ସ୍ଲମ୍ଡଗ୍ ମିଲିୟନାୟାର ଠାରୁ ପ୍ରିନ୍ସ ଡାନ୍ସ ଗ୍ରୁପ୍ ଯାଏଁ

  • 17/09/2015

କଳାକୃତି ପ୍ରଦର୍ଶନ କରିବାର ସମ୍ମୋହନକାରୀ ପ୍ରତିଭା ଯେ ଗରିବ, ନିରକ୍ଷର ଓ ପ୍ରତିକୂଳ ପରିବେଶରେ ରହୁଥିବା କିଶୋର, କିଶୋରୀ, ଯୁବକ-ଯୁବତୀଙ୍କ ଭିତରେ ରହିଛି ଓ ଏହାକୁ ମୁଖ୍ୟଧାରାର ବ୍ୟବସାୟୀମାନେ ସଫଳତାର ମୁକୁଟ ପିନ୍ଧାଇବା ପାଇଁ ଧାଡ଼ି ବାନ୍ଧିଲେଣି-ତାହାର ନିଦର୍ଶନ ହେଉଛି କିଛିଦିନ ତଳେ ଓସ୍କାର (OSCAR) ପୁରସ୍କାର ପାଇଥିବା ଚଳଚ୍ଚିତ୍ର ସ୍ଲମ୍ଡଗ ମିଲିୟନାୟାର ଓ ବର୍ତ୍ତମାନ ୫୦ଲକ୍ଷ ଟଙ୍କା ଓ ଏକ ମାରୁତି ସୁଜୁକି ରିଜ୍ଗାଡ଼ିର ବିଜେତା ବ୍ରହ୍ମପୁରର ପ୍ରିନ୍ସ ଡାନ୍ସ ଗ୍ରୁପ୍ ।
ବିଦେଶୀ ଗଟ୍ ଟାଲେଣ୍ଟ୍ ସିରିଜ (Got Talent Series)ର ଭାରତୀୟ ସଂସ୍କରଣ ଇଣ୍ଡିଆସ ଗଟ୍ ଟାଲେଣ୍ଟ (Indias’ Got Talent) ପ୍ରତିଯୋଗିତା ଯାହା ଜୁନ୍ ୨୭, ୨୦୦୯ରେ ପ୍ରଥମଥର ପାଇଁ କଲର୍ସ ଟିଭି ଚ୍ୟାନେଲରେ ପ୍ରସାରିତ ହେଲା, ତା’ର ପ୍ରାୟୋଜକ ଥିଲେ ମାରୁତି ସୁଜୁକି କମ୍ପାନୀ । ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚôଥିବା ଏଗାରଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ବ୍ରହ୍ମପୁରର ଆମ୍ବପୁଆ ଗାଁର ୨୬ଜଣିଆ ଦଳ ପ୍ରିନ୍ସ ଡାନ୍ସ ଗ୍ରୁପ୍ ପ୍ରଥମସ୍ଥାନ ଅଧିକାର କରିବା ନିଶ୍ଚିତ ଭାବରେ ଓଡ଼ିଶାବାସୀଙ୍କୁ ଆତ୍ମହରା କରିଦେଇଛି (ଦ୍ରଷ୍ଟବ୍ୟ-ଧରିତ୍ରୀ, ୨୩ଅଗଷ୍ଟ ୨୦୦୯) । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ, ପ୍ରଶାସକ, ଓଡ଼ିଶାର ସମ୍ବାଦପତ୍ର ଓ ସାଧାରଣ ଲୋକେ ସମସ୍ତେ ଏହି ଦଳର ବିଜୟ ପଛରେ ନିଜର ଭୂମିକାକୁ ସାବ୍ୟସ୍ତ କରିବା ପାଇଁ ବ୍ୟଗ୍ର, ତାହା ଗଣମାଧ୍ୟମରେ ପ୍ରକାଶିତ ସମ୍ବାଦ, ଫଟୋ ଇତ୍ୟାଦିରୁ ଜଣାପଡ଼ୁଛି ।
ମୋବାଇଲ ଫୋନ୍ ଜରିଆରେ ଦଳ ସପକ୍ଷରେ ପଠାଯାଉଥିବା ଏସ୍.ଏମ୍.ଏସ୍.ର ସଂଖ୍ୟାକୁ ଆଧାର କରି ଦଳର ବିଜୟ ସ୍ଥିର କରିବାର ଅନୁସୃତ ପ୍ରଣାଳୀ ଅନୁସାରେ ପ୍ରିନ୍ସ ଡାନ୍ସ ଗ୍ରୁପ୍ ସପକ୍ଷରେ ଅଧିକରୁ ଅଧିକ ସଂଖ୍ୟାରେ ଏସ୍.ଏମ୍.ଏସ୍. ପଠାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ ପର୍ଯ୍ୟନ୍ତ ଯେଉଁ ତପôରତା ଦେଖାଇଲେ, ତାହାକୁ କେହି କେହି ନିଜ ରାଜ୍ୟର ମାଟି ପ୍ରତି ମମତ୍ୱବୋଧର ବିରଳ ଦୃଷ୍ଟାନ୍ତ ବୋଲି କହିପାରନ୍ତି । ଅନ୍ୟ କେଉଁ ରାଜ୍ୟରେ ଏପରି ଉଦ୍ୟମ ହୋଇଛି କି ନାହିଁ ତାହା ଆମକୁ ଜଣାନାହିଁ । ତେବେ ଓଡ଼ିଶାରେ ଯେଉଁଠି ଗରିବ, ଖଟିଖିଆ ତା’ପାଦତଳୁ ମାଟି ଖସିଯିବାର ଆସନ୍ନ ବିପଦ ଦ୍ୱାରା ଆତଙ୍କିତ ଓ ତା’ର ସୁରକ୍ଷା ପାଇଁ ବେସାଲିସ ସଂଗ୍ରାମରେ ପ୍ରବୃତ୍ତ; ସେଠି ଏହି ପ୍ରକାର ମମତ୍ୱବୋଧର ଅଭିବ୍ୟକ୍ତି ଅସଲ ସମସ୍ୟାରୁ ଦୃଷ୍ଟିବିଚୁ୍ୟତ କରିବାର ଏକ ରଣନୀତି ନୁହେଁ ତ! ଅବଶ୍ୟ ଏହା ଆଉଏକ କଥା ଯେ ଏଭଳି ରିୟଲିଟି ସୋ’ (Reality Show)ର ପ୍ରତିଯୋଗିତାରେ ପଠାଯାଉଥିବା ଏସ୍.ଏମ୍.ଏସ୍.ର ମୂଲ୍ୟ (ପ୍ରାୟ ୩ଟଙ୍କା ପ୍ରତି ଏସ୍.ଏମ୍.ଏସ୍) ସାଧାରଣ ଏସ୍.ଏମ୍.ଏସ୍.ର ମୂଲ୍ୟଠାରୁ ଅଧିକ ହୋଇଥିବାରୁ ଏସ୍.ଏମ୍.ଏସ୍.ର ସଂଖ୍ୟା ଆଧାରିତ ପ୍ରତିଯୋଗିତା ବ୍ୟବସାୟ ଦୃଷ୍ଟିରୁ ମୋବାଇଲ କମ୍ପାନୀ ଓ ଚ୍ୟାନେଲ ପାଇଁ ଖୁବ୍ ଲାଭଜନକ ହେଉଛି ।
ସାଧାରଣ ଗଣେଶପୂଜା ଓ ଅନ୍ୟାନ୍ୟ ପ୍ରୋସେସନ ମାନଙ୍କରେ ନାଚୁ ନାଚୁ ଆଜି ଏପରି ସ୍ତରରେ ପହଞ୍ଚôବା ନିଶ୍ଚିତଭାବରେ ପ୍ରିନ୍ସ ଡାନ୍ସ ଗ୍ରୁପ୍ର ଏକ ଅଭିନନ୍ଦନୀୟ ସଫଳତା । ପୃଷ୍ଠପୋଷକତାର ଆତିଶଯ୍ୟରେ ଏହି ଗ୍ରୁପ୍ର ନୈସର୍ଗିକ ପ୍ରତିଭା ଦୂଷିତ ନହେଉ, ତାହା ହିଁ ଆମର କାମନା ।

Print Friendly, PDF & Email