ଷିତ, ଉଚ୍ଚ ବେତନଭୋଗୀ, ବଡ଼ ବଡ଼ ଘରର ଯୁବତୀ, ମହିଳାମାନଙ୍କର ପାନଶାଳା(Pub)କୁ ଯିବାର ଅଧିକାର ସାବ୍ୟସ୍ତ କରିବାପାଇଁ ‘ପବ୍ ଭରୋ’ ର ଡାକରା ଓ ଏହାକୁ ବିରୋଧ କରୁଥିବା ବ୍ୟକ୍ତିଙ୍କ ନିକଟକୁ ଅନ୍ତର୍ବାସ(ଚଡ଼ି)ପଠାଇବାର ଅଶାଳୀନ ଅଭିଯାନ । ଅନେକେ ଏହି ଦୃଶ୍ୟଦ୍ୱାରା ସ୍ତବ୍ଧ ହୋଇଥିଲେ ହେଁ ପାନଶାଳାକୁ ଯେ ସ୍ୱାଧୀନତା ବା ମୁକ୍ତିର ଏକ ପ୍ରତୀକ ଭାବେ ଚିହ୍ନଟ କରିବାର ଉଦ୍ୟମ ଆରମ୍ଭ ହେଲାଣି ତାହାକୁ ଅସ୍ୱୀକାର କରିପାରୁ ନାହାନ୍ତି । (ଦ୍ରଷ୍ଟବ୍ୟ : The Pub as a signof Freedom.’ The Times of India, Feb10, 2009)) ବିଡ଼ମ୍ବନା ଯେ ଯେତେବେଳେ ସମ୍ବିଧାନର ଧାରା ୪୭ରେ ନିଶାଦ୍ରବ୍ୟ ସେବନକୁ ନିଷେଧ କରିବାପାଇଁ ରାଷ୍ଟ୍ର ଚେଷ୍ଟା କରିବ ବୋଲି ନିଦେ୍ର୍ଧଶ ରହିଛି, ସେତେବେଳେ ସମ୍ବିଧାନ ପ୍ରତି ଅନୁଗତ ରହିବେ ବୋଲି ଶପଥ ନେଇଥିବା କେନ୍ଦ୍ରମନ୍ତ୍ରୀ ରେଣୁକା ଚୌଧୁରୀ ମହୋଦୟା ପାନଶାଳାକୁ ବହୁସଂଖ୍ୟାରେ ଯିବାପାଇଁ ମହିଳାମାନଙ୍କୁ ଡାକରା ଦେଇଛନ୍ତି । (ଦ୍ରଷ୍ଟବ୍ୟ : Times of India, 6th Feb 2009)
ଯେଉଁ ଘଟଣାକୁ କେନ୍ଦ୍ରକରି ଏହିଭଳି ପରିସ୍ଥିତି ଉପୁଜିଛି-ତାହା ଘଟିଥିଲା ୨୪ଜାନୁଆରୀ ୨୦୦୯ ଦିନ ଦକ୍ଷିଣ କର୍ଣ୍ଣାଟକର ମାଙ୍ଗାଲୋର ସହରରେ ଥିବା ଆମନେସିଆ (Amnesia-ଓଡ଼ିଆ ଅନୁବାଦ ବିସ୍ମରଣ) ନାମକ ଏକ ପାନଶାଳାରେ । ଶ୍ରୀରାମ ସେନାର ସ୍ଥାନୀୟ ମୁଖ୍ୟ ପ୍ରମୋଦ ମୁଥାଲିକଙ୍କ ନେତୃତ୍ୱରେ ଦଳେ ଯୁବକ ଏହି ପାନଶାଳାରେ ପଶି – ସେଠାରେ ଉପସ୍ଥିତ ଯୁବତୀମାନଙ୍କୁ ମାରଧର କରିଥିଲେ ଓ କେବଳ ସେହି ଯୁବକମାନଙ୍କୁ ମାରଧର କଲେ ଯେଉଁମାନେ ଏହି ଯୁବତୀମାନଙ୍କ ସୁରକ୍ଷାରେ ବାହାରିଲେ । ରାମସେନାର ଏହିଭଳି ପକ୍ଷପାତ ଆଚରଣ ସ୍ୱାଭାବିକ ଆଧୁନିକ ମହିଳାମାନଙ୍କୁ କ୍ଷୁବ୍ଧ କରିଛି । ପାନଶାଳାକୁ ଯିବାର ଅଧିକାର ଯଦି ପୁରୁଷର ଅଛି, ତା’ହେଲେ ମହିଳାର କାହିଁକି ନାହିଁ ବୋଲି ପ୍ରଶ୍ନ ଉଠାଇବାର ସୁଯୋଗଟିଏ ସୃଷ୍ଟି କରିଛି । ରାମସେନା ମଧ୍ୟ ତାଙ୍କର ଏତାଦୃଶ ଆଚରଣ ଦ୍ୱାରା ପ୍ରକାରାନ୍ତରେ ସୂଚାଇ ଦେଇଛନ୍ତି ଯେ ସେମାନେ ପାନଶାଳା ବା ପବ୍ସଂସ୍କୃତିର ବିରୋଧୀ ନୁହନ୍ତି । ରାମସେନାର ହିଂସାତ୍ମକ ଆଚରଣ ନିନ୍ଦନୀୟ ଏଥିରେ ସନେ୍ଦହ ନାହିଁ, କିନ୍ତୁ ଏହା ବିରୋଧରେ ମହିଳାମାନଙ୍କୁ ପବ୍ ଭରୋ ଡାକରା ଓ ପ୍ରମୋଦ ମୁଥାଲିକଙ୍କ ନିକଟକୁ ହଜାର ହଜାର ସଂଖ୍ୟାରେ ଚଡ଼ି ପଠାଇବା ପାଇଁ ଆହୂତ ଅଭିଯାନକୁ ଏକ ସଠିକ ପ୍ରତିକ୍ରିୟା ଭାବେ ଗ୍ରହଣ କରାଯାଇନପାରେ ।
ତେବେ ଏହି ଘଟଣା ଓ ଏହାର ପ୍ରତିକ୍ରିୟାରେ ପବ୍ ଭରୋ ଡାକରା ତଥା ପିଙ୍କ୍ ଚଡ଼ି (Pink Chadi) ଅଭିଯାନ ମଦ ବ୍ୟବସାୟୀ ଓ ଚଡ଼ି ବ୍ୟବସାୟୀମାନଙ୍କ ପାଇଁ ସେମାନଙ୍କ ବ୍ୟବସାୟ ଦୃଷ୍ଟିରୁ ଅନୁକୂଳ ମନେହେଉଥିବ । ସେମାନେ କଦାପି ଭାବି ନଥିବେ ଯେ ବିନାଖର୍ଚ୍ଚରେ ସେମାନେ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ତାଙ୍କର ଉପôାଦିତ ଦ୍ରବ୍ୟର ବିଜ୍ଞାପନ ପାଇଁ ପାଇଯିବେ । ମହିଳାମାନେ ମନ୍ତ୍ରୀଙ୍କ ଡାକରାରେ ଯଦି ଅଧିକରୁ ଅଧିକ ପାନଶାଳାଗାମିନୀ ହୁଅନ୍ତି – ତା’ହେଲେ ମଦ ବ୍ୟବସାୟରେ ଯେ, ଅଭୂତପୂର୍ବ ବୃଦ୍ଧି ଘଟିବ – ଏହି ଭାବନା ମଦବେପାରୀମାନଙ୍କୁ ବେଶ୍ ଉଲ୍ଲସିତ କରୁଥିବ । ଅନ୍ତର୍ବାସ ପ୍ରସ୍ତୁତ କରୁଥିବା କମ୍ପାନୀମାନେ ଅନ୍ତର୍ବାସର ଏହିଭଳି ଅଭିନବ ପ୍ରୟୋଗ ଭିତରେ ଅନ୍ତର୍ବାସ ବଜାର ବୃଦ୍ଧିର ଏକ ବିରାଟ ସମ୍ଭାବନା ଦେଖୁଥିବେ । କିଏ କହିବ ବ୍ୟବସାୟ ପାଇଁ ଏଭଳି ଏକ ଅନୁକୂଳ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଏହି ବ୍ୟବସାୟୀମାନେ ଶ୍ରୀ ରାମସେନାର ସ୍ଥାନୀୟ ଅଧ୍ୟକ୍ଷ ପ୍ରମୋଦ ମୁଥାଲିକଙ୍କୁ ମନେ ମନେ ଧନ୍ୟବାଦ ଦେଇନଥିବେ?

Print Friendly, PDF & Email