ଯୁବ ସମାଜର ଉଦ୍ବେଳନ

  • 27/03/2017

ବର୍ଷ ୨୦୧୨ର ଅନ୍ତିମ ମାସର ଶେଷ ପକ୍ଷରେ ଭାରତର ରାଜଧାନୀ ଦିଲ୍ଲୀ ସହରରେ ଘଟିଥିବା ଗଣ ଧର୍ଷଣର ପ୍ରତିକ୍ରିୟାରେ ପ୍ରତିବାଦ ମୁଖର ଜନଗଣଙ୍କ ଦ୍ୱାରା ଉଛୁଳି ପଡୁଥିବା ଦିଲ୍ଲୀ ସମେତ ବିଭିନ୍ନ ପ୍ରଦେଶର ରାଜଧାନୀ ମାନଙ୍କର ରାଜପଥ, ସ୍ମରଣ କରାଇ ଦେଉଥିଲା ବର୍ଷ ୨୦୧୧ରେ ଦୁର୍ନୀତି ବିରୋଧରେ ମୁଖରିତ ସଦୃଶ ପଟୁଆର ଓ ସମାବେଶ । ଧର୍ଷଣର ଅପରାଧୀ ମାନଙ୍କୁ ମୃତ୍ୟୁଦଣ୍ଡର ନ ଛୋଡ ବନ୍ଧା ଦାବି ସ୍ମରଣ କରାଇ ଦେଉଥିଲା ଜନଲୋକପାଳ ପାଇଁ ନ ଛୋଡ ବନ୍ଧା ଦାବି । ପ୍ରତିବାଦୀ ଜନଗଣଙ୍କ ଉପରେ ଲୁହ ବୁହା ଗ୍ୟାସର ପ୍ରୟୋଗ, ଲାଠି ଚାଳନା, ସ୍ମରଣ କରାଇ ଦେଉଥିଲା ରାମଲୀଳା ପଡିଆରେ ଦୁର୍ନୀତି ବିରୋଧରେ ସମବେତ ଜନଗଣଙ୍କ ଉପରେ ପୁଲିସର ରାତି ଅଧିଆ ଚଢଉ । ଗଣଧର୍ଷଣ ବିରୁଦ୍ଧରେ ଅଧିକାଂଶ ଯୁବକ ଯୁବତୀଙ୍କର ଅଂଶ ଗ୍ରହଣ ମଧ୍ୟ ସ୍ମରଣ କରାଇ ଦେଉଥିଲା ଦୁର୍ନୀତି ବିରୋଧରେ ସମାନ ଦୃଶ୍ୟକୁ ।
ଏ ଲେଖକର ସୌଭାଗ୍ୟ ହୋଇନାହିଁ – କୌଣସି ପଟୁଆର ବା ସମାବେଶରେ ପ୍ରତ୍ୟକ୍ଷ ଅଂଶ ଗ୍ରହଣ କରି ଅଭିଜ୍ଞତା ଆହରଣ କରିବାକୁ  । ଟିଭିର ପରଦା ଉପରେ ହିଁ ଏହି ଦୃଶ୍ୟ ଗୁଡିକୁ ଦେଖୁଛି – ଉପସ୍ଥାପକ ମାନଙ୍କର ଗର୍ଜନ ମାନ ପରିବେଷଣ ଓ ଆଲୋଚକ ମାନଙ୍କର ଆବେଗାତ୍ମକ କୋଳାହଳ ପୂର୍ଣ୍ଣ ନିବେଦନ ଗୁଡିକ ଦ୍ୱାରା ପ୍ରଭାବିତ ହେଉଛି ।
ଯୁବକ ଯୁବତୀମାନେ ବହୁ ସଂଖ୍ୟାରେ ଦୁର୍ନୀତି ବିରୋଧରେ ହେଉ ବା ଗଣ ଧର୍ଷଣ ବିରୋଧରେ ହେଉ, ରାଜ ରାସ୍ତାକୁ ଆସିବା, ବହୁ ସମାଜ ବିଜ୍ଞାନୀଙ୍କୁ ତଥା ଭଦ୍ର ସମାଜକୁ ଅଭିଭୂତ କରି ଦେଇଛି । ଗତ ଦୁଇ ବର୍ଷ ଧରି, ଭାରତର ଯୁବ ସମାଜ ଠାରେ ଏକ ଉତ୍ଥିତ ସଚେତନତାର ତାରିଫରେ ସେମାନେ ମୁଖରିତ ହୋଇ ଉଠିଛନ୍ତି । ବେରୋଜଗାରୀ, ବୈଷମ୍ୟ ଭଳି ମୂଳ ଅର୍ଥନୈତିକ ସମସ୍ୟାର ଉଦ୍ଧ୍ୱର୍କୁ ଯାଇ ଯୁବ ସମାଜ ଯେ ସମାଜରେ ଦୁର୍ନୀତି, ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତି ସଚେତନତା ପ୍ରକଟ କରୁଛି- ତାହା ଅନେକଙ୍କୁ ଉଲ୍ଲସିତ କରିଛି । ଏହି ଯୁବ ଗୋଷ୍ଠୀ ଭିତରେ ସେମାନେ ଏକ କ୍ରମ ବର୍ଦ୍ଧମାନ ମଧ୍ୟମ ବର୍ଗର ଉପସ୍ଥିତି ଦେଖୁଛନ୍ତି । ୨୦୦୧-୨୦୦୨ରେ ଜନସଂଖ୍ୟାର ମାତ୍ର ଶତକଡା ୫.୭ ମଧ୍ୟମ ବର୍ଗର ହୋଇଥିବା ବେଳେ ୨୦୨୫-୨୬ବେଳକୁ ଏହି ଅଂଶ ୩୭.୨କୁ ବୃଦ୍ଧି ପାଇବ ବୋଲି ଆଶାବାନ ହୋଇଛନ୍ତି । ଏକ ବିଶାଳ ଖାଉଟି ସଂପ୍ରଦାୟର ସମ୍ଭାବନା ଦେଖୁଛନ୍ତି ।
ଯୁବ ସମାଜ ଭିତରେ ଏ’ଭଳି ଉଦ୍ବେଳନ ଦେଖି ଯୁବସମାଜ କାହିଁକି ଜୀବନ ଜୀବିକା ପାଇଁ ସଂଗ୍ରାମ କରୁଥିବା, ପୁଲିସ ଗୁଳିରେ ଟଳି ପଡୁଥିବା ସାଧାରଣ ଲୋକ ପାଇଁ ପଟୁଆର କରୁନାହାନ୍ତି – ଏହି ପ୍ରଶ୍ନ ଅନେକ କରୁଛନ୍ତି । କଳିଙ୍ଗ ନଗରରେ ୧୩ଜଣ ଆଦିବାସୀ ପୁଲିସ ଗୁଳିରେ ନିହତ ହେବା, ମାଇକଞ୍ଚରେ ୪ଜଣ ଆଦିବାସୀ ପୁଲିସ ଗୁଳିରେ ନିହତ ହେବା ବା ଏ’ଭଳି ନିଜର ଭିଟାମାଟି ପାଇଁ ଲଢେଇ କରୁଥିବା ଜନଗଣ ଶିଳ୍ପପତି ଓ ସରକାରଙ୍କର ନିର୍ମମ ଆକ୍ରମଣର ଶିକାର ହେବା ବିରୋଧରେ ଏହି ଯୁବ ସମାଜ କାହିଁକି ପଟୁଆରରେ ବାହାରୁ ନାହିଁ ?  ଏପରିକି ଏହି ଯୁବ ସମାଜ – ତାର କର୍ମ ସ୍ଥଳରେ ତାର ନିଯୁକ୍ତି ଦାତା ଦ୍ୱାରା ଯେପରି ଶୋଷିତ ହେଉଛି, ନିର୍ଦ୍ଧାରିତ ୮ଘଣ୍ଟା ଠାରୁ ଯଥେଷ୍ଟ ଅଧିକ ସମୟ କାମ କରିବା ସହ ବୃତ୍ତି ଜୀବନରେ ଅନିଶ୍ଚିତତା ବରଣ କରିବା ପାଇଁ ବାଧ୍ୟ ହେଉଛି, ତା’ ବିରୋଧରେ ତ ପଟୁଆର କରୁନାହିଁ ।
ଏହା ସତ୍ୟ ଯେ ସାଧାରଣ ଲୋକର ଜୀବନ ଜୀବିକା ପାଇଁ ଲଢେଇର ଦୃଶ୍ୟ, ତା’ ବିରୋଧରେ ପଟୁଆର,ଟିଭି ପରଦା ଉପରେ ସେହିଭଳି ଭାବରେ ପ୍ରଦର୍ଶିତ ହେବ ନାହିଁ ଯେପରି ଗଣଧର୍ଷଣ ବା ଦୁର୍ନୀତି ବିରୋଧରେ ହେଉଛି ା ଜୀବନ, ଜୀବିକା, ପରିିବେଶର ସୁରକ୍ଷା ନେଇ ହେଉଥିବା ଲକ୍ଷାଧିକ ସାଧାରଣ ଲୋକଙ୍କର ସମାବେଶକୁ ଗଣମାଧ୍ୟମ ଅଣଦେଖା କରିଦେବାର ତ ଅନେକ ନଜିର ରହିଛି । କାରଣ ଏହିଭଳି ସମାବେଶ, ଏହିଭଳି ଦାବି – ସେମାନଙ୍କ ପାଇଁ ଆଦୋ ଅନୁକୂଳ ନୁହେଁ ଯେଉଁମାନେ ଗଣମାଧ୍ୟମର ପୃଷ୍ଠପୋଷକତା କରନ୍ତି ।
ତେଣୁ ଯୁବ ସମାଜ ଯଦି ସମାଜରେ ଦୃଶ୍ୟମାନ ବୈଷମ୍ୟ, ସାଧାରଣ ଲୋକର ଜୀବନ ଜୀବିକାର ହନନ ବିରୋଧରେ ପଟୁଆର କରେ – ତାହା ଗଣମାଧ୍ୟମ ପାଇଁ ଆକର୍ଷଣୀୟ ହେବ ନାହିଁ କାରଣ ଏହି ବିରୋଧ ବ୍ୟବସ୍ଥାର ମୂଳଦୁଆକୁ ପ୍ରଶ୍ନ କରିବ, ସେହି କାରଣ ଗୁଡିକର ନିରାକରଣ ପ୍ରତି ଦୃଷ୍ଟି ଆକର୍ଷଣ କରିବ –  ଯାହା ଦୁର୍ନୀତି ଓ ଗଣ ଧର୍ଷଣ ଭଳି ବିକୃତି ଗୁଡିକ ପାଇଁ ଦାୟୀ । ବଜାର ଅର୍ଥନୀତିକୁ ପ୍ରଶ୍ନ କରିବ, ଉପଭୋକ୍ତାବାଦକୁ ପ୍ରଶ୍ନ କରିବ- ଯାହାର ପରିଣତି ଆଜି ବଜାରୀଗିରି ।
ବଜାର ଅର୍ଥନୀତି ଆଶ୍ରିତ ଆମର ଗଣମାଧ୍ୟମ ଓ ରାଜନୈତିକ ବ୍ୟବସ୍ଥା କ’ଣ ଏପରି ପ୍ରଶ୍ନ ଉତ୍ଥାପନକୁ  କଦାପି ଉତ୍ସାହିତ କରିବ ?

Print Friendly, PDF & Email