ଏହି ଆହ୍ୱାନ ଗତ ୨୫ ବର୍ଷ ହେଲା ଦିଆ ହେଉଛି । ନୂତନ ଜାତୀୟ ଶିକ୍ଷା ନୀତି -୧୯୮୬ ପର ଠାରୁ ଏହି ଆହ୍ୱାନ ଶୁଭୁଛି । କାରଣ ଏହି ଶିକ୍ଷାନୀତିରେ ଜଣାଇ ଦିଆଗଲା ଯେ ଶିକ୍ଷା ଦୁଇ ପ୍ରକାର ହୋଇପାରେ, ଔପଚାରିକ ଶିକ୍ଷା ଓ ଅଣ ଔପଚାରିକ ଶିକ୍ଷା । ସଂବିଧାନରେ ଧାରା ୪୫ରେ ଶିକ୍ଷା କଥା ଥିଲା , ଦୁଇ ପ୍ରକାର ଶିକ୍ଷାର ପ୍ରସ୍ତାବ ନ ଥିଲା । ତେଣୁ ଯେଉଁ ମାନେ ସମ୍ବିଧାନର ବ୍ୟୁତ୍ପତ୍ତି କରିବାରେ ଧୁରୀଣ, ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି କୃଷ୍ଣା ଆୟାର ଓ ଚିନ୍ନପା ରେଡ୍ଡୀ ମହୋଦୟ ଏହି ଭଳି ଦୁଇ ପ୍ରକାରର ଶିକ୍ଷାର ପ୍ରସ୍ତାବକୁ ସମ୍ବିଧାନ ପ୍ରତି ପ୍ରତାରଣା ବୋଲି ତକ୍ରାଳ ଅଭିଯୋଗ କରିଥିଲେ । ସମାଜରେ ସମସ୍ତଙ୍କ ପାଇଁ ଗୋଟିଏ ପ୍ରକାରର ଶିକ୍ଷାର ଯେଉଁ ସାମ୍ବିଧାନିକ ଲକ୍ଷ୍ୟ ଥିଲା ସେଥିରୁ ବିଚ୍ୟତି ହେବାର ପର୍ଯ୍ୟାୟର ଯେପରି ଅୟମାରମ୍ଭ ହେଲା । ଏହି ନୀତିରେ ରହିଲା ସରକାରୀ ଖର୍ଚ୍ଚରେ ନବୋଦୟ ବିଦ୍ୟାଳୟର ସ୍ଥାପନା ଯେଉଁ
ଠାରେ ବଛା ବଛା ଗ୍ରାମାଂଚଳର ମେଧାବୀ ଛାତ୍ରମାନେ ପଢିବାର ସୁଯୋଗ ପାଇବେ । ଏହି ବିଦ୍ୟାଳୟର ଭତ୍ତିଭୂମିି, ଶିକ୍ଷାଦାନର ପରିବେଶ ଅନ୍ୟ ସାଧାରଣ ବିଦ୍ୟାଳୟ ଠାରୁ ଭିନ୍ନ ହେବ ବୋଲି ପ୍ରସ୍ତାବ ରହିଲା । ଅଣଔପଚାରିକ ଶିକ୍ଷାଦାନ ରେ ସ୍ୱେଚ୍ଛାସେବୀ ସଂଗଠନ ବା ଏନ.ଜି.ଓ ମାନେ ନିୟୋଜିତ ହେବେ ବୋଲି ପ୍ରସ୍ତାବ ରହିଲା । ଅର୍ଥାତ୍ ଶିକ୍ଷାଦାନରେ ଦୁଇ ପ୍ରକାର ଗୋଷ୍ଠୀ ନିୟୋଜିତ ହେବାର ସମ୍ଭାବନା ସୃଷ୍ଟି ହେଲା, ଔପଚାରିକ ଶିକ୍ଷାରେ ନିୟୋଜିତ ମାନେ ହେଲେ ଶିକ୍ଷକ ଓ ଅଣଔପଚାରିକ ଶିକ୍ଷାରେ ନିୟୋଜିତ ମାନେ ହେଲେ ଶିକ୍ଷା ସହାୟକ । ସାରାଂଶ ହେଉଛି ଯେ ଏହି ଶିକ୍ଷାନୀତି ସମ୍ବିଧାନକୁ ବୃଦ୍ଧାଂଗୁଷ୍ଠି ଦେଖାଇ ଶିକ୍ଷାକୁ ଦୁଇଭାଗ କଲେ, ଶିକ୍ଷାନୁଷ୍ଠାନକୁ ଦୁଇଭାଗ କଲେ , ଶିକ୍ଷକ ସମ୍ପ୍ରଦାୟକୁ ଦୁଇ ଭାଗ କଲେ । ଗୋଟିଏ ପ୍ରକାରର ଶିକ୍ଷା, ସମାନ ପ୍ରକାରର ଶିକ୍ଷାନୁଷ୍ଠାନ ଓ ସମାନ ସାମାଜିକ ତଥା ଆର୍ଥିକ ମର୍ଯ୍ୟାଦା ପାଉଥିବା ଶିକ୍ଷକ ଯେ ଆଉ ଦୃଶ୍ୟ ହେବ ନାହିଁ ଏହା ଅନେକ ଶବ୍ଦରେ ଜାତୀୟ ଶିକ୍ଷାନୀତି ୧୯୮୬ ଭାରତର ଜନସାଧାରଣଙ୍କୁ ଜଣାଇଦେଲା । ଆମେ ଜାଣିଥିଲୁ ଯେ ଶିକ୍ଷାର ଲକ୍ଷ୍ୟ ହେଉଛି ସମାଜରେ ବୈଷମ୍ୟକୁ ଦୂର କରିବା । କିନ୍ତୁ ଆମେ ୧୯୮୬ ମସିହାରେ ଏକ ଏପରି ଶିକ୍ଷାନୀତିର ପ୍ରଚଳନ ଦେଖିଲୁ ଯାହା ଶିକ୍ଷା ବ୍ୟବସ୍ଥାରେ ବୈଷମ୍ୟର ଭିତ୍ତି ପକାଇଲା । ଆଜି ଯେଉଁ ଭିନ୍ନ ଭିନ୍ନ ବୋର୍ଡ ଦ୍ୱାରା ନିୟନ୍ତ୍ରିତ ଶିକ୍ଷା କିସମ କିସମ ର ଶିକ୍ଷାନୁଷ୍ଠାନ ଓ ଭିନ୍ନ ଭିନ୍ନ ଜାତିର ଶିକ୍ଷକ ଦେଖୁଛୁ ତାହା ସବୁ ୧୯୮୬ରେ ରୋପିତ ଶିକ୍ଷାନୀତି ଚାରାର ବିବର୍ତ୍ତିତ ରୂପ । ତେଣୁ ଆମ ସମାଜରେ ପ୍ରଚଳିତ ଶିକ୍ଷା ବ୍ୟବସ୍ଥା ହିଁ ଦର୍ଶାଇଦେଉଛି ଯେ ଏହି ସମାଜ କିପରି ସମୟାନୁକ୍ରମେ ଅଧିକରୁ ଅଧିକ ବିଭାଜିତ ହୋଇ ଚାଲିଛି । ଏହା ପ୍ରକୃତରେ ଏକ ବିଡମ୍ବନା । ଶିକ୍ଷା ବଂଚାଅ ଆହ୍ୱାନ ଶିକ୍ଷା ବ୍ୟବସ୍ଥାର ଏତାଦୃଶ ବିଭାଜିତ ସ୍ୱରୂପ ବିରୋଧରେ ଆହ୍ୱାନ ।
ଶିକ୍ଷା ଅଧିକାର ଆଇନ-୨୦୦୯
ଏହି ଆଇନ ପ୍ରଣୟନ ହେବା ଓ ୨୦୧୦ ଏପ୍ରିଲ ପହିଲାରୁ ଏହି ଆଇନ କାର୍ଯ୍ୟକାରୀ ହେବା ଏକ ବିରାଟ ସଫଳତା ବୋଲି ଦାବି କରା ହେଉଛି । ପ୍ରଧାନମନ୍ତ୍ରୀ ମନମୋହନ ସିଂହ ତ ଏହାକୁ ଏକ ବୈପ୍ଳବିକ ପଦକ୍ଷେପ ବୋଲି କହିଛନ୍ତି । ଏହି ଆଇନରେ ଥିବା ପାସ ଫେଲ ବ୍ୟବସ୍ଥାର ଉଚ୍ଛେଦ ଇତ୍ୟବସରରେ ବହୁ ସମାଲୋଚନାର ଶରବ୍ୟ ହୋଇଛି ଓ କେନ୍ଦ୍ର ସରକାର ଏହି ବ୍ୟବସ୍ଥାର ଉଚ୍ଛେଦ ଉପରେ ପୁନର୍ବିଚାର କରୁଛନ୍ତି ବୋଲି ସମ୍ବାଦ । ତେବେ ଶିକ୍ଷା ବଂଚାଅ କମିଟି, ଓଡିଶା ଶାଖା ଏହି ବ୍ୟବସ୍ଥାକୁ ପ୍ରଥମରୁ ବିରୋଧ କରି ଆସିଛି । ଛାତ୍ର ସଂଗଠନ ମାନଙ୍କ ମଧ୍ୟରୁ କେବଳ ଡି.ଏସ୍.ଓ ଏହି ବ୍ୟବସ୍ଥାକୁ ବିରୋଧ କରିବା ଦୃଶ୍ୟମାନ ହୋଇଛି । ତେବେ ଏହି ଆଇନର ପ୍ରଣୟନ କିପରି ଓ କେଉଁ ପୃଷ୍ଠଭୂମିରେ ହେଲା ତାହା ଜାଣିବା ପ୍ରାସଂଗିକ ହେବ ।
ଶିକ୍ଷା ଏକ ମାନବିକ ଅଧିକାର । UN General Assembly ରେ ଘୋଷଣା କରା ଯାଇଥିଲା Universal Declaration of Human Rights (UDHR) ଯାହାର ଧାରା ୨୬(୧)ରେ କୁହାଗଲା, “Every one has the right to education. Education shall be free, at least in the elementary and fundamental stages. Elementary education shall be compulsory…..” .ଏହି ଘୋଷଣା କରାଯାଇଥିଲା ୧୦ ଡିସେମ୍ବର ୧୯୪୮ ଦିନ ଓ ଏହି ଘୋଷଣାନାମାରେ ସଦ୍ୟ ସ୍ୱାଧୀନତା ଲାଭ କରିଥିବା ଭାରତ ମଧ୍ୟ ସ୍ୱାକ୍ଷର କରିଥିଲା । ଭାରତର ସମ୍ବିଧାନରେ ଶିକ୍ଷାକୁ ମୈାଳିକ ଅଧିକାରର ମାନ୍ୟତା ଦେବା ପାଇଁ ସମ୍ବିଧାନ ସଭାରେ ହୋଇଥିବାର ଦୃଷ୍ଟାନ୍ତ ମିଳେ । କିନ୍ତୁ ଏହା ହୋଇ ପାରିଲା ନାହିଁ । ଏହାକୁ ନିର୍ଦ୍ଦେଶିକା ନୀତିରେ ସ୍ଥାନ ଦେବା ସପକ୍ଷରେ ସମସ୍ତେ ଏକ ମତ ହେଲେ, ଆମ୍ବେଦକରଙ୍କ ଚାପରେ ଏକ ସମୟ ସୀମା ରଖାଗଲା ଯାହା ନିର୍ଦ୍ଦେଶିକା ନୀତିରେ ଥିବା କୈାଣସି ଧାରା ରେ ନାହିଁ । ଧାରା ୪୫ ରେ କୁହାଗଲା, ‘The State shall endeavour to provide, within a period of ten years from the commencement of this Constitution, for free and compulsory education for all children until they complete the age of fourteen years.’ କିନ୍ତୁ ଏହା କହିବାର ଆବଶ୍ୟକତା ନାହିଁ ଯେ ଏ ଲକ୍ଷ୍ୟ ଏଯାବତ୍ ରାଷ୍ଟ୍ର ହାସଲ କରିପାରି ନାହିଁ । କିନ୍ତୁ ୧୯୯୩ (୧୩ ଫେବୃଆରୀ) ରେ ମାନ୍ୟବର ଉଚ୍ଚତମ ନ୍ୟାୟଳୟ ଏକ ମାମଲାରେ (Unnikrishnan, J.P. and others vs. State of Andhra Pradesh and others) ରାୟ ଦେଇ କହିଲେ, ‘….every child/citizen of this country has a right to free education until he completes the age of fourteen years.ଏହି ରାୟ ପ୍ରକାଶ ପାଇବାର ପ୍ରାୟ ଦଶ ବର୍ଷ ପରେ ୧୨ ଡିସେମ୍ବର ୨୦୦୨ ଦିନ ୮୬ତମ ସମ୍ବିଧାନ ସଂଶୋଧନ ଜରିଆରେ ସମ୍ବିଧାନର ଧାରା ୨୧ ରେ ଯୋଡା ଗଲା ଓ କୁହାଗଲା, ‘The State shall provide free and compulsory education to all children of the age of six to fourteen years in such a manner as the State may by law determine.’ ଓ ଏହାକୁ ଧାରା ୨୧(ଏ) ଭାବେ ଚିହ୍ନିତ କରାଗଲା । ଏଠି ଲକ୍ଷ୍ୟ କରିବାର କଥା ଯେ ଧାରା ୪୫ରେ ବାଧ୍ୟତା ମୂଳକ ମାଗଣା ଶିକ୍ଷାର ପ୍ରତିଶୃତି ଥିଲା ସମସ୍ତ ବାଳକ/ବାଳିକାଙ୍କୁ ୧୪ ବର୍ଷ ବୟସ ପର୍ଯ୍ୟନ୍ତ, କିନ୍ତୁ ମୋ÷÷ଳିକ ଅଧିକାର ଦିଆଗଲା ୬ବର୍ଷରୁ ୧୪ବର୍ଷ ପର୍ଯ୍ୟନ୍ତ ବାଳକ/ବାଳିକାଙ୍କୁ । ଅର୍ଥାତ୍ ନିର୍ଦ୍ଦେଶିକାରେ ଥିବା ପ୍ରତିଶୃତି ଖଣ୍ଡିତ ହେଲା ମୈାଳିକ ଅଧିକାରର ସ୍ୱୀକୃତି ପାଇଲା ବେଳକୁ । କିନ୍ତୁ ଏହା କାର୍ଯ୍ୟକାରୀ ହେଲା ନାହିଁ ପ୍ରାୟ ୭ ବର୍ଷ ଯାଏ କାରଣ ରାଷ୍ଟ୍ର ଏଥି ପାଇଁ ଆଇନ ପ୍ରଣୟନ କରି ନଥିଲା । ବୋଧ ହୁଏ ଆହୁରି ବିଳମ୍ବ ହୋଇ ଥାନ୍ତା ଆଇନ ପ୍ରଣୟନରେ ଯଦି ମନ୍ତ୍ରଣାଳୟର କେହି ଜଣେ ବାବୁ ୨୦୦୮ ମସିହା ଫେବୃଆରୀ ୪ତାରିଖ ଦିନ ଏକ ଗୋପନୀୟ ଜ୍ଞାପନ (F.N.1-1/2008EE dated 4th February 2008 (confidential)) ଲେଖି ଆଇନ କରିବାର ଅପରିହାର୍ଯ୍ୟତା ସଂପର୍କରେ ଦୃଷ୍ଟି ଆକର୍ଷଣ କରି ନ ଥାନ୍ତେ । ଜ୍ଞାପନରେ ଲେଖାଯାଇଥିଲା, ‘ସମ୍ବିଧାନ (୮୬ତମ ସଂଶୋଧନ) ଅଧିନିୟମ ୨୦୦୨ ଖଣ୍ଡ ୧(୨) ଅନୁସାରେ ଏହା ସେହି ତାରିଖରୁ କାର୍ଯ୍ୟକାରୀ ହେବ ଯେଉଁ ତାରିଖରେ କେନ୍ଦ୍ର ସରକାର ଏହାକୁ ସରକାରୀ ଗେଜେଟରେ ପ୍ରକାଶ କରିବେ । ୮୬ତମ ସଂଶୋଧନକୁ ବାଧ୍ୟତାମୂଳକ କରିବାରେ ବହୁତ ବିଳମ୍ବ ହୋଇ ଗଲାଣି । ଯେତେବେଳ ଯାଏ ୮୬ତମ ସଂଶୋଧନ ବାଧ୍ୟତାମୂଳକ ନ ହୋଇଛି ସେତେବେଳ ଯାଏ ଉନ୍ନିକୃଷ୍ନନ ମାମଲାରେ ସୁପ୍ରିମ କୋର୍ଟ ନେଇଥିବା ନିଷ୍ପତ୍ତି ଅନୁସାରେ ୦-୧୪ ବର୍ଷ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ସୁବିଧା ଯୋଗାଇବାକୁ ହେବ । ତେଣୁ ୮୬ତମ ସଂଶୋଧନ ଯାହାର ପରିସର ଭିତରେ ୬-୧୪ବର୍ଷର ପିଲାମାନେ ଅନ୍ତର୍ଭୁକ୍ତ, ସରକାରୀ ଗେଜେଟରେ ପ୍ରକାଶ କରି ଅବିଳମ୍ବେ ବାଧ୍ୟତାମୂଳକ କରିବା ଜରୁରୀ ହୋଇଗଲାଣି ।’ ତେଣୁ ଶିକ୍ଷା ଅଧିକାର ଆଇନ ଯେ ୨୦୦୯ ମସିହାରେ ଆସିଲା ତାହା ପଛରେ ଅସଲ ଉଦ୍ଦେଶ୍ୟ ହେଉଛି ୦-୬ ବର୍ଷର ପିଲାଙ୍କୁ ମାଗଣା ବାଧ୍ୟତାମୂଳକ ଶିକ୍ଷାର ମୈାଳିକ ଅଧିକାରରୁ ବଂଚିତ କରିବା । ଏହି ବୟସର ପିଲାଙ୍କ ସଂଖ୍ୟା ପାଖାପାଖି ୧୭ କୋଟି, ଯେତେବେଳେ ୬-୧୪ ପିଲାଙ୍କ ସଂଖ୍ୟା ହେଉଛି ପ୍ରାୟ ୧୯ କୋଟି । ତେଣୁ ଏହି ଆଇନକୁ inclusive କହିବା ଏକ ବିଡମ୍ବନା । ଏହା ପୁଣି ଯୁଗାନ୍ତକାରୀ ଓ ବୈପ୍ଳବିକ ଆଇନ ବୋଲି କ୍ଷମତାସୀନ ରାଜନେତା ମାନଙ୍କର ଦାବି । କିନ୍ତୁ ୮୬ ତମ ସଂଶୋଧନର ପରିଣତିରେ ଧାରା ୨୧(ଏ) ସମ୍ବିଧାନରେ ଅନ୍ତର୍ଭୁକ୍ତ ହେବା ସହିତ ଧାରା ୫୧ (ଏ) ରେ ଅନ୍ତର୍ଭୁକ୍ତ ହେଲା ଅଭିବାକଙ୍କର ମୈାଳିକ କର୍ତ୍ତବ୍ୟ ଯେ ସେମାନେ ତାଙ୍କର ୬ରୁ୧୪ ବର୍ଷ ବୟସର ସନ୍ତାନ ସନ୍ତତିଙ୍କୁ ଶିକ୍ଷା ପାଇଁ ସୁବିଧା ସୁଯୋଗ ଯୋଗାଇବେ (ewho is a parent or guardian to provide opportunities for education to his child or, as the case may be ward between the age of six and fourteen years.) । ଆଉ ଏକ ପରିଣତି ହେଉଛି ଏହି ସଂଶୋଧନର ଯେ ନିର୍ଦ୍ଦେଶିକା ନୀତିର ଧାରା ୪୫ର ସଂକୋଚନ । ବର୍ତ୍ତମାନ ଧାରା ୪୫ ର କଥନ ହେଉଛି-eThe Stae shall endeavour to provide early childhood care and education for all children until they complete the age of six years.
Annual Status of Education Report (Rural) 2012
ଏହା ଏକ ସର୍ବେକ୍ଷଣ ଯାହା ଗ୍ରାମାଂଚଳରେ ମୈାଳିକ ଶିକ୍ଷା (elementary education)ର ସ୍ଥିତି ୨୦୧୨ରେ କିପରି ଥିଲା ତାହାର ଏକ ଚିତ୍ର ଆମ ସାମନାରେ ରଖେ । ଏହି ସର୍ବେକ୍ଷଣର କର୍ତ୍ତା ହେଉଛନ୍ତି ପ୍ରଥମ ନାମକ ଏକ ମୁମ୍ବାଇ ଠାରେ ପ୍ରତିଷ୍ଠିତ ସଂସ୍ଥା, ୍ୟାହାର ପୃଷ୍ଠପୋଷକତା କରନ୍ତି ବଡ ବଡ କମ୍ପାନୀ (ଯେପରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ଆଇ.ବି.ଏମ., ବୋଇଂ ଇଣ୍ଟରନେସନାଲ, ବ୍ରିଟିଶ ଗ୍ୟାସ, ମାକିନସେ କମ୍ପାନୀ), ବଡ ବଡ ଏନ.ଜି.ଓ (ଯେପରି ଅକ୍ସଫାମ, ନୋଭିବ), ଆନ୍ତର୍ଜାତିକ ବ୍ୟବସାୟିକ ବ୍ୟାଙ୍କ (ଯେପରି ସିଟି ଗ୍ରୁପ, ଆଇ.ସି.ଆଇ.ସି.ଆଇ ବ୍ୟାଙ୍କ, ସ୍ଟାଣ୍ଡାର୍ଡ ଚାଟାର୍ଡ ବ୍ୟାଙ୍କ) ଓ ସର୍ବୋପରି ବିଶ୍ୱ ବ୍ୟାଙ୍କ । ୨୦୦୫ରୁ ଏହି ଭଳି ସର୍ବେକ୍ଷଣ ପ୍ରକାଶିତ ହୋଇ ଆସୁଛି । ଯଦିଓ ଶିକ୍ଷା ଅଧିକାର ଆଇନ-୨୦୦୯ କାର୍ଯ୍ୟକାରୀ ହେବା ପରେ ଏହି ସର୍ବେକ୍ଷଣ ଗଣମାଧ୍ୟମ ପାଇଁ ବେଶ ଆକର୍ଷଣୀୟ ହୋଇଛି ।