୨୦୦୯ରୁ ତାଙ୍କ ବିରୋଧୀମାନେ ସକ୍ରିୟ ହେଲେଣି ବୋଲି ପ୍ୟାରୀବାବୁ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରମାନଙ୍କରେ କହି ଆସୁଛନ୍ତି । ଏହା ପୂର୍ବରୁ ସେମାନେ ଯେ ଚେଷ୍ଟା କରୁନଥିଲେ- ସେପରି ନୁହେଁ । କିନ୍ତୁ ନବୀନଙ୍କୁ ପ୍ରଭାବିତ କରିବାରେ ସେମାନେ ସଫଳ ହେଉନଥିଲେ । ଅଥଚ ୨୦୦୯ପରେ ସେମାନେ ସଫଳ ହେଉଥିଲେ ଓ ୨୦୧୨ରେ ସେମାନେ ସମ୍ପୂର୍ଣ୍ଣ ସଫଳ ହେଲେ- ପ୍ୟାରୀଙ୍କୁ ଦଳରୁ ନିଲମ୍ବନକଲେ ନବୀନ । କାହିଁକି ୨୦୦୯ଯାଏଁ ପ୍ୟାରୀ ବିରୋଧୀମାନେ ସଫଳ ହେଉନଥିଲେ- ଅଥଚ ୨୦୦୯ ପରେ ସେମାନେ ସଫଳ ହେଲେ- ତାହା ଅନୁସନ୍ଧାନସାପେକ୍ଷ ।
ଶୁଣାଯାଏ ଯେ ନବୀନବାବୁ ଯେତେବେଳେ ଓଡ଼ିଶାର ରାଜନୀତିରେ ପ୍ରବେଶ କଲେ, ସେତେବେଳେ ତାଙ୍କର ମା ଶ୍ରୀମତୀ ଜ୍ଞାନ ପଟ୍ଟନାୟକ ରାଜନୀତି ଓ ଶାସନସମ୍ପର୍କରେ ପ୍ୟାରୀବାବୁଙ୍କର ପରାମର୍ଶ ଗ୍ରହଣକରିବା ପାଇଁ ନବୀନଙ୍କୁ ତାଗିଦ କରିଦେଇଥିଲେ । ମା’ଙ୍କର ଗେହ୍ଲା ଓ ବାଧ୍ୟ ନବୀନ ଏହାକୁ ଏଡ଼ାଇପାରନ୍ତେ କିପରି? ତେଣୁ ‘ଅଙ୍କଲ’ ପ୍ୟାରୀଙ୍କର ପରାମର୍ଶ ଅନୁସାରେ ହିଁ ନବୀନ ପରିଚାଳିତ ହେଲେ । ଏହାକୁ ବିଗିଡ଼େଇ ଦେବାର ଉଦ୍ୟମ ଯେତେବେଳେ ବି ହେଲା, ମା’ଜ୍ଞାନ ପଟ୍ଟନାୟକ ନବୀନଙ୍କୁ ସତର୍କ କରାଇ ଦେଇଥିଲେ । ତେଣୁ ପ୍ୟାରୀବିରୋଧୀ ଶକ୍ତିମାନେ, ପ୍ୟାରୀ-ନବୀନଙ୍କ ମଧ୍ୟରେ ଫାଟସୃଷ୍ଟି କରିବାରେ ଆଦୌ ସଫଳ ହେଉ ନଥିଲେ । ଫେବୃୟାରୀ ୨୦୦୯ରେ ଶ୍ରୀମତୀ ଜ୍ଞାନ ପଟ୍ଟନାୟକଙ୍କର ମୃତୁ୍ୟ ପରେ ପ୍ୟାରୀବିରୋଧୀ ଶକ୍ତିଙ୍କ ସମ୍ପର୍କରେ ସତର୍କ କରାଇବା ବ୍ୟକ୍ତି ଆଉ କେହି ରହିଲେ ନାହିଁ- ଏହି ଦୁଇଙ୍କ ଭିତରେ ସମ୍ପର୍କର ସେତୁ ଜ୍ଞାନ ପଟ୍ଟନାୟକଙ୍କ ମୃତୁ୍ୟପରେ କ୍ରମଶଃ ଦୁର୍ବଳ ହେବାରେ ଲାଗିଲା । ବୋଧହୁଏ ନବୀନ ମଧ୍ୟ ପ୍ୟାରୀ ପ୍ରଭାବରୁ ମୁକ୍ତହେବାକୁ ଚାହୁଁଥିଲେ-ପ୍ୟାରୀ ବିରୋଧୀଙ୍କ ପାଇଁ ଏକ ଅପୂର୍ବ ସୁଯୋଗ ଆସିଲା । ୨୯ମେ ଦିନ ସେମାନେ ସଫଳ ହୋଇଗଲେ- ସେତୁଟିକୁ ଭାଙ୍ଗିବାରେ । -ଶୁଦ୍ରକ