ଜୁନ୍ ପହିଲା ୨୦୧୨, ବିଜୁ ଜନତା ଦଳରେ ଥିଲା ଏକ ବିରାଟ ପରିବର୍ତ୍ତନର ଦିନ । ଏହି ଦିନ ଦଳର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତି, ବିଜୁ ଜନତା ଦଳକୁ ଏକ ଦଶନ୍ଧି ଧରି କ୍ଷମତାସୀନ କରାଇଥିବା ଓ ତାହାର ଉତ୍ତରୋତ୍ତର ଶକ୍ତି ବୃଦ୍ଧି କରିଥିବା, ଦଳୀୟ କର୍ମୀଙ୍କ ପାଇଁ ପ୍ରଭୁ ତଥା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ‘ଅଙ୍କଲ୍’ ପ୍ୟାରୀମୋହନ ଦଳରୁ ନିଲମ୍ବିତ ହେଲେ । ଏତଦ୍ଦ୍ୱାରା ଦ୍ୱିତୀୟ କ୍ଷମତା କେନ୍ଦ୍ରର ପତନ ହେଲା । ଏହାତ ଭିନ୍ନ କଥା ଯେ, ସଚିବାଳୟରୁ ଘୋଷଣା କରାଯାଇଥିବା ଏହି ନିଲମ୍ବନ ଆଦେଶ କେତେଦୂର ଦଳର ସମ୍ବିଧାନସମ୍ମତ ।
ଏଯାବତ୍ ସର୍ବସାଧାରଣରେ ଥିବା ଧାରଣା ଯେ ବିଜୁଜନତା ଦଳକୁ ପ୍ୟାରୀବାବୁ ହିଁ ସଙ୍ଗଠିତ କରିଛନ୍ତି-ଯାହା ଏବେ ପ୍ୟାରୀବାବୁ ନିଜ ମୁହଁରେ କହିବା ଆରମ୍ଭ କରିଛନ୍ତି- ତାହାକୁ ଲଘୁ କରିଦେବା ପାଇଁ ପ୍ୟାରୀ ବିରୋଧୀମାନେ-ଚେଷ୍ଟା କରିଛନ୍ତି । ପ୍ୟାରୀବାବୁ ବିଜେଡ଼ିର କେଉଁଦିନ ସଭ୍ୟ ହେଲେ ତାହାକୁ ବାରମ୍ବାର ଦୋହରାଉଛନ୍ତି । ୧୯୯୭ରେ ବିଜେଡ଼ି ଗଠନ ହେବାଠାରୁ ୨୦୦୨ପର୍ଯ୍ୟନ୍ତ- ପ୍ୟାରୀବାବୁ ଯେ ବିଜେଡ଼ିର ସଭ୍ୟ ନଥିଲେ, ଏହା ସର୍ବସାଧାରଣଙ୍କୁ ସ୍ମରଣ କରାଇ ଦେଉଛନ୍ତି । ଏପରିକି ପ୍ୟାରୀଙ୍କୁ ‘ବେଇମାନ’, ‘ଚୋର’ ଭଳି ଶବ୍ଦ ଦ୍ୱାରା ଭୂଷିତ କରିଥିବା ଭଣଜା/ପୁତୁରା ନବୀନ (ଦ୍ରଷ୍ଟବ୍ୟ: ଧରିତ୍ରୀ ୩ଜୁନ୍ ୨୦୧୨) ମଧ୍ୟ ଏହି ତାରିଖକୁ ଜାବୁଡ଼ି ଧରି ପ୍ୟାରୀଙ୍କର ଭୂମିକାକୁ ଗୌଣ କରିଦେବାର ପ୍ରୟାସ କରିଛନ୍ତି । ଏତଦ୍ଦ୍ୱାରା ନବୀନ ପଟ୍ଟନାୟକ ଓ ପ୍ୟାରୀବିରୋଧୀମାନେ ଜଣାଇ ଦେଇଛନ୍ତି ଯେ, ୧୯୯୭ଠାରୁ ୨୦୦୨ପର୍ଯ୍ୟନ୍ତ ପ୍ୟାରୀଙ୍କର ବିଜେଡ଼ି ଦଳରେ କୌଣସି ଭୂମିକା ନଥିଲା । ଏହା ଯଦି ସତ୍ୟ ହୁଏ, ତା’ହେଲେ ବିଜୁ ଜନତା ଦଳର ଅନ୍ୟତମ ପ୍ରତିଷ୍ଠାତା ବିଜୟ ମହାପାତ୍ର ୨୦୦୦ମସିହାରେ ଯେଉଁ ବିଶ୍ୱାସଘାତକତାର ଶିକାର ହେଲେ ତାହା ନବୀନଙ୍କର କର୍ମ ବୋଲି ବୁଝିବାକୁ ହେବ । ଅର୍ଥାତ ସାଧାରଣରେ ଯେଉଁ ଧାରଣା ଏଯାବତ୍ ଥିଲା ଯେ ବିଶ୍ୱାସଘାତକତାର ରାଜନୀତି ପ୍ୟାରୀମୋହନଙ୍କର ପରାମର୍ଶରେ ଚାଲିଛି-ତାହା ନବୀନ ଓ ପ୍ୟାରୀ ବିରୋଧୀମାନଙ୍କର ସୂଚନାନୁସାରେ ଭୁଲ୍ ବୋଲି ବୁଝିବାକୁ ହେବ । ଉପରୋକ୍ତ ସୂଚନା ଦ୍ୱାରା ପ୍ୟାରୀବିରୋଧୀମାନେ ନବୀନଙ୍କୁ ବିଶ୍ୱାସଘାତକତା ଓ ପଛରୁ ଅତର୍କିତ ଛୁରୀକାଘାତ ରାଜନୀତିର ପ୍ରଣେତା ବୋଲି ପ୍ରମାଣିତ କରୁନାହାନ୍ତି ତ? ପ୍ୟାରୀମୋହନ ତ ଏକ ସାକ୍ଷାତକାରରେ ସୂଚନା ଦେଇଛନ୍ତି ଯେ, ବିଜୁପୁତ୍ର ନବୀନଙ୍କର ସ୍ୱଚ୍ଛ ଭାବମୂର୍ତ୍ତିକୁ ଜନସାଧାରଣ ସମ୍ମୁଖରେ ଟେକି ଧରିବା ପ୍ରକ୍ରିୟାରେ-ସମସ୍ତପ୍ରକାର ନିନ୍ଦା, ଅପବାଦ ବରଣ କରିଛନ୍ତି, ନିଜ ମୁଣ୍ଡରେ ନବୀନଙ୍କର ଅପକର୍ମର ଅଠା ବୋଳିଛନ୍ତି । ଅର୍ଥାତ ନବୀନ ହିଁ ଓଡ଼ିଶା ରାଜନୀତିରେ ବିଶ୍ୱାସଘାତକତା ରାଜନୀତିର ପ୍ରଣେତା-କିନ୍ତୁ ଅପବାଦ ବହନ କରୁଛନ୍ତି ପ୍ୟାରୀମୋହନ । -ଶୁଦ୍ରକ