ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତିର ସଭାପତି ଅଭୟ ସାହୁ ଇତ୍ୟବସରରେ ଆହ୍ୱାନ ଦେଇଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କର ପ୍ରତାରଣାର ଜବାବ ଦିଆଯିବ । (ଧରିତ୍ରୀ, ପୃ-୫,୯/୭/୨୦୧୦)୧୩ଜୁନ୍ ୨୦୧୦ ଦିନ ଅଭୟ ବାବୁଙ୍କ ନେତୃତ୍ୱରେ ଯେଉଁ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟ କରିଥିଲେ-ସେମାନଙ୍କ କହିବା ଅନୁସାରେ ନବୀନବାବୁ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ଯଦି ପ୍ରସ୍ତାବିତ ପୋସ୍କୋ ଅଞ୍ଚଳରେ ଆନେ୍ଦାଳନକାରୀ ମାନେ ସରକାରଙ୍କ ଦ୍ୱାରା ସର୍ଭେକାର୍ଯ୍ୟ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରନ୍ତି, ତା’ହେଲେ ସର୍ଭେ କାର୍ଯ୍ୟ ଶେଷ ହେବା ପରେ ସେ ଅଞ୍ଚଳ ପରିଦର୍ଶନରେ ଯିବେ ଓ କାହିଁକି ଆନେ୍ଦାଳନ ୫ବର୍ଷ ଧରି ଚାଲିଛି ତାହାର କାରଣ ବୁଝିବେ । କୁଣ୍ଠିତ ଆନେ୍ଦାଳନକାରୀଙ୍କୁ ଅଭୟବାବୁ ମନାଇଦେଇ ସର୍ଭେ କାର୍ଯ୍ୟ ଆରମ୍ଭ କରାଇଦେଲେ । ରାଜନୀତିରେ ‘ପ୍ରତାରଣା’ଯେ ଏକ ଅସ୍ପୃଶ୍ୟ ଅସ୍ତ୍ର ନୁହେଁ- ଏହା ସମସାମୟିକ ରାଜନୀତିର ଧାରା ସହ ପରିଚିତ ପ୍ରତ୍ୟେକ ପରିପକ୍ୱ ରାଜନୈତିକ ବ୍ୟକ୍ତି ସ୍ୱୀକାର କରିବ । ଏହି ଅସ୍ତ୍ର ପ୍ରୟୋଗରେ ନବୀନବାବୁଙ୍କ ପରି କୁଶଳୀ ଯୋଦ୍ଧା ଯେ ବିରଳ , ତାହା ଓଡ଼ିଶା ରାଜନୀତିରେ ସାମାନ୍ୟତମ ରୁଚି ରଖୁଥିବା ଯେକୌଣସି ବ୍ୟକ୍ତି ବର୍ତ୍ତମାନ କହିଦେଇ ପାରିବ । ବିଜୟ ମହାପାତ୍ର ଯଦି ଏହି ଅସ୍ତ୍ର ଦ୍ୱାରା ପରାହତ ପ୍ରଥମ ବ୍ୟକ୍ତି; ତା’ହେଲେ ଅଭୟବାବୁ ଓ ତାଙ୍କର ଗୋଷ୍ଠୀ ହୋଇପାରନ୍ତି ସଦ୍ୟତମ ଉଦାହରଣ । ଦିଲ୍ଲୀପ ରାୟ, ନଳିନୀ ମହାନ୍ତି, ରଣେନ୍ଦ୍ରପ୍ରତାପ (ରାଜା)ସ୍ୱାଇଁ, ବ୍ରଜ ତ୍ରିପାଠୀ- ଏପରିକି ବିଜେପି ଦଳ ଏମାନେ ସମସ୍ତେ ଏହି ଅସ୍ତ୍ରର ଶିକାର । ବିଡ଼ମ୍ବନା ଯେ ଏତେ ଏତେ ଉଦାହରଣ ଥାଉ ଥାଉ ନବୀନବାବୁ ତାଙ୍କର ପ୍ରତିଶ୍ରୁତି ପାଳନ କରିବେ ବୋଲି ଅଭୟବାବୁ ବିଶ୍ୱାସ କରିନେଲେ । ଏହା ଅବଶ୍ୟ ଭିନ୍ନ କଥା ଯେ ଅଭୟବାବୁ ଓ ତାଙ୍କ ଗୋଷ୍ଠୀ ମୁଖ୍ୟମନ୍ତ୍ରୀଙ୍କ ସାନ୍ନିଧ୍ୟରେ ଉତ୍ସାହିତ ହୋଇ ସର୍ଭେ କାର୍ଯ୍ୟ ପାଇଁ ଯେଉଁ ପ୍ରତିଶ୍ରୁତି ଦେଇ ଆସିଲେ, ତାହାକୁ କ୍ଷେତ୍ରରେ ସଂଗ୍ରାମରତ ଆନେ୍ଦାଳନକାରୀମାନେ ଗ୍ରହଣ କରିପାରିନଥିଲେ; ବରଂ ନେତୃତ୍ୱ ତାଙ୍କୁ ପ୍ରତାରିତ କରିଛି ବୋଲି ସହସା ପ୍ରତିକ୍ରିୟା ପ୍ରକାଶ କରିଥିଲେ ।
କହିବା ବାହୁଲ୍ୟ ଯେ ପ୍ରତାରଣା ଏକ ଅନୁଭବ । ତେଣୁ ପୋସ୍କୋ ଆନେ୍ଦାଳନର ଜୁଆର ଓ ଭଟ୍ଟାକୁ ଯଦି କେହି ପଚାରେ ‘ପ୍ରତାରଣା କିଏ କାହାକୁ ଦେଇଛି?’ ତା’ହେଲେ କାନ ଡେରି ଶୁଣିବାକୁ ହେବ ପ୍ରତିଧ୍ୱନି କ’ଣ କହୁଛି ।
-ଶୁଦ୍ରକ
୧୬-୩୧ ଅଗଷ୍ଟ, ୨୦୧୦