‘ଗାନ୍ଧୀଗିରି’ – ବିଭିନ୍ନ ବିଚାର

  • 25/03/2017

‘ଲଗେ ରହୋ ମୁନ୍ନା ଭାଇ’ ଏକ ହିନ୍ଦୀ ସିନେମା, ଯାହା ଆଜି ବହୁଳଭାବେ ଚର୍ଚ୍ଚିତ । କୁହାଯାଉଛି ଯେ ଯୁବସମାଜ ଏହି ସିନେମା ଦେଖି ଗାନ୍ଧୀଙ୍କ ଆଦର୍ଶ ପ୍ରତି ଆକୃଷ୍ଟ ହେବାର ସମ୍ଭାବନା ବହୁତ । କ୍ରମଶଃ ବିସ୍ମୃତ ହୋଇଯାଉଥିବା, ମୁଖ୍ୟତଃ ଯୁବ ମାନସରୁ, ଗାନ୍ଧୀ ଏହି ସିନେମା ଦ୍ୱାରା ପୁନଶ୍ଚ ଯୁବ ମାନସକୁ ଫେରିଆସିବେ ଓ ‘ଗାନ୍ଧୀଗିରି’ କରିବେ । ‘ଗାନ୍ଧୀଗିରି’ ଶବ୍ଦକୁ ବିଶୁଦ୍ଧ ଗାନ୍ଧୀବାଦୀମାନେ ନାପସନ୍ଦ କରନ୍ତି । ଏହା ‘ଦାଦାଗିରି’ର ବ୍ୟବହାର ପରି ତାଙ୍କୁ ମନେହୁଏ । ‘ଦାଦାଗିରି’ଶବ୍ଦରୁ ଶକ୍ତିଶାଳୀର ଜୋରଜବରଦସ୍ତର ଧ୍ୱନି ଶୁଭେ । ପ୍ରଚ୍ଛନ୍ନ ହିଂସ୍ରଭାବର ସୂଚନା ମିଳେ । ‘ଗାନ୍ଧୀଗିରି’ କ’ଣ ଏକ ଜୋରଜବରଦସ୍ତ ବ୍ୟବହାର? ଏହା ଭିତରେ କେଉଁ ହିଂସ୍ରଭାବ ଲୁକ୍କାୟିତ? ଅସହଯୋଗ, ଅହିଂସା ଆନ୍ଦୋଳନ, ଶୋଷଣ, ଉତ୍ପୀଡ଼ନ ବିରୁଦ୍ଧରେ ଆହ୍ୱାନକୁ କ’ଣ ଏକ ଶକ୍ତିଶାଳୀର ଜୋରଜବରଦସ୍ତ ବ୍ୟବହାର ବୋଲି କୁହାଯିବ?
ବା ଯଦି ଆଉ ଏକ ବହୁ ବ୍ୟବହୃତ ଶବ୍ଦ ‘ଚାମଚାଗିରି’ର ପୃଷ୍ଠଭୂମିରେ ‘ଗାନ୍ଧୀଗିରି’କୁ ବିଚାର କରାଯାଏ ତାହାହେଲେ ‘ଗାନ୍ଧୀଗିରି’ କ’ଣ ଶକ୍ତିଶାଳୀକୁ ଖୋସାମତି ବୁଝାଇବ? ଅବଶ୍ୟ ମହାତ୍ମାଗାନ୍ଧୀଙ୍କର ଅଣନାତି ତୁଷାର ଗାନ୍ଧୀ ଏହି ଚଳଚ୍ଚିତ୍ର ଦେଖିବା ପରେ ଗାନ୍ଧୀବାଦୀ ଶବ୍ଦ ବ୍ୟବହାର ବନ୍ଦ କରିଦେଇଛନ୍ତି । ତାଙ୍କର ନୂଆ ଶବ୍ଦ ହେଉଛି ‘ଗାନ୍ଧୀଗିରି’ । ତୁଷାର ଭାବନ୍ତି ଯେ ଯୁବପିଢ଼ି ଆଉ ଗାନ୍ଧୀଙ୍କ ବୌଦ୍ଧିକ ସଂଜ୍ଞା ଖୋଜିବାରେ ବ୍ୟସ୍ତ ରହିବେ ନାହିଁ । ମୁନ୍ନାଭାଇ ବ୍ରାଣ୍ଡର ହାସ୍ୟରସ ମାଧ୍ୟମରେ ସେମାନେ ଆବିଷ୍କାର କରିବେ ଜଣେ ନୂଆ ଗାନ୍ଧୀଙ୍କୁ । ତାଙ୍କର ବିଶ୍ୱାସ ଯେ ଆଜି ବାପୁ ବଞ୍ôଚଥିଲେ ‘ଗାନ୍ଧୀଗିରି’ର ବୋଲି ବା ଭାଷା ହିଁ ବ୍ୟବହାର କରିଥାନ୍ତେ ।
ତେବେ ସିନେମାର କଥାବସ୍ତୁ କ’ଣ? ସିନେମାର ନାୟକ, ଯିଏ ନିଜେ ଏଯାବତ୍ ଦାଦାଗିରି କରିଆସୁଥିଲେ- ସିଏ ଦାଦାଗିରି ଛାଡ଼ି ‘ଗାନ୍ଧୀଗିରି’ର ଆହ୍ୱାନ ଦିଅନ୍ତି । ଶୋଷକର, ଅତ୍ୟାଚାରୀର ହୃଦୟ ପରିବର୍ତ୍ତନ ପାଇଁ ଅତ୍ୟାଚାରୀକୁ ଦୈନନ୍ଦିନ ପୁଷ୍ପଗୁଚ୍ଛ ପଠାନ୍ତି-ତା’ର ହୃଦୟ ପରିବର୍ତ୍ତନ ନ ହେଲାଯାଏ ମଧ୍ୟ ‘ଗାନ୍ଧୀଗିରି’ କରିବାକୁ ଯାଇ ଗୋଟିଏ ଗାଲରେ ଚାପୁଡା ଖାଇଲା ପରେ ଆର ଗାଲଟିକୁ ଚାପୁଡ଼ା ପାଇଁ ଦେଖାଇ ଦିଅନ୍ତି ।
ଦକ୍ଷିଣ ଆଫ୍ରିକାରେ ‘ଭାଇ’ ବୋଲି ସମ୍ବୋଧିତ ମୋହନଦାସ କରମଚାନ୍ଦ ଗାନ୍ଧୀ ପରବର୍ତ୍ତୀ କାଳରେ ମହାତ୍ମାଗାନ୍ଧୀ ହେଲେ । ସିନେମାରେ ନାୟକ ବମ୍ବେଇଆ ‘ଭାଇ’ ସଞ୍ଜୟ ଦତ୍ତ ‘ଗାନ୍ଧୀଗିରି’ କଲେ । ସାଦୃଶ୍ୟ ଦର୍ଶାଇବା ପାଇଁ ମନେହୁଏ ଏହି ସିନେମାରେ ହୋଇଛି ଉଦ୍ୟମ । ଦାଦାଗିରି କରୁଥିବା ସିନେମାର ନାୟକ ମୁହଁରେ ‘ଗାନ୍ଧୀଗିରି’ ଶବ୍ଦ ପଶିବା ସ୍ୱାଭାବିକ ଏବଂ ଏହା ମଧ୍ୟ ସ୍ୱାଭାବିକ ଯେ ଏହି କାଟର ଯୁବକମାନଙ୍କ ମୁହଁରେ ହିଁ ‘ଗାନ୍ଧୀଗିରି’ ଶବ୍ଦ ବିଶେଷ ଭାବେ ଶୁଭିବ, ଏହା ସଞ୍ଜୟ ଦତ୍ତ ମାର୍କା ‘ଗାନ୍ଧୀଗିରି’ର ପ୍ରୟୋଗରେ କି ଗାନ୍ଧୀବାଦକୁ ପରିହାସ କରିବାରେ, ତାହା ତ ଭିନ୍ନ କଥା । କିନ୍ତୁ ଯେଉଁମାନେ ବିଶ୍ୱାସ କରନ୍ତି ଯେ ଯୁବସମାଜ ଏହି ସିନେମା ଦେଖି ଗାନ୍ଧୀଙ୍କ ଆଦର୍ଶ ପ୍ରତି ଆକୃଷ୍ଟ ହେବେ ଓ ଗାନ୍ଧୀଙ୍କ ମାର୍ଗକୁ ଫେରିଆସିବେ, ସେମାନେ ନିଶ୍ଚିତ ସିନେମାକୁ ମନୋରଞ୍ଜନ ଟିକସ ଛାଡ଼ ପାଇଁ ଦାବି କରିବେ ଓ ଗାନ୍ଧୀଙ୍କ ପ୍ରତି ଭକ୍ତି ଓ ଆନୁଗତ୍ୟ ଦର୍ଶାଇବାକୁ ଯାଇ ଆମର କ୍ଷମତାସୀନ ନେତୃତ୍ୱ ଏହି ଦାବିକୁ ସହସା ମାନିଯିବେ । ସିନେମାଟି ଗାନ୍ଧୀଙ୍କୁ ଆୟୁଧ କରି କରମୁକ୍ତ ହୋଇଯିବ ।
‘ଗାନ୍ଧୀଗିରି’କୁ ଅନେକେ ଗାନ୍ଧୀବାଦର ପ୍ରୟୋଗାତ୍ମକ ଦିଗ ବୋଲି ବିଚାର କରନ୍ତି । ଗାନ୍ଧୀବାଦର ତତ୍ତ୍ୱ ଭିତରକୁ ନ ଯାଇ ଗାନ୍ଧୀଗିରି ଶିଖିଗଲେ ଯଥେଷ୍ଟ ବୋଲି ସେମାନେ ଭାବନ୍ତି-ଠିକ୍ ବିଜ୍ଞାନ ନ ଜାଣି କୌଶଳ ଜାଣିଲା ପରି । ଆଜିକାର ସୂଚନା-ପ୍ରଯୁକ୍ତି ବିଦ୍ୟା ଯୁଗରେ ବିଶେଷତଃ ଯେଉଁ ଦେଶମାନଙ୍କରେ ଶ୍ରମ ଶସ୍ତା, ସେହି ଦେଶମାନଙ୍କରେ କିଛି କୌଶଳ ଶିଖାଇବା ଉପରେ ହିଁ ଗୁରୁତ୍ୱ । ଏହି ସମସାମୟିକ ପରିବର୍ତ୍ତିତ ଦୃଷ୍ଟିକୋଣ ସହ ଖାପ ଖାଉଛି ‘ଗାନ୍ଧୀଗିରି’ର ତାଲିମ । ଯେଉଁମାନେ କୌଶଳକୁ ଲଘୁ ଦୃଷ୍ଟିରେ ଦେଖନ୍ତି-ସ୍ୱାଭାବିକ ସେମାନେ ‘ଗାନ୍ଧୀଗିରି’ ଶବ୍ଦକୁ ଶସ୍ତା କରିବେ ଓ ଗାନ୍ଧୀବାଦର ମର୍ଯ୍ୟାଦା କଦାପି ଦେବେନାହିଁ ।
ସିନେମାରେ ସଞ୍ଜୟ ଦତ୍ତ ଜଣେ ପ୍ରଭାବଶାଳୀ ଅଭିନେତା  । ସେ ‘ଦାଦାଗିରି’ରୁ ଆରମ୍ଭ କରି ‘ଗାନ୍ଧୀଗିରି’ରେ ଲିପ୍ତହେବା କେତେ ବାସ୍ତବ ହୋଇପାରେ, ତାହା କେବଳ ପ୍ରତିଷ୍ଠିତ ଦାଦା/ଗୁଣ୍ଡା/ଭାଇମାନେ ହିଁ କହିପାରିବେ । ଏହା କାଁ ଭାଁ କୌଣସି ‘ଦାଦା’ଙ୍କ ଜୀବନରେ ଘଟିପାରେ-ଦସ୍ୟୁ ରତ୍ନାକର ବାଲ୍ମିକୀ ହେଲାପରି  । ତେଣୁ ଏହାକୁ ଦେଖି ଅସଲ ‘ଦାଦା’ମାନେ ଯଦି ମୁରୁକିହସା ଦେଉଥାନ୍ତି, ତା’ହେଲେ ଏଥିରେ କୌଣସି ଅସ୍ୱାଭାବିକତା ନାହିଁ  ।

                                                             ଲକ୍ଷ୍ମଣରେଖା

ଇତ୍ୟବସରରେ ବ୍ୟବସ୍ଥାପିକା ଓ ନ୍ୟାୟପାଳିକା ମଧ୍ୟରେ ଦ୍ୱନ୍ଦ୍ୱ ରାସ୍ତା ଉପରକୁ ଆସିଛି । ପ୍ରଧାନମନ୍ତ୍ରୀ, ଆଇନମନ୍ତ୍ରୀ, ସୁପ୍ରିମକୋର୍ଟର ବିଚାରପତି, ମୁଖ୍ୟ ବିଚାରପତି-ଏହି ପ୍ରସଙ୍ଗରେ ଖୋଲାଖୋଲି ମୁହଁ ଖୋଲିଛନ୍ତି  । କିଏ କିପରି ଏହି ପ୍ରସଙ୍ଗ ଉପରେ ମତ ପରିବେଷଣ କରିଛନ୍ତି ତାହା ତ’ ଭିନ୍ନକଥା । ପ୍ରଧାନମନ୍ତ୍ରୀ କହିଛନ୍ତି ନ୍ୟାୟପାଳିକାକୁ-ସୀମା ଟପନାହିଁ  । ମୁଖ୍ୟ ବିଚାରପତି ଏହାର ଉତ୍ତରରେ କହିଛନ୍ତି ଯେ, ଏହିଭଳି ଟେନ୍ସନ୍ ଆବଶ୍ୟକ । (ଦ୍ରଷ୍ଟବ୍ୟ-୯ ଏପ୍ରିଲ ୨୦୦୭, The Indian Express) । ଯେଉଁ ସମୟରେ ଏହିଭଳି ମତ ମନ୍ତବ୍ୟ ପ୍ରକାଶ ପାଇଲା-ତାହା ଥିଲା ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିମାନଙ୍କର ସମ୍ମିଳନୀ  । କଟକଠାରେ ଭାରତୀୟ ବାର୍ କାଉନ୍ସିଲ ଓ ରାଜ୍ୟ ବାର୍ କାଉନ୍ସିଲର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଏହି ବିତର୍କ ପ୍ରତିଧ୍ୱନିତ ହେଲା, ଯେତେବେଳେ ସୁପ୍ରିମକୋର୍ଟର ମାନ୍ୟବର ବିଚାରପତି ଅରଜିତ୍ ପଶାୟତ କହିଲେ-‘ଦୁଷ୍ଟ ଶକ୍ତିଙ୍କ ବିନାଶ ସକାଶେ ଲକ୍ଷ୍ମଣରେଖା ଟପିବା ଜରୁରୀ’ ଓ ଆଇନମନ୍ତ୍ରୀ ଏଚ୍.ଆର. ଭରଦ୍ୱାଜ ଦର୍ଶାଇଲେ ଯେ, ସୀତା ଲକ୍ଷ୍ମଣରେଖା ଟପିବା ଦ୍ୱାରା କିପରି ଯୁଦ୍ଧ ହେଲା-କେତେ ରକ୍ତପାତ ହେଲା ଓ ଜୀବନ ହାନି ହେଲା । (ଦ୍ରଷ୍ଟବ୍ୟ ଏପ୍ରିଲ ୧୫, ୨୦୦୭, ଧରିତ୍ରୀ)
ତେବେ ଏହି ବିତର୍କରୁ ଗୋଟିଏ କଥା ସ୍ପଷ୍ଟ ବାହାରି ଆସିଲା ଯେ, ନ୍ୟାୟପାଳିକା ପାଇଁ ଏକ ଲକ୍ଷ୍ମଣରେଖା ରହିଛି ଓ ଏହାକୁ ନ୍ୟାୟପାଳିକା ସ୍ୱୀକାର କରୁଛି-ତା’ ନହେଲେ ଏହାକୁ ଟପିବା ଜରୁରୀ ବୋଲି, ଯେଉଁ ଉଦ୍ଦେଶ୍ୟରେ ହେଉ ନା କାହିଁକି, ମାନ୍ୟବର ବିଚାରପତି କଦାପି କହିନଥାନ୍ତେ ।
କହିବା ବାହୁଲ୍ୟ ଯେ, ‘ଲକ୍ଷ୍ମଣରେଖା’ର ଏକ ଜୋରଦାର ପ୍ରୟୋଗର ଆମେ ସାମ୍ନାସାମ୍ନି ହୋଇଛନ୍ତି । ଏହା ଅବଶ୍ୟ ସମସ୍ତେ ଜାଣନ୍ତି ଯେ, ଲକ୍ଷ୍ମଣ କିଏ ଓ ସେ କାହିଁକି ଏହି ରେଖା ଟାଣିଥିଲେ  । ଅଥଚ ଦିଅର ଟାଣି ଯାଇଥିବା ରେଖାକୁ ଭାଉଜ ଡେଇଁଗଲେ ଓ ବିପଦରେ ପଡ଼ିଲେ । ଏହି ବିପଦରୁ ତାଙ୍କୁ ଉଦ୍ଧାର କରିବା ପାଇଁ ଆବଶ୍ୟକ ପଡ଼ିଲା ଏକ ବିରାଟ ଯୁଦ୍ଧର । ଭାରତୀୟ ସାହିତ୍ୟକୁ ରାମାୟଣ ଭଳି ଏକ ଅନବଦ୍ୟ କାବ୍ୟ ଉପଲବ୍ଧ ହେଲା  । ଯଦି ସୀତା ଲକ୍ଷ୍ମଣରେଖା ଟପି ନଥାନ୍ତେ-ତା’ହେଲେ ‘ରାମାୟଣ’ କ’ଣ ଭାରତୀୟ ସାହିତ୍ୟ ପାଇଥାନ୍ତା ? ରାବଣ କେତେ ଦୁଷ୍ଟ ଥିଲା-ତାହା ଆଇନଜ୍ଞମାନେ ହିଁ ନିର୍ଦ୍ଦିଷ୍ଟ ଭାବରେ କହିପାରିବେ । କିନ୍ତୁ ଏତେ ପରାକ୍ରମୀ ରାବଣ, ସୀତାଙ୍କୁ ଅପହରଣ କରିଥିଲେ ମଧ୍ୟ ଧର୍ଷଣ ଭଳି ଯେ ଅପରାଧ କରିନାହିଁ-ତାହା ରାବଣର ଏକ ଉନ୍ନତ ଚରିତ୍ରର ପ୍ରମାଣ-ଏହା କେହି ଅସ୍ୱୀକାର କରିବେ ନାହିଁ  । ବୋଧହୁଏ ସେଇଥିପାଇଁ ଅନେକେ ବ୍ୟୁତ୍ପତ୍ତି କରି କୁହନ୍ତି ଯେ, ମହାଜ୍ଞାନୀ ରାବଣ ପରମପୁରୁଷ ରାମଙ୍କ ହାତରେ ମରିବାର ଇଚ୍ଛାକୁ ଚରିତାର୍ଥ କରିବା ପାଇଁ ସୀତାଙ୍କୁ ଅପହରଣ କରିଥିଲା  । ଆଜିକାଲି ଟଙ୍କା ପଇସା ପାଇଁ ପଣବନ୍ଦୀ ରଖାଯାଉଛି-ସେତେବେଳେ ରାମଙ୍କ ହାତରେ ମୃତ୍ୟୁବରଣ କରିବା ପାଇଁ ରାବଣ ସୀତାଙ୍କୁ ପଣବନ୍ଦୀ ରଖିଥିଲା  । ଏହି ପଣବନ୍ଦୀ ରଖିବା ଅଭିଯୋଗରେ, ଉଦ୍ଦେଶ୍ୟ ଯାହା ହେଉନା କାହିଁକି, ନିଶ୍ଚିତ ଭାବରେ ରାବଣ ଅପରାଧୀ ବା ଦୁଷ୍ଟ  ।
ତେଣୁ ଲକ୍ଷ୍ମଣରେଖା ଯଦି ସୀତା ଟପି ନଥାନ୍ତେ-ତା’ହେଲେ ଅପହରଣ ଅଭିଯୋଗରେ ଅପରାଧୀ ମହାଜ୍ଞାନୀ ରାବଣର ପରମପୁରୁଷ ରାମଙ୍କ ହାତରେ ମୃତ୍ୟୁ ସମ୍ଭବ ହୋଇନଥାନ୍ତା-ତା’ର ଏହିଭଳି ଏକ ଗୋପନୀୟ ଇଚ୍ଛା ପୂରଣ ହୋଇନଥାନ୍ତା  । ସୀତା ଲକ୍ଷ୍ମଣରେଖା ଟପିବା ଦ୍ୱାରା ଏହା ସମ୍ଭବ ହେଲା  । କିନ୍ତୁ ଏହା ଫଳରେ ଯୁଦ୍ଧ ଯେ ଅବଶ୍ୟମ୍ଭାବୀ ହୋଇପଡ଼ିଲା ତାହାକୁ କିଏ ବା ଅସ୍ୱୀକାର କରିବ । ଏହାଦ୍ୱାରା କେତେ ସାଧାରଣ ଲୋକଙ୍କର ଜୀବନହାନି ହେଲା-କେତେ ଗୃହ ଉଜୁଡ଼ିଗଲା-କେତେ ଯେ ରକ୍ତପାତ ନହେଲା  । କହିବା ବାହୁଲ୍ୟ ଯେ, ସୀତା ଲକ୍ଷ୍ମଣରେଖା ଟପିବା ଦ୍ୱାରା ଦୁଷ୍ଟ ରାବଣର ସଂହାର ଯେପରି ହେଲା, ତା’ର ଗୋପନୀୟ ଇଚ୍ଛା ମଧ୍ୟ ସେପରି ପୂରଣ ହେଲା  । ତେଣୁ ଲକ୍ଷ୍ମଣରେଖା ଟପିବା ଦୁଷ୍ଟଶକ୍ତିଙ୍କ ବିନାଶ ପାଇଁ ଜରୁରୀ ବୋଲି ମନେ ହୋଇପାରେ-କିନ୍ତୁ ଏହି ଶକ୍ତିମାନଙ୍କର ଗୋପନୀୟ ଇଚ୍ଛା ଯଦି ଏହାଦ୍ୱାରା ପୂରଣ ହେଉଥାଏ-ତା’ହେଲେ ଲକ୍ଷ୍ମଣରେଖା ଟପିବା ପୂର୍ବରୁ ଜରୁରୀ ହୋଇପଡ଼େ ବାରମ୍ବାର ବିବେକ ସହ ପରାମର୍ଶ  ।
ସୀତା ଥରେ ମାତ୍ର ଲକ୍ଷ୍ମଣରେଖା ଟପିଥିଲେ, ଯାହାର ପରିଣତି ହେଲା ଭୟାବହ-ରାବଣ ନିହତ ହେଲା ଓ ତା’ ସହିତ ତା’ର ରାମଙ୍କ ହାତରେ ମୃତ୍ୟୁର ଇଚ୍ଛା ମଧ୍ୟ ପୂରଣ ହୋଇଗଲା  । କିନ୍ତୁ ଲକ୍ଷ୍ମଣରେଖା ଟପିବା ଯଦି ଏକ ଅଭ୍ୟାସ ହୋଇଯାଏ, ତା’ହେଲେ ଏହା କେତେଦୂର ଦୁଷ୍ଟଶକ୍ତିମାନଙ୍କର ବିନାଶ କରିବ ବା କେତେଦୂର ସେମାନଙ୍କର ଗୋପନୀୟ ଇଚ୍ଛାକୁ ପୂରଣ କରିବ-ତାହାର ଆକଳନ ଏକ ଉନ୍ନତ ବିଚାରକୁ ହିଁ ଅପେକ୍ଷା କରେ  ।
ବ୍ୟାପକ ଅର୍ଥରେ ଲକ୍ଷ୍ମଣରେଖା ଏକ ନିର୍ଦ୍ଦେଶ ବା ନିର୍ଦ୍ଦେଶାବଳୀର ପ୍ରତୀକ-ଯାହାକୁ ଉଲ୍ଲଂଘନ କରିବା ଅର୍ଥ ବିପଦରେ ପଡ଼ିବା  । ଏହାକୁ ଉଲ୍ଳଂଘନ କରିବା ଆଇନତଃ ଅପରାଧ ନୁହେଁ, ଠିକ୍ ଯେପରି ସମ୍ବିଧାନର ନିର୍ଦ୍ଦେଶିକା ନୀତି (ଧାରା ୩୬ରୁ ୫୧) ପାଳନ ନ ହେଲେ ସରକାର ଆଇନତଃ ଦୋଷୀ ହୁଅନ୍ତି ନାହିଁ  । ତେଣୁ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ବା ସେହିଭଳି ଯେଉଁମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି-ସେମାନେ ଯଦି ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ଦ୍ୱାରା ଟଣା ହେଉଥିବା ଲକ୍ଷ୍ମଣରେଖାକୁ ଉଲ୍ଲଂଘନ କରନ୍ତି-ତା’ହେଲେ ସୁରକ୍ଷା ପାଉଥିବା ବ୍ୟକ୍ତିମାନେ ଆଇନତଃ ଦୋଷୀ ହେବେନାହିଁ-କିନ୍ତୁ ଏହା ଫଳରେ ବିପଦରେ ପଡ଼ିବାର ସମ୍ଭାବନାକୁ ଏଡ଼ାଇ ଦେଇହେବନାହିଁ । ବୋଧହୁଏ, ଲକ୍ଷ୍ମଣରେଖାକୁ ଏହିଭଳି ଏକ ମର୍ଯ୍ୟାଦା ଦେଇ ରଖାଯାଇଛି-କାରଣ ଯେଉଁମାନଙ୍କ ପାଇଁ ଲକ୍ଷ୍ମଣରେଖା ସେମାନଙ୍କଠାରୁ ଆଶା କରାଯାଏ ଯେ, ବିପଦର ଗମ୍ଭୀରତାକୁ ସେମାନେ ଅନୁମାନ କରପାରିବେ ଓ ଲକ୍ଷ୍ମଣରେଖା ଟପିବା କ୍ଷେତ୍ରରେ ସଂଯମ ଆଚରଣ କରିବେ।
ତେଣୁ ଆଜି ଯଦି ନ୍ୟାୟପାଳିକା ଲକ୍ଷ୍ମଣରେଖା ଟପୁଛି ବୋଲି ଅଭିଯୋଗ ହେଉଛି ଓ ଏହା ଟପିବା ଜରୁରୀ ବୋଲି ଯୁକ୍ତି ସେହି ନ୍ୟାୟପାଳିକା ଭିତରୁ ହିଁ ଆସୁଛି-ସେତେବେଳେ, ସୀତା ଲକ୍ଷ୍ମଣରେଖା ଟପି ବିପଦରେ ପଡ଼ିଲା ଭଳି, ନ୍ୟାୟପାଳିକା ଲକ୍ଷ୍ମଣରେଖା ଟପି କୌଣସି ବିପଦରେ ପଡ଼ିଯିବ ନାହିଁ ତ? -ଏଭଳି ଆଶଙ୍କା ସ୍ୱାଭାବିକ ମନ ଭିତରକୁ ଆସୁଛି । ନ୍ୟାୟପାଳିକା ଉପରୁ ସାଧାରଣ ଲୋକଙ୍କ ବିଶ୍ୱାସ ତୁଟିଯିବାଠାରୁ ବିପଦ ନ୍ୟାୟପାଳିକା ପ୍ରତି କ’ଣ ହୋଇପାରେ? ଏହା ନହେଉ ତାହା ସମସ୍ତେ ଚାହିଁବେ ଓ ନ୍ୟାୟପାଳିକା ଏଥିପ୍ରତି ସଜାଗ ରହିବେ ବୋଲି ଆଶା କରିବେ । କିନ୍ତୁ ଏହି ଆଶଙ୍କାର କାରଣ, ପଢ଼ିପାରୁଥିବା ଲୋକ ପାଇଁ କାନ୍ଥରେ ଯେ ଲେଖାଗଲାଣି-ତାହାକୁ ବିସ୍ତାରିବା ଏଠାରେ ଅନାବଶ୍ୟକ ।
ଲକ୍ଷ୍ମଣରେଖା ଟପିବା ନ ଟପିବା ଏକ ତର୍କ ପ୍ରତିଯୋଗିତାର ବିଷୟ ନୁହେଁ । ଏହା ଏକ ଗମ୍ଭୀର ବିଷୟ । ସବୁ ଭାରତୀୟଙ୍କ ପାଇଁ ଲେଖା ହୋଇଥିବା ସମ୍ବିଧାନ ଦ୍ୱାରା ସୃଷ୍ଟ ବ୍ୟବସ୍ଥାପିକା, ନ୍ୟାୟପାଳିକା ଓ କାର୍ଯ୍ୟପାଳିକା-ଏକ ସଂଖ୍ୟାନ୍ୟୁନ ପ୍ରଭାବୀ ଧନୀବର୍ଗର ସ୍ୱାର୍ଥରକ୍ଷା ପାଇଁ ଉଦ୍ଦିଷ୍ଟ ନୁହେଁ-ତାହାହିଁ ପ୍ରମାଣ କରିବା ଆଜି ବ୍ୟବସ୍ଥା ସମ୍ମୁଖରେ ସବୁଠାରୁ ବଡ଼ ଆହ୍ୱାନ ।
ସାଧାରଣ ମଣିଷର ବିଚାରରେ ଲକ୍ଷ୍ମଣରେଖା ସମସ୍ତେ ଟପି ଯାଇଛନ୍ତି । ତା’ର ଶୋଷଣ ତୀବ୍ରରୁ ତୀବ୍ରତର ହୋଇଚାଲିଛି । ତା’ର ଜୀବନ ଜୀବିକାର ସୁରକ୍ଷା ପାଇଁ ତାକୁ ପ୍ରତିନିୟତ ସଂଘର୍ଷ କରିବାକୁ ପଡୁଛି-ପ୍ରାଣବଳି ଦେବାକୁ ପଡୁଛି, ତା’ର ଅସହାୟବୋଧ ବଢୁଛି । କେବଳ କ୍ଷମତାର ଭାଗବଣ୍ଟା ପାଇଁ ପରସ୍ପର ଭିତରେ ଯଦି ଆରମ୍ଭ ହୋଇଛି ଦ୍ୱନ୍ଦ୍ୱ-ତେବେ ଲକ୍ଷ୍ମଣରେଖା ହୋଇଛି ଅସ୍ଥିର, ଏଥିରେ ସାଧାରଣ ମଣିଷର ଯାଏ କେତେ, ଆସେ କେତେ?

                                                                     ବାରରେ ଝଡ଼ 

ବାର (Bar) ଏକ ଇଂରାଜୀ ଶବ୍ଦ, ଯାହା ପାନଶାଳା ପାଇଁ ବ୍ୟବହାର ହୁଏ ଓ ଆଇନବୃତ୍ତି ପାଇଁ ମଧ୍ୟ ବ୍ୟବହାର ହୁଏ । ଏଭଳି କୌଣସି ବିଷୟ ନାହିଁ, ଯାହାର ଆଲୋଚନା ପାନଶାଳାରେ ହୋଇପାରେନା ବା ଆଇନ ବୃତ୍ତଧାରୀମାନେ କରିପାରନ୍ତି ନାହିଁ  । ତେଣୁ ଚୁମ୍ବନ ବା ଆଲିଙ୍ଗନ ଉପରେ ଆଲୋଚନା ହେବା ଆଦୌ ଅସ୍ୱାଭାବିକ ନୁହେଁ । କିନ୍ତୁ ଝଡ଼ ଉଠିଛି ଅଦାଲତର ଏକ ନିର୍ଦ୍ଦେଶକୁ ନେଇ  । ନିର୍ଦ୍ଦେଶଟି ହେଉଛି ହଲିଉଡ୍ ଅଭିନେତା ରିଚାର୍ଡ ଗେରଙ୍କୁ ଗିରଫ କରିବା ପାଇଁ । ନିର୍ଦ୍ଦେଶ ଦେଇଛନ୍ତି ଜୟପୁର ସ୍ଥିତ ଅତିରିକ୍ତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ । ଅଭିଯୋଗ ହେଉଛି ଯେ ବିଦେଶୀ ରିଚାର୍ଡ ଗେର ଦେଶୀ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ବହୁ ଦର୍ଶକଙ୍କ ସମ୍ମୁଖରେ ମଞ୍ଚ ଉପରେ ନିବିଡ଼ ଆଲିଙ୍ଗନ ଓ ଚୁମ୍ବନ କରି ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଛନ୍ତି, ଯାହା ଆଇନ ଦୃଷ୍ଟିରେ ଗ୍ରହଣୀୟ ନୁହେଁ । ଏଠାରେ ସ୍ମରଣ କରଯାଇପାରେ ଯେ, ଏଡସ୍ ସଚେତନତା ପ୍ରସାର କରିବାକୁ ଯାଇ ଆୟୋଜିତ କାର୍ଯ୍ୟକ୍ରମରେ ଏହିଭଳି ଘଟଣା ଘଟିଥିଲା ଓ ଏହା ଗଣମାଧ୍ୟମରେ ବାରମ୍ବାର ପ୍ରଚାରିତ ଓ ପ୍ରଦର୍ଶିତ ହୋଇ ଦର୍ଶକ ଓ ପାଠକ ମଧ୍ୟରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି କରିଥିଲା  ।
କିନ୍ତୁ ବିଡ଼ମ୍ବନା ଯେ, ସାଧାରଣ ଲୋକର ଶୀଳବୋଧ ପ୍ରତି କୁଠାରଘାତ କରିଥିବା ଏହି ଦୃଶ୍ୟ ପାଇଁ ଯେତେବେଳେ ରିଚାର୍ଡ ଗେରଙ୍କୁ ଗିରଫ କରିବା ପାଇଁ ଅଦାଲତ ନିର୍ଦ୍ଦେଶ ଦିଅନ୍ତି, ସେତେବେଳେ ଭାରତରେ କେତେକ ଖ୍ୟାତନାମା ଆଇନଜୀବୀ ଏହି ନିର୍ଦ୍ଦେଶକୁ ଏକ ଅଶୋଭନୀୟ ବିଚାର (Judicial Indecency) (ଦ୍ରଷ୍ଟବ୍ୟ- The Times of India, 28.4.2007) ବୋଲି ଆଖ୍ୟାୟିତ କରନ୍ତି । ଏହି ଆଇନଜୀବୀମାନଙ୍କୁ ଆମେ ଜାଣିବା ଉଚିତ । ସେମାନେ ହେଲେ ଭାରତର ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲି ସୋରାବଜୀ, ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ମୁକୁଲ ସୋହତାଗୀ, କେ.ଟି.ସି.ତୁଲସୀ, ଦୁଷ୍ମନ୍ତ ଦୁବେଙ୍କ ଭଳି ପ୍ରତିଭାଶାଳୀ ଆଇନଜୀବୀ । ସେମାନେ ଦାବି କରିଛନ୍ତି ଯେ, ଏହିଭଳି ନିର୍ଦ୍ଦେଶକୁ ଖାରଜ କରିବା ପାଇଁ-ଏହିଭଳି ଦାବି କରିବ, ଅଦାଲତର ବାହାେ, ଉଭୟ ନ୍ୟାୟପାଳିକାର ଅବମାନନା ଓ ଏହାକୁ ପ୍ରଭାବିତ କରିବାର ପ୍ରୟାସ ବୋଲି ଏହି ବରିଷ୍ଠ ଆଇନଜୀବୀମାନେ କ’ଣ ବୁଝିପାରୁନାହାନ୍ତି? ନା, ତଳିଆ ଅଦାଲତ ପ୍ରତି ତାଚ୍ଛଲ୍ୟ ମନୋଭାବର ଏହା ହେଉଛି ପରିପ୍ରକାଶ? ନା, ଏଭଳି ବକ୍ତବ୍ୟ ଦେଇ ରିଚାର୍ଡ ଗେରଙ୍କର ଓକିଲ ହୋଇ ମୋଟା ଅଙ୍କର ଫିସ୍ ଆଦାୟ କରିବାର ଏହା ଏକ ରଣନୀତି । କାରଣ ଏହି ଆଇନଜୀବୀମାନେ ରିଚାର୍ଡ ଗେରଙ୍କର ଗିରଫ ପରୱାନାକୁ ନେଇ ବ୍ୟସ୍ତ ହୋଇପଡ଼ିଛନ୍ତି । ସେଭଳି ବ୍ୟସ୍ତତା ତାଙ୍କଠାରେ ତ କାହିଁକି ଦେଖାଯାଇ ନାହିଁ-ଯେତେବେଳେ ଆଇନର ଅର୍ଗଳିରେ ସାଧାରଣ ଲୋକର ଜୀବନଜୀବିକା ଅପହୃତ ହୁଏ-ସାଧାରଣ ଲୋକ ଅସହାୟ ହୋଇପଡ଼େ?
କହିବା ବାହୁଲ୍ୟ ଯେ ଏହି ବରିଷ୍ଠ ଆଇନଜୀବୀମାନେ ତାଙ୍କର ପ୍ରତିପତ୍ତିର ଆଧାର କରିଛନ୍ତି-ଧନ ଓ ଗ୍ଲାମରକୁ  । ଏହାହିଁ ତାଙ୍କର ଔଦ୍ଧତ୍ୟର ଆଧାର  । ସାଧାରଣ ଲୋକର ଆବେଗ, ତା’ର ଶୀଳବୋଧ, ତା’ର ସଂସ୍କୃତି, ତା’ର ଜୀବନ ଜୀବିକା କେବେବି ଏମାନଙ୍କର ଚିନ୍ତାଭାବନା ମଧ୍ୟରେ ନାହିଁ  । ଇନ୍ଦ୍ରସଭାର ସଭ୍ୟ ଏମାନେ । ସବୁ ମୁକ୍ତ ଦୃଶ୍ୟ ଏମାନଙ୍କର ଉପଜୀବ୍ୟ  ।
୧୬-୩୦ଜୁନ୍, ୨୦୦୭

                                     ନ୍ୟାୟ ବ୍ୟବସ୍ଥାରେ ସାକ୍ଷୀ ତୋଷଣ : ପ୍ରମାଣର ଅଭାବୀକରଣ

ଶୁଦ୍ରକ ପୃଷ୍ଠାରେ ଆଗରୁ ଲେଖିଥିଲୁ ଯେ, ସାଧାରଣ ଲୋକର ଦୃଷ୍ଟିରେ ନ୍ୟାୟପାଳିକା, କାର୍ଯ୍ୟପାଳିକା, ବ୍ୟବସ୍ଥାପିକା ସମସ୍ତେ ଲକ୍ଷ୍ମଣରେଖା ଟପି ଯାଇଛନ୍ତି । ତେଣୁ ବ୍ୟବସ୍ଥାପିକା ମତରେ ନ୍ୟାୟପାଳିକା ଲକ୍ଷ୍ମଣରେଖା ଟପିବା ଉଚିତ ନୁହେଁ ଓ ଅପରପକ୍ଷରେ ନ୍ୟାୟପାଳିକା ଲକ୍ଷ୍ମଣରେଖା ଟପିବ ବୋଲି ଦମ୍ଭୋକ୍ତି ଏହି ଦୁଇ ଅନୁଷ୍ଠାନ ମଧ୍ୟରେ ଅହଂ ଯୁଦ୍ଧ ଓ କ୍ଷମତା ବଣ୍ଟନ ପାଇଁ ଯୁଦ୍ଧ ବୋଲି ଉଲ୍ଲେଖ କରିଥିଲୁ  । ଏହି ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକ ସାଧାରଣ ଲୋକମାନଙ୍କର ବିଶ୍ୱାସଭାଜନ ନ ହୋଇପାରିଲେ-ଏମାନେ କ୍ରମଶଃ ନିଜର ପ୍ରାସଙ୍ଗିକତା ହରାଇଦେବେ ବୋଲି ନମ୍ରତା ସହ କହିଥିଲୁ । ଏହା କହିବା ଅତିଶୟୋକ୍ତି ହେବ ନାହିଁ ଯେ, ଏହି ତିନୋଟି ଅନୁଷ୍ଠାନ ଉପରେ ଆସ୍ଥା ଓ ବିଶ୍ୱାସ କ୍ରମଶଃ କମିବାରେ ଲାଗିଛି  । ତୁଳନାତ୍ମକ ଭାବେ କେଉଁ ଅନୁଷ୍ଠାନ କ୍ଷେତ୍ରରେ ଏହା କ୍ଷୀପ୍ରତର, ତାହା ତ ଭିନ୍ନ କଥା  । ଅବଶ୍ୟ ନ୍ୟାୟପାଳିକା ଉପରେ ଏହି ଆସ୍ଥା ଯେ ଅନ୍ୟମାନଙ୍କ ତୁଳନାରେ କମ୍ବେଗରେ ହ୍ରାସ ପାଉଛି ଏହାକୁ କେହି ଅସ୍ୱୀକାର କରିବେ ନାହିଁ  । ଯଦିଓ ଏହି ବେଗ ଗତ କିଛିବର୍ଷ ଧରି ବିଶେଷତଃ ଉଦାର ଅର୍ଥନୀତିର ପରିବେଶରେ ଅଧିକ କ୍ଷୀପ୍ରତର ହୋଇଛି ବୋଲି ମନେହେଉଛି  ।
ସାଧାରଣ ଲୋକଙ୍କର ଧାରଣା ବଢ଼ିବାରେ ଲାଗିଛି ଯେ, ବଡ଼ବଡୁଆଙ୍କର, ପଇସାବାଲାଙ୍କର ଅନ୍ୟାୟ ବିରୁଦ୍ଧରେ ସେମାନେ ନ୍ୟାୟ ପାଇପାରିବେ ନାହିଁ  । ଦେଶର ସବୁ ଆଇନ୍, ଆଇନ୍ର ବ୍ୟୁତ୍ପତ୍ତି ଓ ଏହି ବ୍ୟୁତ୍ପତ୍ତିକୁ ଆଧାର କରି ନିଷ୍ପତ୍ତି ସବୁ ଯେପରି ବଡ଼ ବଡୁଆ, ପଇସାବାଲାଙ୍କର ସପକ୍ଷରେ ଯିବ ସେହିପରି ବ୍ୟବସ୍ଥା କରାଯାଇଛି । କିନ୍ତୁ ଯେଉଁମାନେ ଚତୁର ସେମାନେ ଏହି ଧାରଣା ସପକ୍ଷରେ ସବୁବେଳେ ମାଗନ୍ତି ପ୍ରମାଣ । କାରଣ ସେମାନେ ଜାଣନ୍ତି ଏପରି ଧାରଣା ସପକ୍ଷରେ ପ୍ରମାଣ ପାଇବା ଏତେ ସହଜ ନୁହେଁ । ପ୍ରମାଣ ନ ମିଳିବାର ଆପାତତଃ ସମ୍ଭାବନା ଏମାନଙ୍କୁ ବେପରୁଆ କରିଦିଏ । ଏହି ବେପରୁଆ ହୋଇଯିବାବେଳେ ହିଁ ପ୍ରମାଣ ମିଳି ଯାଇଥାଏ । ଏହା ହିଁ ହୋଇଛି ନିକଟ ଅତୀତରେ ବି.ଏମ୍.ଡବ୍ଲ୍ୟୁ ମାମଲାରେ  । ଦିଲ୍ଲୀର ଏକ ବଡ଼ ଅସ୍ତ୍ରଶସ୍ତ୍ର ବ୍ୟବସାୟୀଙ୍କର ପୁଅ ଓ ଏକଦା ନୌସେନା ମୁଖ୍ୟଙ୍କର ନାତି ଗୋଟିଏ ବହୁମୂଲ୍ୟ ଚାରିଚକିଆ ବି.ଏମ୍.ଡବ୍ଲ୍ୟୁ (BMW) ଗାଡ଼ିରେ ସାଙ୍ଗମାନଙ୍କ ସହ ଫୁର୍ତ୍ତି କରି ବେପରୁଆ ଗାଡ଼ି ଚଳାଉଥିବାବେଳେ ଏକ ଦୁର୍ଘଟଣା ହୁଏ ଓ ଏଥିରେ ୬ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୁଏ । ଏହା ୧୯୯୯ ମସିହାର ଘଟଣା  । ବ୍ୟବସାୟୀଙ୍କର ପୁଅକୁ ଗିରଫ କରାଯାଏ ଓ ୯ ମାସ ଜେଲରେ ରହିବା ପରେ ଜାମିନରେ ଛଡ଼ାଯାଏ  । ଯେଉଁମାନେ ଏହି ଦୁର୍ଘଟଣା ବ୍ୟବସାୟୀଙ୍କ ପୁଅର ବି.ଏମ୍.ଡବ୍ଲ୍ୟୁ ଗାଡ଼ି ଦ୍ୱାରା ହୋଇଛି ବୋଲି ସାକ୍ଷୀ ଦିଅନ୍ତି ସେମାନେ ଗୋଟିଏ ପରେ ଗୋଟିଏ ଅଦାଲତରେ ତାଙ୍କର ବୟାନ ବଦଳାଇ ଦିଅନ୍ତି  । ଏପରି ହୁଏ ଯେ ବି.ଏମ୍.ଡବ୍ଲ୍ୟୁ ଗାଡ଼ି ଦ୍ୱାରା ନୁହେଁ ବରଂ ଏକ ଟ୍ରକ ମାଡ଼ିଯିବା ଫଳରେ ୯ ଜଣଙ୍କର ମୃତ୍ୟୁ ହୋଇଛି ବୋଲି କୁହାଯାଏ  । ଅର୍ଥାତ୍ ବି.ଏମ୍.ଡବ୍ଲ୍ୟୁ କାର୍ ଏକ ଟ୍ରକ୍ରେ ପରିଣତ ହୋଇଯାଏ ।
ତଥାପି ଜଣେ ସାକ୍ଷୀ (ସୁନୀଲ କୁଲକର୍ଣ୍ଣୀ) ରହିଯାଏ, ଯିଏ ବୟାନ ବଦଳାଇବାକୁ ରାଜି ହୁଏନାହିଁ  । ଏଇଠି ଉପୁଜେ ସମସ୍ୟା  । ସରକାରୀ ଓକିଲ ଆଇ.ୟୁ ଖାନ ଓ ବ୍ୟବସାୟୀଙ୍କ ପୁଅର ଓକିଲ ଆର୍.କେ. ଆନନ୍ଦ ଏକାଠି ହୁଅନ୍ତି-ଏହି ସାକ୍ଷୀଟିକୁ କୌଣସି ଉପାୟରେ କରାୟତ୍ତ କରିବା ପାଇଁ-ଯେପରିକି ଏହି ସାକ୍ଷୀଟି ତା’ର ବୟାନ ବଦଳାଇଦେବ ଓ ବ୍ୟବସାୟୀଙ୍କ ପୁଅ ନିର୍ଦ୍ଦୋଷରେ ଖଲାସ ହୋଇପାରିବ । ସେମାନଙ୍କର ଏହିପରି ପ୍ରଚେଷ୍ଟା ଲୋକଲୋଚନକୁ ଆଣେ ଏନ୍.ଡି.ଟିଭି-ଗୋପନୀୟ କ୍ୟାମେରା ଦ୍ୱାରା କଥାବାର୍ତ୍ତାର ଚିତ୍ର ଉତ୍ତୋଳନ କରି ।
ଫୌଜଦାରୀ ନ୍ୟାୟ ବ୍ୟବସ୍ଥାରେ ସାକ୍ଷୀର ତ ନିର୍ଣ୍ଣାୟକ ଭୂମିକା  । ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହେବାର ତ ଅନେକ ଅନେକ ଉଦାହରଣ ରହିଛି । ଆଉ ପ୍ରମାଣର ଅଭାବ ସୃଷ୍ଟି କରିବାର ଦାୟିତ୍ୱ ହେଉଛି ଓକିଲଙ୍କର । ଅପର ପକ୍ଷରେ ବହୁ ନିର୍ଦ୍ଦୋଷ ଲୋକ ଜେଲରେ ବନ୍ଦୀ ଜୀବନ କାଟୁଥିବାର ଦୃଷ୍ଟାନ୍ତମାନ ମଧ୍ୟ ଗଣମାଧ୍ୟମରେ ପ୍ରଦର୍ଶିତ ହେଉଛି । ତେବେ ଏହିଭଳି ନିର୍ଦ୍ଦୋଷ ଲୋକମାନଙ୍କୁ ସୁରକ୍ଷା ଦେବାପାଇଁ ଓକିଲମାନଙ୍କର ସଂଖ୍ୟା ଯେତେବେଳେ ହ୍ରାସ ପାଇବାରେ ଲାଗିଛି ସେତେବେଳେ ବଡ଼ ବଡ଼ ଲୋକଙ୍କର ଅପରାଧୀ ସନ୍ତାନସନ୍ତତିମାନଙ୍କର କୃତ ଅପରାଧ ବିରୁଦ୍ଧରେ ପ୍ରମାଣର ଅଭାବ ସୃଷ୍ଟି କରିପାରୁଥିବା ଓକିଲମାନଙ୍କର ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଯାହାର ଏହିଭଳି ଦକ୍ଷତା ରହିଛି ସେ ହିଁ ସବୁଠାରୁ ସଫଳ ଓକିଲ ଭାବେ ପ୍ରଚାରିତ ହେଉଛି । ସୁପ୍ରିମକୋର୍ଟଠାରୁ ଆରମ୍ଭ କରି ତଳ କୋର୍ଟ ପର୍ଯ୍ୟନ୍ତ ଏହିଭଳି ‘ଦକ୍ଷ’ ଓକିଲ ଅଛନ୍ତି । ଏମାନେ ଅଧିକ ପଇସା ନିଅନ୍ତି ପ୍ରମାଣର ଅଭାବ ସୃଷ୍ଟି କରିବା ପାଇଁ । ପ୍ରମାଣର ଅଭାବ ସୃଷ୍ଟି କରିବା କିନ୍ତୁ ଏକ ଯୌଥ ପ୍ରକ୍ରିୟା  । ପୁଲିସ, ସରକାରୀ ଓକିଲ ଓ ପ୍ରତିପକ୍ଷ ଓକିଲ ଏକଉଦ୍ଦେଶ୍ୟମୁଖୀ ନ ହେଲେ ଏହା ସମ୍ଭବ ନୁହେଁ  । ଏହା ହୁଏ ସମସ୍ତଙ୍କ ଜାଣତରେ  । ଏହିଭଳି ‘ଦକ୍ଷ’ ଓକିଲମାନେ ହିଁ ବିଚାରର ଦଣ୍ଡ ଧରିବା ପାଇଁ ଯୋଗ୍ୟ ବିବେଚିତ ହୁଅନ୍ତି ଅନେକ ସମୟରେ ।
ତେଣୁ ଆଜି ଯେତେବେଳେ ଆଇ.ୟୁ. ଖାନ୍ ଓ ଆର.କେ. ଆନନ୍ଦଙ୍କ ଦ୍ୱାରା ସାକ୍ଷୀ ସୁନୀଲ କୁଲକର୍ଣ୍ଣୀଙ୍କୁ ଖରିଦ କରିବାର ଉଦ୍ୟମ ଗୋପନୀୟ କ୍ୟାମେରା ରେ ଧରିନିଆଯାଇ ସର୍ବସାଧାରଣଙ୍କୁ NDTV ଜରିଆରେ (୩୦/୩୧ ମଇ ୨୦୦୭) ପ୍ରଦର୍ଶିତ ହୋଇଛି, ସେତେବେଳେ ସାଧାରଣ ଲୋକଙ୍କର ପ୍ରତିକ୍ରିୟା ଓ ଆଇନଜୀବୀ ସମ୍ପ୍ରଦାୟର ପ୍ରତିକ୍ରିୟାକୁ ସୂକ୍ଷ୍ମ ଭାବରେ ଦେଖିବାର ସୁଯୋଗଟିଏ ସୃଷ୍ଟି ହୋଇଛି ।
କୌଣସି ସାଧାରଣ ଲୋକ ଏହିଭଳି ଉଦ୍ୟମ ଦ୍ୱାରା ବିସ୍ମିତ ହୋଇନାହିଁ ବା ହତଚକିତ ହୋଇନାହିଁ । ବରଂ ସେ କହୁଛି ଯେ ଏହିଭଳି ପର୍ଦ୍ଦାଫାସ କେବଳ ଓକିଲଙ୍କ ଭିତରେ ସୀମିତ ନ ରହି ବିଚାରପତି ମହଲକୁ ପ୍ରସାରିତ ହେଉ । ତା’ର ଯେପରି ବିଶ୍ୱାସ ଯେ ଏହିଭଳି କାରବାର ବିଚାରପତିମାନଙ୍କ ସ୍ତରରେ ମଧ୍ୟ ହେଉଛି ।
ଅଥଚ ଓକିଲମାନଙ୍କର ପ୍ରତିକ୍ରିୟାରୁ ମନେହୁଏ ଯେପରି ଏହିଭଳି ଘଟଣା ତାଙ୍କ ସମ୍ପ୍ରଦାୟରେ କଦାପି ଘଟେ ନାହିଁ । ଯଦି ଘଟିଛି ତାହା ଏକ ବ୍ୟତିକ୍ରମ । ତେଣୁ ଏନ.ଡି.ଏ ସରକାରଙ୍କର ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲି ସୋରାବଜୀ ତାଙ୍କର ପରିଣତ ବୟସ ସତ୍ତେ୍ୱ ଗଣମାଧ୍ୟମରେ ଚିକ୍ରାର କରି କୁହନ୍ତି-ଏହିଭଳି ଯେଉଁମାନେ କରୁଛନ୍ତି ତା’ର ଯଦି ପ୍ରମାଣ ହୋଇଯାଏ (ଏହାକୁ ସେ ଦୋହରାଇଛନ୍ତି ବାରମ୍ବାର) ସେମାନଙ୍କୁ ବୃତ୍ତିରୁ ଓପାଡ଼ି ଫୋପାଡ଼ି ଦିଆଯାଉ । (୩୦ ମଇ ୨୦୦୭, NDTV) ଅଥଚ ଏହି ସୋରାବଜୀ ହଲିଉଡ଼ ଚିତ୍ରତାରକା ରିଚାର୍ଡ ଗେର ସର୍ବସାଧାରଣରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ଚୁମ୍ବନ ଦେବା ବିରୁଦ୍ଧରେ ଜୟପୁରର ଜଣେ ବିଚାରପତି ଦେଇଥିବା ଜାମିନ ବିହୀନ ପରୱାନାକୁ ନ୍ୟାୟିକ ଅଶାଳୀନତା (Judicial indecency) ବୋଲି ଅଭିହିତ କରିଥିଲେ ।
କହିବା ବାହୁଲ୍ୟ ଯେ, ସାଧାରଣ ଲୋକର ଆଜିର ନ୍ୟାୟ ବ୍ୟବସ୍ଥା ସମ୍ପର୍କରେ ଧାରଣା, ନ୍ୟାୟ ବ୍ୟବସ୍ଥା ଭିତରେ ଥିବା ବ୍ୟକ୍ତିମାନଙ୍କର ଧାରଣାଠାରୁ ଭିନ୍ନ । ଯଦିଓ ସମସ୍ତେ ଏକସ୍ୱରରେ କୁହନ୍ତି ଯେ ବ୍ୟବସ୍ଥାର ପ୍ରାସଙ୍ଗିକତା ଓ ଅସ୍ତିତ୍ୱ ସାଧାରଣ ଲୋକର ଧାରଣା, ଆସ୍ଥା ଓ ବିଶ୍ୱାସ ଉପରେ ହିଁ ନିର୍ଭରଶୀଳ ।
ସାଧାରଣ ଲୋକର ଧାରଣାକୁ ଭୁଲ ପ୍ରମାଣିତ କରିବା ପାଇଁ ବ୍ୟବସ୍ଥା ଭିତରର ମୁଣ୍ଡିଆଳମାନେ ସବୁବେଳେ ଚେଷ୍ଟା କରନ୍ତି । ଯାହା ଘଟୁଛି ବୋଲି ସାଧାରଣ ଲୋକ କୁହେ ତାହାକୁ ଜାଣିଶୁଣି ଅସ୍ୱୀକାର କରନ୍ତି । ଏହି ମୁଣ୍ଡିଆଳମାନଙ୍କର ଅର୍ଥବଳ, କ୍ଷମତା ଓ ପ୍ରଭାବ, ଓ ବୋଲକରା ବୁଦ୍ଧିଜୀବୀଙ୍କର ବ୍ୟତ୍ପତ୍ତି ଏହି ଧାରଣାକୁ ଅମୂଳକ ବୋଲି ପ୍ରମାଣିତ କରିବାପାଇଁ ଅହର୍ନିଶି ଚେଷ୍ଟା କରୁଥିବାବେଳେ, ଏନ.ଡି.ଟିଭିର ପର୍ଦ୍ଦାଫାସ ସାଧାରଣ ଲୋକର ଧାରଣା କେତେ ଠିକ୍ ତାହା ପ୍ରତିପାଦିତ କରିବା ସହ ମୁଣ୍ଡିଆଳମାନଙ୍କ ପାଇଁ ନିଶ୍ଚେତକ ଭଳି କାର୍ଯ୍ୟ କରେ । ତେବେ ଏହି ନିଶ୍ଚେତକର ପ୍ରଭାବ ଚାଲିଗଲେ ଏହି ମୁଣ୍ଡିଆଳମାନେ କିପରି ଏକଜୁଟ ହେଉଛନ୍ତି ଓ କ’ଣ ରଣନୀତି ଗ୍ରହଣ କରୁଛନ୍ତି ତାହା ପ୍ରତି ସତର୍କ ଦୃଷ୍ଟି ରଖିବା ଉଚିତ ।
ସାଧାରଣ ଜନତାର ଦୁର୍ବଳ ସ୍ମରଣଶକ୍ତି ଉପରେ ଏହି ମୁଣ୍ଡିଆଳମାନଙ୍କର ଖୁବ୍ ଭରସା । ତେଣୁ ପ୍ରଚାର ବାତ୍ୟା କ୍ରମଶଃ ଦୁର୍ବଳ ହୋଇଗଲେ, ଯାହା ହେବାକୁ ବାଧ୍ୟ, ଏହି ନିଶ୍ଚେତ ମୁଣ୍ଡିଆଳମାନେ ପୁନର୍ବାର ମୁଣ୍ଡ ଟେକିବେ ଓ କୌଣସି ନା କୌଣସି କୌଶଳ କରି ଖସିଯିବେ, କାରଣ ଖସାଇବା ଲୋକ ତାଙ୍କରି ଶ୍ରେଣୀର, ତାଙ୍କରି ବିରାଦରୀର, ଏଯାବତ୍ ଧରା ପଡ଼ିନଥିବା ନିଷ୍ପତ୍ତିକାରଙ୍କ ଶ୍ରେଣୀର । ଅପରପକ୍ଷରେ ଯେଉଁ ଗଣମାଧ୍ୟମରେ ଏହା ପ୍ରଚାରିତ ହେଉଛି-ସେ ମଧ୍ୟ ଏହି ଶ୍ରେଣୀର ପୃଷ୍ଠପୋଷକତା ଉପରେ ନିର୍ଭରଶୀଳ, ତେଣୁ ଶ୍ରେଣୀ ସ୍ୱାର୍ଥ ଦୃଷ୍ଟିରୁ ଗଣମାଧ୍ୟମ କ୍ରମଶଃ ନୀରବ ହୋଇଯିବ-ଯେଉଁ ସାମ୍ବାଦିକ ଏଭଳି ପର୍ଦ୍ଦାଫାସ କରିଛନ୍ତି-ତାଙ୍କ ଉପରେ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ନ ହୁଏ ତା’ହେଲେ ନୈତିକତା ପ୍ରତି କିଛିଟା ସମ୍ମାନ ରହିଛି ବୋଲି ବୁଝାଯିବ । ଯଦି ହୁଏ, ତା’ହେଲେ ଏହା ଏକ ଆଶ୍ଚର୍ଯ୍ୟର ବିଷୟ ଆଦୌ ହେବନାହିଁ ।
୧-୧୬ ନଭେମ୍ବର, ୨୦୦୭

                                                                 ବିତର୍କିତ ବିଚାର ବ୍ୟବସ୍ଥା

ନ୍ୟାୟାଳୟ ବା ବିଚାରବ୍ୟବସ୍ଥା ଉପରେ ଆମ ଦେଶ ଲୋକଙ୍କର ଆସ୍ଥା ତୀବ୍ର ବେଗରେ ହ୍ରାସ ପାଉଛି-କୁହନ୍ତି ଉଚ୍ଚତମ ନ୍ୟାୟାଳୟର ବିଚାରପତି ମାନ୍ୟବର ଏ.କେ. ମାଥୁର ଏବଂ ମାନ୍ୟବର ମାର୍କେଣ୍ଡୟ କାଟଜୁ; ଲୋକେ ଭାବିବା ଆରମ୍ଭ କଲେଣି ଯେ, ଯେଉଁପ୍ରକାର ବିଳମ୍ବ ନ୍ୟାୟାଳୟରେ ହେଉଛି-ସେଥିରେ ନ୍ୟାୟ ମିଳିବ ନାହିଁ  । ଏଭଳି ଧାରଣା ମଧ୍ୟ ଅଯଥାର୍ଥ ନୁହେଁ, କାରଣ ବର୍ତ୍ତମାନ ଭାରତୀୟ ନ୍ୟାୟାଳୟମାନଙ୍କରେ ଫଇସଲା ହେବାକୁ ଥିବା ମାମଲାର ସଂଖ୍ୟା ୨.୫୯ କୋଟି (ଦ୍ରଷ୍ଟବ୍ୟ-ndian Today, Oct 22, 2007) ଅର୍ଥାତ୍ ପ୍ରାୟ ୪୦/୫୦ ଜଣ ଭାରତୀୟ ଲୋକଙ୍କ ପିଛା ଫଇସଲା ଅପେକ୍ଷାରେ ରହିଛି ଗୋଟିଏ ମାମଲା  । ବିଳମ୍ବ ହେବାର କାରଣ ଦର୍ଶାଯାଇଛି-ବିଚାରପତି ଅଭାବ  । ୩୦୦୦ ବିଚାରପତିଙ୍କର ଆବଶ୍ୟକତା ରହିଛି ବୋଲି କୁହାଯାଉଛି  । ଏହା ଜାଣିବା ପ୍ରାସଙ୍ଗିକ ହେବ ଯେ, ୫୦ ବର୍ଷ ଧରି ଫଇସଲା ହୋଇନଥିବା ଏକ ମାମଲା ଉପରେ ନିଷ୍ପତ୍ତି ଶୁଣାଇଲାବେଳେ ମାନ୍ୟବର ବିଚାରପତି ଦ୍ୱୟ ଉପରୋକ୍ତ ମନ୍ତବ୍ୟ କରିଛନ୍ତି ।
ଗଣମାଧ୍ୟମରେ ଉପରୋକ୍ତ ମନ୍ତବ୍ୟକୁ ଏବେ ଉଦ୍ଧାର କରାଯାଉଛି ଯେତେବେଳେ, ସାଧାରଣ ଲୋକର ଧୈର୍ଯ୍ୟଚ୍ୟୁତି ହିଂସ୍ର ଆକାର ଧାରଣ କରିଛି-ରାସ୍ତା ଉପରକୁ ଆସିଛି ଓ ଆଇନକୁ ନିଜ ହାତକୁ ନେଇ ତକ୍ରାଳ ଗୋଟିଏ କିଛି କରିଦେଉଛି, ଯାହାକୁ ସେ ଠିକ୍ ବୋଲି ଭାବୁଛି । ଆଇନକୁ ନିଜ ହାତକୁ ନେବାର ଅର୍ଥ ଯେ, ପ୍ରଚଳିତ ଆଇନ ବ୍ୟବସ୍ଥା ଓ ବିଚାର ବ୍ୟବସ୍ଥାରେ ସମାଧାନ ନାହିଁ, ଏହା ଦର୍ଶାଇବା  । ଆଇନକୁ ବାରମ୍ବାର ହାତକୁ ନେବାର ପ୍ରବଣତା ଜନତାଙ୍କ ମଧ୍ୟରେ ବ୍ୟାପକ ହେବାର ଅର୍ଥ ଯାହା ମାନ୍ୟବର ବିଚାରପତି ଦ୍ୱୟ କହିଛନ୍ତି-ଲୋକଙ୍କର ଆଇନ ବ୍ୟବସ୍ଥା ଓ ବିଚାର ବ୍ୟବସ୍ଥା ଉପରେ ଆସ୍ଥା ତୀବ୍ର ବେଗରେ ହ୍ରାସ ପାଇବା ବା ପ୍ରଚଳିତ ଏହି ବ୍ୟବସ୍ଥାର ଆବଶ୍ୟକତାକୁ ପ୍ରଶ୍ନ କରିବା  ।
ତେଣୁ ଏହାକୁ କିପରି ଅଟକା ଯାଇପାରିବ? ମାନ୍ୟବର ବିଚାରପତି ଦ୍ୱୟଙ୍କର ଉପରୋକ୍ତ ମନ୍ତବ୍ୟକୁ ଯଦି ଆଧାର କରାଯାଏ, ତା’ହେଲେ ନ୍ୟାୟାଳୟରେ ମାମଲାର ଶୀଘ୍ର ଫଇସଲା ଏକ ଆବଶ୍ୟକୀୟ ସମାଧାନ ବୋଲି ଗ୍ରହଣ କରାଯାଇପାରେ । କିନ୍ତୁ କେଉଁଭଳି ମାମଲାଗୁଡ଼ିକୁ ଶୀଘ୍ର ଫଇସଲାର ଅଗ୍ରାଧିକାର ମିଳିବା ଉଚିତ? ୨ କୋଟି ୫୯ ଲକ୍ଷ ଫଇସଲା ଅପେକ୍ଷାମାଣ ମାମଲାକୁ କେଉଁକ୍ରମରେ ଫଇସଲା କରାଯିବା ଉଚିତ? ଜୀବନ ଜୀବିକା ସମ୍ପର୍କିତ ମାମଲାଗୁଡ଼ିକର ଫଇସଲା ତ ନିଶ୍ଚିତ ଅଗ୍ରାଧିକାର ପାଇବା ଉଚିତ  । କାରଣ, ଏହି ଫଇସଲାରେ ହିଁ ଜନଗଣଙ୍କ ମଧ୍ୟରେ ବିଚାର ବ୍ୟବସ୍ଥା ପ୍ରତି ବିଶ୍ୱାସ ପ୍ରତିଷ୍ଠିତ କରିବାର ସୁଯୋଗ ଥାଏ  । ଯଦି ଏହିଭଳି ମାମଲାଗୁଡ଼ିକର ଶୀଘ୍ର ଶୁଣାଣି ଓ ନିଷ୍ପତ୍ତି ସାଧାରଣ ଲୋକ ମନରେ ଧାରଣା ସୃଷ୍ଟି କରିପାରେ ଯେ, ବିଚାର ବ୍ୟବସ୍ଥା ତାକୁ ସୁରକ୍ଷା ଦେଇପାରେ-ତା’ର ଅଧିକାରକୁ ପଦଦଳିତ କରୁଥିବା ଶକ୍ତିମାନଙ୍କୁ ବାଧା ଦେଇପାରେ, ତା’ହେଲେ ସମାଜରେ ବର୍ତ୍ତମାନ ବୃଦ୍ଧି ପାଉଥିବା ବିଚାରବ୍ୟବସ୍ଥା ପ୍ରତି ଅନାସ୍ଥା ନିଶ୍ଚିତ ହ୍ରାସ ପାଇବ ।
ବିଚାର ବ୍ୟବସ୍ଥା ଯେ ବଡ଼ବଡୁଆମାନଙ୍କ ସପକ୍ଷରେ, ଏଭଳି ଧାରଣା ସାଧାରଣ ଲୋକ ମନରେ ବସା ବାନ୍ଧିବା ବିଚାର ବ୍ୟବସ୍ଥା ଉପରେ ଆସ୍ଥା ପ୍ରତି ଆଦୌ ଅନୁକୂଳ ନୁହେଁ  । ଏହାକୁ ଭାଙ୍ଗିବାର ଉଦ୍ୟମ ବିଚାର ବ୍ୟବସ୍ଥା ଭିତରୁ ହିଁ ସଚେତନ ଭାବେ କରାଯିବା ଉଚିତ । କିନ୍ତୁ ଏହିଭଳି ଧାରଣା ଯେ ରାଷ୍ଟ୍ରର ଆଇନମନ୍ତ୍ରୀଙ୍କର ମଧ୍ୟ ହୋଇପାରେ ତା’ର ଉଦାହରଣ ପାଉ, ଯେତେବେଳେ ଏକଦା ଆଇନମନ୍ତ୍ରୀ ଓ ପୂର୍ବତନ ହାଇକୋର୍ଟ ବିଚାରପତି ପି. ଶିବଶଙ୍କରଙ୍କର ନିମ୍ନୋକ୍ତ ବକ୍ତବ୍ୟଟି ଦୃଷ୍ଟିକୁ ଆସେ  । ସେ ଏହା ‘ହାଇଦ୍ରାବାଦରେ ବାର୍ କାଉନ୍ସିଲ୍କୁ ଉଦ୍ବୋଧନ ଦେଲାବେଳେ କହିଥିଲେ । (ଦ୍ରଷ୍ଟବ୍ୟ The Midday Judgement – II, The Statesman 1st Oct 2007) । ତାଙ୍କ ମତରେ ‘ଉଚ୍ଚତମ ନ୍ୟାୟାଳୟ ଏଲିଟ (Elite)ଶ୍ରେଣୀର ତତ୍ତ୍ୱମାନଙ୍କ ଦ୍ୱାରା ଗଠିତ ହୋଇଥିବାରୁ ଥିଲାବାଲା ଅର୍ଥାତ୍ ଜମିଦାରମାନଙ୍କ ପ୍ରତି ଏହାର ସହାନୁଭୂତି ଖୋଲାଖୋଲି ଭାବରେ ଥିଲା  । ଯାହାଫଳରେ ସେମାନେ ସମ୍ବିଧାନର ଉଦ୍ଦେଶ୍ୟ ଓ ଆତ୍ମା ବିରୋଧୀ ବ୍ୟୁତ୍ପତ୍ତି,  ଧାରା ୩୧ରେ ଥିବା ‘କ୍ଷତିପୂରଣ’ ଶବ୍ଦଟିର କରିଲେ…
“କେଶବାନନ୍ଦଙ୍କ ଭଳି ମହାଧିପତିମାନେ ଓ ଗୋଲକନାଥଙ୍କ ଭଳି ଜମିଦାରମାନେ ଉଚ୍ଚତମ ନ୍ୟାୟାଳୟ ବ୍ୟତୀତ ଦେଶର ଆଉ କୌଣସି ସ୍ଥାନରେ (ସେମାନଙ୍କ ପ୍ରତି) ସହାନୁଭୂତି ସୃଷ୍ଟି କରିବାରେ ସମର୍ଥ ହେଲେନାହିଁ  ଉଚ୍ଚତମ ନ୍ୟାୟାଳୟ କୁପର୍ ମାମଲାରେ ହସ୍ତକ୍ଷେପ କରିବା ଦ୍ୱାରା ବ୍ୟାଙ୍କର ଉଚ୍ଚ ଅଧିକାରୀ, ଶିଳ୍ପପତିମାନଙ୍କ ଦ୍ୱାରା ପ୍ରତିପୋଷିତ ଏଲିଟିଷ୍ଟ (Elitist) ସଂସ୍କୃତିର ପ୍ରତିନିଧିମାନେ ଓ ସ୍ୱାଧୀନତାର ହିତାଧିକାରୀମାନେ ଉଚ୍ଚ ଦରରେ କ୍ଷତିପୂରଣ ପାଇଲେ  । ଅସାମାଜିକ ବ୍ୟକ୍ତି ଯେପରିକି ବୈଦେଶିକ ମୁଦ୍ରା ବିନିମୟ ଆଇନର ଉଲ୍ଲଂଘନକାରୀ, ବଧୂଦାହରେ ସମ୍ପୃକ୍ତ ବ୍ୟକ୍ତି ଓ ପ୍ରତିକ୍ରିୟାଶୀଳ ଶକ୍ତିମାନେ ଉଚ୍ଚତମ ନ୍ୟାୟାଳୟରେ ସେମାନଙ୍କ ପାଇଁ ଏକ ସୁରକ୍ଷିତ ସ୍ଥାନଟିଏ ପାଇଛନ୍ତି  । (The Supreme Court compared of the element from the elite class has their un concealed sympathy for the haves i.e. the Zamindars as a result they interpretd the wow, ‘Compensations’ in Article 31contrary to the spirit and intendment of the constitution…….
Mahadhisahy like Keshavananda and Zamindar Like Golaknath evoked a sympathetic chord nowhere in the whole country except the Supreme Court of India. And the Bank magnets, the representatives of the elitist culture of this country, ably supported by industrialists, the beneficiaries of independence got higher compensation by intetrvention of the Supreme Court in Coopers’ case. Anti social elements i.e. FERA violations, bride burners and a whole horde of reachmaries have found their however in the Supreme Court.) ଅବଶ୍ୟ ଏହିଭଳି ମନ୍ତବ୍ୟରେ ବିଚାରପତିମାନଙ୍କର ଶ୍ରେଣୀଚରିତ୍ର ଉପରେ ପ୍ରଶ୍ନ ଉତ୍ଥାପିତ ହୋଇଛି-ଯାହା ଏକ ମୌଳିକ ପ୍ରଶ୍ନ  । ବର୍ତ୍ତମାନ ଅର୍ଥନୈତିକ ପରିବେଶରେ ଯେତେବେଳେ ବୈଷମ୍ୟ ବୃଦ୍ଧି ଏକ ଅଣଲେଉଟା ପର୍ଯ୍ୟାୟ ଭିତରେ ପ୍ରବେଶ କଲାଭଳି ମନେହୁଏ ଓ ସମଗ୍ର ରାଷ୍ଟ୍ରର ସମ୍ପଦକୁ କରାୟତ୍ତ କରିବା ପାଇଁ ବିତ୍ତଶାଳୀଙ୍କର ଆକ୍ରମଣାତ୍ମକ ରୂପ ପ୍ରତିଟି ସ୍ଥାନରେ ପ୍ରତି ମୁହୂର୍ତ୍ତରେ ଦୃଶ୍ୟମାନ ହୁଏ-ସେତେବେଳେ ସାଧାରଣ ଲୋକର ସ୍ୱାର୍ଥକୁ ରକ୍ଷା କରିବା ବିଚାର ବ୍ୟବସ୍ଥା ପ୍ରତି ଯେ ଏକ ବିରାଟ ଆହ୍ୱାନ, ଏଥିରେ ସନ୍ଦେହ ନାହିଁ  । ଏହି ଆହ୍ୱାନର ସମ୍ମୁଖୀନ ହେଲାବେଳେ ତ୍ରୁଟି ବିଚ୍ୟୁତି ଯେ ହେବନାହିଁ ଏପରି ନୁହେଁ-କିନ୍ତୁ ଏହି ତ୍ରୁଟି ବିଚ୍ୟୁତିକୁ ସମାଲୋଚନା କରିବା ପାଇଁ ଯଦି ସାଧାରଣରେ ଅଦାଲତ ଅବମାନନା ଭୟ ରହେ-ତା’ହେଲେ ଏଭଳି ତ୍ରୁଟି ବିଚ୍ୟୁତିର ସଂଶୋଧନ କଦାପି ହୋଇପାରିବ ନାହିଁ-ବରଂ ଏହା ବାରମ୍ବାର ସଂଘଟିତ ହେବ ଓ ସାଧାରଣ ଲୋକ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ-ବିଚାର ବ୍ୟବସ୍ଥା ପ୍ରତି ଅନାସ୍ଥା ବୃଦ୍ଧି ପାଇବ  । ଅବଶ୍ୟ ପି. ଶିବଶଙ୍କରଙ୍କର ଉଚ୍ଚତମ ନ୍ୟାୟାଳୟ ଉପରେ ଉଲ୍ଲିଖିତ ମନ୍ତବ୍ୟ ଯେ, ବିଚାର ବ୍ୟବସ୍ଥାକୁ ନିନ୍ଦିତ କରିନାହିଁ-ତାହା ଉଚ୍ଚତମ ନ୍ୟାୟାଳୟ ପି.ଏନ୍. ହୁଦା ବନାମ ପି. ଶିବଶଙ୍କର ମାମଲାରେ ସ୍ପଷ୍ଟ କରି ପି. ଶିବଶଙ୍କରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନରୁ ନିବୃତ୍ତ ହୋଇଥିଲେ  । କହିବା ବାହୁଲ୍ୟ, ବର୍ତ୍ତମାନ ପରିପ୍ରେକ୍ଷୀରେ ଏକ ସହନଶୀଳ ବିଚାର ବ୍ୟବସ୍ଥାର ଆବଶ୍ୟକତା ରହିଛି  । ଏହା ଠିକ୍ ଯେ, ସମଗ୍ର ସମାଜରେ ସହନଶୀଳତାର ସ୍ତର କ୍ରମଶଃ ଖସିବାରେ ଲାଗିଛି-ଯାହା ହାତରେ ଦଣ୍ଡ ଦେବାର କ୍ଷମତା ଅଛି, ସେ ଏହି କ୍ଷମତାର ପ୍ରୟୋଗ ସହସା କରିବା ପାଇଁ କୁଣ୍ଠିତ ହେଉନାହିଁ  । ସାଧାରଣ ଲୋକର ତ ସହନଶୀଳତା କମୁଛି ବିଭିନ୍ନ କାରଣରୁ, କିନ୍ତୁ ବୋଧହୁଏ ଏହାର ସ୍ତରକୁ ଖସିବାରୁ ରକ୍ଷା କରାଯାଇପାରିବ, ଯଦି ଏହି ସହନଶୀଳତା ଆମର ସମ୍ବିଧାନର ଚାରୋଟି ସ୍ତମ୍ଭ ଭିତରେ ଦେଖାଦିଏ ସମାଲୋଚନାକୁ ସହ୍ୟ କରିବାର ଶକ୍ତି ଯଦି ଏମାନଙ୍କ ଭିତରେ ଜାଗ୍ରତ ହୁଏ । ସମାଲୋଚନା ହିଁ ତ ଗଣତନ୍ତ୍ରକୁ ରୁଦ୍ଧିମନ୍ତ କରେ ।
ଏହି ସହନଶୀଳତାର ଅଭାବ ସମ୍ପ୍ରତି ବିଚାର ବ୍ୟବସ୍ଥାକୁ ବେଶ ବିତର୍କିତ କରିଦେଇଛି  । ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ଏକ ଖଣ୍ଡପୀଠ ମିଡ୍ଡେ (Midday) ନାମକ ଏକ ଖବରକାଗଜର ୪ ଜଣ ସାମ୍ବାଦିକଙ୍କୁ.ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ସେମାନଙ୍କର ‘ଅପରାଧ’ ଯେ ସେମାନେ ଉଚ୍ଚତମ ନ୍ୟାୟାଳୟର ପୂର୍ବତନ ମୁଖ୍ୟ ବିଚାରପତି ୱାଇ. ସବରୱାଲଙ୍କ ବିରୁଦ୍ଧରେ କେତେକ ମନ୍ତବ୍ୟ କରି ବିଚାରାଳୟର କାର୍ଯ୍ୟରତ ବିଚାରପତିମାନଙ୍କୁ ନିନ୍ଦିତ କରିଛନ୍ତି । ଯଦିଓ ଏହି ଦଣ୍ଡାଦେଶ ଉପରେ ଉଚ୍ଚତମ ନ୍ୟାୟାଳୟ ରହିତାଦେଶ ଜାରି କରିଛି-ତଥାପି ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସମାଜସେବୀ ଏହିଭଳି ଦଣ୍ଡାଦେଶକୁ ବିରୋଧ କରିଛନ୍ତି ଓ ସେହି ସାମ୍ବାଦିକମାନଙ୍କ ସହ ଜେଲ ଯିବାପାଇଁ ପ୍ରସ୍ତୁତ ବୋଲି ଘୋଷଣା କରିଛନ୍ତି । ଯଦିଓ ଏହିଭଳି ସବରୱାଲ ବିରୋଧୀ ଅଭିଯୋଗ ପଛରେ ଥିବା ବ୍ୟକ୍ତିମାନଙ୍କର ଉଦ୍ଦେଶ୍ୟ ସହ ବରିଷ୍ଠ ସାମ୍ବାଦିକ ରାଜେନ୍ଦ୍ର ପୁରୀ ଏକ ଭିନ୍ନ ଗନ୍ଧ ବାରନ୍ତି (They smell success, this scribe smells a ra) (ଦ୍ରଷ୍ଟବ୍ୟ The Justice Sabharwal affair, The Statesman 17Oct, 2007) ଓ ଗଣମାଧ୍ୟମର ଭୂମିକାକୁ ପ୍ରଶ୍ନ କରନ୍ତି । ତଥାପି ଯେତେବେଳେ କୌଣସି ବ୍ୟକ୍ତି ବା ଅନୁଷ୍ଠାନର ମର୍ଯ୍ୟାଦା ସତ୍ୟଠାରୁ ଊଦ୍ଧ୍ୱର୍ରେ ନୁହେଁ ବୋଲି ଆଇନସମ୍ମତ (Contempt of courts (Amendment) Act 2006) ଇମଗ୍ଧ ୨୦୦୬); ସେତେବେଳେ ସତ୍ୟ ପ୍ରକାଶ ନ ହୋଇ ପାରିବା ବା ସତ୍ୟପ୍ରକାଶ ପାଇଁ ସୁଯୋଗରୁ ଆଗ୍ରହୀ ବ୍ୟକ୍ତିକୁ ବଞ୍ôଚତ କରିବା ବା ସତ୍ୟାଗ୍ରହୀକୁ ସତ୍ୟାସତ୍ୟ ପ୍ରତିପାଦିତ କରିବା ପାଇଁ ନିର୍ଦ୍ଦେଶ ଦେବା ପରିବର୍ତ୍ତେ ତାକୁ ଦଣ୍ଡାଦେଶ ଶୁଣାଇବା ବିଚାର ବ୍ୟବସ୍ଥାର ବିଶ୍ୱସନୀୟତା ପ୍ରତି ଆଦୌ ଅନୁକୂଳ ନୁହେଁ ।
ନ୍ୟାୟ ପାଇବା ପାଇଁ ନାଗରିକ ନ୍ୟାୟପାଳିକାର ହିଁ ଆଶ୍ରୟ ନେବ, ଏହା ଅବଧାରିତ ସତ୍ୟ । ନ୍ୟାୟ ଦେବା ନ୍ୟାୟପାଳିକାର ଧର୍ମ । ଏହି ଧର୍ମ ନ୍ୟାୟପାଳିକା ପାଳନ କରିବା ଏକ ସାମ୍ବିଧାନିକ କର୍ତ୍ତବ୍ୟ । କିନ୍ତୁ କାର୍ଯ୍ୟପାଳିକା (Executive)ର ନିଷ୍ପତ୍ତଗୁଡ଼ିକ ଦ୍ୱାରା ନାଗରିକ ଏତେ ପ୍ରପୀଡ଼ିତ ଯେ, ନ୍ୟାୟପାଳିକାରୁ ନ୍ୟାୟ ପାଇଲେ ସେ ସ୍ୱାଭାବିକ ନ୍ୟାୟପାଳିକାକୁ ଏକ ତ୍ରାଣକର୍ତ୍ତାର ମର୍ଯ୍ୟାଦା ଦେଇଥାଏ, ଯାହା ଏକ ଆବେଗାତ୍ମକ ଅଭିବ୍ୟକ୍ତି । କିନ୍ତୁ ଏହି ଆବେଗାତ୍ମକ ଅଭିବ୍ୟକ୍ତିର ଗଣମାଧ୍ୟମରେ ବହୁଳ ପ୍ରଚାର ଫଳରେ ସମ୍ବିଧାନର ଚାରୋଟି ସ୍ତମ୍ଭ ଭିତରୁ ନ୍ୟାୟପାଳିକା ସ୍ତମ୍ଭଟି ଅନ୍ୟମାନଙ୍କଠାରୁ ଉଚ୍ଚତାରେ ଅଧିକ ତାହାହିଁ ଧାରଣା ହେଉଛି । ଏହି ଧାରଣା ଯଦି ସାଧାରଣ ଲୋକଙ୍କ ଭିତରେ ରହୁଥାଏ, ତା’ହେଲେ କିଛି ଅସୁବିଧା ନାହିଁ, କିନ୍ତୁ ଏହା ଯଦି ବିଚାର ବ୍ୟବସ୍ଥାକୁ ଆକ୍ରାନ୍ତ କରେ-ତା’ହେଲେ ଅନ୍ୟ ସ୍ତମ୍ଭଗୁଡ଼ିକ ସହ ଏହାର ସହାବସ୍ଥାନରେ ବିସଙ୍ଗତି ଦେଖାଯିବା ସ୍ୱାଭାବିକ । ନ୍ୟାୟପାଳିକା-ବ୍ୟବସ୍ଥାପିକା ବିତର୍କ, ନ୍ୟାୟପାଳିକା-ଗଣମାଧ୍ୟମ ବିତର୍କ ଆଦି ଏହିଭଳି ବିସଙ୍ଗତି ଉପଲବ୍ôଧର ପରିଣତି ।
ଯଥାର୍ଥ ପ୍ରଶଂସା, ଆବେଗବିହୀନ ପ୍ରଶଂସା ସହିତ ଗଠନମୂଳକ ସମାଲୋଚନା ହିଁ ଯେକୌଣସି ବ୍ୟକ୍ତି/ଅନୁଷ୍ଠାନର କାର୍ଯ୍ୟଦକ୍ଷତାକୁ ବୃଦ୍ଧି କରିପାରେ ଓ ଲକ୍ଷ୍ମଣରେଖା ଡେଇଁବାର ପ୍ରବଣତା ଉପରେ ଅଙ୍କୁଶ ଭଳି କାର୍ଯ୍ୟ କରିପାରେ । କହିବା ବାହୁଲ୍ୟ , ଏହା ନ୍ୟାୟପାଳିକା ପାଇଁ ମଧ୍ୟ ପ୍ରଯୁଜ୍ୟ ।

                                                                 ପୁଣି ନ୍ୟାୟପାଳିକା

ନ୍ୟାୟପାଳିକା, କାର୍ଯ୍ୟପାଳିକା ଓ ବ୍ୟବସ୍ଥାପିକା ମଧ୍ୟରେ ସମନ୍ୱୟ ରହିବା ଉଚିତ ବୋଲି ବିଭିନ୍ନ ମହଲରେ ବିଚାର ଆଲୋଚନା ଚାଲିଛି  । ପୂର୍ବେ ଏହିଭଳି ଆଲୋଚନା ହେବାର କୌଣସି ନଜିର ମିଳୁନାହିଁ  । ଅର୍ଥାତ୍ ଭାରତ ସ୍ୱାଧୀନ ହେବାପରେ ବହୁଦିନ ଧରି ଆବଶ୍ୟକୀୟ ସମନ୍ୱୟର ଅଭାବ ଅନୁଭୂତ ହୋଇ ନ ଥିଲା  । କେବେଠାରୁ ଏହିଭଳି ସମନ୍ୱୟର ଅଭାବ ଦେଖାଗଲା ବା ଏହି ସମନ୍ୱୟକୁ କିଏ ପ୍ରଥମେ ଭାଙ୍ଗିଲା, ତାହା ତ ଗବେଷଣା ସାପେକ୍ଷ । କିନ୍ତୁ ଇତ୍ୟବସରରେ ସୁପ୍ରିମକୋର୍ଟର ଦୁଇ ବିଚାରପତି ମାନ୍ୟବର ଏ.କେ. ମାଥୁର ଓ ମାନ୍ୟବର ମାର୍କେଣ୍ଡୟ କାଟଜୁ ସୁପ୍ରିମକୋର୍ଟର ଅନେକଗୁଡ଼ିଏ ରାୟ ଉପରେ ଟିପ୍ପଣୀ ଦେଇ ଯେତେବେଳେ କୁହନ୍ତି ଯେ ସମ୍ବିଧାନରେ କ୍ଷମତା ବିଭାଜନର ବ୍ୟବସ୍ଥା ଦୃଷ୍ଟିରୁ ଏହି ରାୟଗୁଡ଼ିକରେ ତ୍ରୁଟିବିଚ୍ୟୁତିର ବହୁ ଜ୍ୱଳନ୍ତ ନିଦର୍ଶନ (Glaring Examples of Deviation) ରହିଛି, ସେତେବେଳେ ସେ ସୂଚନା ଦେଉଛନ୍ତି ଯେ ନ୍ୟାୟପାଳିକା, କାର୍ଯ୍ୟପାଳିକା ଓ ବ୍ୟବସ୍ଥାପିକାର କ୍ଷମତା ପରିସରରେ ହସ୍ତକ୍ଷେପ କରିଛି । (The statesman,14th, Dec 2007) ସତେ ଯେପରି ପ୍ରଧାନମନ୍ତ୍ରୀ ମନମୋହନ ସିଂହ ନ୍ୟାୟପାଳିକା ପାଇଁ ଏକ ଲକ୍ଷ୍ମଣରେଖାର ଯେଉଁ ସୂଚନା ଏକଦା ଦେଇଥିଲେ, ତାହାହିଁ ମାନ୍ୟବର ବିଚାରପତ ଦ୍ୱୟଙ୍କର ଟିପ୍ପଣୀରେ ପ୍ରତିଫଳିତ ହୋଇଛି । ଏହି ଟିପ୍ପଣୀ ସୂଚିତ କରୁଛି ଯେ, ନ୍ୟାୟପାଳିକା ଭିତରେ କାର୍ଯ୍ୟପାଳିକା ଓ ବ୍ୟବସ୍ଥାପିକାରେ ନ୍ୟାୟପାଳିକାର ହସ୍ତକ୍ଷେପ ପ୍ରତି ଏକ ଅସମ୍ମତି ଭାବ ରହିଛି । ଏହି ଟିପ୍ପଣୀ ଦୁଇ ବିଚାରପତି ବିଶିଷ୍ଟ ଖଣ୍ଡପୀଠ ଦ୍ୱାରା ଦିଆଯାଇଥିବାରୁ ଏହାକୁ ତିନି ବିଚାରପତି ବିଶିଷ୍ଟ ଖଣ୍ଡପୀଠ ମାନିବେ କି ନାହିଁ ତାହା ନ୍ୟାୟପାଳିକା ଭିତରର ଆଭ୍ୟନ୍ତରୀଣ ପ୍ରଶ୍ନ । ତିନି ବିଚାରପତି ବିଶିଷ୍ଟ ଖଣ୍ଡପୀଠର ମତ ଦ୍ୱାରା ଦୁଇ ବିଚାରପତି ବିଶିଷ୍ଟ ଖଣ୍ଡପୀଠ ପ୍ରଭାବିତ ନ ହେବାର ନଜିର ରହିଛି । ଯେପରି କାର୍ଯ୍ୟରତ ବିଚାରପତି କମିଶନ୍ ଅଫ୍ ଇନ୍କ୍ୱାରୀ ହୋଇପାରିବା ପ୍ରସଙ୍ଗରେ । ଏହା ନ୍ୟାୟପାଳିକାର ଆଭ୍ୟନ୍ତରୀଣ ପ୍ରଶ୍ନ । ଏହାଦ୍ୱାରା କିନ୍ତୁ ସାମ୍ବିଧାନିକ କ୍ଷମତା ବିଭାଜନକୁ କେନ୍ଦ୍ରକରି ଉଠିଥିବା ମୂଳ ପ୍ରଶ୍ନ ଅବାନ୍ତର ହୋଇଯାଉନାହିଁ  ।
ତେବେ ଏହି ତିନି ସାମ୍ବିଧାନିକ ଅଙ୍ଗ ମଧ୍ୟରେ ସମନ୍ୱୟର ଆବଶ୍ୟକତା ଉପରେ ଯେଉଁ ଗୁରୁତ୍ୱ ଦିଆଯାଉଛି, ତାହାର କେନ୍ଦ୍ରରେ ଯଦି ସାଧାରଣ ମଣିଷର ସ୍ୱାର୍ଥ ନ ରୁହେ ତା’ହେଲେ ଏହି ସମନ୍ୱୟ ଦ୍ୱାରା ଏହି ତିନି ଅଂଶ ମଧ୍ୟରେ ଚାଲିଥିବା କ୍ଷମତା ସଂଘର୍ଷ ଅବସାନର ସୀମିତ ଲକ୍ଷ୍ୟ ହାସଲ ହୋଇପାରେ, କିନ୍ତୁ ସାଧାରଣ ମଣିଷର ସ୍ୱାର୍ଥ ସୁରକ୍ଷାର ଯେଉଁ ବୃହତ୍ତର ଲକ୍ଷ୍ୟ ସମ୍ବିଧାନରେ ରହିଛି ତାହା ହାସଲ କରିବା ଦିଗରେ ବେଶି ବାଟ ଯିବା ସମ୍ଭବ ହେବନାହିଁ  । ଗତ ଦୁଇ ଦଶନ୍ଧି ଧରି ଭାରତୀୟ ଅର୍ଥନୀତି ଯେପରି ଅଧିକରୁ ଅଧିକ ଧନୀକ ଶ୍ରେଣୀର ଅକ୍ତିଆର ଭିତରକୁ ଚାଲିଯିବାରେ ଲାଗିଛି ଓ ଅର୍ଥରେ ବଳଶାଳୀ ଏହି ଗୋଷ୍ଠୀ ସବୁପ୍ରକାର ନିଷ୍ପତ୍ତକୁ ପ୍ରଭାବିତ କରିବା ପାଇଁ ନିର୍ଲ୍ଲଜ ଉଦ୍ୟମ ଆରମ୍ଭ କରିଦେଇଛି, ସେତେବେଳେ ସମ୍ବିଧାନରେ ଏହି ତିନୋଟି ସ୍ୱୀକୃତ ଅଂଶ ପାଇଁ ଏକ ବିରାଟ ଆହ୍ୱାନ ସୃଷ୍ଟି ହୋଇଛି ଜନବାଦୀ ଚରିତ୍ରକୁ ବଜାୟ ରଖିବା ପାଇଁ  ।
୧-୧୬ ଅଗଷ୍ଟ, ୨୦୦୮

                                                      ସୋମନାଥଙ୍କୁ ବାମ ହେଲେ ବାମଦଳ

ଯଦି ଜୁଲାଇ ୨୨, ୨୦୦୮କୁ ଭାରତୀୟ ସଂସଦୀୟ ଇତିହାସରେ ସବୁଠାରୁ କଳଙ୍କମୟ ଦିବସ ବୋଲି ଗ୍ରହଣ କରାଯାଏ, ତା’ହେଲେ ସୋମନାଥ ଚାଟାର୍ଜୀ ମଧ୍ୟ ଏହି ଇତିହାସରେ ରହିବେ-ଲୋକସଭାରେ ଏହି ଅଧିବେଶନର ଅଧ୍ୟକ୍ଷ ଭାବେ  । ଯଦି ଇସ୍ତଫା ଦେଇଦେଇଥାନ୍ତେ-ତାଙ୍କ ଦଳର ନିର୍ଦ୍ଦେଶ ଶୁଣି ତା’ହେଲେ ଏଭଳି ଦୁର୍ଭାଗ୍ୟଜନକ ପରିସ୍ଥିତି ଯେ ତାଙ୍କର ବାଚସ୍ପତି କାଳରେ ଘଟିଲା-ଏହା କହିବା ପାଇଁ କେହି ଅବସର ପାଇନଥାନ୍ତେ । ୪୦ ବର୍ଷର ସଦସ୍ୟତାଠାରୁ ୪ ବର୍ଷର ବାଚସ୍ପତି ପଦବୀ ଯେ ଅଧିକ ଆକର୍ଷଣୀୟ, ତାହା ସୋମନାଥ ବାମଦଳର ନିର୍ଦ୍ଦେଶ ନ ମାନି ସାବ୍ୟସ୍ତ କରିଦେଲେ । ଯେଉଁମାନେ ତାଙ୍କୁ ଗତ ୪ ବର୍ଷ ଧରି ବିଭିନ୍ନ ଲୋକସଭା ଅଧିବେଶନରେ ଅଧ୍ୟକ୍ଷତା କରିବାର ଦେଖିଛନ୍ତି ଓ ତାଙ୍କର ବିରକ୍ତି ଭାବ ଲକ୍ଷ୍ୟ କରିଛନ୍ତି ବା ଏହଭଳି ଲୋକସଭାର ଅଧ୍ୟକ୍ଷତା କରିବା ଅପେକ୍ଷା ଇସ୍ତଫା ଦେବା ଶ୍ରେୟସ୍କର ବୋଲି ତାଙ୍କର ମନ୍ତବ୍ୟ ଶୁଣିଛନ୍ତି-ସେମାନେ ସୋମନାଥଙ୍କୁ ବାଚସ୍ପତି ପଦବୀକୁ ଜାବୋଡ଼ି ଧରିବା ଦେଖି ନିଶ୍ଚିତ ଚକିତ ହୋଇଯାଇଛନ୍ତି  । ଯଦି କୁହାଯାଏ ଯେ ସୋମନାଥ ଜାଣିଶୁଣି ଏହିଭଳି ଏକ କଳଙ୍କିତ ଅଧିବେଶନରେ ଅଧ୍ୟକ୍ଷତା କରିଛନ୍ତି-ବିଶେଷତଃ ଯେତେବେଳେ ତାଙ୍କରି ବାମଦଳର ନେତୃବର୍ଗ ଅଭିଯୋଗ କରିଛନ୍ତି ଯେ ସାଂସଦମାନଙ୍କର ୨୫ କୋଟି ଟଙ୍କାରେ ନିଲାମ ଡକାଚାଲିଛି, ତା’ହେଲେ ଏହା ଆଦୌ ଭୁଲ ହେବନାହିଁ । ଅବଶ୍ୟ ଅନେକେ ନୀତିଗତ ପ୍ରଶ୍ନ ଉଠାଇଛନ୍ତି, ତାଙ୍କର ଇସ୍ତଫା ନ ଦେବା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି । ଯେପରି ବାଚସ୍ପତି ହୋଇଯିବା ପରେ ସେ ସବୁଦଳର ଊଦ୍ଧ୍ୱର୍କୁ ଚାଲିଯାଇଛନ୍ତି-ତେଣୁ ବାମଦଳର ନିର୍ଦ୍ଦେଶ ତାଙ୍କୁ ଲାଗୁ ହୋଇପାରିବ ନାହିଁ ବା ଏହିଭଳି ଏକ ସଙ୍କଟମୟ ପରିସ୍ଥିତିରେ ସେ ଇସ୍ତଫା ଦେବା ଅର୍ଥ ଲୋକସଭାକୁ ଏକ ବିଶୃଙ୍ଖଳିତ ପରିସ୍ଥିତିକୁ ଠେଲିଦେବା ଇତ୍ୟାଦି । ଏହା ନିଶ୍ଚିତ ଭାବରେ ସୋମନାଥଙ୍କୁ ନୈତିକ ବଳ ଯୋଗାଇବ । କିନ୍ତୁ ଯେଉଁଭଳି ଭାବେ ମନମୋହନ ସିଂହଙ୍କ ସରକାରଙ୍କୁ ଆସ୍ଥା ଯୋଗାଇଥିବା ରାଜନୈତିକ ଦଳମାନଙ୍କର ନେତୃତ୍ୱ ତାଙ୍କ ନିକଟକୁ ଧାଡ଼ି ବାନ୍ଧିଛନ୍ତି-ତାହା ସୋମନାଥଙ୍କୁ ରାଜନୈତିକ ପଶାପାଲିର ଏକ ଗୋଟି କରିଦେବାର ଉଦ୍ୟମକୁ ବୋଧହୁଏ ସୂଚାଉଛି । ଅପରପକ୍ଷରେ ସି.ପି.ଏମ୍. ଦଳ ସୋମନାଥଙ୍କୁ ଦଳରୁ ବହିଷ୍କାର କରି ରାଜନୈତିକ ଅପରିପକ୍ୱତାର ବୋଧହୁଏ ପରିଚୟ ଦେଇଛନ୍ତି  । ଅବଶ୍ୟ ଦଳର ନିର୍ଦ୍ଦେଶକୁ ମାନି ପ୍ରଧାନମନ୍ତ୍ରୀ ହେବାର ନିବେଦନକୁ ଯଦି ଜ୍ୟୋତିବସୁ ପ୍ରତ୍ୟାଖ୍ୟାନ କରିପାରନ୍ତି, ତା’ହେଲେ ସୋମନାଥ ଚାଟାର୍ଜୀ ଦଳର ନିର୍ଦ୍ଦେଶକୁ ଅମାନ୍ୟ କାହିଁକି କରିବେ? ଏହାହିଁ ବୋଧହୁଏ ବହିଷ୍କାର ନିଷ୍ପତ୍ତି ପଛରେ ସି.ପି.ଏମ୍. ଦଳର ନେତୃତ୍ୱର ମାନସିକତା ହୋଇଥିବ । କହିବା ବାହୁଲ୍ୟ ଯେ ପରେ ଜ୍ୟୋତିବସୁଙ୍କୁ ପ୍ରଧାନମନ୍ତ୍ରୀ ହେବାପାଇଁ ବାରଣ କରିବାର ନିଷ୍ପତ୍ତିକୁ ଏକ (historic blunder)ଐତିହାସିକ ଭୁଲ ବୋଲି ଦଳ ଉପଲବ୍ôଧ କଲା-ଏବେ ହୁଏତ ସୋମନାଥଙ୍କୁ ବାଚସ୍ପତି କରାଇବା ଏକ ଐତିହାସିକ ଭୁଲ ବୋଲି ଦଳ ଅନୁଭବ କରୁଥିବ  ।

                                                              ସୁପ୍ରିମକୋର୍ଟରେ ସପ୍ତାହେ

୪.୮.୨୦୦୮ରୁ ୮.୮.୨୦୦୮ ସୁପ୍ରିମକୋର୍ଟର ଏହି ୫ ଦିନିଆ ସପ୍ତାହ ଏକ ସ୍ମରଣୀୟ ସପ୍ତାହ । ୫.୮.୨୦୦୮ ଦିନ ଜଣାପଡ଼ିଲା ଯେ ସୁପ୍ରିମକୋର୍ଟ ଅସହାୟ । କାରଣ ନିର୍ଦ୍ଦେଶ ସତ୍ତେ୍ୱ ସରକାରୀ କ୍ୱାର୍ଟର୍ସରେ ଜବରଦସ୍ତ ରହୁଥିବା ନେତା, ଅମଲା, ବିଚାରପତି, ସାମ୍ବାଦିକଙ୍କୁ ସରକାର ବେଦଖଲ କରିପାରିଲା ନାହିଁ  । ଏଠାରେ ଉଲ୍ଲେଖକରିବା ପ୍ରାସଙ୍ଗିକ ହେବ ଯେ ସରକାରଙ୍କର ସତ୍ୟପାଠ ଅନୁସାରେ ୯୯,୧୦୦ଟି ସରକାରୀ ଘର ମଧ୍ୟରୁ ୩୦୦ ପାଖାପାଖି ଘର ହିଁ ଜବରଦଖଲରେ ରହିଛି । ସରକାରଙ୍କର ଏହି ବିଫଳତାରେ କ୍ଷୁବ୍ଧ ମାନ୍ୟବର ବିଚାରପତି ବି.ଏନ୍. ଅଗ୍ରୱାଲ ଓ ମାନ୍ୟବର ବିଚାରପତି ଜି.ଏସ୍. ସିଂଘୱୀ ଯାହା କହିଲେ ତାହା ଆଜି ବହୁ ଚର୍ଚ୍ଚିତ । ବିଚାରପତି ଦ୍ୱୟ ଆମଦେଶର ଚରିତ୍ର ଉପରେ ମନ୍ତବ୍ୟ କଲେ (Our country’s character has gone), ନିଜକୁ ଅସହାୟ ବୋଲି କହିଲେ (we are helplesseven God will not be able to save this country, even if God comes down, he can’t change our country) । ମାତ୍ର ୩୦୦ଟି ସରକାରୀ ବାସଭବନରୁ ଜବରଦଖଲକାରୀଙ୍କୁ ଉଚ୍ଛେଦ କରିବାରେ ସରକାରଙ୍କର ବିଫଳତା ପାଇଁ କ’ଣ ଏଭଳି ଚରମ ମନ୍ତବ୍ୟ, ନା ପୁଞ୍ଜିଭୂତ କ୍ଷୋଭରୁ ଏହାର ଜନ୍ମ ।
୭.୮.୨୦୦୮ ଦିନ ବିବାଦୀୟ ୨୩ କୋଟି ଟଙ୍କାର ଟ୍ରେଜେରୀ ଘୋଟାଲାର ଶୁଣାଣିବେଳେ, ଏହି ଘଟଣାରେ ସମ୍ପୃକ୍ତ ଦୁର୍ନୀତିଗ୍ରସ୍ତ ବିଚାରପତିମାନଙ୍କୁ ସୁପ୍ରମିକୋର୍ଟ ଘଣ୍ଟ ଘୋଡ଼ାଉଛି ବୋଲି ଅଭିଯୋଗ କରନ୍ତି ବରିଷ୍ଠ ଅଧିବକ୍ତା ଓ ପୂର୍ବତନ କେନ୍ଦ୍ର ଆଇନମନ୍ତ୍ରୀ ଶାନ୍ତିଭୂଷଣ  । ଏହି ଅଭିଯୋଗ ଶୁଣି ମାମଲାର ଶୁଣାଣି କରୁଥିବା ମାନ୍ୟବର ବିଚାରପତି ବି.ଏନ୍. ଅଗ୍ରୱାଲ ଏତେ କ୍ଷୁବ୍ଧ ହୁଅନ୍ତି ଯେ ସେ ଶାନ୍ତିଭୂଷଣଙ୍କୁ ତୁମେ ରାସ୍ତାକଡ଼ର ପିଲା ଭଳି ଯୁକ୍ତି କରୁଛ ବୋଲି କହିବାକୁ ସମ୍ବରଣ କରିପାରନ୍ତି ନାହିଁ ଓ ଏହି ମାମଲାର ଶୁଣାଣିରୁ ଓହରି ଯାଆନ୍ତି  । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ଘୋଟାଲାରେ ଜଣେ ବର୍ତ୍ତମାନର ସୁପ୍ରିମକୋର୍ଟ ବିଚାରପତି, ୭ ଜଣ ଆଲ୍ହାବାଦ ହାଇକୋର୍ଟର ବିଚାରପତି, ୬ ଜଣ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ଓ ୧୨ ଜଣ ଉତ୍ତରପ୍ରଦେଶର ଆଇନସେବା ଅନ୍ତର୍ଭୁକ୍ତ ବିଚାରପତିଙ୍କର ନାମ ଉଠୁଛି । (ଦ୍ରଷ୍ଟବ୍ୟ-The Economic Times, 08.08.2008) ।

୮.୮.୨୦୦୮ ଦିନ ସାଧାରଣ ମଣିଷର ପ୍ରଚଣ୍ଡ ବିରୋଧର ସମ୍ମୁଖୀନ ହେଉଥିବା ଦୁଇଟି ଶିଳ୍ପାନୁଷ୍ଠାନ ପୋସ୍କୋ ଓ ବେଦାନ୍ତକୁ ସୁପ୍ରିମକୋର୍ଟ (ମାନ୍ୟବର ମୁଖ୍ୟ ବିଚାରପତି କେ.ଜି. ବାଲକ୍ରିଷ୍ଣନ, ବିଚାରପତି ଏସ୍.ଏଚ୍. କପାଡ଼ିଆ ଓ ବିଚାରପତି ଅରଜିତ ପଶାୟତଙ୍କୁ ନେଇ ଗଠିତ ଖଣ୍ଡପୀଠ) ଅନୁମତି ଦିଅନ୍ତି ଜଙ୍ଗଲ ଜମିକୁ ଅକ୍ତିଆର କରିବାପାଇଁ  । ୩୧୩୩ ଏକର ପୋସ୍କୋକୁ ଓ ୧୬୫୧ ଏକର ବେଦାନ୍ତକୁ । ଏହି ରାୟର ପ୍ରତିକ୍ରିୟାରେ ପ୍ରଭାବିତ ଅଞ୍ଚଳର ଅଧିବାସୀମାନଙ୍କର ପ୍ରକଳ୍ପ ବିରୋଧୀ ମାନସିକତା ଆହୁରି ବୃଦ୍ଧିପାଇଛି ବୋଲି ସମ୍ବାଦପତ୍ରରୁ ସୂଚନା ମିଳୁଛି । (ଦ୍ରଷ୍ଟବ୍ୟ – ଧରିତ୍ରୀ, ୧୧.୮.୨୦୦୮) । ୮.୮.୨୦୦୮ ଦିନ ମାନ୍ୟବର ବିଚାରପତି ବି.ଏନ୍. ଅଗ୍ରୱାଲ ଓ ବିଚାରପତି ଜି.ଏସ୍. ସିଂଘୱୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଅଳସୁଆ-ବାବୁଙ୍କୁ ଚାବୁକ ଦରକାର ବୋଲି ମନ୍ତବ୍ୟ ଦିଅନ୍ତି (ଦ୍ରଷ୍ଟବ୍ୟ-ଞଷର ଝଗ୍ଧବଗ୍ଧରଗ୍ଦଜ୍ଞବଦ୍ଭ, ୯ଗ୍ଧଷ ଇଙ୍କଶଙ୍କଗ୍ଦଗ୍ଧ ୨୦୦୮) । ଏହିଭଳି ମନ୍ତବ୍ୟ ଓଡ଼ିଶାର ଅଧିବାସୀଙ୍କ ପାଇଁ ନୂଆ ନୁହେଁ ବୋଲି ବିଜୁବାବୁଙ୍କର ମାଡ଼ତତ୍ତ୍ୱକୁ ସ୍ମରଣ କରିପାରୁଥିବା ବ୍ୟକ୍ତିମାନେ କହନ୍ତି  ।
ତେବେ ସୁପ୍ରିମକୋର୍ଟରେ ପ୍ରକଟିତ ଏହି ରାୟଗୁଡ଼ିକୁ ଏକାଠି କରି ଯଦି କେହି ଆଶଙ୍କା କରେ ଯେ, ଜଙ୍ଗଲ ଜମିକୁ ପୋସ୍କୋ ଓ ବେଦାନ୍ତକୁ ହସ୍ତାନ୍ତରିତ କରିବାରେ ବିଳମ୍ବ କରୁଥିବା ସରକାରୀବାବୁଙ୍କୁ ଚାବୁକ ଲାଗିବ-ତା’ହେଲେ ଏଭଳି ଆଶଙ୍କାକୁ ଅମୂଳକ ବୋଲି କୁହାଯାଇ ପାରିବନାହିଁ  । କହିବା ବାହୁଲ୍ୟ ଯେ ଗୋଟିଏ ପଟେ ଏହି ଜଙ୍ଗଲ ଜମି ଉପରେ ନିଜର ଜୀବନ ଜୀବିକା ଓ ଆଧ୍ୟାତ୍ମିକ ପରିପୁଷ୍ଟି ପାଇଁ ପୁରୁଷାନୁକ୍ରମେ ଚଳି ଆସୁଥିବା ଏକ ବିରାଟ ଜନସମୁଦାୟର ପ୍ରତିରୋଧ ଓ ଅନ୍ୟପଟେ ସୁପ୍ରିମକୋର୍ଟର ନିର୍ଦ୍ଦେଶ ଅନୁସାରେ ଏହି ଜଙ୍ଗଲ ଜମିକୁ ଶିଳ୍ପାନୁଷ୍ଠାନକୁ ହସ୍ତାନ୍ତର, ମଝିରେ ପେଶି ହେବ ବାପୁଡ଼ା ସରକାରୀବାବୁ । ଭଗବାନ ଏ ଦେଶକୁ ରକ୍ଷା କରିପାରିବେ କି ନାହିଁ-ତାହା ତ ଭଗବାନଙ୍କ ପାଇଁ ଆହ୍ୱାନ । କିନ୍ତୁ ଯଦି ସାଧାରଣଲୋକଙ୍କ ଭିତରେ ଭଗବାନ ରୁହନ୍ତି ବୋଲି ପାରମ୍ପରିକ ବିଶ୍ୱାସକୁ ଆମେ ଆଧାର କରୁ, ତା’ହେଲେ ନିଶ୍ଚିତ ଭାବରେ ସାଧାରଣ ଲୋକର ସ୍ୱାର୍ଥର ବିରୋଧୀ ଶକ୍ତିମାନଙ୍କୁ ଭଗବାନ ରକ୍ଷା କରିବେନାହିଁ, ଏହା ନିଶ୍ଚିତ  ।

                                                                       ବାବୁଙ୍କୁ ଚାବୁକ୍

ବିଜୁବାବୁ ତାଙ୍କର ମୁଖ୍ୟମନ୍ତ୍ରୀତ୍ୱ କାଳରେ (୧୯୯୦-୯୫), ଅମଲାତନ୍ତ୍ରର ଜଡ଼ତା ଭାଙ୍ଗିବା ପାଇଁ ଜନସାଧାରଣଙ୍କୁ ମାଡ଼ତତ୍ତ୍ୱର ଶିକ୍ଷା ଦେଇଥିଲେ । ଏହା ଏକ ବିଡ଼ମ୍ବନା ଯେ ଏହାର ପ୍ରୟୋଗ ଉତ୍ତେଜିତ ସଚିବାଳୟ କର୍ମଚାରୀମାନେ ତାଙ୍କ ଉପରେ ମଧ୍ୟ କରିଦେଲେ । ଏବେ ସୁପ୍ରିମକୋର୍ଟ ଅଳସୁଆ ସରକାରୀ ବାବୁଙ୍କୁ ଚାବୁକ ଦରକାର ବୋଲି ମନ୍ତବ୍ୟ କରିଛି । କିନ୍ତୁ କିଏ ଚାବୁକ ଲଗାଇବ, ତାହା ବିଜୁବାବୁଙ୍କ ମାଡ଼ତତ୍ତ୍ୱ ଭିତରେ ଯେପରି ସ୍ପଷ୍ଟ ଥିଲା-ସେପରି ସ୍ପଷ୍ଟତା ସୁପ୍ରିମକୋର୍ଟର ମନ୍ତବ୍ୟରେ ନାହିଁ  । ତେବେ ଚାବୁକ ସାଧାରଣ ଲୋକେ ଧରନ୍ତୁ, ଏହା ସୁପ୍ରିମକୋର୍ଟ ନ କହିବା ସ୍ୱାଭାବିକ । କିନ୍ତୁ ଅଳସୁଆ ସରକାରୀ ବାବୁମାନଙ୍କୁ ଯଦି ତାଙ୍କର ଉପରିସ୍ଥ ବାବୁ ବା ରାଜନୈତିକ ମୁନିବମାନେ ସୁଧାରିବାରେ ବିଫଳ ହୁଅନ୍ତି-ତା’ହେଲେ ଜନସାଧାରଣ ଚାବୁକ ଧରିଲେ କୋର୍ଟର ନିର୍ଦ୍ଦେଶ ପାଳନ ହେଲା ବୋଲି କହିବା ଭୁଲ୍ ହେବ କି? ସରକାରୀ ବାବୁଙ୍କର ଅଳସୁଆମୀ ଭାଙ୍ଗିବା ପାଇଁ ମାନ୍ୟବର ସୁପ୍ରିମକୋର୍ଟ ଯେଉଁ ତତ୍ପରତାର ସହ ବାଟଟିଏ ଦେଖାଇଲେ-ସେହି ତତ୍ପରତାର ସହ କୌଣସି ବାଟ ଯଦି ନ୍ୟାୟାଳୟମାନଙ୍କରେ ପଡ଼ିରହିଥିବା ଲକ୍ଷ ଲକ୍ଷ ବିଚାରାଧୀନ କେସ୍ ଅଧିକାଂଶ ସରକାରୀ ବାବୁଙ୍କର ମନଇଚ୍ଛା ନିଷ୍ପତ୍ତି ବିରୋଧରେ ଶୀଘ୍ର ଫଇସଲା ପାଇଁ ଦେଖାଇପାରନ୍ତେ, ତା’ହେଲେ ନ୍ୟାୟ ପାଇବାରେ ବିଳମ୍ବଜନିତ କ୍ଷୋଭ ଅନେକ ପରିମାଣରେ ପ୍ରଶମିତ ହୋଇପାରନ୍ତା ଓ ଅଳସୁଆ ବାବୁମାନଙ୍କ ସହିତ ଉଦ୍ଧତ ଜନବିରୋଧୀ ବାବୁମାନେ ମଧ୍ୟ ଶିକ୍ଷା ପାଆନ୍ତେ ।

                                              ଅସହାୟତା ବ୍ୟାପୁଛି : ସହରତଳିରୁ ସୁପ୍ରିମକୋର୍ଟ ଯାଏଁ

ଜୀବନ-ଜୀବିକାକୁ ବିପନ୍ନ କରୁଥିବା ଶକ୍ତିଗୁଡ଼ିକ ସମ୍ମୁଖରେ ସାଧାରଣ ଲୋକର ଅସହାୟତା କିଛି ନୂଆ କଥା ନୁହେଁ-ବିଶେଷତଃ ବର୍ତ୍ତମାନର ଉଦାର ଅର୍ଥନୀତି ପର୍ଯ୍ୟାୟରେ-ଯେତେବେଳେ ଜମି, ଜଳ, ଜଙ୍ଗଲ, ଖଣି, ଖାଦାନ ସବୁକୁ ବଡ଼ ବଡ଼ କମ୍ପାନୀମାନଙ୍କ ହାତକୁ ଟେକିଦେବା ପାଇଁ ଲୋକଙ୍କ ନାଁରେ ତିଆରି ସମ୍ବିଧାନର ତିନୋଟି ସ୍ତମ୍ଭ କାର୍ଯ୍ୟପାଳିକା, ନ୍ୟାୟପାଳିକା ଓ ବ୍ୟବସ୍ଥାପିକା ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଚାଲିଛି । ଏହି ଅସହାୟତା ଗୋପାଳପୁର, କାଶୀପୁର, ଲାଞ୍ଜିଗଡ଼, କଳିଙ୍ଗନଗର, ନନ୍ଦିଗ୍ରାମ ଓ ସିଙ୍ଗୁର ଅଞ୍ଚଳରେ ଯେପରି ଦେଖାଦେଇଛି, ରାସ୍ତାକଡ଼ରେ ବସି ବିକୁଥିବା ଉଠାଦୋକାନୀ ବା ସହରତଳିରେ ବସ୍ତି କରି ରହୁଥିବା ଶ୍ରମିକ ମଧ୍ୟରେ ସେହିପରି ଦେଖାଦେଇଛି । କିନ୍ତୁ ଏହି ଅସହାୟତାବୋଧ ସର୍ବୋଚ୍ଚ ନ୍ୟାୟ୍ୟାଳୟ ସୁପ୍ରିମକୋର୍ଟକୁ ଗ୍ରାସ କରିବ-ତାହା ବାସ୍ତବିକ ଏକ ଅଶ୍ରୁତପୂର୍ବ ସମ୍ବାଦ । (ଦ୍ରଷ୍ଟବ୍ୟ-The Statesman, 6th August 2008) ପୁଣି ସର୍ବୋଚ୍ଚ ନ୍ୟାୟାଳୟର ଯେଉଁ ଖଣ୍ଡପୀଠ ନିଜକୁ ଅସହାୟ, (We are helpless)ବୋଲି ଘୋଷଣା କରୁଛନ୍ତି-ସେ ଖଣ୍ଡପୀଠରେ ଅଛନ୍ତି ଶକ୍ତିଶାଳୀ ଓ ବରିଷ୍ଠତାରେ ଦ୍ୱିତୀୟ ମାନ୍ୟବର ବିଚାରପତି ବି.ଏନ୍. ଅଗ୍ରୱାଲ, ଯିଏ ତାଙ୍କର ସହ ବିଚାରପତି (ଜି.ଏସ୍.ସଂଘୱୀ)ଙ୍କ ସହ କହିପାରନ୍ତି ଯେ, ଅଳସୁଆ ସରକାରୀବାବୁଙ୍କୁ ଚାବୁକ ଦରକାର (ଦ୍ରଷ୍ଟବ୍ୟ-The Statesman, 9th August 2008) ଶାନ୍ତିଭୂଷଣଙ୍କ ଭଳି ଜଣେ ବରିଷ୍ଠ ଅଧିବକ୍ତା, ପୂର୍ବତନ କେନ୍ଦ୍ର ଆଇନମନ୍ତ୍ରୀ ଓ ନ୍ୟାୟପାଳିକାରେ ହେଉଥିବା ଦୁର୍ନୀତି ବିରୋଧରେ ଯୁଦ୍ଧ ଘୋଷଣା କରିଥିବା ବର୍ଷୀୟାନ, ସମ୍ମାନସ୍ପଦ ନାଗରିକଙ୍କୁ କହିପାରନ୍ତି ରାସ୍ତାକଡ଼ର ପିଲାଙ୍କ ଭଳି ଯୁକ୍ତି କରୁଛ । (ଣକ୍ଟଙ୍କ ବକ୍ସର ବକ୍ସଶଙ୍କସଦ୍ଭଶ କ୍ଷସଳର ବ ଗ୍ଦଙ୍ଗରରଗ୍ଧ ଙ୍କକ୍ସମଷସଦ୍ଭ- ଦ୍ରଷ୍ଟବ୍ୟ – You are arguing like a sweet urchin- \ଦ୍ରଷ୍ଟବ୍ୟ- The Economic Times, 8th August 2008) । ଏହିଭଳି ଶକ୍ତିଶାଳୀ ବିଚାରପତି ଅସହାୟତାବୋଧରେ ଆକ୍ରାନ୍ତ ଏବଂ ଏପରି ଆକ୍ରାନ୍ତ ଯେ ଭଗବାନ ମଧ୍ୟ ଏଠି ଅସହାୟ ହେବେ ବୋଲି ସେ ଆମକୁ ସୂଚନା ଦେବାପାଇଁ ପଶ୍ଚାତ୍ପଦ ହୋଇନାହାନ୍ତି । ସାଧାରଣତଃ ମଣିଷ ଯେଉଁଠି ଅସହାୟ ହୋଇପଡ଼େ-ସେତେବେଳେ ସେ ଭଗବାନଙ୍କ ସାହାରା ପାଇଁ ପ୍ରାର୍ଥନା କରେ-ଏହି ବିଶ୍ୱାସରେ ଯେ ଭଗବାନ କୌଣସି ପରିସ୍ଥିତିରେ ଅସହାୟ ନୁହନ୍ତି  । କିନ୍ତୁ ମାନ୍ୟବର ବିଚାରପତି ବି.ଏନ୍. ଅଗ୍ରୱାଲ ଓ ଜି.ଏସ୍. ସଂଘୱୀଙ୍କର ରାୟ ଯେ ଭଗବାନ ମଧ୍ୟ ଏ ଦେଶକୁ ରକ୍ଷା କରିପାରିବେ ନାହିଁ-ଭଗବାନଙ୍କର ଅସହାୟତା ଉପରେ ସୁପ୍ରିମକୋର୍ଟର ମୋହର ବସାଇ ଦେଇଛି । ଯଦି ଏହାପରେ କେହି କୁହେ ଯେ, ଭଗବାନ ଏହି ଦେଶକୁ ରକ୍ଷା କରିପାରିବେ-ତା’ହେଲେ କୋର୍ଟ ଅବମାନନାରେ ଦୋଷୀ ହେବେନାହିଁ ତ?

                                                             ସନ୍ତ୍ରାସର ଶିକାର

ସନ୍ତ୍ରାସବାଦୀମାନେ ଏ ପର୍ଯ୍ୟନ୍ତ ଜନଗହଳି ବଜାର, ମେଳା, ରେଳଷ୍ଟେସନ ଇତ୍ୟାଦିରେ ବିସ୍ଫୋରଣ କରାଇ ସାଧାରଣ ମଧ୍ୟବିତ୍ତବର୍ଗ ଲୋକଙ୍କୁ ହିଁ ତାଙ୍କର ଶିକାର କରୁଥିଲେ । ୨୬ ନଭେମ୍ବର ୨୦୦୮ ରାତିରେ ମୁମ୍ବାଇ ସହରରେ ସନ୍ତ୍ରାସବାଦୀମାନେ ଯେଉଁ ଆତଙ୍କ ଆରମ୍ଭ କଲେ ଓ ମୁଖ୍ୟତଃ ୩ଟି ତାରକା ହୋଟେଲରେ ଯେଉଁଭଳି ସେମାନେ ନିଜର କାର୍ଯ୍ୟକୁ ସୀମିତ ରଖିଲେ-ସେଥିରୁ ମନେହୁଏ ଯେ ସେମାନେ ଏବେ ତାଙ୍କର ଶିକାରର ପରିଧି ଭିତରକୁ ଧନୀ ଲୋକମାନଙ୍କୁ ଆଣିଛନ୍ତି । ତାଜ୍ ହୋଟେଲ, ଓବରେଇ, ଟ୍ରାଇଡେଣ୍ଟ ବା ନରିମାନ ହାଉସ୍ରେ ଯେଉଁମାନେ ଆତଯାତ କରନ୍ତି, ସେମାନେ ସାଧାରଣ ସମାଜର ବେଶ ଧନୀବର୍ଗର ମଣିଷ ବା ବିଦେଶରୁ ଆସୁଥିବା ଟୁରିଷ୍ଟ । ଅନେକେ ଭାବୁଛନ୍ତି ଏହାଦ୍ୱାରା ସରକାର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବେ, ସାଧାରଣଲୋକେ ଶିକାର ହେଉଥିବାବେଳେ ଯେପରି ବିବୃତ୍ତି ଦେଇ ରହିଯାଉଥିଲେ, ସେପରି କରିବେ ନାହିଁ  । କୌଣସି ଗୋଟିଏ ଠୋସ ବ୍ୟବସ୍ଥା କରିବେ-କାରଣ ଏବେ ସମାଜର ଉଚ୍ଚବର୍ଗ, ଧନୀକ ଶ୍ରେଣୀ, ଯେଉଁମାନେ ମୁଖ୍ୟତଃ ଆମ ରାଷ୍ଟ୍ର ପରିଚାଳନାର ନିଷ୍ପତ୍ତିମାନଙ୍କୁ ନିୟନ୍ତ୍ରଣ କରୁଛନ୍ତି-ସେମାନେ ଆତଙ୍କର ଶିକାର ହୋଇଛନ୍ତି । ଯଦି ଆମର ନିଷ୍ପତ୍ତିକାର, ନୀତି ନିର୍ଦ୍ଧାରକମାନେ ସାଧାରଣ ମଣିଷ କିପରି ସୁରକ୍ଷିତ ରହିବ, ତା’ର ଜୀବନ-ଜୀବିକା କିପରି ସୁରକ୍ଷିତ ରହିବ- ସେହିଭଳି ଏକ ଦୃଷ୍ଟିକୋଣ ରଖି ନିଷ୍ପତ୍ତି ନିଅନ୍ତେ, ତା’ହେଲେ ବୋଧହୁଏ ଉଚ୍ଚଶ୍ରେଣୀର ବ୍ୟକ୍ତିମାନଙ୍କ ପାଇଁ ସୁରକ୍ଷା ଚିନ୍ତା କରିବାକୁ ପଡ଼ନ୍ତା ନାହିଁ  । ସେମାନେ ବଳେବଳେ ସୁରକ୍ଷିତ ରହନ୍ତେ । ମହାତ୍ମାଗାନ୍ଧୀ ସେଥିପାଇଁ ସବା ତଳଲୋକକୁ ଦୃଷ୍ଟିରେ ରଖି ନୀତି ପ୍ରଣୟନ ଉପରେ ଜୋର ଦେଇଥିଲେ । ବର୍ତ୍ତମାନ କ୍ଷେତ୍ରରେ ମଧ୍ୟ ଏହା ପ୍ରାସଙ୍ଗିକ । କିନ୍ତୁ ଦାବି ହେଉଛି ଏହି ତାରକା ହୋଟେଲମାନଙ୍କୁ ସୁରକ୍ଷା ଦେବାପାଇଁ । ଯଦି ବିଶେଷଜ୍ଞମାନଙ୍କର ବକ୍ତବ୍ୟକୁ ଗ୍ରହଣ କରାଯାଏ ଯେ ଜୀବନକୁ ପାଣିଛଡ଼ାଇ ନିଜର ଲକ୍ଷ୍ୟ ସ୍ଥିର କରି ଆସିଥିବା ସନ୍ତ୍ରାସବାଦୀକୁ କୌଣସି ସୁରକ୍ଷା ବଳୟ ଅଟକାଇପାରିବ ନାହିଁ-ତା’ହେଲେ ହୋଟେଲକୁ କେବଳ ସୁରକ୍ଷା ଯୋଗାଇଦେଲେ ଏହା ଭିତରେ ମଉଜ ମଜଲିସ କରୁଥିବା ଧନୀଲୋକେ ସୁରକ୍ଷିତ ରହିବେ-ଏପରି କହିହେବ ନାହିଁ  । ତେଣୁ ସନ୍ତ୍ରାସପାଇଁ ଏହିଭଳି ଦୃଢ଼ ପ୍ରତିଜ୍ଞ ମାନସିକତା କିପରି ସୃଷ୍ଟି ନ ହେବ, ତା’ର ପଥ ସନ୍ଧାନରେ ହିଁ ସନ୍ତ୍ରାସବାଦର ସମାଧାନ ନିହିତ । ତେଣୁ ସମସ୍ୟାର ମୂଳକୁ ଯିବାକୁ ହେବ । ଭୟ ଓ ଅନିଶ୍ଚିତତା ସୃଷ୍ଟି କରିବା ଯଦି ସନ୍ତ୍ରାସବାଦୀର ଲକ୍ଷ୍ୟ, ତା’ହେଲେ ଶକ୍ତିଶାଳୀ ରାଷ୍ଟ୍ରମାନେ ସେମାନଙ୍କର ଶକ୍ତି ପ୍ରଦର୍ଶନ କରି ଯେଉଁଠି ଭୟ ଓ ଅନିଶ୍ଚିତତା ସୃଷ୍ଟି କରୁଛନ୍ତି, ସେଠାରେ ଏହି ଶକ୍ତିଶାଳୀ ରାଷ୍ଟ୍ରମାନଙ୍କୁ ସନ୍ତ୍ରାସବାଦୀ ବୋଲି କାହିଁକି କୁହାନଯିବ! ସନ୍ତ୍ରାସବାଦର ନିରାକରଣ ଦିଗରେ ହୁଏତ ପ୍ରଥମ ପଦକ୍ଷେପ ହେବ ଶକ୍ତିଶାଳୀ ରାଷ୍ଟ୍ରଗୁଡ଼ିକ ସେମାନଙ୍କର ସନ୍ତ୍ରାସବାଦୀ ଭୂମିକାରୁ ନିବୃତ୍ତ ହେବା । ଯେଉଁମାନେ ସନ୍ତ୍ରାସବାଦର ବ୍ୟାପକତାରେ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ପାଇଁ ଏକ ବିରାଟ ବଜାରର ସମ୍ଭାବନା ଦେଖୁଛନ୍ତି-ସେମାନଙ୍କୁ ଠାବ କରିବା ଓ ଅସ୍ତ୍ରଶସ୍ତ୍ର ଯୋଗାଣର ପଥକୁ ରୁଦ୍ଧ କରିବା  । (ଏହି ପ୍ରସଙ୍ଗରେ ଆମେ ଭୁଲିବା ଉଚିତ ନୁହେଁ ଯେ, ଅସ୍ତ୍ରଶସ୍ତ୍ର କମ୍ପାନୀମାନଙ୍କର ପ୍ରଭାବ ରାଷ୍ଟ୍ରର ଅର୍ଥନୀତିରେ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି ।) ଏହି ସନ୍ଧାନରେ ସନ୍ତ୍ରାସବାଦର ସାମାଜିକ, ସାଂସ୍କୃତିକ, ଅର୍ଥନୈତିକ ଭିତ୍ତି ଓ ବର୍ତ୍ତମାନର ସ୍ଥିତିକୁ ବିଚାର କରିବାକୁ ହେବ । ବୋଧହୁଏ ଏକ ନିରପେକ୍ଷ ବିଚାରରେ ହିଁ ସନ୍ତ୍ରାସବାଦର ଏକ ସ୍ଥାୟୀ ସମାଧାନ ଆଶା କରାଯାଇପାରେ ।

                                                       ଆତଙ୍କବାଦୀମାନେ ପଶୁ !

ଏହା ଏକ ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ସୁପ୍ରିମକୋର୍ଟର ମାନ୍ୟବର ବିଚାରପତି ଅରିଜିତ ପଶାୟତ କହିଛନ୍ତି ବୋଲି ଗଣମାଧ୍ୟମରେ ପ୍ରସାରିତ ହୋଇଛି । (ଧରିତ୍ରୀ, ଜାନୁଆରୀ, ୨୮, ୨୦୦୯) ଓ ସେଥିପାଇଁ ‘ସେମାନଙ୍କୁ ମାନବାଧିକାରର ଫାଇଦା ଉଠାଇବାର ସୁଯୋଗ ଦିଆଯିବା ଉଚିତ ନୁହେଁ’ ବୋଲି କହିଛନ୍ତି  ।
ପଶୁର ଅଧିକାର ମାନବାଧିକାରର ପରିସୀମା ଭିତରେ ଯେ ଆସେନା-ଏହା ସହିତ ସମସ୍ତେ ଏକମତ ହେବେ । ପଶୁର ଅଧିକାର କେତେ କ’ଣ, ତାହା ଏ ସମ୍ପର୍କରେ ବିଶେଷ ଆଲୋଚନା କରୁଥିବା ସଂରକ୍ଷଣବାଦୀ ବିଶେଷଜ୍ଞମାନେ ବା ଶ୍ରୀମତୀ ମେନକା ଗାନ୍ଧୀ ହିଁ ଭଲଭାବରେ କହିପାରିବେ । ତେଣୁ ଆତଙ୍କବାଦୀଙ୍କୁ ପଶୁ ବୋଲି ଘୋଷଣା କରିଦେବା ପରେ ଆତଙ୍କବାଦୀଙ୍କର ଅଧିକାର ଏହି ସଂରକ୍ଷଣବାଦୀ ବିଶେଷଜ୍ଞଙ୍କ ଦାୟିତ୍ୱ ପରିସରକୁ ଆସିଯିବାର ଏକ ସମ୍ଭାବନା ସୃଷ୍ଟି ହୋଇଯାଉ ନାହିଁ ତ?
ଆତଙ୍କବାଦୀ ସନ୍ଦେହରେ ଗିରଫ ହେବା ଓ ଆତଙ୍କବାଦୀ ବୋଲି ସର୍ବଶେଷରେ ପ୍ରମାଣିତ ହେବା ଭିତରେ ଦୂରତା ବହୁତ । ପୁଲିସ ଗିରଫ କରେ ଆତଙ୍କବାଦୀ ବୋଲି ଅଭିହିତ କରି-କିନ୍ତୁ ବିଚାରାଳୟରେ ବିଚାର କରି ପୁଲିସର ଅଭିଯୋଗକୁ ଭିତ୍ତିହୀନ ବୋଲି ବିଚାରପତିମାନେ ସେମାନଙ୍କର ରାୟ ଦେବା ଅସମ୍ଭବ ନୁହେଁ । ଅଭିଜ୍ଞ ବିଚାରପତି ଜଷ୍ଟିସ ପଶାୟତ ଯେତେବେଳେ ‘ଆତଙ୍କବାଦୀମାନେ ପଶୁ’ ଏହିଭଳି ଏକ ଘୋଷଣା କରୁଛନ୍ତି, ସେ ନିଶ୍ଚିତ ଭାବେ ବିଚାର ପରେ ପ୍ରମାଣିତ ଆତଙ୍କବାଦୀମାନଙ୍କୁ ହିଁ ଏପରି କହୁଥିବେ । ତା’ ନ ହେଲେ ପୁଲିସର କାର୍ଯ୍ୟଧାରା ଓ ବିଚାରାଳୟର କାର୍ଯ୍ୟଧାରା ଭିତରେ ଯେ ପ୍ରଭେଦ ରହିଛି-ତାହା ସାବ୍ୟସ୍ତ ହେବନାହିଁ  ।
ଆତଙ୍କବାଦୀ କିଏ-ତା’ର ଏକ ପରିଭାଷା ମାନ୍ୟବର ବିଚାରପତି ପଶାୟତ ଦେଇଛନ୍ତି, ଯାହା ସମ୍ବାଦପତ୍ରରେ ପ୍ରକାଶ ପାଇଛି । ତାଙ୍କ ଅନୁସାରେ ‘ଆତଙ୍କବାଦୀ ହେଉଛନ୍ତି ସେହି ଲୋକ, ଯେଉଁମାନେ କି ଏ.କେ. ୪୭ ଓ ଏ.କେ. ୫୬ରେ ନିରୀହ ଲୋକଙ୍କୁ ହତ୍ୟା କରୁଛନ୍ତି’ ଓ ‘ନିରୀହ ଲୋକଙ୍କୁ ହତ୍ୟା କରୁଥିବା ଆତଙ୍କବାଦୀମାନେ ପଶୁ’ ଏହି ପରିଭାଷା ୨୬ ନଭେମ୍ବର ଦିନ ବିଳାସମୟ ତାଜ୍ ହୋଟେଲ ଭିତରେ ପଶିଥିବା ଓ ତାଙ୍କ ଭିତରୁ ଧରା ପଡ଼ିଯାଇଥିବା କସାବର ଟିଭି ପର୍ଦ୍ଦାରେ ବନ୍ଧୁକ ସହ ଦେଖାଯାଉଥିବା ଚିତ୍ରକୁ ହିଁ ପୁନର୍ଜୀବିତ କରୁଛି ଓ ଅତ୍ୟନ୍ତ ହାଲୁକା ପରିବେଶରେ ଉପଭୋଗ କରୁଥିବା ନିରସ୍ତ୍ର ବ୍ୟକ୍ତିମାନଙ୍କର ହତ୍ୟାକୁ ହିଁ ସ୍ମରଣ କରାଇଦେଉଛି ।
ଯଦି ଏକ ବ୍ୟାପକ ଅର୍ଥରେ ନିରୀହ ବ୍ୟକ୍ତିଙ୍କୁ ହତ୍ୟା କରୁଥିବା ବ୍ୟକ୍ତିକୁ ଆତଙ୍କବାଦୀ ବୋଲି କୁହାଯାଏ, ତା’ହେଲେ ଆମ ସମାଜର ସବୁଠାରୁ ନିରୀହ ଆଦିବାସୀମାନଙ୍କୁ ଯେଉଁମାନେ ତାଙ୍କର ଜୀବନ ଜୀବିକାରୁ ଉଚ୍ଛେଦ କରି ମୃତ୍ୟୁମୁଖକୁ ଠେଲିଦେଉଛନ୍ତି-ସେମାନଙ୍କୁ କ’ଣ କୁହାଯିବ? ଆତଙ୍କବାଦ ଦ୍ୱାରା ବିବ୍ରତ ବୁଦ୍ଧିଜୀବୀ/ବୌଦ୍ଧିକ ଗୋଷ୍ଠୀଠାରୁ ଏହାର ଉତ୍ତର ଅପେକ୍ଷା କରାଯାଇପାରେ ।

                                                                         ହେ ରାମ!

ଗାନ୍ଧୀ ବ୍ୟବହାର କରୁଥିବା ଚଷମା, ପକେଟ ଘଡ଼ି, ହଳେ ଚପଲ, ଥାଳି ଓ ତାଟିଆକୁ ଜେମସ୍ ଓଟିସ (James Otis) ନାମକ ଜଣେ ଆମେରିକୀୟ ସଂଗ୍ରାହକ (ସେ ମଧ୍ୟ ଜଣେ ଶାନ୍ତିକର୍ମୀ (Peace Activist) ଓ ବୃତ୍ତଚିତ୍ର ନିର୍ମାତା) ନିଲାମ କରିବେ ବୋଲି ଘୋଷଣା କରିବା ଫଳରେ ଭାରତରେ ଯେ ଏକ ହଲଚଲ ସୃଷ୍ଟିହେଲା-ତାହା ସମ୍ବାଦପତ୍ରରୁ ଜଣାପଡ଼େ । ଏହି ନିଲାମ କିପରି ନ ହୋଇପାରିବ-କେନ୍ଦ୍ର ସରକାର ସେଥିପାଇଁ ଅତ୍ୟନ୍ତ ବ୍ୟଗ୍ର ହୋଇଉଠିଲେ । କାରଣ କେନ୍ଦ୍ର ସରକାର ଅନୁଭବ କଲେ ଯେ ଏହିଭଳି ନିଲାମର ଅର୍ଥ ଗାନ୍ଧୀଙ୍କର ନିଜସ୍ୱ ବ୍ୟବହୃତ ଜିନିଷର ବେପାର, ଯାହା ଗାନ୍ଧୀଙ୍କର ନୀତି ପ୍ରତି ଅବମାନନା । ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ଅମ୍ବିକା ସୋନି ତ କହିଲେ, ‘ଏହି ସ୍ମାରକୀ ସାମଗ୍ରୀଗୁଡ଼ିକ ଯେପରି ନିଲାମ ଦ୍ୱାରା ହସ୍ତାନ୍ତରିତ ନ ହୁଏ-ତାହା ଦେଖିବା ପାଇଁ ମୋତେ ପ୍ରଧାନମନ୍ତ୍ରୀଙ୍କଠାରୁ ନିର୍ଦ୍ଦେଶ ମିଳିଛି । ଯଦି ଏହା ନ ହୋଇପାରେ-ତା’ହେଲେ ଶେଷରେ ଆମେ ହିଁ ଏହି ସାମଗ୍ରୀଗୁଡ଼ିକୁ ସଂଗ୍ରହ କରିବୁ । ଆମେ ଦେଖିବୁ ଯେପରି ଏହି ସାମଗ୍ରୀଗୁଡ଼ିକ ଗାନ୍ଧୀଙ୍କ ଦେଶକୁ ହିଁ ଫେରିବ । ଯଦି ଆବଶ୍ୟକ ପଡ଼େ ଆମେ ନିଲାମରେ ଅଂଶଗ୍ରହଣ କରିବୁ । (The Statesman, 6.3.2009, ‘PM wants Gandhis Belongings at any cost’) । ଏକଦା ବ୍ରିଟିଶ୍ ଶାସନକୁ ବ୍ରିଟିଶ ବିଶ୍ୱବିଦ୍ୟାଳୟରେ ଉଚ୍ଛ୍ୱସିତ ପ୍ରଶଂସା କରି ବିତର୍କିତ ହୋଇପଡ଼ିଥିବା ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କର ଗାନ୍ଧୀଙ୍କ ସାମଗ୍ରୀ ଭାରତକୁ ଫେରାଇଆଣିବା ପାଇଁ ଏପରି ନଛୋଡ଼ବନ୍ଧା ନିର୍ଦ୍ଦେଶ ବାସ୍ତବିକ ସ୍ୱାଗତଯୋଗ୍ୟ, ଯଦିଓ ଏହାକୁ କେହି କେହି ଏକ ପ୍ରାକ୍ ନିର୍ବାଚନ କୌଶଳ ବୋଲି କହିବା ଅସ୍ୱାଭାବିକ ନୁହେଁ । ପ୍ରଧାନମନ୍ତ୍ରୀଙ୍କର ଏପରି ନିର୍ଦ୍ଦେଶ ସତ୍ତେ୍ୱ ଅମ୍ବିକା ସୋନୀ ମହୋଦୟଙ୍କର ଦୃଢ଼ୋକ୍ତି ସତ୍ତେ୍ୱ-ଗାନ୍ଧୀ ସାମଗ୍ରୀଗୁଡ଼ିକର ନିଲାମ ହେଲା-ଯେଉଁଥିରେ ପ୍ରାୟଃ ୪୦ ଜଣ ସ୍ୱୀକୃତିପ୍ରାପ୍ତ ବ୍ୟକ୍ତି ଓ ସଙ୍ଗଠନ ଅଂଶଗ୍ରହଣ କରିଥିଲେ, ଯାହାଙ୍କ ଭିତରେ କିଛି ପ୍ରବାସୀ ଭାରତୀୟ ମଧ୍ୟ ଥିଲେ । ଏହି ପ୍ରବାସୀ ଭାରତୀୟଙ୍କ ଭିତରେ ଥିଲେ କାନାଡ଼ାର ନାଗରିକ ୭୨ ବର୍ଷ ବୟସ୍କ ଇଞ୍ଜିନିୟର ହିମାଦ୍ରୀ ଶେଖର ରାୟ, ଯିଏ ଦଶବର୍ଷ ବୟସରେ ମହାତ୍ମାଗାନ୍ଧୀଙ୍କୁ ତାଙ୍କର ଆସାମ ଗସ୍ତବେଳେ ଫୁଲମାଳ ପିନ୍ଧାଇଥିଲେ ବୋଲି ଦାବି କରନ୍ତି । ତେବେ ସର୍ବଶେଷରେ ଭାରତର ବିଶିଷ୍ଟ ମଦ ବେପାରୀ, ଶିଳ୍ପପତି ବିଜୟ ମାଲ୍ୟା ହିଁ ଗାନ୍ଧୀଙ୍କର ଏହି ସମାଗ୍ରୀଗୁଡ଼ିକୁ ୯ କୋଟି ୩୬ ଲକ୍ଷ ଟଙ୍କାରେ (ବା ୧୮ ଲକ୍ଷ ଆମେରିକୀୟ ଡଲାର) ନିଲାମ ଡାକି କିଣିଲେ । ଭାରତ ସରକାର ନିଲାମରେ ଅଂଶଗ୍ରହଣ ନ କରି ମଧ୍ୟ ଗାନ୍ଧୀଙ୍କ ସାମଗ୍ରୀ ଯେ ଭାରତକୁ ଫେରିବା ସମ୍ଭବ ହୋଇପାରିଲା, ତାହା ଅନେକଙ୍କୁ ଉଲ୍ଲସିତ କରିଛି-ଏହା ଯଦିଓ ଏକ ବିଡ଼ମ୍ବନା ଯେ ଜୀବନସାରା ମଦ ବିରୋଧରେ ଜନମତ ସୃଷ୍ଟି କରିଥିବା ଗାନ୍ଧୀଙ୍କର ସାମଗ୍ରୀ ଭାରତକୁ ଫେରୁଛି ମଦ ବେପାରୀଙ୍କର ସୌଜନ୍ୟରୁ  । ଗାନ୍ଧୀ ବଞ୍ôଚଥିଲେ ଏହାକୁ ବିରୋଧ କରିଥାନ୍ତେ-ଏହା ଗାନ୍ଧୀ ଦୃଢ଼ତା ସହ ପରିଚିତ ଯେ କେହି କହିବ ।
ଏଭଳି ବିଡ଼ମ୍ବନାରୁ ଭାରତ ସରକାର ଗାନ୍ଧୀ ସାମଗ୍ରୀକୁ ରକ୍ଷା କରିପାରିଥାନ୍ତେ, ଯଦି ସଂଗ୍ରାହକ ଜେମସ୍ ଓଟିସ୍ଙ୍କର ସର୍ତ୍ତକୁ ମାନିଯାଇଥାନ୍ତେ । ଜେମସ୍ ଓଟିସ୍ଙ୍କର ସର୍ତ୍ତ ଥିଲା ଯେ ଯଦି ଭାରତ ସରକାର ଗରିବଙ୍କ ଉପରେ ଖର୍ଚ୍ଚକୁ ମୋଟ ଘରୋଇ ଉତ୍ପାଦନ (GDP)ର ଶତକଡ଼ା ୧ ଭାଗରୁ ଶତକଡ଼ା ୫ ଭାଗକୁ ବୃଦ୍ଧି କରିବାର ପ୍ରତିଶ୍ରୁତି ଦିଅନ୍ତି ଓ ୭୮ଟି ରାଷ୍ଟ୍ରରେ ଗାନ୍ଧୀଙ୍କର ଅହିଂସାର ବାର୍ତ୍ତାର ପ୍ରଚାର ପ୍ରସାରକୁ ପ୍ରାୟୋଜିତ କରିବେ ବୋଲି ପ୍ରତିଶ୍ରୁତି ଦିଅନ୍ତି, ତା’ହେଲେ ସେ ଗାନ୍ଧୀ ସାମଗ୍ରୀକୁ ନିଲାମ କରିବାରୁ ନିବୃତ୍ତ ହେବେ । ଓଟିସ୍ଙ୍କର ଏତାଦୃଶ ଗାନ୍ଧୀ ଦର୍ଶନ ସହ ସୁସଙ୍ଗତ ସର୍ତ୍ତକୁ କେନ୍ଦ୍ର ସରକାର ରାଷ୍ଟ୍ର ସାର୍ବଭୌମତ୍ୱ ଉପରେ ହସ୍ତକ୍ଷେପ ବୋଲି ବିଚାର କଲେ ଓ ଓଟିସ୍ଙ୍କର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ । ଯଦି ଏହି ସର୍ତ୍ତ ଭାରତ ସରକାର ମାନିଥାନ୍ତେ-ତା’ହେଲେ ଗାନ୍ଧୀ ସାମଗ୍ରୀର ନିଲାମ ଡକା ବନ୍ଦ ହୋଇଥାନ୍ତା । ବିଜୟ ମାଲ୍ୟାଙ୍କ ସୌଜନ୍ୟରୁ ଗାନ୍ଧୀ ସାମଗ୍ରୀ ଭାରତକୁ ଫେରିବା ଘଟଣାକୁ ଏକ ଦୁର୍ଗନ୍ଧମୟ ଗଳି ପଥର ଯାତ୍ରା ସହ ତୁଳନା କରିବାର ଅବସର ସୃଷ୍ଟି ହୁଅନ୍ତା ନାହିଁ  ।
ଯାହା ଆହୁରି ଦୁର୍ଭାଗ୍ୟଜନକ ତାହା ହେଉଛି-ମନ୍ତ୍ରୀ ମହୋଦୟଙ୍କର ବକ୍ତବ୍ୟ ଯେ ଭାରତ ସରକାରଙ୍କର ଅନୁରୋଧ ରକ୍ଷାକରି ବିଜୟ ମାଲ୍ୟା ଏହି ନିଲାମରେ ଅଂଶଗ୍ରହଣ କଲେ ଓ ଗାନ୍ଧୀ ସାମଗ୍ରୀର ନିଲାମ ଧରିଲେ । ଅବଶ୍ୟ ଏହାକୁ ଖଣ୍ଡନ କରିଛନ୍ତି ସ୍ୱୟଂ ବିଜୟ ମାଲ୍ୟା । ଏପରି କୌଣସି ଅନୁରୋଧ ଭାରତ ସରକାର କରିନାହାନ୍ତି ବୋଲି ସେ କହିଛନ୍ତି ଓ ଗାନ୍ଧୀଙ୍କ ସାମଗ୍ରୀ ଦେଶକୁ ଉପହାର ଦେଲି ବୋଲି ଏକ ସ୍ପର୍ଦ୍ଧିତ ଘୋଷଣା କରିଛନ୍ତି । (ଧରିତ୍ରୀ, ମାର୍ଚ୍ଚ୭, ୨୦୦୯) ।
ପ୍ରଥମେ ନିଲାମ ଡାକି ଗାନ୍ଧୀ ସାମଗ୍ରୀର ବେପାର, ଏହି ନିଲାମ ଡାକରେ ଏକ ଭାରତୀୟ ମଦ ବ୍ୟବସାୟୀ ଗାନ୍ଧୀ ସାମଗ୍ରୀକୁ କିଣିପାରିବାର ଦୁର୍ଘଟଣା ଓ ପରିଶେଷରେ ଭାରତ ସରକାର ଓ ମଦ ବ୍ୟବସାୟୀଙ୍କ ଦ୍ୱାରା ପରସ୍ପର ବିରୋଧୀ ବକ୍ତବ୍ୟ-ଗାନ୍ଧୀଙ୍କର ସରଳ ଜୀବନଯାପନ ଶୈଳୀକୁ ପ୍ରତିଫଳିତ କରୁଥିବା ଏହି ସାମଗ୍ରୀଗୁଡ଼ିକୁ ଏକ ଅତ୍ୟନ୍ତ ଜଟିଳ ପରିବେଶ ଭିତରକୁ ନେଇଯାଇଛି । ଗାନ୍ଧୀ ବିଚାର ସହ ସୁସଙ୍ଗତ ସର୍ତ୍ତକୁ ପ୍ରତ୍ୟାଖ୍ୟାନ କରିବା ଅଥଚ ଗାନ୍ଧୀ ବ୍ୟବହୃତ ସାମଗ୍ରୀକୁ ଭାରତ ଭୂଇଁକୁ ଆଣିବାପାଇଁ ବ୍ୟାକୁଳତା ଦେଖାଇବା-ଭାରତ ସରକାରଙ୍କର ଗାନ୍ଧୀଙ୍କ ପ୍ରତି ଫମ୍ପା ଅନୁରକ୍ତିକୁ ସୂଚିତ କରୁନାହିଁ କି ?

                                                                  ବିଟି-ଟଣ୍ଡନ୍-ରାଠୋର୍

ବିଟି-ପୂରା ନାଁ ହେଉଛି ବିତିହୋତ୍ର ମହାନ୍ତି । ପିତା ବିଦ୍ୟାଭୂଷଣ ମହାନ୍ତି-ଓଡ଼ିଶା ସରକାରଙ୍କ ଅଧୀନରେ ଡି.ଜି ପାହ୍ୟା ଆଇ.ପି.ଏସ୍ ଅଫିସର ।
ଟଣ୍ଡନ-ପୂରା ନାଁ ହେଉଛି ମଧୁକର ଟଣ୍ଡନ-ରାଜସ୍ଥାନ ସରକାର ଅଧୀନସ୍ଥ ନିଖୋଜ ବରିଷ୍ଠ ଆଇ.ପି.ଏସ୍ ଅଫିସର ।
ରାଠୋର-ଏସ୍.ପି ଏସ୍. ରାଠୋର୍-ହରିଆନା ସରକାର ଅଧୀନସ୍ଥ ଅବସରପ୍ରାପ୍ତ ଡି.ଜି ।
ରାଠୋରଙ୍କ ବିରୋଧରେ ଅଭିଯୋଗ ଯେ ସେ ଆଇ.ଜି ଥିବାବେଳେ ୧୪ ବର୍ଷ ବୟସ୍କା ନାବାଳିକା ରୁଚିକା ଗିରିହୋତ୍ରଙ୍କୁ ୧୨ ଅଗଷ୍ଟ ୧୯୯୦ ମସିହାରେ ଅସଦାଚରଣ/ଧର୍ଷଣ କରିଥିଲେ । ରାଠୋର ତାଙ୍କର ପଦର ଅପବ୍ୟବହାର କରି ରୁଚିକାଙ୍କ ପରିବାରକୁ ଏପରି ହଇରାଣ ହରକତ କଲେ ଯେ ରୁଚିକା ଗିରିହୋତ୍ର ୧୯୯୩ ମସିହାରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ ।
ଟଣ୍ଡନଙ୍କ ବିରୋଧରେ ଅଭିଯୋଗ ଯେ ସେ ରାଜସ୍ଥାନ ସରକାରଙ୍କ ଅଧୀନରେ ଡି.ଆଇ.ଜି ଥିବାବେଳେ ୨୧ ଜାନୁଆରୀ ୧୯୯୭ ମସିହାରେ ତାଙ୍କର ଅଧୀନରେ କାର୍ଯ୍ୟ କରୁଥିବା ଏକ କନଷ୍ଟେବଳର ପତ୍ନୀକୁ ଧର୍ଷଣ କରିଥିଲେ ।
ବିଟିଙ୍କ ବିରୋଧରେ ଅଭିଯୋଗ ଯେ ସେ ଦିଲ୍ଲୀରେ ଛାତ୍ର ଥିବାବେଳେ ରାଜସ୍ଥାନର ଅଲୱାର ସ୍ଥିିତ ଏକ ହୋଟେଲରେ ତାଙ୍କର ଜଣେ ସମବୟସ୍କା ଜର୍ମାନ ଯୁବତୀଙ୍କୁ ବଳାକ୍ରାର କରିଥିଲେ ୨୧ ମାର୍ଚ୍ଚ ୨୦୦୬ ମସିହାରେ ।
ଏହି ତିନୋଟି ଧର୍ଷଣ ମାମଲାରେ ବିଚାରର ବେଗ ବେଶ୍ ଚକ୍ଷୁ ଉନ୍ମେଷକାରୀ । ୨୫ ବର୍ଷ ବୟସ୍କ ଯୁବକ ବିଟିଙ୍କୁ ଘଟଣା ଘଟିବାର ମାତ୍ର ୨୩ ଦିନ ଭିତରେ ଅର୍ଥାତ୍ ୧୨ ଏପ୍ରିଲ ୨୦୦୬ ଦିନ ରାଜସ୍ଥାନରେ ଜୟପୁରସ୍ଥିତ ଫାଷ୍ଟଟ୍ରାକ୍ କୋର୍ଟ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରେ ।
ଟଣ୍ଡନଙ୍କୁ ତ ଏଯାବତ୍ ପୋଲିସ ଗିରଫ କରିବାରେ ସମର୍ଥ ହେଲା ନାହିଁ-ଦଣ୍ଡ ଦେବା ତ’ ଦୂରର କଥା-ଇତ୍ୟବସରରେ ଯଦିଓ ୧୩ ବର୍ଷ ବିତିଗଲାଣି ।
ରାଠୋର ଘଟଣା ଘଟିବାର ଦୀର୍ଘ ୧୯ ବର୍ଷ ପରେ ଅର୍ଥାତ୍ ୨୧ ଡିସେମ୍ବର ୨୦୦୯ ଦିନ କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ବହୁ ଶକ୍ତିଶାଳୀ ସିବିଆଇ କୋର୍ଟ ଦ୍ୱାରା ମାତ୍ର ୬ ମାସ କାରାଦଣ୍ଡ ଓ ୧୦୦୦ଟଙ୍କା ଜୋରିମାନାରେ ଦଣ୍ଡିତ ହୁଅନ୍ତି ଓ ତତ୍କ୍ଷଣାତ୍ ଜାମିନରେ ମୁକୁଳି ଯାଆନ୍ତି ।
ଏହା ତ’ ଭିନ୍ନ କଥା ଯେ ଗଣମାଧ୍ୟମ ରାଠୋରଙ୍କର ଅପରାଧ ତୁଳନାରେ ହାଲୁକା ଦଣ୍ଡ ବିରୋଧରେ ସ୍ୱର ଉତ୍ତୋଳନକୁ ତୀବ୍ର କରେ ଓ ସରକାର ପୁନର୍ବାର ଏହି ମାମଲାକୁ ବିଚାର କରିବା ପାଇଁ ନିଷ୍ପତ୍ତ ନିଅନ୍ତି ଓ ରାଠୋର ଗିରଫ ଭୟରେ ଆଗୁଆ ଜାମିନ ପାଇଁ କୋର୍ଟ ପରେ କୋର୍ଟ ଦ୍ୱାରସ୍ଥ ହୁଅନ୍ତି ।
ରାଠୋର ପ୍ରସଙ୍ଗ ଜୋର ଧରିବାବେଳେ ଟଣ୍ଡନକୁ ଗିିରଫ କରିବା ପାଇଁ ଦାବୀରେ ରାଜସ୍ଥାନ ମୁଖରିତ ହୁଏ । ଟଣ୍ଡନକୁ ଧରିବା ପାଇଁ ୧୩ ବର୍ଷ ଧରି ବିଫଳ ହୋଇଥିବା ରାଜସ୍ଥାନ ସରକାର କିନ୍ତୁ ଏହି ଅବସରରେ ଘୋଷଣା କରିଦିଏ ପାରୋଲରେ ଯାଇ ଉଭାନ ହୋଇଯାଇଥିବା ବିଟିହୋତ୍ରଙ୍କ ସନ୍ଧାନ ପାଇଁ ଏକ ବିଶେଷ ସନ୍ଧାନୀ ଦଳର ଗଠନ । କେହି କେହି ଏହାକୁ ଯଦି ଟଣ୍ଡନଙ୍କ ଉପରୁ ଦୃଷ୍ଟିକୁ ବିଚ୍ୟୁତ କରିବାର ଏକ ଚାଲ୍ ବୋଲି ଭାବୁଛନ୍ତି-ତା’ହେଲେ ଏହାକୁ ସମ୍ପୂର୍ଣ୍ଣ ଭିତ୍ତହୀନ ବୋଲି କୁହାଯାଇପାରିବ ନାହିଁ ।

                                                                          ଏବେ ଜେଲ୍

ଭାରତ ସରକାରଙ୍କର ବାୟୋ-ଟେକ୍ନୋଲୋଜି ବିଭାଗ ଏକ ଚିଠା ବିଧେୟକ ପ୍ରସ୍ତୁତ କରିଛନ୍ତି ଯାହାର ଶିରୋନାମା ହେଉଛିBiotechnology Regulatory Authority Bill (BARB) of 2009. ସଂସଦର ଚଳିତ ଅଧିବେଶନରେ ଏହି ବିଲ୍କୁ ଉପସ୍ଥାପିତ କରାଯିବ ବୋଲି ଜଣାପଡ଼ୁଛି । ଏହା ଯଦି ଗୃହୀତ ହୋଇ ଆଇନରେ ପରିଣତ ହୋଇଯାଏ; ତା’ହେଲେ ଜିଏମ୍ ଶସ୍ୟ, ଫଳ, ପରିବା ଆଦିକୁ ବିରୋଧ ବେଆଇନ ହୋଇଯିବ । ଏହାକୁ ଉଲ୍ଲଂଘନ କଲେ ୬ ମାସରୁ ବର୍ଷେ ପର୍ଯ୍ୟନ୍ତ କାରାଦଣ୍ଡ ଓ ୨ ଲକ୍ଷ ଟଙ୍କା ଜୋରିମାନା ଦେବ । (ଦ୍ରଷ୍ଟବ୍ୟ- New Indian Express, 22Feb, 2010 ‘Criticising GM crops may land you in Jail’) । ଅବଶ୍ୟ ‘ବିରୋଧ’ ପୂର୍ବରୁ ବ୍ୟବହାର କରାଯାଇଛି ଏକ ବିଶ୍ଳେଷଣାତ୍ମକ ପଦ । ‘ବୈଜ୍ଞାନିକ ପ୍ରମାଣ ବିନା’ (Without scientific evidence) । କିନ୍ତୁ ଜିଏମ୍ ଶସ୍ୟକୁ ସରକାରୀ ସ୍ୱୀକୃତି ପଛରେ ଗବେଷଣା ଓ ବୈଜ୍ଞାନିକ ପ୍ରମାଣ ସୂଚନା ଅଧିକାର ଆଇନର ପରିସୀମା ବାହାରେ ରହିବ ବୋଲି ଚିଠା ବିଧେୟକରେ ଉଲ୍ଲେଖ କରାଯାଇଛି । (The Bill keeps the Information related to the research, approval and science of GM products out of the purview of the Right to Information Act) କେବଳ ଏତିକି ନୁହେଁ, ବାୟୋଟେକ୍ନୋଲୋଜି ବିଭାଗର ବିଶେଷଜ୍ଞମାନେ ଜିଏମ୍ ପ୍ରଯୁକ୍ତିବିଦ୍ୟା (GM technology)ଉପରେ ରାଜ୍ୟ ସରକାରଙ୍କର ଯେକୌଣସି ନିଷ୍ପତ୍ତିକୁ ଖାରଜ କରିଦେଇପାରିବେ ବୋଲି ଏହି ଚିଠା ବିଧେୟକରେ ବ୍ୟବସ୍ଥା କରାଯାଇଛି ।
ବିଜ୍ଞାନସମ୍ମତ ବିରୋଧ ପାଇଁ ସରକାରୀ ସ୍ୱୀକୃତି ପଛରେ ଥିବା ବୈଜ୍ଞାନିକ ଭିତ୍ତକୁ ଜାଣିବା ଯେ ନିହାତି ଆବଶ୍ୟକ, ଏହା କହିବା ବାହୁଲ୍ୟ ମାତ୍ର । ଗୋଟିଏ ପଟେ ସରକାର ଜଣାଇବେ ନାହିଁ ତାଙ୍କ ସ୍ୱୀକୃତି ପଛରେ ବୈଜ୍ଞାନିକ ଭିତ୍ତି-ଅପର ପକ୍ଷରେ ବିରୋଧକୁ ଅବୈଜ୍ଞାନିକ କହିପାରିବାର ଅଧିକାର ରହିବ ବାୟୋଟେକ୍ନୋଲୋଜି ବିଭାଗର ବିଶେଷଜ୍ଞଙ୍କ ହାତରେ । ଯାହାର ଏକମାତ୍ର ପରିଣତି ହେଉଛି ଜିଏମ୍ ପ୍ରଯୁକ୍ତି ବିଦ୍ୟାକୁ ପ୍ରଶ୍ନ କରୁଥିବା ବ୍ୟକ୍ତିକୁ କାରାଦଣ୍ଡ । ଜିଏମ୍ ପ୍ରଯୁକ୍ତି ବିଦ୍ୟା ବେପାରରେ ଥିବା କମ୍ପାନୀମାନଙ୍କର ସରକାରଙ୍କ ଉପରେ ପ୍ରଭାବର ଏହା ଏକ ନଗ୍ନ ଦୃଷ୍ଟାନ୍ତ । ବିଶେଷତଃ ଯେତେବେଳେ ସରକାରଙ୍କର ପରିବେଶ ମନ୍ତ୍ରୀ ଜୟରାମ ରମେଶ ନିକଟ ଅତୀତରେ ବିଟି ବାଇଗଣର ଉତ୍ପାଦନ ଉପରେ ଜାରି କରିଛନ୍ତି ପ୍ରତିବନ୍ଧକ ।
ଏହିଭଳି ଏକ ବିଧେୟକ ସମ୍ବିଧାନର ଧାରା ୧୯ରେ ଭାରତୀୟ ନାଗରିକଙ୍କୁ ଦିଆଯାଇଥିବା ମତ ରଖିବାର ମୌଳିକ ଅଧିକାରକୁ କେତେଦୂର ବିଦ୍ରୁପ କରୁଛି, ତାହାର ଆଲୋଚନା ହେବା ଉଚିତ । କିନ୍ତୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ କମ୍ପାନୀମାନଙ୍କ ବେପାରକୁ ପ୍ରଶ୍ନ କରୁଥିବା ବ୍ୟକ୍ତିମାନଙ୍କ ପାଇଁ, ସାଧାରଣ ଜନତା ପାଇଁ ଏକ କଠିନ ସମୟ ଆସୁଛି । ଏକ ଏପରି ବ୍ୟବସ୍ଥା ଆମକୁ କବଳିତ କରିବାକୁ ବସିଛି ଯାହା କମ୍ପାନୀମାନଙ୍କର, କମ୍ପାନୀମାନଙ୍କ ଦ୍ୱାରା ଓ କମ୍ପାନୀମାନଙ୍କ ପାଇଁ । ଯେଉଁମାନେ ଭାବୁଛନ୍ତି ଯେ ଆମର ପ୍ରଚଳିତ ବ୍ୟବସ୍ଥା ଲୋକଙ୍କର, ଲୋକଙ୍କ ଦ୍ୱାରା ଓ ଲୋକଙ୍କ ପାଇଁ-ସେମାନେ ଯଥାଶୀଘ୍ର ଏହି ଭ୍ରାନ୍ତିରୁ ମୁକ୍ତ ହେବା ଦରକାର ।

                                                       ମାଓବାଦୀଙ୍କୁ ସମର୍ଥନ କଲେ ଦଣ୍ଡ

ଏହି ଶିରୋନାମାରେ ପ୍ରକାଶିତ ଏକ ସମ୍ବାଦ (ଦ୍ରଷ୍ଟବ୍ୟ-ଧରିତ୍ରୀ, ମେ ୯, ୨୦୧୦)ରେ କୁହାଯାଇଛି, ‘ମାଓବାଦୀ ସଙ୍ଗଠନକୁ ସମର୍ଥନ କରୁଥିବା ବୁଦ୍ଧିଜୀବୀ ଓ ନେତାମାନଙ୍କୁ କେନ୍ଦ୍ର ସରକାର କଡ଼ା ଚେତାବନୀ ଦେଇଛନ୍ତି । ଏଣିକି ସନ୍ତ୍ରାସବାଦ କାର୍ଯ୍ୟକଳାପରେ ନିୟୋଜିତ ସଙ୍ଗଠନଗୁଡ଼ିକୁ ସମର୍ଥନ କରି ଏବଂ ସେମାନଙ୍କ ଆଦର୍ଶକୁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତି ଓ ସଙ୍ଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।’ ଏହି ସମର୍ଥନକୁ ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନ ୧୯୬୭ର ଧାରା ୩୯ ଅନୁସାରେ ଏକ ଅପରାଧ ବୋଲି ଅଭିହିତ କରାଯାଇଛି । ଏହି ଅପରାଧ ପାଇଁ ୧୦ ବର୍ଷ ଜେଲ୍ ତଥା ଜୋରିମାନାରେ ଅପରାଧୀଙ୍କୁ ଦଣ୍ଡିତ କରାଯିବ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଏକ ପ୍ରେସ୍ ଇସ୍ତାହାରରେ ଉଲ୍ଲେଖ କରାଯାଇଛି । ସିପିଆଇ (ମାଓବାଦୀ) ଓ ଏହାର ଛାମୁଆ ସଙ୍ଗଠନଗୁଡ଼ିକୁ ସନ୍ତ୍ରାସବାଦୀ ସଙ୍ଗଠନ ଭାବେ ଚିହ୍ନିତ କରାଯାଇଛି । ଭାରତୀୟ ଗଣତନ୍ତ୍ରରେ ଏମାନଙ୍କର ସ୍ଥାନ ନାହିଁ ବୋଲି ଘୋଷଣା କରାଯାଇଛି ।
ଏହା ତେଣୁ ଏକ ବିଡ଼ମ୍ବନା ଯେ ବିଜେପିର ବରିଷ୍ଠ ସାଂସଦ ଅରୁଣ ଜେଟ୍ଲୀଙ୍କ ଦୃଷ୍ଟିରେ କଂଗ୍ରେସର ବରିଷ୍ଠ ନେତା ମଣିଶଙ୍କର ଆୟାର ହେଉଛନ୍ତି ଅଧା ମାଓବାଦୀ (Half Maoist), ଯାହାର ଉତ୍ତରରେ ଅବଶ୍ୟ ନଛୋଡ଼ବନ୍ଧା ମଣିଶଙ୍କର ଜେଟ୍ଲୀଙ୍କୁ ସମ୍ପୂର୍ଣ୍ଣ ଫାସିଷ୍ଟ (full fasist) ବୋଲି କହିଛନ୍ତି । (ଦ୍ରଷ୍ଟବ୍ୟ- The Statesman, May 11, 2010e iµû\Kúd, When MPs let their hair down) ଏହା ଭିନ୍ନ କଥା ଯେ ସ୍ୱତଃସ୍ଫୂର୍ତ୍ତ ଭାବେ ପରସ୍ପର ପ୍ରତି କରିଥିବା ଏହିଭଳି ମନ୍ତବ୍ୟ ପାଇଁ ସେମାନେ ପରବର୍ତ୍ତୀ ସମୟରେ ଦୁଃଖପ୍ରକାଶ କରିଛନ୍ତି ।

                                                   ବିସ୍ଥାପନକୁ ସମସ୍ତଙ୍କର ବିରୋଧ

ଓଡ଼ିଶା ହାଇକୋର୍ଟରେ ଇତ୍ୟବସରରେ ଓକିଲମାନେ ଆନ୍ଦୋଳନ କରିଛନ୍ତି ବିଚାରପତିଙ୍କର ବଦଳି ବିରୋଧରେ । ସେମାନଙ୍କର ଯୁକ୍ତିହେଉଛି ଯେ ତାଙ୍କର ବାର୍ ଆସୋସିଏସନ୍ ଚାହେଁନା ଯେ ତାଙ୍କ ହାଇକୋର୍ଟରୁ କୌଣସି ବିଚାରପତି ଯାଆନ୍ତୁ ବା ବାହାରୁ କେହି ଆସନ୍ତୁ, କେବଳ ମୁଖ୍ୟ ବିଚାରପତିଙ୍କ ବ୍ୟତୀତ । ଆନ୍ଦୋଳନର ଡାକରା ଦିଆହୋଇଥିଲା ଏହି ଖବର ଶୁଣି ଯେ, ଓଡ଼ିଶା ହାଇକୋର୍ଟରୁ କେତେକ ବିଚାରପତିଙ୍କର ବଦଳି ହେଉଛି । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ମାନ୍ୟବର ଏସ୍.ଏଚ୍ କପାଡ଼ିଆ ଜନସ୍ୱାର୍ଥ ଦୃଷ୍ଟିରୁ ୨୦ ଜଣ ବିଭିନ୍ନ ହାଇକୋର୍ଟର ବିଚାରପତିଙ୍କର ବଦଳି ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି । ଏହି ୨୦ ଜଣଙ୍କ ଭିତରେ ଓଡ଼ିଶା ହାଇକୋର୍ଟର ମଧ୍ୟ କେତେକ ବିଚାରପତି ଅଛନ୍ତି । ଏମାନଙ୍କର ସଂଖ୍ୟା କେତେ ସ୍ପଷ୍ଟ ହୋଇନାହିଁ  । ମାନ୍ୟବର ବିଚାରପତି କାପାଡ଼ିଆ ଏହା କହିଛନ୍ତି ବିଚାର ବ୍ୟବସ୍ଥାକୁ ଦୁର୍ନୀତିମୁକ୍ତ କରିବାପାଇଁ । ଯେଉଁମାନେ ବଦଳିବେ ସେମାନଙ୍କର ବିଚାରପତି ଭାବେ ଭୂମିକା ଯେ ମାନ୍ୟବର ମୁଖ୍ୟ ବିଚାରପତିଙ୍କ ଦୃଷ୍ଟିରେ ବିଚାର ବ୍ୟବସ୍ଥା ପ୍ରତି ଅନୁକୂଳ ନୁହେଁ, ତାହା ସ୍ପଷ୍ଟ । କିନ୍ତୁ ଏହାକୁ ବିରୋଧ, ଅନ୍ୟ କୌଣସି ହାଇକୋର୍ଟରେ ଏହାର ଖବର ଏଯାବତ୍ ଆମ ପାଖରେ ନାହିଁ ଯେପରି କି ଓଡ଼ିଶାରେ ହୋଇଛି । ଏଥିରୁ ବୁଝାପଡ଼ୁଛି ଯେ ଓଡ଼ିଶାର ହାଇକୋର୍ଟ ଓକିଲମାନେ ବିସ୍ଥାପନର ବେଦନା ବୁଝିଛନ୍ତି-ଏହା ସାମୟିକ ବଦଳିଜନିତ ହେଉ ପଛେ, କିନ୍ତୁ ଏହା କେବଳ ବିଚାରପତିମାନଙ୍କ ବଦଳିରେ ସୀମିତ ନରହି ଯଦି ଆଦିବାସୀ-ସାଧାରଣ ଲୋକଙ୍କର ବିସ୍ଥାପନକୁ ବ୍ୟାପି ଯାଆନ୍ତା-ତା’ହେଲେ ଏକ ନୂତନ ଇତିହାସ ସୃଷ୍ଟି ହୁଅନ୍ତା  । ବିଚାରପତିମାନେ ମଧ୍ୟ ବିସ୍ଥାପିତ ସାଧାରଣ ମଣିଷର ବେଦନା ସହିତ ନିଜକୁ ଏକାତ୍ମ କରିପାରନ୍ତେ ରାୟ

                                                                                                         ଲେଖିବା ସମୟରେ ।
୧-୧୫/୧୬-୩୦ ଅକ୍ଟୋବର, ୨୦୧୦

                                                                 ନ୍ୟାୟପାଳିକା ଓ ଦୁର୍ନୀତି

୧୬ ଜଣ ପୂର୍ବତନ ମାନ୍ୟବର ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ମଧ୍ୟରୁ ୮ ଜଣ ନିଶ୍ଚିତ ଭାବରେ ଦୁର୍ନୀତିଗ୍ରସ୍ତ (definitely corrupt) ବୋଲି ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ଶାନ୍ତିଭୂଷଣ ଏକ ସତ୍ୟପାଠ ଜରିଆରେ ଘୋଷଣା କରିଛନ୍ତି । ସେମାନେ କିଏ-ତାହା ସେ ଗଣମାଧ୍ୟମକୁ ଜଣାଇ ନଥିଲେ ମଧ୍ୟ-ଏକ ବନ୍ଦ ଲଫାଫାରେ ଏହି ନାଁ ଗୁଡ଼ିକୁ ସେ ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି ସେହି ବିଚାରପତିମାନଙ୍କର ଅବଗତି ପାଇଁ, ଯେଉଁମାନେ ପ୍ରଶାନ୍ତ ଭୂଷଣଙ୍କ ବିରୁଦ୍ଧରେ ଚାଲିଥିବା କୋର୍ଟ ଅବମାନନାର ଶୁଣାଣି କରୁଛନ୍ତି । ପ୍ରଶାନ୍ତ ଭୂଷଣ ତେହଲ୍କା ପତ୍ରିକାରେ ପ୍ରକାଶିତ ଏକ ନିବନ୍ଧରେ କହିଥିଲେ ଯେ, ‘୧୬ ବା ୧୭ ଜଣ ପୂର୍ବତନ ପ୍ରଧାନ ବିଚାରପତିଙ୍କ ମଧ୍ୟରୁ ଅଧା ହେଉଛନ୍ତି ଦୁର୍ନୀତିଗ୍ରସ୍ତ ।’ ଏହି ନିବନ୍ଧଟି ପ୍ରକାଶିତ ହେବା ପୂର୍ବରୁ ଯେଉଁ ୧୬ ଜଣ ମୁଖ୍ୟ ବିଚାରପତି ପଦବୀ ଅଳଙ୍କୃତ କରିଥିଲେ ସେମାନେ ହେଉଛନ୍ତି-ରଙ୍ଗନାଥ ମିଶ୍ର, କେ.ଏନ୍. ସିଂହ, ଏମ୍.ଏଚ୍ କାନିଆ, ଏଲ୍.ଏମ୍. ଶର୍ମା, ଏମ୍.ଏନ୍. ଭେଙ୍କଟଚାଲିଆ, ଏ.ଏମ୍. ଅହମଦି, ଜେ.ଏସ୍. ବର୍ମା, ଏମ୍.ଏମ୍. ପୁଞ୍ôଚ, ଏ.ଏସ୍. ଆନନ୍ଦ, ଏସ୍.ପି. ଭରୁଚା, ବି.ଏନ୍. କ୍ରିପାଳ, ଜି.ବି ପଟ୍ଟନାୟକ, ରାଜେନ୍ଦ୍ରବାବୁ, ଆର୍.ସି. ଲାହୋଟି. ଭି.ଏନ୍.ଖେର୍ ଓ ୱାଇ.କେ. ସଭରୱାଲ । ଶାନ୍ତିଭୂଷଣ ଏହି ୧୬ ଜଣଙ୍କ ଭିତରୁ ୮ ଜଣଙ୍କୁ ନିଶ୍ଚିତ ଦୁର୍ନୀତିଗ୍ରସ୍ତ ତାଲିକାଭୁକ୍ତ କରି-ପୁତ୍ର ପ୍ରଶାନ୍ତ ଭୂଷଣଙ୍କ ମନ୍ତବ୍ୟକୁ ଯଥାର୍ଥ ବୋଲି ପ୍ରତିପାଦିତ କରିବା ପାଇଁ ଉଦ୍ୟମ କରିଛନ୍ତି ଓ ତାଙ୍କ ବିରୋଧରେ ମଧ୍ୟ କୋର୍ଟ ଅବମାନନା ମାମଲା ଦାଏର କରିବା ପାଇଁ ଅନୁରୋଧ କରିଛନ୍ତି । ୮୫ ବର୍ଷୀୟ ଶାନ୍ତିଭୂଷଣ ଏଥିପାଇଁ ଜେଲଦଣ୍ଡ ଭୋଗିବାକୁ ମଧ୍ୟ ପ୍ରସ୍ତୁତ ବୋଲି ଘୋଷଣା କରିଛନ୍ତି । ତାଙ୍କରି ଭାଷାରେ, ‘ଭାରତର ଜନସାଧାରଣଙ୍କୁ ଏକ ସାଧୁ ଓ ସ୍ୱଚ୍ଛ ନ୍ୟାୟ ବ୍ୟବସ୍ଥା ଦେବାର ପ୍ରୟାସ କରିବାକୁ ଯାଇ ଯଦି ମୋତେ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼େ ତା’ହେଲେ ମୁଁ ନିଜକୁ ଗୌରବାନ୍ୱିତ ମନେକରିବି ।’
(The applicant would consider it a great honour to spend time in jail for making an effort, to get the people of India, an honest and clean judiciary) (New Indian Express, 17/9/2010)
ଅତୀତରେ ଏହିଭଳି ଏକ ଅବମାନନା ମାମଲା ଦାଏର ହୋଇଥିଲା ବିନିତ୍ ନାରାୟଣ ନାମକ ଜଣେ ଯୁବକଙ୍କ ବିରୋଧରେ । ବିନିତ୍ ନାରାୟଣ ଜୈନ ହାୱାଲା କାଣ୍ଡର ପର୍ଦ୍ଦାଫାସ୍ କରି ସେତେବେଳେ ବହୁଚର୍ଚ୍ଚିତ ହୋଇଥିଲେ । ବିନିତ୍ ନାରାୟଣଙ୍କ ବିରୋଧରେ ଅଭିଯୋଗକାରୀ ଥିଲେ ସୁପ୍ରିମକୋର୍ଟର ବାର କାଉନସିଲ୍ । କିନ୍ତୁ ସୁପ୍ରିମକୋର୍ଟ ଏହି ଅବମାନନା ଅଭିଯୋଗଟିକୁ ଖାରଜ କରିଦେଇଥିଲେ ଓ ବିନିତ୍ ନାରାୟଣ ଦାୟିତ୍ୱହୀନ ଦୋଷରେ ଦୋଷୀ ବୋଲି ମନ୍ତବ୍ୟ କରିଥିଲେ ।
ବର୍ତ୍ତମାନ ଯିଏ ୮ ଜଣ ବିଚାରପତି ନିଶ୍ଚିତ ଭାବେ ଦୁର୍ନୀତିଗ୍ରସ୍ତ ବୋଲି ସତ୍ୟପାଠ ଜରିଆରେ ଘୋଷଣା କରୁଛନ୍ତି-ସେ ଭାରତର ପୂର୍ବତନ ଆଇନମନ୍ତ୍ରୀ-ତାହା ପୁଣି ରାଢ଼ ମୋରାରଜୀ ଦେଶାଇଙ୍କର ପ୍ରଧାନମନ୍ତ୍ରୀତ୍ୱ ସମୟରେ । ତାଙ୍କର ଏତାଦୃଶ ହଲପନାମାକୁ ସୁପ୍ରିମକୋର୍ଟ ଅଣଦେଖା କରିପାରିବ ନାହିଁ  ।ପ୍ରଶାନ୍ତ ଭୂଷଣ ସେପ୍ଟେମ୍ବର ୫, ୨୦୦୯ ଦିନ ତେହଲ୍କାକୁ ଏକ ସାକ୍ଷାତକାର ଦେବା ଅବସରରେ କହିଥିଲେ ଯେ, ‘ମୋ ମତରେ, ୧୬ରୁ ୧୭ ଜଣ ମୁଖ୍ୟ ବିଚାରପତିଙ୍କ ଭିତରୁ ଅଧା ହେଉଛନ୍ତି ଦୁର୍ନୀତିଗ୍ରସ୍ତ । ମୁଁ ଏହାକୁ ପ୍ରମାଣ କରିପାରିବି ନାହିଁ, ଯଦିଓ ପୁଞ୍ôଚ, ଆନନ୍ଦ, ସବରୱାଲଙ୍କ ବିରୁଦ୍ଧରେ ବହୁ ପ୍ରମାଣ ରହିଛି, ଯାହାକୁ ଆଧାର କରି ଆମେ ସେମାନଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଅଣାଯାଉ ବୋଲି ଦାବି କରିଛୁ ।’ ସେ ପୁଣି କହିଥିଲେ, ‘ବିଚାରପତି କାପାଡ଼ିଆଙ୍କ କଥା ଦେଖନ୍ତୁ  । ସେ ଓଡ଼ିଶାର ନିୟମଗିରି ଖଣିର ଲିଜ୍ ବ୍ୟାପାରଟିକୁ ନିଷ୍ପତ୍ତି କରିଦେଲେ । ସେ କହିଲେ, ବେଦାନ୍ତକୁ ଲିଜ୍ ଦେବାପାଇଁ ଅନୁମତି ଦିଆଯାଇପାରିବ ନାହିଁ, କାରଣ ନରୱେ ସରକାର ଦ୍ୱାରା ଏହି କମ୍ପାନୀ କଳା ତାଲିକାଭୁକ୍ତ ହୋଇଛି-କିନ୍ତୁ ଏହାର ଏକ ସହବନ୍ଧିତ (subsidiary) କମ୍ପାନୀ ଷ୍ଟେରିଲାଇଟ୍ ଇଣ୍ଡଷ୍ଟ୍ରିଜ ଲିଜ୍ ନେଇପାରିବ-କାରଣ ଏହା ଏକ ପବ୍ଲିକ ଲିଷ୍ଟେଡ କମ୍ପାନୀ (public listed company) । ବିଚାରପତି କାପାଡ଼ିଆ ଏହାକୁ ପବ୍ଲିକ ଲିଷ୍ଟେଡ କମ୍ପାନୀ ବୋଲି ଅଭିହିତ କଲେ, କାରଣ ଏହି କମ୍ପାନୀରେ ତାଙ୍କର ଅଂଶଧନ (Share) ଥିଲା । ଏହା ସତ୍ତେ୍ୱ ସେ ଷ୍ଟେରିଲାଇଟ୍ ସପକ୍ଷରେ ରାୟ ଦେଲେ । ଆଇନ୍ ଅଛି ଯେ ବିଚାରପତିମାନେ ସେସବୁ ମାମଲାର ଶୁଣାଣି କରିବେ ନାହିଁ, ଯେଉଁଥିରେ ସେମାନଙ୍କର ସ୍ୱାର୍ଥ ନିହିତ (conflict of interest) ଅଛି । କିନ୍ତୁ ସେମାନେ ଏହାକୁ ଆଡ଼େଇଦେଇ ଚାଲିଛନ୍ତି । ଆପଣ ଏହା ବିରୁଦ୍ଧରେ ଅଭିଯୋଗ କରିପାରିବେ ନାହିଁ, କାରଣ ଏହାଦ୍ୱାରା ଅବମାନନା (contempt) ହେବ । (“There is justice Kapadia who decided in Niyamgiri mining lease case in Orissa. He said Vedanta can’t be given lease because it has been blacklisted by the Norwegian government; but its subsidiary company sterilite can get lease because it is a publicly listed company. Justice Kapadia said it is a publicly listed company because he had shares in it and yet he passed an order in favour of Sterilite. There is a law against Judges hearing cases where there is a conflict of interest but they just by pass it and you can’t complain because that would be contempt.’’)
(From Tehelka magazine, Vol 6, issue 35, 5/9/2009) ବିଚାରପତି କାପାଡ଼ିଆଙ୍କ ସମ୍ପର୍କରେ ଏହି ମନ୍ତବ୍ୟର ପ୍ରତିବାଦ କରିଥିଲେ ସୁପ୍ରିମକୋର୍ଟ ବାର ଆସୋସିଏସନ୍ର ସଭାପତି ଏମ୍. ଏଚ୍. କୃଷ୍ଣମଣି  । କୃଷ୍ଣମଣିଙ୍କର ଯୁକ୍ତିଥିଲା ଯେ ଷ୍ଟେରିଲାଇଟ୍ରେ କାପାଡ଼ିଆ ମହାଶୟଙ୍କର ଅଂଶଧନ ଅଛି ବୋଲି ସେ ଅଦାଲତରେ ଶୁଣାଣିବେଳେ ଘୋଷଣା କରିଥିଲେ, କିନ୍ତୁ ଯେହେତୁ ଏଥିପାଇଁ ସେ ଶୁଣାଣିରୁ ଓହରିଯିବା ପାଇଁ କେହି ଅନୁରୋଧ କରିନଥିଲେ- ତେଣୁ ସେ ଶୁଣାଣି କଲେ । ଏହି ଦୃଷ୍ଟିରୁ କାପାଡ଼ିଆ ମହାଶୟଙ୍କର ଭୂମିକାକୁ ପ୍ରଶ୍ନ କରାଯାଇ ନପାରେ । ଏହାର ଉତ୍ତରରେ (ନଭେମ୍ବର ୨୧, ୨୦୦୯) ପ୍ରଶାନ୍ତ ଭୂଷଣ ଯାହା କହିଛନ୍ତି ତାହା ବାସ୍ତବିକ ଚକ୍ଷୁ ଉନ୍ମେଷକାରୀ । ତାଙ୍କ ଦୃଷ୍ଟିରେ, ‘ବିଚାରପତି କାପାଡ଼ିଆ ଏହି ବିଷୟର ଶୁଣାଣିକୁ ଯଦି କେହି ବିରୋଧ କରିଥାନ୍ତେ, ସେ ହେଉଛନ୍ତି ଆଦିବାସୀମାନଙ୍କୁ ଏ ସମ୍ପର୍କିତ ମାମଲାରେ ପ୍ରତିନିଧିତ୍ୱ କରୁଥିବା ଓକିଲ ସଞ୍ଜୟ ପାରିଖ । କିନ୍ତୁ ଏହା କରିବାକୁ ତାଙ୍କୁ ତିନି ତିନି ଥର ବାଧା ଦେଲେ ଶୁଣାଣି କରୁଥିବା ସହ-ବିଚାରପତି ପଶାୟତ । ସେ (ପାରିଖ) ଯେତେବେଳେ ଠିଆ ହେଉଥିଲେ କହିବା ପାଇଁ ତାଙ୍କୁ ସ୍ପଷ୍ଟ କୁହାଗଲା ଯେ, ଏହି ମାମଲାରେ କୋର୍ଟକୁ ସାହାଯ୍ୟ କରିବା ପାଇଁ ନିଯୁକ୍ତ ଓକିଲ (amicus curie) ଆଦିବାସୀମାନଙ୍କର ସ୍ୱାର୍ଥର ଠିକ୍ ନ୍ୟାୟ ଦେବେ । ସେଥିପାଇଁ ତାଙ୍କୁ (ପାରିଖଙ୍କୁ) ଅଲଗା ଶୁଣିବାର ଆବଶ୍ୟକତା ନାହିଁ  ।’ (ଞଷର କ୍ଟଦ୍ଭକ୍ଷଚ୍ଚ କ୍ଷବଙ୍ଗଚ୍ଚରକ୍ସ ଙ୍ଗଷକ୍ଟ ମକ୍ଟଙ୍କକ୍ଷୟ ଷବଙ୍ଖର କ୍ଟଭହରମଗ୍ଧରୟ ଗ୍ଧକ୍ଟ ହଙ୍କଗ୍ଦଗ୍ଧସମର କବକ୍ଟ୍ରବୟସବଗ୍ଦ ଷରବକ୍ସସଦ୍ଭଶ ଗ୍ଧଷର ଜ୍ଞବଗ୍ଧଗ୍ଧରକ୍ସ ଙ୍ଗବଗ୍ଦ ଝବଦ୍ଭହବଚ୍ଚବ ଚବକ୍ସସଳଷ ଙ୍ଗଷକ୍ଟ ଙ୍ଗବଗ୍ଦ କ୍ସରକ୍ଟ୍ରକ୍ସରଗ୍ଦରଦ୍ଭଗ୍ଧସଦ୍ଭଶ ଗ୍ଧଷର ଗ୍ଧକ୍ସସଭବକ୍ଷଗ୍ଦ ସଦ୍ଭ ମକ୍ଟଦ୍ଭଦ୍ଭରମଗ୍ଧରୟ କ୍ଟ୍ରରଗ୍ଧସଗ୍ଧସକ୍ଟଦ୍ଭ. ଐର ଙ୍ଗବଗ୍ଦ ଷକ୍ଟଙ୍ଗରଙ୍ଖରକ୍ସ କ୍ଟ୍ରକ୍ସରଙ୍ଖରଦ୍ଭଗ୍ଧରୟ ଲକ୍ସକ୍ଟଜ୍ଞ ଜ୍ଞବଳସଦ୍ଭଶ ଭଚ୍ଚ ହଙ୍କଗ୍ଦଗ୍ଧସମର ଚବଗ୍ଦବଚ୍ଚବଗ୍ଧ କ୍ଟଦ୍ଭ ଗ୍ଧଷର ଭରଦ୍ଭମଷ କ୍ଟଦ୍ଭ ଗ୍ଧଷକ୍ସରର କ୍ଟମମବଗ୍ଦସକ୍ଟଦ୍ଭଗ୍ଦ ଙ୍ଗଷରଦ୍ଭ ଷର ଗ୍ଧକ୍ସସରୟ ଗ୍ଧକ୍ଟ ଶରଗ୍ଧ ଙ୍କକ୍ଟ୍ର ଗ୍ଧକ୍ଟ ଗ୍ଦକ୍ଟ୍ରରବଳ. ଐର ଙ୍ଗବଗ୍ଦ ଗ୍ଧକ୍ଟକ୍ଷୟ ସଦ୍ଭ ଦ୍ଭକ୍ଟ ଙ୍କଦ୍ଭମରକ୍ସଗ୍ଧବସଦ୍ଭ ଗ୍ଧରକ୍ସଜ୍ଞଗ୍ଦ ଗ୍ଧଷବଗ୍ଧ ବଜ୍ଞସମଙ୍କଗ୍ଦ ମଙ୍କକ୍ସସର ଙ୍ଗକ୍ଟଙ୍କକ୍ଷୟ ଗ୍ଧବଳର ମବକ୍ସର କ୍ଟଲ ଗ୍ଧଷର ସଦ୍ଭଗ୍ଧରକ୍ସରଗ୍ଦଗ୍ଧଗ୍ଦ କ୍ଟଲ ଗ୍ଧଷର ଗ୍ଧକ୍ସସଭବକ୍ଷଗ୍ଦ ବଦ୍ଭୟ ଷର ଙ୍ଗକ୍ଟଙ୍କକ୍ଷୟ ଦ୍ଭକ୍ଟଗ୍ଧ ଭର ଗ୍ଦରକ୍ଟ୍ରବକ୍ସବଗ୍ଧରକ୍ଷଚ୍ଚ ଷରବକ୍ସୟThe only lawyer who could have objected to justice Kapadias hearing the matter was Sanjaya Parikh who was representing the tribals in connected petition. He was however prevented from making by justice Pasayat on the bench on three occasions when he tried to get up to speak. He was told in no uncertain terms that amicus curie would take care of the interests of the tribals and he would not be separately heard.)

ହରିଶ ସାଲଭେ, ଯିଏ କି ବେଦାନ୍ତ କମ୍ପାନୀର ମଧ୍ୟ ଓକିଲ, ସେ ଥିଲେ ବରିଷ୍ଠ ଆମିକସ କ୍ୟୁରି (amicus curie) ଓ ୟୁ. ଲଳିତ ହେଉଛନ୍ତି କନିଷ୍ଠ ଆମିକସ କ୍ୟୁରି । ହରିଶ ସାଲଭେ ହିଁ ପ୍ରଶାନ୍ତ ଭୂଷଣଙ୍କ ନାଁରେ ଉପରୋକ୍ତ ମନ୍ତବ୍ୟ ପାଇଁ ଦାୟର କରିଛନ୍ତି ଅବମାନନା ମକଦ୍ଦମା, ଯାହା ସୁପ୍ରିମକୋର୍ଟର ଅକ୍ଟୋବର ୨୦୦୯ରେ ଗ୍ରହଣ କରିଛି । ପ୍ରଶାନ୍ତ ଭୂଷଣଙ୍କର ଅବମାନନାକୁ ତଥ୍ୟଗତ ଭିତ୍ତି ଯୋଗାଇବା ପାଇଁ ପିତା ଶାନ୍ତିଭୂଷଣ ଦାଖଲ କରିଛନ୍ତି ସେହି ୮ ଜଣ ମୁଖ୍ୟ ବିଚାରପତିଙ୍କ ନାଁ, ଯେଉଁମାନେ ନିଶ୍ଚିତ ଭାବରେ ଦୁର୍ନୀତିଗ୍ରସ୍ତ । ମକଦ୍ଦମା ଚାଲିଛି-ଦେଖାଯାଉ ଏହାର ସର୍ବଶେଷ ପରିଣତି କ’ଣ ହେଉଛି?
ବିଚାର ବିଭାଗ ସହ ଦୁର୍ନୀତି ଯୋଡ଼ିହେବା ବାସ୍ତବିକ ଦୁର୍ଭାଗ୍ୟଜନକ । କଥାରେ ଅଛି, ଯେ ଖାଲି ସାଧୁ ହେଲେ ହେବନାହିଁ, ସାଧୁ ବୋଲି ଦୃଶ୍ୟମାନ ମଧ୍ୟ ହେବାକୁ ପଡ଼ିବ, ଅର୍ଥାତ୍, ସାଧାରଣଙ୍କ ମନରେ ସାଧୁତା ସମ୍ପର୍କରେ ତିଳେମାତ୍ର ସନ୍ଦେହ ଯେପରି ନଥିବ । ବିଚାରପତିମାନେ କେତେ ଦୁର୍ନୀତିଗ୍ରସ୍ତ ତାହାର ତଥ୍ୟଗତ ପ୍ରମାଣ ଯେତିକି ବେଦନାଦାୟକ, ସେତିକି ବା ତା’ଠାରୁ ଅଧିକ ବେଦନାଦାୟକ ହେଉଛି ବ୍ୟାପକ ହେଉଥିବା ଧାରଣା ଯେ ବିଚାରପତିମାନେ ଦୁର୍ନୀତିର ଊଦ୍ଧ୍ୱର୍ରେ ନାହାନ୍ତି । ୨୦୦୬ରେ ଟ୍ରାନ୍ସପରେନ୍ସି ଇଣ୍ଟରନେସନାଲର ଏକ ରିପୋର୍ଟରେ କୁହାଯାଇଛି ଯେ ଭାରତରେ ବିଚାର ବିଭାଗ, ପୁଲିସ ବିଭାଗ ପରେ ସବୁଠାରୁ ଅଧିକ ଦୁର୍ନୀତିଗ୍ରସ୍ତ । (A 2006 Transparency International Report said the Judiciary in India is the 2nd most corrupt institution after the police)
ବିଚାର ବିଭାଗର ଏତାଦୃଶ ଛବିକୁ ବଦଳାଇବାର କ’ଣ ଉପାୟ ହୋଇପାରେ ତାହା ବିଚାର କରିବା ପ୍ରତ୍ୟେକ ଚିନ୍ତାଶୀଳ ନାଗରିକଙ୍କ ପାଇଁ ଏକ ବିରାଟ ଆହ୍ୱାନ ।

                                                                   ଗାନ୍ଧୀ ଜୟନ୍ତୀ

ଗାନ୍ଧୀଙ୍କର ପ୍ରାସଙ୍ଗିକତା କେବଳ ଅଧ୍ୟୟନ, ଅଧ୍ୟାପନ ଓ ପ୍ରବଚନ ପାଇଁ ରହିଛି । ଏହା ସ୍ପଷ୍ଟ ହୁଏ ତାଙ୍କ ଉପରେ ହେଉଥିବା ବିଭିନ୍ନ ସଭା, ସେମିନାରରୁ  । ସେ ଯେ ଆଦୌ ପ୍ରୟୋଗ କ୍ଷେତ୍ରରେ ପ୍ରାସଙ୍ଗିକ ନୁହନ୍ତି, ତାହାକୁ କାର୍ଯ୍ୟରେ ବାରମ୍ବାର ପ୍ରମାଣ କରୁଛନ୍ତି ଆମ ଦେଶର ରାଜନେତା ଓ ସମାଜପତିମାନେ । ଗାନ୍ଧୀ ଏକ ବ୍ରାଣ୍ଡ୍ ଭଳି ବ୍ୟବହାର ହେଲେଣି-ଅନେକ ଦିନଠାରୁ  । ତାଙ୍କ ନାଁକୁ ଯୋଡ଼ି ଅନୁଷ୍ଠାନ କଲେ ବହୁ ଅର୍ଥ ସମାଗମ ହେବାର ସମ୍ଭାବନା ଦେଖି ଏହିଭଳି ଅନୁଷ୍ଠାନ ଗଢ଼ିବାରେ ବହୁ ସନ୍ଦିଗ୍ଧ ବ୍ୟକ୍ତି ସାମିଲ ହୋଇଗଲେଣି । ଯେଉଁମାନେ ଆଚରଣରେ ନିରୋଳା ଗାନ୍ଧୀବାଦୀ, ସେମାନେ ଏହି ଦୃଶ୍ୟ ଦେଖି କହିଲେଣି-‘ପଇସା ଥିବା ଲୋକ ତ ଏହିଭଳି ଅନୁଷ୍ଠାନରେ ପଶିବେ ।’
ଆଚରଣରେ ସମ୍ପୂର୍ଣ୍ଣ ଭାବେ ଗାନ୍ଧୀ ବିରୋଧୀ ବ୍ୟକ୍ତିମାନେ ଗାନ୍ଧୀ ନାମରେ ଅନୁଷ୍ଠାନ କରି ଗାନ୍ଧୀବାଦୀ ବୋଲାଇବା-ଏକ ଦୃଶ୍ୟମାନ ବିରୋଧାଭାଷ  । ଭାରତ ତ ବିରୋଧାଭାଷର ଦେଶ-ତେଣୁ ଆଶ୍ଚର୍ଯ୍ୟ ବା କ’ଣ?

                                                             ନବ୍ୟ ଉଦାର ଭାରତ

୧୮-୧୯ ଡିସେମ୍ବର ୨୦୧୦, ଦୁଇଦିନ ବ୍ୟାପୀ ଏକ ଆଲୋଚନାଚକ୍ର ଭୁବନେଶ୍ୱରସ୍ଥିତ ଜେଭିଅର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (XIMB)ରେ ଅନୁଷ୍ଠିତ ହୋଇଯାଇଛି । ଆଲୋଚନାଚକ୍ରର କେନ୍ଦ୍ରୀୟ ବିଷୟବସ୍ତୁ ଥିଲା ‘ନବ୍ୟ ଉଦାର ଭାରତରେ ଗ୍ରାମୀଣ ଶ୍ରମିକ’  । ଏହି ଶିରୋନାମାରେ ଗ୍ରାମୀଣ ଶ୍ରମିକର ସ୍ଥିତିର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ଦେଶ ଭିତରୁ ଓ ବିଦେଶରୁ ଅନେକ ଗବେଷକ ଯୋଗ ଦେଇଥିଲେ ଓ ସମାଜକର୍ମୀମାନେ ମଧ୍ୟ ଯୋଗ ଦେଇଥିଲେ । ଏହାର ଉଦ୍ଘାଟନ କରିଥିଲେ ପ୍ରତିଷ୍ଠାନର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ, ଯେଉଁଠାରେ ପ୍ରତିଷ୍ଠାନର ପଦସ୍ଥ ଅଧିକାରୀ ଓ ପ୍ରଫେସରମାନେ ଉପସ୍ଥିତ ଥିଲେ । ଆଲୋଚନାଚକ୍ରର ଶେଷ ଅଧିବେଶନର ମାର୍କ୍ସୀୟ ଦର୍ଶନର ସୌନ୍ଦର୍ଯ୍ୟ ଉପରେ ଆଲୋକପାତ କରାଯାଇଥିଲା । ମୋଟ ଉପରେ ଏହି ଆଲୋଚନାଚକ୍ର ସବୁ ଅଂଶଗ୍ରହଣକାରୀଙ୍କ ପାଇଁ ଥିଲା ସନ୍ତୋଷଜନକ । କିନ୍ତୁ ଯାହା ଶୁଦ୍ରକକୁ ଚକିତ କରୁଥିଲା-ତାହା ହେଉଛି ନବ୍ୟ ଉଦାରବାଦ, ମାର୍କ୍ସବାଦ ଉପରେ ଆଲୋଚନା, ଯେଉଁଠାରେ ପୁଞ୍ଜିବାଦ ପ୍ରତି ଆକ୍ଷେପ ଅବଶ୍ୟମ୍ଭାବୀ, ସେଭଳି ଆଲୋଚନାକୁ ବିଶ୍ୱ ପୁଞ୍ଜିବାଦର ବାହକ କର୍ପୋରେସନମାନଙ୍କୁ ମାନବ ସମ୍ବଳ ଯୋଗାଉଥିବା ଜେଭିଅର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ପୃଷ୍ଠପୋଷକତା କରିବା  । ଏହି ପୃଷ୍ଠପୋଷକତା ଦେଇ ଜେଭିଅର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ୍ର ପରିଚାଳକ ବୃନ୍ଦ ତଥା ଅଧିକାରୀ ଯେ ମାର୍କ୍ସୀୟ ଦର୍ଶନର ସୌନ୍ଦର୍ଯ୍ୟରେ ବିମୁଗ୍ଧ ଅଂଶଗ୍ରହଣକାରୀମାନଙ୍କର ସଦିଚ୍ଛାର ପାତ୍ର ହୋଇଛନ୍ତି- ଏହା କହିବା ବାହୁଲ୍ୟ ମାତ୍ର । ମାର୍କ୍ସୀୟ ଦର୍ଶନର ସୌନ୍ଦର୍ଯ୍ୟରେ ଯେ ସମ୍ମୋହିତ-ସେ ଯେ କଦାପି ଧର୍ମାନ୍ଧ ହୋଇପାରେନା-ବରଂ ଯେ କୌଣସି ଧର୍ମୀୟ ମୌଳବାଦ ବିରୋଧରେ ଏକ ଶକ୍ତି ଭାବେ କାର୍ଯ୍ୟ କରିପାରେ-ଏହା ଜେଭିଅର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟର ପରିଚାଳନା ଦାୟିତ୍ୱରେ ଥିବା ଖ୍ରୀଷ୍ଟୀୟ ମିଶନାରୀମାନେ ନିଶ୍ଚିତ ବୁଝିଛନ୍ତି  । ତେଣୁ ଜେଭିଅର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ବଡ଼ ବଡ଼ କର୍ପୋରେସନ୍ମାନଙ୍କ ପାଇଁ ମାନବ ସମ୍ବଳର ଉତ୍ସ ହେଲେ ହେଁ ଓ ନବ୍ୟ ଉଦାରବାଦକୁ ବିରୋଧ ତଥା ମାର୍କ୍ସବାଦକୁ ସମର୍ଥନ କର୍ପୋରେଟ୍ ବିରୋଧୀ ହେଲେ ହେଁ ହିନ୍ଦୁ ମୌଳବାଦକୁ ବିରୋଧର ମଞ୍ଜି ଯେ ମାର୍କ୍ସବାଦରେ ରହିଛି ଓ ଏହା ସଂଖ୍ୟାଲଘୁ ଖ୍ରୀଷ୍ଟିଆନଙ୍କ ସ୍ଥିତି ଓ ଅସ୍ତିତ୍ୱ ପାଇଁ ଅନୁକୂଳ-ଏହା ହୃଦୟଙ୍ଗମ କରି ଜେଭିଅର ପ୍ରତିଷ୍ଠାନର ପରିଚାଳକମାନେ ଉପରୋକ୍ତ ଆଲୋଚନାଚକ୍ରର ପୃଷ୍ଠପୋଷକତା କରିଛନ୍ତି ବୋଲି ଶୁଦ୍ରକ ଅନୁମାନ କରୁଛି ।
ତେବେ ଏହି ଆଲୋଚନା ସଭାର ଉଦ୍ୟୋକ୍ତାମାନଙ୍କୁ ଧନ୍ୟବାଦ ଯେ ସେମାନେ ଏହିଭଳି ଏକ ସୁଯୋଗ ସୃଷ୍ଟି କରିପାରିଲେ ।

                                                         ରାସ୍ତାକଡ଼ରେ ମଦ୍ୟପାନ !

ଏକଦା ରକ୍ଷଣଶୀଳ ଓଡ଼ିଆ ସମାଜ ଯେ ଆଧୁନିକ ହୋଇଚାଲିଛି, ତା’ର ସଦ୍ୟତମ ପ୍ରମାଣ ହେଉଛି ରାସ୍ତାକଡ଼ ମଦଦୋକାନ ପାଖରେ ମଦ୍ୟପାନ କରିବା ପାଇଁ ଅନୁମତି । ପୂର୍ବରୁ ଅବକାରୀ ବିଭାଗ ଏହାକୁ ନିଷେଧ କରିଥିଲା । କିନ୍ତୁ ମଦ୍ୟାସକ୍ତ ବ୍ୟକ୍ତି / ଯୁବକମାନେ ଏହି ନିଷେଧାଜ୍ଞାକୁ ଅବମାନନା କରି ପୁଲିସ ଦ୍ୱାରା ଅପମାନିତ ହେବା, ଜୋରିମାନା ଦେବା ଅବକାରୀ ଦ୍ୱାରା ସହ୍ୟ ହେଲାନାହିଁ  । ବରଂ ଏହି ନିଷେଧାଜ୍ଞା ଉଠାଇଦେବାରେ ସେମାନେ ରାଜସ୍ୱ ଆୟର ଏକ ବିରାଟ ସୁଯୋଗ ଦେଖିଲେ । ଏହି ମଦଦୋକାନଗୁଡ଼ିକ ବାର୍ଷିକ ୨ ଲକ୍ଷ ଟଙ୍କା ଫିସ୍ ଆକାରରେ ଦେଲେ ସେମାନଙ୍କ ପାଖରେ ମଦ୍ୟାସକ୍ତମାନେ ମଦ୍ୟପାନ କରିପାରିବେ ବୋଲି ଅନୁମତି ଦିଆଯିବ-ଏହିଭଳି ଏକ ବ୍ୟବସ୍ଥା କଲେ । ନିଶ୍ଚିତ ଭାବରେ ଏହି ବ୍ୟବସ୍ଥା ଦ୍ୱାରା ମଦ୍ୟାସକ୍ତମାନେ ପୁଲିସ ହସ୍ତକ୍ଷେପର ଆଶଙ୍କାରୁ ମୁକ୍ତ ରହି ଏକାଗ୍ରତା ସହ ମଦ୍ୟପାନରେ ନିଜକୁ ନିୟୋଜିତ ରଖିପାରିବେ । ପୁନଶ୍ଚ ଏହି ବ୍ୟବସ୍ଥା ଦ୍ୱାରା ପୁଲିସ ଦୁର୍ନୀତି କରିବାର ଏକ ସୁଯୋଗରୁ ବଞ୍ôଚତ ହୋଇ ଅଧିକ ସ୍ୱଚ୍ଛ ଦିଶିବ । ଘରେ, ପରିବାର ଭିତରେ ବସି ମଦ୍ୟପାନ ହ୍ରାସ ପାଇବ ।
ସରକାରଙ୍କର ଏହିଭଳି ପଦକ୍ଷେପକୁ ଏକ ପ୍ରଗତିଶୀଳ ପଦକ୍ଷେପ ବୋଲି ବିଚାର କରାଯାଇପାରେ-କାରଣ, ଏତ୍ଦ୍ୱାରା ସ୍ୱାଧୀନତା ଉପରେ ଥିବା ଗୋଟିଏ ଅଙ୍କୁଶ ଉଠିଗଲା । ତେବେ, ଯେଉଁଦିନ ମଦକୁ ମାଦକଦ୍ରବ୍ୟ ତାଲିକାରୁ ଅପସାରିତ କରିଦିଆଯିବ-ସେହିଦିନ ହିଁ ସରକାର ସବୁଠାରୁ ବଡ଼ ପ୍ରଗତିଶୀଳ ପଦକ୍ଷେପ ନେଲେ ବୋଲି କୁହାଯିବ । ସମ୍ବିଧାନର ଧାରା ୪୭ରେ ଥିବା ବ୍ୟବସ୍ଥାର ଦ୍ୱାହି ଦେଇ ରାଷ୍ଟ୍ର ତା’ର ଲକ୍ଷ୍ୟର ବିପରୀତ ଦିଗରେ ଗତି କରୁଛି ବୋଲି କହିବାର ସୁଯୋଗ ଆଉ ରହିବ ନାହିଁ  ।

                                                          ଗଣିତ ଅଧ୍ୟାପକଙ୍କର କ୍ରୋଧ

ଦକ୍ଷିଣ କୋରିଆର ଏକ ବୃତ୍ତ ହରାଇଥିବା ଗଣିତ ଅଧ୍ୟାପକ ଚହଳ ପକାଇଛନ୍ତି । ତାଙ୍କର ସ୍ୱପ୍ରକାଶିତ ପୁସ୍ତକ ‘Judges, Who do You Think You Are ?’ (ବିଚାରପତିଗଣ, ତୁମେ ନିଜକୁ କ’ଣ ଭାବୁଛ?) ଦକ୍ଷିଣ କୋରିଆର ନ୍ୟାୟପାଳିକା ଉପରେ ଏକ ବିରାଟ ପ୍ରଶ୍ନବାଚୀ ଠିଆ କରିଛି । ଏହି ଅଧ୍ୟାପକଙ୍କ ନାଁ ହେଉଛି କିମ୍ ମ୍ୟୁଙ୍ଗ-ହୋ (Kim Myung-ho) । ବୃତ୍ତ ହରାଇଥିବା ଅବସ୍ଥାରେ ଏକ ଦିୱାନୀ (civil) ମାମଲାରେ ହାରିଯିବା ପରେ ସେ ବିଚାରପତିଙ୍କ ସାମ୍ନା କଲେ ଏକ ଧନୁତୀର (Cross bow) ଧରି  । ମାନ୍ୟବର ବିଚାରପତିଙ୍କ ପ୍ରତି ଏତାଦୃଶ ଆଚରଣ ପାଇଁ ୨୦୦୭ ମସିହାରେ କିମ୍ ପାଇଲେ ପାଞ୍ଚବର୍ଷ ପାଇଁ କାରାଦଣ୍ଡ । କାରାଗାରରୁ ବାହାରିବା ପରେ ଏକଦା ସନ୍ତ୍ରାସବାଦୀ (terrorist) ଅଭିଯୋଗରେ ଅଭିଯୁକ୍ତ କିମ୍ ଆଜି ଦକ୍ଷିଣ କୋରିଆରେ ନ୍ୟାୟପାଳିକାର ସ୍ୱେଚ୍ଛାଚାରିତା ଦ୍ୱାରା ତ୍ରସ୍ତ ଜନସାଧାରଣଙ୍କ ପାଇଁ ହୋଇଛନ୍ତି ଏକ ହିରୋ  । Good Law ବୋଲି ଏକ ଅନୁଷ୍ଠାନ ଦ୍ୱାରା କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ, ଦକ୍ଷିଣ କୋରିଆରେ ନ୍ୟାୟପାଳିକା ଉପରୁ ଆସ୍ଥା ତୁଟିବା ବ୍ୟାପକ ହୋଇଛି । ସର୍ବେକ୍ଷଣରେ ଅଂଶଗ୍ରହଣ କରିଥିବା ୧୧୦୦ ଜଣଙ୍କ ଭିତରୁ ୮୪୭ ଜଣ (ଅର୍ଥାତ୍ ୭୭%) ନ୍ୟାୟପାଳିକା ଉପରେ ତାଙ୍କର ଆସ୍ଥାନାହିଁ ବୋଲି କହିଛନ୍ତି । ଜନସାଧାରଣଙ୍କର ନ୍ୟାୟପାଳିକା ଉପରେ ଆସ୍ଥା ତୁଟିଯିବା ସମ୍ପର୍କରେ ମନ୍ତବ୍ୟ ଦେଇ ସିଓଲ ଜାତୀୟ ବିଶ୍ୱବିଦ୍ୟାଳୟ (Seoul National University)ର ଆଇନ ବିଭାଗ ପ୍ରଫେସର ଚୋ ଗୁକ୍ (Cho Guk) କୁହନ୍ତି ଯେ ପ୍ରତିଷ୍ଠିତ (Cho Guk)ଙ୍କୁ ସୁହାଇବା ଭଳି ରାୟ ଜନସାଧାରଣଙ୍କର ନ୍ୟାୟପାଳିକା ପ୍ରତି କ୍ଷୋଭର କାରଣ ହୋଇଛି । ସେ ଦର୍ଶାଇଛନ୍ତି କିପରି ହୁଣ୍ଡାଇ ମୋଟରର ଅଧ୍ୟକ୍ଷ ଚୁଙ୍ଗ୍-ମଙ୍ଗ୍-କୁ (Chung Mong Koo)ଙ୍କ ବିରୋଧରେ ହୋଇଥିବା ଅର୍ଥ ହେରଫେର (embezzlement) ଅଭିଯୋଗରେ ଦଣ୍ଡକୁ ସିଓଲର ଏକ ନ୍ୟାୟାଳୟ ବରଖାସ୍ତ କରିଦେଲେ । କହିଲେ ଯେ, ଏସିଆ ମହାଦେଶରେ ଉପୁଜିଥିବା ଆର୍ଥିକ ସଙ୍କଟବେଳେ ଦକ୍ଷିଣ କୋରିଆର ଅର୍ଥନୀତିକୁ ପୁନଃରୁଦ୍ଧାର କ୍ଷେତ୍ରରେ ଚୁଙ୍ଗ୍ଙ୍କର ଭୂମିକା ଥିଲା ଉଲ୍ଲେଖନୀୟ । ସମୁଦାୟ ପ୍ରସଙ୍ଗରୁ ଜଣାପଡ଼େ ଯେ ଦକ୍ଷିଣ କୋରିଆର ନ୍ୟାୟପାଳିକା ସାଧାରଣ ଲୋକଙ୍କ ଅପେକ୍ଷା ପ୍ରତିଷ୍ଠିତ ଲୋକମାନଙ୍କର ସ୍ୱାର୍ଥରକ୍ଷା ପାଇଁ ବିଶେଷ ଭାବରେ ବ୍ୟବହାର ହେଉଛି ।
ଯେତେବେଳେ ଦକ୍ଷିଣ କୋରିଆର ପୋସ୍କୋ (POSCO) ଭଳି ପ୍ରଭାବଶାଳୀ କମ୍ପାନୀମାନଙ୍କୁ ଭାରତ ମାଟିରେ ପ୍ରତିଷ୍ଠିତ କରାଇବା ପାଇଁ ଜାତୀୟସ୍ତରରୁ ଆରମ୍ଭକରି ରାଜ୍ୟସ୍ତର ପର୍ଯ୍ୟନ୍ତ ସରକାରମାନେ ବ୍ୟାକୁଳ ହୋଇଉଠୁଛନ୍ତି- ସେତେବେଳେ ଦକ୍ଷିଣ କୋରିଆର ନ୍ୟାୟପାଳିକା ବା ନ୍ୟାୟ ବ୍ୟବସ୍ଥା ଭାରତର ସମାଜପତିମାନଙ୍କର ଆଦର୍ଶ ନ ହେଉ-ଏହାହିଁ ଶୁଦ୍ରକର ଆନ୍ତରିକ ପ୍ରାର୍ଥନା  ।
(cross bow professor Reflects Korean Anger’ by John M Glionna, The New Indian Express, 15.3.2012 ଛାୟାରେ ଲିଖିତ)

Print Friendly, PDF & Email