ମାଲକାନଗିରି କଲେକ୍ଟର କ୍ରିଷ୍ଣାଙ୍କର ଅପହରଣକୁ ନାଟକ ବା ଡ୍ରାମା ବୋଲି ଗଣମାଧ୍ୟମରେ ପ୍ରକାଶ ପାଇବା ବେଶ୍ ନଜରରେ ପଡ଼ୁଛି । ରାଜନୈତିକ ଦଳ ବିଜେପି ଅବଶ୍ୟ ପ୍ରଥମରୁ ଏହାକୁ ଏକ ନାଟକ ବୋଲି କହି ଆସୁଛି । ଏବେ ଦାବି କରିଛି ଏକ ଉଚ୍ଚସ୍ତରୀୟ ଅନୁସନ୍ଧାନ ପାଇଁ । ଯଦି ଏହାକୁ ନାଟକ ବୋଲି ଧରାଯାଏ- ତା’ହେଲେ ଏହାର ନାୟକ ଯେ କଲେକ୍ଟର କ୍ରିଷ୍ଣା ଏହା ଆଖିବୁଜି କହିଦେଇ ହେବ । କିନ୍ତୁ ଯେଉଁମାନେ ଏହାକୁ ନାଟକ ବୋଲି କହୁଛନ୍ତି ସେମାନେ ଏହାର ପ୍ରାୟୋଜକ, ନିଦେ୍ର୍ଧଶକ ଓ ଅନ୍ୟାନ୍ୟ ପାଶ୍ୱର୍ନାୟକମାନଙ୍କର ଏକ ସମ୍ଭାବ୍ୟ କାଷ୍ଟିଂ (Casting) ଓଡ଼ିଶାର ଜନସାଧାରଣଙ୍କ ସମ୍ମୁଖରେ ପେଶ୍ କରିବା ଦରକାର । କେହି କେହି ତ ଏହି ଘଟଣାରେ ପ୍ରାଦେଶିକତାର ଛିଟ ଦେଖୁଛନ୍ତି- ତା’ନହେଲେ ଧରିତ୍ରୀ (୨୮/୨/୨୦୧୧) ସମ୍ପାଦକୀୟରେ ଆମେ କାହିଁକି ବା ପଢ଼ନ୍ତେ ‘ଓଡ଼ିଶାବାସୀ ଏବେ ଭାବିବା ଆରମ୍ଭ କଲେଣି ସତେ ଯେପରି କ୍ରିଷ୍ଣାଙ୍କର ଓଡ଼ିଶା ରାଜ୍ୟ ପ୍ରଶାସନ ସହିତ କୌଣସି ସମ୍ପର୍କ ନଥିଲା ଓ ଆନ୍ଧ୍ରର ବାସିନ୍ଦାଭାବେ ଏବଂ ଆନ୍ଧ୍ର ମାଓବାଦୀଙ୍କ ଦ୍ୱାରା ଅପହୃତ ହୋଇ ସେହି ରାଜ୍ୟର ମୁଖ୍ୟ ଆସାମୀମାନଙ୍କୁ ଓଡ଼ିଶାର ବିଭିନ୍ନ କାରାଗାରରୁ ମୁକ୍ତି ଦିଆଯିବା ଥିଲା ମୂଳ ଲକ୍ଷ୍ୟ ।’ ସେହିଭଳି ଉକ୍ରଳଭାରତର ରାଜ୍ୟ ସଭାପତି ଓ ପୂର୍ବତନ ବିଜେପି ଏମ୍.ପି. ମହାମେଘ ବାହାନ ଐର ଖାରବେଳ ସ୍ୱାଇଁଙ୍କ ଠାରୁ କାହିଁକି ଶୁଣନ୍ତେ, ‘ଜିଲ୍ଲାପାଳ ତେଲୁଗୁ ହୋଇଥିବାରୁ ମାଓବାଦୀମାନେ କେବଳ ତେଲୁଗୁ ଭାଷାରେ ପତ୍ର ଲେଖି ତେଲୁଗୁ ମାଓବାଦୀଙ୍କୁ ଖଲାସ କରିବା ପାଇଁ ଦାବି କରିଥିଲେ । ଓଡ଼ିଆ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କ ସ୍ତ୍ରୀ ଜେଲ୍ରେ ଥିଲେ ମଧ୍ୟ ତାଙ୍କୁ ଖଲାସ କରିବାକୁ ଦାବି କରିନଥିଲେ ।’ (ଧରିତ୍ରୀ, ୨/୩/୨୦୧୧, ପୃ-୧୪) । ତେବେ ପ୍ରତ୍ୟେକ ସଫଳ ନାଟକ ଯେପରି ଶେଷପର୍ଯ୍ୟନ୍ତ ଦର୍ଶକମନରେ ଉକ୍ରଣ୍ଠାକୁ କାଏମ ରଖିଥାଏ ଓ ପରିଶେଷରେ ଏହାର ଘଟେ ସୁଖାନ୍ତ- ଏହି ଅପହରଣ ଘଟଣାଟି ସେହିଭଳି ହୋଇଛି । ସମ୍ଭବତଃ ଏକ ସଫଳ ନାଟକର ମୁଖ୍ୟ ଉପାଦାନଗୁଡ଼ିକୁ ଏହି ଅପହରଣ ଘଟଣାରେ ଆବିଷ୍କାର କରିପାରୁଥିବା ଗଭୀର ଦୃଷ୍ଟିସମ୍ପନ୍ନ ବ୍ୟକ୍ତି ଓ ଗଣମାଧ୍ୟମ ଏହାକୁ ଏକ ନାଟକର ଆଖ୍ୟା ଦେଉଛନ୍ତି ।
-ଶୁଦ୍ରକ