ଖୁଚୁରା ବେପାରରେ ବିଦେଶୀ ପୁଞ୍ଜି ନିବେଶ ପ୍ରସଙ୍ଗ ଲୋକସଭାରେ ଯେଉଁ ପ୍ରକାର ଆଲୋଚିତ ହେଲା ଓ ଏହା ସପକ୍ଷରେ ସରକାରଙ୍କର ଯେପରି ବିଜୟ ହେଲା – (୦୫ଡିସେମ୍ବର ୨୦୧୨) ତାହା ପ୍ରୟୋଗାତ୍ମକ ଗଣତନ୍ତ୍ରର ଏକ ବିରଳ ଉଦାହରଣ ଭାବେ ଉଲ୍ଲେଖ କରାଯାଇପାରିବ । କାରଣ ଲୋକସଭାରେ ଏହି ବିତର୍କରେ ଅଂଶ ଗ୍ରହଣ କରିଥିବା ୧୮ଟି ରାଜନୈତିକ ଦଳର ୨୨ଜଣ ନେତାଙ୍କ ମଧ୍ୟରୁ ୧୪ଜଣ ନିବେଶ ବିରୁଦ୍ଧରେ କହିଥିଲେ ଅଥଚ ନିବେଶ ସପକ୍ଷବାଦୀ ସରକାରର ହିଁ ଶେଷକୁ ବିଜୟ ହେଲା । ବିରୋଧୀ ଦଳର ନେତ୍ରୀ ସୁଷମା ସ୍ୱରାଜଙ୍କ ଆକଳନ ଅନୁସାରେ ଯେଉଁ ନେତାମାନେ ବିରୋଧରେ କହିଲେ ତାଙ୍କ ଦଳର ସଦସ୍ୟ ମାନଙ୍କର ସଂଖ୍ୟା ସମୁଦାୟ ୨୮୨ ହୋଇଥିବା ବେଳେ ସପକ୍ଷରେ କହିଥିବା ନେତାମାନଙ୍କ ଦଳର ସଦସ୍ୟ ସଂଖ୍ୟା ଥିଲା ୨୨୪ । ତେଣୁ ଯଦି ଉଚ୍ଚାରଣ ସହ ସଂଗତି ରଖି ଏହି ସଦସ୍ୟମାନେ ଆଚରଣ କରିଥାନ୍ତେ – ତାହାଲେ ନିବେଶ ସପକ୍ଷବାଦୀଙ୍କର ପରାଜୟ ଥିଲା ସୁନିଶ୍ଚିତ । କିନ୍ତୁ ଅନ୍ୟଥା ହେଲା । ନିବେଶ ବିପକ୍ଷରେ ମାତ୍ର୨୧୮ଜଣ ଭୋଟ ଦେଲେ, ସପକ୍ଷରେ ଦେଲେ ୨୫୩ଜଣ । ଏହା ସମ୍ଭବ ହେଲା କାରଣ ନିବେଶ ବିପକ୍ଷରେ ବକ୍ତବ୍ୟ ରଖିଥିବା ସମାଜବାଦୀ ପାର୍ଟି (ସଦସ୍ୟ ସଂଖ୍ୟା ୨୨) ଓ ବହୁଜନ ସମାଜ ପାର୍ଟି (ସଦସ୍ୟ ସଂଖ୍ୟା ୨୧)ର ସଦସ୍ୟ ମାନେ ଭୋଟିଂ ପୂର୍ବରୁ କକ୍ଷ ତ୍ୟାଗ କଲେ । ଏହି ଦଳର ସଦସ୍ୟମାନେ ତାଙ୍କ ନେତାଙ୍କର ଉଚ୍ଚାରଣ ଅନୁସାରେ ଯଦି ଆଚରଣ କରିଥାନ୍ତେ – ତାହାଲେ ନିବେଶ ବିପକ୍ଷରେ ଭୋଟ ପଡିଥାନ୍ତା ୨୬୧ ଓ ନିବେଶ ସପକ୍ଷବାଦୀ ନିଶ୍ଚିତ ପରାଜୟର ସମ୍ମୁଖୀନ ହୋଇଥାନ୍ତେ ।
ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂହ ଯାଦବଙ୍କୁ ସୋନିଆଙ୍କ ଠାରେ ବିନତି କରିବାକୁ ପଡିନଥାନ୍ତା ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ । ସେ ନିଜର ଦଳ ବଳ ସହ ନିଜର ଉଚ୍ଚାରଣକୁ ସମ୍ମାନ ଦେଇ ଯଦି ଭୋଟ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିଥାନ୍ତେ, ତାହାଲେ ସେ ମହାତ୍ମା ଗାନ୍ଧୀ, ରାମମନୋହର ଲୋହିଆ ଓ ଜୟପ୍ରକାଶ ନାରାୟଣଙ୍କ ଅବର୍ତ୍ତମାନରେ ବିଦେଶୀ ପୁଞ୍ଜି ନିବେଶର ପ୍ରବେଶ ପଥକୁ ରୁଦ୍ଧ କରିଦେଇ ପାରିଥାନ୍ତେ ଓ ନିଜର ବକ୍ତବ୍ୟ – ‘‘ଯଦି ମହାତ୍ମା ଗାନ୍ଧୀ, ରାମମନୋହର ଲୋହିଆ ଓ ଜୟପ୍ରକାଶ ନାରାୟଣ ଥାନ୍ତେ ତାହାଲେ ବିଦେଶୀ ପୁଞ୍ଜି ନିବେଶ ସମ୍ଭବ ହୋଇନଥାନ୍ତା’’- କୁ ସାର୍ଥକ କରିଥାନ୍ତେ । କକ୍ଷ ତ୍ୟାଗ କରି ସେ ଏହି ମନିଷୀ ମାନଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି ଓ ଏକ ବିପଦଜନକ ଅବିଶ୍ୱାସର ସଂସ୍କୃତିିକୁ ମାନ୍ୟତା ଦେଇଛନ୍ତି । କେହି କେହି କହିପାରନ୍ତି କ୍ଷମତା ରାଜନୀତିରେ ଏହା ଗ୍ରହଣୀୟ । ଯେଉଁମାନେ ଏହିଭଳି କଳୁଷିତ ରାଜନୀତିରେ ବିଶ୍ୱାସ କରନ୍ତି – ସେମାନେ ମହାତ୍ମା ଗାନ୍ଧୀ, ରାମମନୋହର ଲୋହିଆ ଓ ଜୟପ୍ରକାଶ ନାରାୟଣଙ୍କ ଭଳି ମନିଷୀ ମାନଙ୍କର ନାମ ଉଚ୍ଚାରଣ କରିବା ଉଚିତ ନୁହେଁ । କାରଣ ଏହି ମନିଷୀମାନେ ଉଚ୍ଚାରଣ ଓ ଆଚରଣର ସଂଗତିରେ ବିଶ୍ୱାସ କରୁଥିଲେ, ଉଚ୍ଚାରଣ ବନାମ ଆଚରଣର ରଣନୀତିରେ ନୁହେଁ ।