ଇତ୍ୟବସରରେ ମୈାଳିକ ଶିକ୍ଷା (Elementary Education) ର ସ୍ଥିତି ସଂପର୍କରେ ଏକ ରିପୋର୍ଟ ଗଣମାଧ୍ୟମରେ ବେଶ ଚର୍ଚ୍ଚିତ ହୋଇଛି । ଏହି ରିପୋର୍ଟର ଶିରୋନାମା ହେଉଛି Annual Status of Education Report (Rural) 2012 । ଏହି ରିପୋର୍ଟରେ ଭାରତର ଗ୍ରାମାଂଚଳରେ ମୈାଳିକ ଶିକ୍ଷାର ସ୍ଥିତି ୨୦୧୨ ମସିହାରେ କିପରି ଥିଲା ତାହାର ଏକ ପରିସାଂଖ୍ୟନିକ ବିବରଣୀ ଦିଆଯାଇଛି । ଚାଂଚଲ୍ୟକାରୀ ସଂବାଦ ପ୍ରତି ସହଜାତ ଆକର୍ଷଣ ଥିବା ଗଣମାଧ୍ୟମ ପାଇଁ ଏହି ରିପୋର୍ଟ ଟି ଥିଲା ଏକ ଅପୂର୍ବ ସୁଯୋଗ । କ’ଣ ବା ଏହାଠାରୁ ଅଧିକ ଚାଂଚଲ୍ୟକର ହୋଇପାରେ ଯେ ଆମ ଗାଁ ମାନଙ୍କରେ ୫ମ ଶ୍ରେଣୀରେ ପଢୁଥିବା ଛାତ୍ରୀ-ଛାତ୍ରଙ୍କ ମଧ୍ୟରୁ ଶତକଡା ୫୩.୨ ଭାଗ ଛାତ୍ରୀ-ଛାତ୍ର ଦ୍ୱିତୀୟ ଶ୍ରେଣୀର ସାହିତ୍ୟ ପଢିପାରନ୍ତି ନାହିଁ ଯେତେବେଳେ କି ୨୦୧୧ରେ ଏହି ଅଂଶ ଥିଲା ୫୧.୮ ଓ ତା ପୂର୍ବରୁ ୨୦୧୦ରେ ଏହି ଅଂଶ ଥିଲା ୪୬.୩ । ଏହି ଶ୍ରେଣୀର ଶତକଡା ୪୬.୫ ଛାତ୍ରୀ-ଛାତ୍ର ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟାର ବିୟୋଗ କରିପାରନ୍ତି ନାହିଁ ଯେତେବେଳେ କି ୨୦୧୧ରେ ଏହି ଅଂଶ ଥିଲା ୩୯.୦ ଓ ତା ପୂର୍ବରୁ ୨୦୧୦ରେ ଏହି ଅଂଶ ଥିଲା ୨୯.୧ । ଏହି ଶ୍ରେଣୀର ଶତକଡା ୭୫.୨ ଭାଗ ଛାତ୍ରୀ-ଛାତ୍ର ସାମାନ୍ୟ ହରଣ କରିପାରନ୍ତି ନାହିଁ ଯେତେବେଳେ କି ୨୦୧୧ରେ ଏହି ଅଂଶ ଥିଲା ୭୨.୪ ଓ ତା ପୂର୍ବରୁ ୨୦୧୦ରେ ଏହି ଅଂଶ ଥିଲା ୬୩.୮ । ସେହିଭଳି ୩ୟ ଶ୍ରେଣୀରେ ପଢୁଥିବା ଛାତ୍ରୀ-ଛାତ୍ରଙ୍କ ମଧ୍ୟରୁ ଶତକଡା ୬୧.୩ ଭାଗ ଛାତ୍ରୀ-ଛାତ୍ର ପ୍ରଥମ ଶ୍ରେଣୀର ସାହିତ୍ୟ ପଢିପାରନ୍ତି ନାହିଁ ଯେତେବେଳେ କି ୨୦୧୧ରେ ଏହି ଅଂଶ ଥିଲା ୫୯.୭ ଓ ତା ପୂର୍ବରୁ ୨୦୧୦ରେ ଏହି ଅଂଶ ଥିଲା ୫୪.୪ । ଯଦି ଆମେ ସ୍ମରଣ କରୁ ଯେ ୨୦୧୦ ମସିହାରୁ ‘ବୈପ୍ଳବିକ’ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ-୨୦୦୯ ର ପ୍ରଣୟନ ହୋଇଛି,ତାହାଲେ ଉପରୋକ୍ତ ପରିସଂଖ୍ୟାନରୁ ସ୍ପଷ୍ଟ ଜଣାପଡିବା ଯେ ଏହି ଆଇନ କାର୍ଯ୍ୟକାରୀ ହେବା ପରଠାରୁ ପରିସ୍ଥିତି ଅଧିକରୁ ଅଧିକ ଖରାପ ହେଉଛି-ନିଶ୍ଚିତ ଭାବରେ କମ ଚାଂଚଲ୍ୟକର ନୁହେଁ, ବିଶେଷତଃ ଯେତେବେଳେ ଶାସକ ଦଳ ଏହି ଆଇନକୁ ଯୁଗାନ୍ତକାରୀ କହି ନିଜର ପିଠିକୁ ସଶବ୍ଦେ ଥାପୁଡାଇବାରେ ଲାଗିଛି । କିନ୍ତୁ ଏହି ରିପୋର୍ଟ ରେ ସ୍ଥାନିତ ପରିସଂଖ୍ୟାନର ଭିଡ ଭିତରେ ଯେଉଁ ପରିସଂଖ୍ୟାନ ଏହି ଲେଖକର ଦୃଷ୍ଟିରେ ତାତ୍ପର୍ଯ୍ୟପୂର୍ଣ ବୋଲି ମନେ ହୋଇଛି ତାହା ହେଉଛି ଘରୋଇ ବିଦ୍ୟାଳୟ ଗୁଡିକରେ ଶିକ୍ଷାଦାନ ସଂପର୍କିତ । ଯେପରି ତିନି ଅଙ୍କ ବିଶିଷ୍ଟ ସଂଖ୍ୟାକୁ ଏକ ଅଙ୍କ ବିଶିଷ୍ଟ ସଂଖ୍ୟା ଦ୍ୱାରା ଭାଗ କରିପାରୁଥିବା ୫ମ ଶ୍ରେଣୀ ଛାତ୍ରୀ-ଛାତ୍ରଙ୍କ ଅଂଶ ସରକାରୀ ବିଦ୍ୟାଲୟରେ ମାତ୍ର ଶତକଡା ୨୦ ଭାଗ ହୋଇଥିଲା ବେଳେ, ଘରୋଇ ବିଦ୍ୟାଳୟରେ ଏହି ଅଂଶ ହେଉଛି ଶତକଡା ୪୦ । ସେହିପରି ଅନ୍ୟୁନ ୨ୟ ଶ୍ରେଣୀ ସାହିତ୍ୟ ପଢିପାରୁଥିବା ୫ମ ଶ୍ରେଣୀ ଛାତ୍ରୀ-ଛାତ୍ରଙ୍କ ଅଂଶ ସରକାରୀ ବିଦ୍ୟାଲୟରେ ମାତ୍ର ଶତକଡା ୪୦ ଭାଗ ହୋଇଥିଲା ବେଳେ, ଘରୋଇ ବିଦ୍ୟାଳୟରେ ଏହି ଅଂଶ ହେଉଛି ଶତକଡା ୬୦ । ଅବଶ୍ୟ ଘରୋଇ ବିଦ୍ୟାଳୟରେ ଏହି ଅଂଶ ପୂର୍ବ ବର୍ଷ ତୁଳନାରେ କ୍ରମାନ୍ୱୟରେ ହ୍ରାସ ପାଇବା ଦେଖାଯାଉଛି । କହିବା ବାହୁଲ୍ୟ ଯେ ଏହି ଭଳି ଅନେକ ପରିସଂଖ୍ୟାନ ଏହି ରିପୋର୍ଟରେ ଦିଆଯାଇଛି ଯାହା ଦର୍ଶାଏ ଯେ ଘରୋଇ ବିଦ୍ୟାଳୟ ଗୁଡିକରେ ଛାତ୍ରୀ-ଛାତ୍ରଙ୍କର ପାଠ ପଢା ସରକାରୀ ବିଦ୍ୟାଳୟ ଗୁଡିକ ଅପେକ୍ଷା ଯଥେଷ୍ଟ ଉନ୍ନତତର । କେବଳ ଏତିକି ନୁହେଁ ଏହି ରିପୋର୍ଟରେ ମଧ୍ୟ ସ୍ଥାନିତ ହୋଇଛି କିପରି ଘରୋଇ ବିଦ୍ୟାଳୟ ମାନଙ୍କରେ ନାମ ଲେଖାଉଥିବା ଛାତ୍ରୀ-ଛାତ୍ରଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପେଯରିକି ପ୍ରାଥମିକ ସ୍ତରରେ (ପ୍ରଥମ ଶ୍ରେଣୀରୁ ପଂଚମ ଶ୍ରେଣୀ) ପିଲାଙ୍କ ମଧ୍ୟରୁ ୨୦୧୦ ମସିହାରେ ଶତକଡା ୨୨.୫୬, ୨୦୧୧ ମସିହାରେ ଶତକଡା୨୫.୬ ଘରୋଇ ବିଦ୍ୟାଳୟରେ ପଢୁଥିବା ବେଳେ ଏହି ଅଂଶ ୨୦୧୨ ମସିହାରେ ଶତକଡା ୨୮.୩୯ କୁ ବୃଦ୍ଧି ପାଇଛି । ଘରୋଇ ବିଦ୍ୟାଳୟରେ ନାମଲେଖା ବାର୍ଷିକ ି ଶତକଡା ୧୦ ହାରରେ ବୃଦ୍ଧି ପାଉଛି । ଏହି ହାରରେ ବୃଦ୍ଧି ଘଟିଲେ ୨୦୨୦ ମସିହା ସୁଦ୍ଧା ଶତକଡା ୫୦ ରୁ ଉଦ୍ଧ୍ୱର୍ ଛାତ୍ରୀ-ଛାତ୍ର ଘରୋଇ ବିଦ୍ୟାଳୟରେ ପଢୁଥିବେ । ଅର୍ଥାତ୍ ଏହି ରିପୋର୍ଟର ପରିସଂଖ୍ୟାନ ଅନୁସାରେ ୨୦୨୦ ବେଳକୁ ଘରୋଇ ବିଦ୍ୟାଳୟମାନେ ହିଁ େଓ÷ାପଚାରିକ ପ୍ରାଥମିକ ଶିକ୍ଷାର ପ୍ରମୁଖ ଯୋଗାଣକାରୀ ହୋଇଯିବେ ! ଯେଉଁ ସଂଗଠନର ଏହି ରିପୋର୍ଟ ପ୍ରକାଶନ ପଛରେ ଅଛି ଅର୍ଥାତ୍ ପ୍ରଥମ ତାର ମୁଖ୍ୟ କାର୍ଯ୍ୟନିର୍ବାହୀ ଓ ସଭାପତି ମାଧବ ଚାଭନ ଙ୍କ ଭାଷାରେ ୨୦୨୦ ମସିହା ସୁଦ୍ଧା ଶତକଡା ୫୦ ରୁ ଅଧିକ ପିଲା ପଇସା ଦେଇ ସେମାନଙ୍କର ପ୍ରାଥମିକ ଶିକ୍ଷା ଗ୍ରହଣ କରିବେ । ଏହି ପରିସଂଖ୍ୟାନ ସରକାରଙ୍କ ମାଗଣା ବାଧ୍ୟତାମୂଳକ ଶିକ୍ଷାର ଘୋଷିତ ବ୍ୟବସ୍ଥାର ନିଶ୍ଚିତ ବିଫଳତା ପ୍ରତି ଇଂଗିତ କରୁ ନାହିଁ କି? ଅପର ପକ୍ଷରେ ଏହି ପରିସଂଖ୍ୟାନ ଦ୍ୱାରା ଶିକ୍ଷାର ଘରୋଇକରଣରେ ପୁଂଜି ନିବେଶ କରଥିବା ବେପାରୀ ମାନେ ନିଶ୍ଚିତ ଉଲ୍ଲସିତ ହେଉଥିବେ । କାରଣ ଏହି ରିପୋର୍ଟରେ ସେମାନେ ପାଉଥିବେ କ୍ରମବର୍ଦ୍ଧମାନ ଶିକ୍ଷା ବେପାର ର ପ୍ରତିଶୃତି ଓ ସେମାନଙ୍କର ନିବେଶ ଉପରେ ନିଶ୍ଚିତ ଲାଭର ପ୍ରତିଶୃତି । ମନେହୁଏ ସତେ ଯେପରି ଏହି ରିପୋର୍ଟଟି ପ୍ରାଥମିକ ଶିକ୍ଷାର ଘରୋଇକରଣ ସପକ୍ଷରେ ଏକ ଦୃଢ ବିଜ୍ଞାପନ ଓ ସରକାରୀ ଶିକ୍ଷା ବ୍ୟବସ୍ଥାର ନିଶ୍ଚିତ ଅସଫଳତାର ଏକ ଭବିଷ୍ୟବାଣୀ । କହିବା ବାହୁଲ୍ୟ ଯେ ଏହି ରିପୋର୍ଟ ପ୍ରକାଶନ ପଛରେ ଥିବା ପ୍ରଥମ ର କଂପାନୀ,ଏନଜିଓ ତଥା ଆର୍ନ୍ତଜାତିକ ପୃଷ୍ଠପୋଷକ (ଯେପରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ସିଟି ଗ୍ରୁପ, ଆଇସିଆଇସିଆଇ ବ୍ୟାଙ୍କ, ମାକିନସେ କଂପାନୀ, ଆଇବିଏମ, ବୋଇଂ ଇନ୍ଟରନେସନାଲ,ଅକ୍ସଫାମ-ନୋଭିବ,ସ୍ଟାଣ୍ଡାର୍ଡ ଚାଟାର୍ଡ ବ୍ୟାଙ୍କ, ବ୍ରିଟିଶ ଗ୍ୟାସ, ବିଶ୍ୱ ବ୍ୟାଙ୍କ ଇତ୍ୟାଦି) ମାନଙ୍କୁ ମଧ୍ୟ ଖୁବ ଉଲ୍ଲସିତ କରୁଥିବ । ମାଗଣା ଓ ବାଧ୍ୟତା ମୂଳକ ଶିକ୍ଷାକୁ ମୈାଳିକ ଅଧିକାର ଭାବେ ସ୍ୱୀକାର କରିବା ପାଇଁ ବାଧ୍ୟ ସରକାରଙ୍କୁ ମଧ୍ୟ ଉଲ୍ଲସିତ କରୁଥିବ ଯେ ୨୦୨୦ ବେଳକୁ ତାଙ୍କ ଦାୟିତ୍ୱ ଏହି କ୍ଷେତ୍ରରେ ଅଧା ହୋଇଯିବ । କିନ୍ତୁ ଏଠାରେ ଦର୍ଶାଇବା ଉଚିତ ହେବ ଯେ ଏହି ରିପୋର୍ଟ ଏକ ସୀମିତ ସର୍ବେକ୍ଷଣ ଉପରେ ହିଁ ପର୍ଯ୍ୟବେସିତ । ପେଯରି କି ସାରା ଭାରତରେ ୬୩୩ ଟି ଜିଲ୍ଲାରେ ମୋଟ ୧୨,୮୫,୫୭୬ ମୈାଳିକ ବିଦ୍ୟାଳୟରୁ (ପ୍ରଥମ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀ) ମାତ୍ର ୧୪, ୫୯୧ଟି ବିଦ୍ୟାଳୟକୁ ସର୍ବେକ୍ଷଣ ଅର୍ନ୍ତଭୁକ୍ତ କରାଯାଇଥିଲା; ଅବଶ୍ୟ ଏହି ବିଦ୍ୟାଳୟ ଗୁଡିକର ଚୟନ ହୋଇଥିଲା ୫୬୭ ଟି ଜିଲ୍ଲାରୁ । ମୈାଳିକ ଶିକ୍ଷା ସ୍ତରରେ ସାରା ଭାରତରେ ମୋଟ ନାମ ଲେଖାଇଥିବା ଛାତ୍ରୀ-ଛାତ୍ରଙ୍କ ସଂଖ୍ୟା ଯେତେବେଳେ ୧୩,୪୩,୮୦,୦୦୦, ସେତେବେଳେ ଏହି ସର୍ବେକ୍ଷଣର ପରିସରଭୁକ୍ତ ହୋଇଥିଲେ ମାତ୍ର ୭୦୦୦୦୦ ପିଲା ଅବଶ୍ୟ ପରିସଂଖ୍ୟାନ ଶାସ୍ତ୍ରର ପ୍ରୟୋଗ କରାଯାଇ ଯେଉଁ ନିଷ୍କର୍ଷ ଗୁଡିକ ଦିଆଯାଇଛି ତାହା ସର୍ବଭାରତୀୟ ସ୍ଥିତିକୁ ପ୍ରତିଫଳିତ କରୁଛି ବୋଲି ଧାରଣା ଦିଆଯାଇଛି ।
ଓଡିଶାରେ ମୈାଳିକ ଶିକ୍ଷା ପାଇଁ ଘରୋଇ ବିଦ୍ୟାଳୟ ଉପରେ ନିର୍ଭରଶୀଳତା ସର୍ବଭାରତୀୟ ହାରାହାରି ସଂଖ୍ୟା ତୁଳନାରେ ଯଥେଷ୍ଟ କମ । ମାତ୍ର ୬.୨ପ୍ରତିଶତ ପିଲା ହିଁ ଓଡିଶାର ଘରୋଇ ବିଦ୍ୟାଳୟମାନଙ୍କରେ ପଢନ୍ତି । କିନ୍ତୁ ଯାହା ତାତ୍ପର୍ଯ୍ୟ ପୂର୍ଣ ତାହା ହେଉଛି ସରକାରୀ ବିଦ୍ୟାଳୟରେ ପଢୁଥିବା ଛାତ୍ରୀ-ଛାତ୍ରଙ୍କ ମଧ୍ୟରୁ ଶତକଡା ୪୧.୬ ଭାଗ ଘରୋଇ ଟ୍ୟୁସନ ଉପରେ ନିର୍ଭର କରୁଥିବା ବେଳେ, ଘରୋଇ ବିଦ୍ୟାଳୟରେ ପଢୁଥିବା ଛାତ୍ରୀ-ଛାତ୍ରଙ୍କ ମଧ୍ୟରୁ ଶତକଡା ୪.୧ ଭାଗ ଘରୋଇ ଟ୍ୟୁସନ ଉପରେ ନିର୍ଭର କରନ୍ତି । ସର୍ବଭାରତୀୟ ହାରାହାରି ସଂଖ୍ୟା ହେଉଛି ଯଥାକ୍ରମେ ୧୬.୭ ଓ ୬.୩. । ଅବଶ୍ୟ ଏକ ସୁଖକର ଦୃଶ୍ୟ ହେଉଛି ଯେ ୨୦୦୯ରୁ ଉଭୟ ଓଡିଶା ସ୍ତରରେ ଏବଂ ସର୍ବଭାରତୀୟ ସ୍ତରରେ ସରକାରୀ ବିଦ୍ୟାଳୟମାନଙ୍କରେ ଘରୋଇ ଟ୍ୟୁସନ ପଢୁଥିବା ଛାତ୍ରୀ-ଛାତ୍ରଙ୍କ ଶତକଡା ଅଂଶ କମୁଥିବା ବେଳେ, ଘରୋଇ ବିଦ୍ୟାଳୟମାନଙ୍କରେ ଏହି ଅଂଶ ବଢିବାରେ ଲାଗିଛି । ଏହା ଦର୍ଶାଉଛି କି ସରକାରୀ ବିଦ୍ୟାଳୟ ଗୁଡିକର ଶିକ୍ଷାଦାନର ମାନ ବୃଦ୍ଦି ପାଉଛି ଓ ଘରୋଇ ବିଦ୍ୟାଳୟ ଗୁଡିକର ଏହି ମାନ ହ୍ରାସ ପାଉଛି ? ନା ଘରୋଇ ଟ୍ୟୁସନ ପାଇଁ ସାମର୍ଥ୍ୟ ଥିବା ଛାତ୍ରୀ-ଛାତ୍ରଙ୍କ ସଂଖ୍ୟା ସରକାରୀ ବିଦ୍ୟାଳୟ ମାନଙ୍କରେ ହ୍ରାସ ପାଉଛି ଓ ଏହି ସାମର୍ଥ୍ୟ ଥିବା ଛାତ୍ରୀ-ଛାତ୍ର ମାନେ ଘରୋଇ ବିଦ୍ୟାଳୟରେ ପ୍ରବେଶ କରୁଛନ୍ତି?
ତେବେ ମୈାଳିକ ଶିକ୍ଷା ଆଗାମୀ ଦିନରେ ବ୍ୟୟ ସାପେକ୍ଷ ହେବ, ଦଶ ବର୍ଷ ନ ପୁରୁଣୁ ଶତକଡା ପଚାଶ ଭାଗରୁ ଅଧିକ ପିଲା ଘରୋଇ ବିଦ୍ୟାଳୟ ମାନଙ୍କରେ ଏହି ଶିକ୍ଷା ଲାଭ କରୁଥିବେ ଅର୍ଥାତ୍ ଏହାର ମୂଖ୍ୟ ଯୋଗାଣକାରୀ ଶିକ୍ଷା ବେପାରୀଙ୍କ ନିୟନ୍ତ୍ରଣ ରେ ଥିବା ଘରୋଇ ବିଦ୍ୟାଳୟ ଗୁଡିକ ହେବେ ଏହି ସଂବାଦ Annual Status of Education Report (Rural) 2012 ରୁ ସ୍ପଷ୍ଟ ହେଉଛି । ଆଶଙ୍କା ତେଣୁ ମନରେ ଆସୁଛି ଯେ ମାତ୍ର ଅଳ୍ପ କେତୋଟି ବର୍ଷ ଭିତରେ ଶିକ୍ଷା ଅଧିକାର ଆଇନ-୨୦୦୯ ଗୁରୁତ୍ୱହୀନ ହୋଇପଡିବ ନାହିଁ ତ ? ସଂବିଧାନରେ ଶିକ୍ଷା ଅଧିକାର ସଂପର୍କିତ ଧାରାଟି (୨୧-ଏ) ଅଦରକାରୀ ହୋଇଯିବ ନାହିଁ ତ?