ସଙ୍ଗାତ ସାଙ୍ଗ୍ମା

  • 18/09/2015

ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହେବାର ଆକାଂକ୍ଷାକୁ ସାଂଗମାଙ୍କ ମନରେ ଯେ ପ୍ରଥମେ ପ୍ରଜ୍ୱଳିତ କଲେ- ସେ ହେଉଛନ୍ତି ଆମର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ.ଆଇ.ଡି.ଏମ୍.କେ(AIDMK)ର ସୁପ୍ରିମୋ ଓ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ‘ଭଉଣୀ’ ସୁଶ୍ରୀ ଜୟଲଳିତାଙ୍କୁ ସାଂଗମାଙ୍କ ପ୍ରାର୍ଥୀତ୍ୱ ସପକ୍ଷରେ ମନାଇ ନେଲେ । ଏବେ ବିଜେପି ଅନନ୍ୟୋପାୟ ହୋଇ ସାଂଗମାଙ୍କୁ ସମର୍ଥନ କରିଛି । ସାଂଗମାଙ୍କ ପ୍ରତି ନିଜ ସମର୍ଥନରେ ଅଟଳ ରହିବା ଓ ତାଙ୍କପାଇଁ ସମର୍ଥନ ଜୁଟାଇବା ପଛରେ ନବୀନଙ୍କର ଦୃଶ୍ୟମାନ ନିଷ୍ଠା କେବଳ ଦୁଇ ସଂଗାତଙ୍କ ମଧ୍ୟରେ ହିଁ ଦେଖାଯାଇଥାଏ । ଇତ୍ୟବସରରେ ଓଡ଼ିଶା ଆସି ସାଂଗ୍ମା ତନୟା ଆଗାଥା ଓ ତନୟ କନ୍ରାଡ଼ (ଉକ୍ଟଦ୍ଭକ୍ସବୟ) ନବୀନବାବୁଙ୍କ ଆତିଥ୍ୟ ଦ୍ୱାରା ଆପ୍ୟାୟିତ ହୋଇଛନ୍ତି । ପ୍ରାର୍ଥୀପତ୍ର ଦାଖଲ ବେଳେ ନବୀନବାବୁ ସାଂଗମାଙ୍କ ସହ ରହିଛନ୍ତି ଓ ବିଜେଡ଼ି ବିଧାୟକ ତଥା ସାଂସଦମାନେ ସାଂଗମାଙ୍କ ସପକ୍ଷରେ ମତଦାନ କରିବେ -ତାହାର ପ୍ରତିଶ୍ରୁତି ମଧ୍ୟ ତାଙ୍କର ଉଚ୍ଚାରଣ ଅପେକ୍ଷା ଆଚରଣରେ ଦର୍ଶାଇବାକୁ ଚାହିଁଛନ୍ତି । ରାଜ୍ୟସ୍ତରୀୟ ରାଜନୀତିରେ ନବୀନଙ୍କ ଶାସନ କାଳରେ ବିଶ୍ୱାସଘାତକତା ଏକ ଅମୋଘ ଅସ୍ତ୍ର ଭାବେ ଦୃଶ୍ୟମାନ ହୋଇଥିବା ବେଳେ, ସାଂଗମାଙ୍କୁ ଅବିଚଳିତ ସମର୍ଥନ- ଜାତୀୟସ୍ତରରେ ତାଙ୍କର ଏକ ଭିନ୍ନ ଭାବମୂର୍ତ୍ତି ଉପସ୍ଥାପିତ କରୁଛି । ଅବଶ୍ୟ ସାଂଗମାଙ୍କୁ ସମର୍ଥନ କରି, ନବୀନ ଯେ ବିଜେଡ଼ି ଭିତରେ ତାଙ୍କର ପ୍ରକୃତ ଅନୁଗତମାନଙ୍କର ଏକ ଆକଳନ କରିବାକୁ ବସିଛନ୍ତି- ଏହାକୁ ଏଡ଼ାଇଦେଇ ହେବନାହିଁ । କହିବା ବାହୁଲ୍ୟ ଯେ ନବୀନଙ୍କର ରାଜନୈତିକ ପରିପକ୍ୱତା ଇତ୍ୟବସରରେ ବେଶ୍ ବୃଦ୍ଧି ପାଇଛି । ଯଦି ଏହା ପ୍ୟାରୀଙ୍କ ସ୍ଥାନରେ ନିଯୁକ୍ତ ଆଉ କୌଣସି ପରାମର୍ଶଦାତାଙ୍କ ଦ୍ୱାରା ସମ୍ଭବ ହେଉଛି- ତା’ହେଲେ ତ କଥା ଭିନ୍ନ ।
-ଶୁଦ୍ରକ

Print Friendly, PDF & Email