ଦ୍ଭ ୧୬-୩୦ ଅଗଷ୍ଟ ୨୦୦୬
ଓଡ଼ିଶାର ଅନେକ ଅଞ୍ଚଳରୁ ଦାବି ହେଉଛି ଯେ ବେଦାନ୍ତ ବିଶ୍ୱବିଦ୍ୟାଳୟ ସେମାନଙ୍କ ଅଞ୍ଚଳରେ ସ୍ଥାପିତ ହେଉ । ଯେଉଁମାନେ ଏପରି ଦାବି କରୁଛନ୍ତି ସେମାନେ ଏହାର ପରିଣତି କ’ଣ ବୁଝନ୍ତି ବୋଲି ମନେହୁଏ ନାହିଁ, ବା ଏହିଭଳି ଦାବି ଯେ ବେଦାନ୍ତ କମ୍ପାନୀ ଦ୍ୱାରା ପ୍ରାୟୋଜିତ ହୋଇ ନଥିବ ତାହା ମଧ୍ୟ କହିହେବ ନାହିଁ । ଏହି ଦାବି ପ୍ରତିଯୋଗିତାରେ ଯିଏ ସଫଳ ହେବ ଅର୍ଥାତ୍ ଯେଉଁ ଅଞ୍ଚଳରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ସ୍ଥାପନାର ନିଷ୍ପତ୍ତ ହେବ ସେ ଅଞ୍ଚଳ ଲୋକ ଯେ ଅତ୍ୟନ୍ତ ଭାଗ୍ୟବାନ ଏହିଭଳି ଏକ ମାନସିକତା ସୃଷ୍ଟି କରିବା ହୁଏତ ବେଦାନ୍ତ କମ୍ପାନୀର ଉଦେ୍ଧଶ୍ୟ ହୋଇପାରେ । ତେବେ, ଆମେ ଓଡ଼ିଆ ନିଶ୍ଚିତଭାବରେ ଏତେ ନିର୍ବୋଧ ନୋହୁଁ ଯେ, ଏହିଭଳି ଚାଲବାଜି ବୁଝିପାରିବୁ ନାହିଁ ଓ ବେଦାନ୍ତର ଇଙ୍ଗିତରେ ନୃତ୍ୟ କରିବୁ ।
ଯେଉଁମାନେ ବୁଝିବେ ନାହିଁ ବୋଲି ମନସ୍ଥ କରିଛନ୍ତି ସେମାନେ ତ ଚେଇଁ ଶୋଇଲା ପରି । ତାଙ୍କ ପାଖରେ ମହାଦେବଙ୍କର ଷଣ୍ଢ ତ’ ହାର ମାନିଯିବ – କଲମର ବା ଜୋର କେତେ? କିନ୍ତୁ ଯେଉଁମାନେ ଭ୍ରମରେ ପଡ଼ିଯାଉଛନ୍ତି ଓ ଶିଳ୍ପପତିମାନଙ୍କର ଏତାଦୃଶ ବଦାନ୍ୟତା (ଶିକ୍ଷାନୁଷ୍ଠାନ ଗଢ଼ିବାକୁ ଯଦି ଆଜି ବଦାନ୍ୟତା ବୋଲି ଧରାଯାଏ) ଦ୍ୱାରା ଅଭିଭୂତ ହୋଇ ଯାଉଛନ୍ତି ସେମାନେ ଏହି ସମୀକରଣ ସହ ପରିଚିତ ହେବା ଉଚିତ ଯେ ମୁନାଫା ଙ୍ଘ ଖଇରାତ୍ = କ୍ଷମତା (Profit x Philanthropy = Power)) । ଏହା ପୁଞ୍ଜିବାଦୀ ବ୍ୟବସ୍ଥାର ଏକ ଅବିସମ୍ବାଦିତ ସୂତ୍ର । ବହୁ ବଡ଼ ବଡ଼ ଏନ୍.ଜି.ଓ. ଯେଉଁମାନେ କର୍ପୋରେଟ୍ ଖଇରାତ୍ (Corporate Philanthropy) କଥା କୁହନ୍ତି ସେମାନେ ପୁଞ୍ଜିବାଦୀ ବ୍ୟବସ୍ଥାର ଦଲାଲୀ କରନ୍ତି ବୋଲି ବୁଝିବାକୁ ହେବ ।
ଅନେକେ ଯୁକ୍ତିକରନ୍ତି ଯେ ଆମ ଜଳ, ଜମି, ଜଙ୍ଗଲ, ଖଣିକୁ ତ ଶିଳ୍ପପତିମାନେ ଯେମିତି ହେଲେ ନେବେ ଶିଳ୍ପାୟନ ପାଇଁ ହେଉ ବା ବିଶ୍ୱବିଦ୍ୟାଳୟ ପାଇଁ ହେଉ । ଯଦି ଏହି ପ୍ରକ୍ରିୟାରେ ସେମାନେ ଆମକୁ କିଛି ଦାନ ଦେଲେ ଯେପରି ଶିକ୍ଷାନୁଷ୍ଠାନ, ହସପିଟାଲ, ବୃଦ୍ଧାଶ୍ରମ, କିଛି ଯନ୍ତ୍ରପାତି, ଏଡ଼ସ୍ ପ୍ରତିରୋଧକ କଣ୍ଡୋମ୍; ତା’ହେଲେ ସେଗୁଡ଼ିକ ଗ୍ରହଣ କରିବାରେ କ୍ଷତି କ’ଣ? ଏହିଭଳି ଯୁକ୍ତି ତ ଠିକ୍ ଏହିଭଳି ଯେ ଯଦି ଜଣେ ଶକ୍ତିଶାଳୀ ବ୍ୟକ୍ତି ଆମ ଘରେ ପଶିଛି ଓ ଆମ ଘରର ସ୍ତ୍ରୀ,ବୋହୂଙ୍କର ଇଜ୍ଜତ ଲୁଟିବା ପାଇଁ ଜିଦ୍ ଧରିଛି ଅଥଚ ଏହାର ପ୍ରତିବଦଳରେ ଆମ ପରିବାର ପାଇଁ କିଛି କରିହେବ (ଯେପରି ପରିବାରର ଋଣ ଶୁଝିହେବ, ପିଲାଙ୍କର ପଢ଼ାପଢ଼ିର ଖର୍ଚ୍ଚ ହେବ ଇତ୍ୟାଦି) ବୋଲି ପ୍ରତିଶ୍ରୁତି ଦେଉଛି – ତା’ହେଲେ ଆମେ ତାକୁ ଗ୍ରହଣ କରିଗଲେ କ୍ଷତି କ’ଣ? ନକଲେବି ତ ସେ ଧର୍ଷଣ କରିବ, ଛାଡ଼ିବ ନାହିଁ । ଅନେକେ ପରିବାର କ୍ଷେତ୍ରରେ ଏହିଭଳି ପରିସ୍ଥିତିକୁ ଗ୍ରହଣ କରିପାରିବେ ନାହିଁ । କହିବେ ପରିବାରର ସ୍ତ୍ରୀ ବୋହୂଙ୍କର ଇଜ୍ଜତ ରକ୍ଷା ସ୍ୱାଭିମାନ ଓ ଆତ୍ମସମ୍ମାନର କଥା-ଏହାର ପ୍ରତିବଦଳରେ (exchange) ମୂଲ୍ୟ ନାହିଁ । ସ୍ୱାଭିମାନ ଓ ଆତ୍ମସମ୍ମାନ ବଜାରର ଚିଜ ନୁହେଁ ।
ପରିବାରର ସ୍ତ୍ରୀ ବୋହୂର ଇଜ୍ଜତକୁ ସୁରକ୍ଷା ଦେବା ଯେପରି ସ୍ୱାଭିମାନ ଓ ଆତ୍ମ ସମ୍ମାନର ଅଭିବ୍ୟକ୍ତି, ଠିକ୍ ସେହିଭଳି ଜମି, ଜଙ୍ଗଲ, ଜଳକୁ ସାଧାରଣ ମଣିଷ ପାଇଁ ସଂରକ୍ଷିତ ଓ ସୁରକ୍ଷିତ ରଖିବା ଏକ ଜାତିର ସ୍ୱାଭିମାନ ଓ ଆତ୍ମସମ୍ମାନର ଅଭିବ୍ୟକ୍ତି । ଏହାର ପ୍ରତିବଦଳରେ କୌଣସି ପ୍ରତିଶ୍ରୁତି ଗ୍ରହଣ ନୁହେଁ । ବେଦାନ୍ତ ବିଶ୍ୱବିଦ୍ୟାଳୟ ତ ଆଦୌ ନୁହେଁ କାରଣ ଏହା ଓଡ଼ିଶାର ସ୍ୱାର୍ଥକୁ, ଓଡ଼ିଆ ଜାତିର ସ୍ୱାର୍ଥକୁ କୌଣସି ପ୍ରକାର ସୁରକ୍ଷା ଦେବନାହିଁ ।
ବଜାର ଅର୍ଥନୀତିରେ ଚାହିଦା ସୃଷ୍ଟି କରିବା ପାଇଁ ବିଜ୍ଞାପନ ଏକ ବିରାଟ ଭୂମିକା ଗ୍ରହଣ କରିଥାଏ । ଓଡ଼ିଶାର ଦାରିଦ୍ର୍ୟ ଏକ ବହୁ ବିଜ୍ଞପିତ ବିଷୟ । ବିଭିନ୍ନ ଋଣ ଯୋଗାଣକାରୀ ସଂସ୍ଥାମାନେ ଯେପରି ବିଶ୍ୱବ୍ୟାଙ୍କ ଓ ଡି.ଏଫ୍.ଆଇ.ଡି. ସେମାନଙ୍କର ଋଣର ଚାହିଦା ସୃଷ୍ଟି ପାଇଁ ଓଡ଼ିଶାର ଦାରିଦ୍ର୍ୟକୁ ବହୁଳ ପ୍ରଚାରିତ କରୁଛନ୍ତି । ସେହିଭଳି ଏହି ଦାରିଦ୍ର୍ୟ ବାରମ୍ବାର ବିଜ୍ଞାପନ କରାଯାଇ ଶିଳ୍ପାୟନର ଅଧିକ ଚାହିଦା ସୃଷ୍ଟି କରାଯାଉଛି । ଏଥିପାଇଁ ଜଳ, ଜମି, ଜଙ୍ଗଲ ଓ ଖଣିକୁ ଶିଳ୍ପପତିମାନଙ୍କ ଦ୍ୱାରା କରାୟତ ହେବାର ସୁଯୋଗ ସୃଷ୍ଟି ହୋଇଛି । ତେଣୁ ଋଣଭାର ତ ବୃଦ୍ଧିପାଉଛି; ଜଳ, ଜମି, ଜଙ୍ଗଲ, ଖଣି ସବୁ କ୍ରମଶଃ ହାତଛଡ଼ା ହୋଇଯାଉଛି ଅଥଚ ଓଡ଼ିଶାର ‘ଦାରିଦ୍ର୍ୟ’ର ନିରାକରଣ ହେଉନାହିଁ । ସଦ୍ୟ ପ୍ରକାଶିତ ବିଶ୍ୱବ୍ୟାଙ୍କ ରିପୋର୍ଟରେ ଓଡ଼ିଶା ବିଷୟରେ ଯେଉଁ ମନ୍ତବ୍ୟ ପ୍ରକାଶପାଇଛି ତାହା ଏହାହିଁ ସୂଚିତ କରୁଛି । ବିଶ୍ୱବ୍ୟାଙ୍କ୍ରେ ଓଡ଼ିଶାର ଦାରିଦ୍ର୍ୟ ସମ୍ପର୍କରେ ମନ୍ତବ୍ୟ- ବିଶ୍ୱବ୍ୟାଙ୍କରୁ ଅଧିକ ଋଣ ଆଣିବା ପାଇଁ, ବିଶ୍ୱବ୍ୟାଙ୍କର ରାଜ୍ୟ ପରିଚାଳନାରେ ଅଧିକ ସମ୍ପୃକ୍ତି ପାଇଁ ସୁଯୋଗ ସୃଷ୍ଟି କରିପାରେ । ତେଣୁ ତ ଓଡ଼ିଶାର ଦାରିଦ୍ର୍ୟ ଏକ ଚମକ୍ରାର ବିଜ୍ଞାପନର ଆଇଟମ୍ ।
ଓଡ଼ିଶା ଏକ ଦରିଦ୍ର ରାଜ୍ୟ-ଏହି ଧାରଣାରୁ ଅବ୍ୟାହତି ନେବାର ଆବଶ୍ୟକତା ରହିଛି କି? ତାହା ସମସ୍ତ ଚିନ୍ତାଶୀଳ ଓଡ଼ିଆ ନିଜକୁ ପଚାରିବା ଉଚିତ । ଏହାଦ୍ୱାରା ପ୍ରଥମତଃ ଓଡ଼ିଶାର ଦାରିଦ୍ର୍ୟକୁ ନେଇ ଯେଉଁ ବିଜ୍ଞାପନ ହେଉଛି – ତାହା ଦ୍ୱାରା ଆମେ ପ୍ରଭାବିତ ହେଉନାହୁଁ ବୋଲି ଜଣାପଡ଼ିବ । ଦ୍ୱିତୀୟତଃ ମହାରାଷ୍ଟ୍ର, ଆନ୍ଧ୍ର, କର୍ଣ୍ଣାଟକ, ପଞ୍ଜାବ ଭଳି ଧନୀ ରାଜ୍ୟମାନଙ୍କରେ ଯେଉଁ ହାରରେ କୃଷକ ଆତ୍ମହତ୍ୟା କରୁଛି, ‘ଅନଗ୍ରସର’, ‘ଦରିଦ୍ର’ ଓଡ଼ିଶାରେ ସେଭଳି ପରିସ୍ଥିତି ନାହିଁ ବୋଲି ଦିଶିବ । ଆହୁରି ମଧ୍ୟ ଦିଶିବ ଯେ କନ୍ୟାଭ୍ରୂଣ ହତ୍ୟା ଯାହା ଉନ୍ନତ ରାଜ୍ୟମାନଙ୍କରେ ଚିନ୍ତାର ବିଷୟ ହୋଇଛି ତାହା ଓଡ଼ିଶାରେ ଯଥେଷ୍ଟ କମ୍ ଓ ମହିଳାଙ୍କ ସଂଖ୍ୟା ପ୍ରତି ୧୦୦୦ପୁରୁଷଙ୍କ ମଧ୍ୟରେ ଓଡ଼ିଶାରେ ୯୭୨ ହୋଇଥିବା ବେଳେ ଜାତୀୟ ହାର ହେଉଛି ୯୩୩ (ଦ୍ରଷ୍ଟବ୍ୟ ଧରିତ୍ରୀ – ତା ୧୧/୮/୨୦୦୬) । କୃଷକର ଆତ୍ମହତ୍ୟାର ହାର ଓ ଲିଙ୍ଗ ଅନୁପାତ (sex ratio) କୁ ଯଦି ସୂଚକ ବୋଲି ଧରାଯାଏ ବହୁ ଧନୀ ରାଜ୍ୟଠାରୁ ଓଡ଼ିଶା ଯେ ଆଗୁଆ ଏହା ନିଦ୍ୱର୍ନ୍ଦ୍ୱରେ କହିହେବ । ଅପରପକ୍ଷରେ ଯେଉଁ ସୂଚକଗୁଡ଼ିକୁ ଧରି ଓଡ଼ିଶାକୁ ଦରିଦ୍ର ବୋଲି କୁହାଯାଉଛି ଯେପରି ଶିଶୁମୃତୁ୍ୟହାର, ସାକ୍ଷରତା ହାର, ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଜନସଂଖ୍ୟାର ଅଂଶ – ଏହାତ ବୃଦ୍ଧିପାଇବ ଯଦି ସ୍ୱାସ୍ଥ୍ୟ ସେବା, ଶିକ୍ଷା ସବୁର ପରିଚାଳନା ଘରୋଇ ହୋଇଯିବ ଓ ବ୍ୟୟସାପେକ୍ଷ ହେବ । ଯାହା ବର୍ତ୍ତମାନର ‘ବିକାଶ’ ପରିପ୍ରେକ୍ଷୀରେ ଅନିର୍ବାର୍ଯ୍ୟ ।
ଅନେକେ କୁହନ୍ତି ଯେ, ସେବା ଘରୋଇ ହୋଇଗଲେ ମଧ୍ୟ ସରକାରଙ୍କର ତ କଟକଣା ରହିବ । ଆମ ରାଜ୍ୟରେ ଏକ ଗଣତାନ୍ତ୍ରିକ ସରକାର ରହିଛି – ଘରୋଇ କମ୍ପାନୀମାନେ କ’ଣ ସରକାରକୁ ବଳାଇ ଯିବେ? ମନମୁଖୀ ଘରୋଇ କମ୍ପାନୀମାନଙ୍କୁ ସରକାର ଅଙ୍କୁଶ ପକାଇ ଭିଡ଼ିନେବେ । ଯେଉଁମାନେ ଏହା କହୁଛନ୍ତି ସେମାନେ ବୋଧେ ରିଲାଏନ୍ସ ଏନର୍ଜି ଦୁଇହଜାର କୋଟିଟଙ୍କାର ଦେୟ ବା ଏ.ଇ.ଏସ କମ୍ପାନୀର ଦେୟକୁ ସ୍ମରଣ କରିପାରୁ ନାହାନ୍ତି ଓ ସରକାର କିପରି ଅସହାୟ ହୋଇଛି ଏହି ଅର୍ଥକୁ ଆଦାୟ କରିବା ପାଇଁ ତାହା ଦେଖିପାରୁ ନାହାନ୍ତି ।
ସେମାନେ ବୋଧେ ନିକଟ ଅତୀତରେ ଓଡ଼ିଶା ଆସିଥିବା ମିତ୍ତଲ ଷ୍ଟିଲସ୍ର ମାଲିକ ଲକ୍ଷ୍ମୀଚାନ୍ଦ ମିତ୍ତଲଙ୍କର ତରୁଣ ପୁତ୍ରର ପ୍ରଶ୍ନ ଯେ ଏ ରାଜ୍ୟର ଜି.ଡ଼ି.ପି. (G.D.P) କେତେ – ତାହାକୁ ଗୁରୁତ୍ୱ ଦେଉନାହାନ୍ତି । ପ୍ରଶ୍ନ ପଛରେ ଥିଲା ତୁଳନା କରିବାର ଅଭିପ୍ରାୟ ଯେ ଆମର ଆର୍ଥିକ ସାମ୍ରାଜ୍ୟ ତୁଳନାରେ ଏ ରାଜ୍ୟ କେତେ ବଡ଼ ବା କେତେ ଛୋଟ । ଆମେ ଏକାକୀ ବା ଆମେ କେତେଜଣ ଶିଳ୍ପପତି ମିଶି ଏ ରାଜ୍ୟଟିକୁ କିଣି ନେଇପାରିବୁ କି? ଯେଉଁମାନେ ଏହିଭଳି ଶିଳ୍ପପତିମାନେ ଓଡ଼ିଶା ଆସିଲେ, ଓଡ଼ିଶାର ଭବିଷ୍ୟତ ସ୍ଥିତି ଏହିମାନଙ୍କ ଦାୟାଦମାନଙ୍କ ହାତରେ କ’ଣ ହେବ – ତାହା ସହଜରେ ଅନୁମେୟ । କହିବା ବାହୁଲ୍ୟ ଯେ ଓଡ଼ିଶାର ରାଜନୈତିକ ନେତୃତ୍ୱ ଏତେ ଦୁର୍ବଳ ଓ ହୀନମନ୍ୟତା ଦ୍ୱାରା ଆକ୍ରାନ୍ତ ଯେ ସେମାନେ ଘରୋଇ କମ୍ପାନୀମାନଙ୍କ ଦ୍ୱାରା କବଳିତ ହେବା ଆଦୌ ବିଚିତ୍ର ନୁହେଁ ଓ ସେମାନଙ୍କର ଅମଲାତନ୍ତ୍ର ରାଜକୋଷରୁ ଦରମା ଖାଇ ଘରୋଇ ଶିଳ୍ପପତିଙ୍କ ବୁକୁଚା ବୋହିବା ଦୃଶ୍ୟ ମଧ୍ୟ ବିସ୍ମୟକର ନୁହେଁ । ତେଣୁ ଆସୁଥିବା ଶିଳ୍ପପତି ମାନଙ୍କର ସହଚର୍ଯ୍ୟ ଲାଭ କରି କୁରୁଳି ଉଠୁଥିବା ରାଜନୈତିକ ନେତୃବର୍ଗ ଓ ଅମଲା ଯଦି ଆମର ଜଳ, ଜମି, ଜଙ୍ଗଲ ଓ ଖଣିକୁ ମାଟିଗୋଡ଼ି ମୂଲ୍ୟରେ ଶିଳ୍ପପତିମାନଙ୍କ ହାତକୁ ଟେକି ଦେବାର ନିଷ୍ପତ୍ତ ନେଉଛନ୍ତି, ସେଥିରେ ଆଶ୍ଚର୍ଯ୍ୟ ହେବାରେ କିଛି ନାହିଁ ।
ତେବେ ଓଡ଼ିଆ ବା ଓଡ଼ିଶାର ସାଧାରଣ ଲୋକେ ଏସବୁ ଦୃଶ୍ୟ ଦେଖୁଛନ୍ତି, ନିର୍ବୋଧଙ୍କର ନୃତ୍ୟ ଦେଖୁଛନ୍ତି । ଓଡ଼ିଆ ଜାତିର ଇତିହାସରେ ଏକ ଭିନ୍ନ ପର୍ବ ଚାଲିଛି ବୋଲି ସେମାନେ ବୁଝୁଛନ୍ତି । ସାଧାରଣ ଜନତାର ଆଶା ଆକାଂକ୍ଷାଠାରୁ ଦୂରେଇ ଯାଉଥିବା ରାଜନୈତିକ ନେତୃତ୍ୱ ଦ୍ୱାରା ପ୍ରତାରିତ ହେଉଥିଲେ ହେଁ – ଆଶା ରଖିଛନ୍ତି ଏ ଅବସ୍ଥା ବଦଳିବ – ନିର୍ବୋଧଙ୍କର ନୃତ୍ୟ ଅଚିରେ ଶେଷ ହେବ ।