ବିଚରା କେ.ପି.

  • 04/09/2015

ଢେଙ୍କାନାଳ ମହାରାଜା କାମାକ୍ଷାପ୍ରସାଦ (କେ.ପି) ସିଂହଦେଓ ଓଡ଼ିଶା ରାଜ୍ୟ କଂଗ୍ରେସର ସଭାପତି । ସେ ଯେ ସୋନିଆ ଗାନ୍ଧୀଙ୍କ ଦ୍ୱାରା ମନୋନୀତ, ଏହା ସର୍ବବିଦିତ । ରାଜ୍ୟରେ ଗତବର୍ଷ ହୋଇଯାଇଥିବା ବିଧାନସଭା ଓ ଲୋକସଭା ପାଇଁ ନିର୍ବାଚନରେ କଂଗ୍ରେସଦଳ ତାଙ୍କରି ନେତୃତ୍ୱରେ ହିଁ ଲଢ଼ିଥିଲା ଓ ପଶ୍ଚିମଓଡ଼ିଶାରେ ଉପକୂଳ ଅଞ୍ଚଳ ଅପେକ୍ଷା ଯଥେଷ୍ଟ ଭଲ ପ୍ରଦର୍ଶନ କରିଥିଲା । ଅଥଚ କେ.ପି.ଙ୍କ ଦ୍ୱାରା ଏପ୍ରିଲ ୧୮ତାରିଖ ଦିନ ଆହୂତ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକରେ କାର୍ଯ୍ୟକାରୀ ସଭାପତିମାନେ ଯୋଗଦେଲେ ନାହିଁ ଯାହା କେ.ପି.ଙ୍କ ପାଇଁ କେବଳ ଅପମାନଜନକ ହେଲାନାହିଁ- ସାରା ପଶ୍ଚିମ ଓଡ଼ିଶା ପ୍ରତି ଏହି ଦଳର ମୁଖିଆମାନଙ୍କର କୃତଜ୍ଞତାର ଅଭାବ ମଧ୍ୟ ସୃଷ୍ଟି ହୋଇଗଲା । କେ.ପି.ଙ୍କ ପ୍ରତି କଂଗ୍ରେସ ଦଳ ଭିତରେ ଥିବା ପ୍ରଭାବଶାଳୀ ଗୋଷ୍ଠୀର ଯେ ସମର୍ଥନ ନାହିଁ ଏହା ମଧ୍ୟ ସ୍ପଷ୍ଟ ହୋଇଗଲା । ଗଣମାଧ୍ୟମରେ ପ୍ରକାଶିତ ସମ୍ବାଦରୁ ଜଣାପଡ଼େ ଯେ, ‘ଖଣି ଦୁର୍ନୀତି ପ୍ରସଙ୍ଗକୁ ନେଇ କେ.ପି. ସିହଂଦେଓ ଖଣିମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଏବଂ ସୋନିଆ ଗାନ୍ଧୀଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଏହାକୁ ନେଇ ସେ ରାଜ୍ୟ ସରକାରଙ୍କ ବିରୋଧରେ ଏକ ଇସୁ୍ୟ କରିବାକୁ ଚାହୁଁଥିଲେ । ଦଳର କିଛି ନେତାଙ୍କର ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଏଥିରେ ସମ୍ପୃକ୍ତି ଥିବାରୁ ଏହାକୁ ଇସୁ୍ୟ ନ କରିବାକୁ ପ୍ରବଳ ଚାପ ପଡ଼ିଥିଲା । ଏ କ୍ଷେତ୍ରରେ ତାଙ୍କୁ ଦଳପକ୍ଷରୁ କୌଣସି ସମର୍ଥନ ମିଳିଲାନାହିଁ ।’(ଧରିତ୍ରୀ, ୩୧.୫. ୨୦୧୦: ‘ଯେତେଶୀଘ୍ର ଅବ୍ୟାହତି ମିଳିବ ସେତେ ଭଲ-କେ.ପି.’) । ଏଥିରୁ ସ୍ପଷ୍ଟହେଉଛି ଯେ କଂଗ୍ରେସ ଦଳ ଭିତରେ ଯେଉଁ ନେତାମାନଙ୍କର ଖଣିଦୁର୍ନୀତି ସହ ସମ୍ପୃକ୍ତି ରହିଛି, ସେହିମାନେ ହିଁ ବେଶ୍ ପ୍ରଭାବଶାଳୀ । ସିଧାସଳଖ କହିଲେ ଅଙ୍ଗୁଳି ନିଦେ୍ର୍ଧଶ କରାଯାଉଛି ଜାନକୀବଲ୍ଲଭ ପଟ୍ଟନାୟକଙ୍କର ଜ୍ୱାଇଁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କର ଭାଇବନ୍ଧୁ କୁଟୁମ୍ବଙ୍କ ଆଡ଼କୁ । ତେଣୁ କଂଗ୍ରେସ ଭିତରେ କେଉଁ ପ୍ରଭାବଶାଳୀଗୋଷ୍ଠୀର ସମର୍ଥନରୁ କେ.ପି. ହେଉଛନ୍ତି ବଞ୍ଚôତ, ତାହା ସହଜରେ ଅନୁମେୟ । ତେଣୁ ସ୍ୱାଭାବିକ ଯେ ଏହି ପରିବାରର ଏକ ସଦସ୍ୟ କୋଟିପତି ଚିଙ୍ଗୁଡ଼ି ବେପାରୀ ତାରାରଞ୍ଜନ ପଟ୍ଟନାୟକଙ୍କୁ ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ଠିଆ କରାଇଛି ‘ନିର୍ଦ୍ଧଳୀୟ’ ପ୍ରାର୍ଥୀ ଭାବେ । ଅବଶ୍ୟ ଯେତେବେଳେ ସାମ୍ବାଦିକମାନେ ତାଙ୍କୁ ପଚାରିଛନ୍ତି, ‘ଆପଣଙ୍କ ପରିବାର ଏକ ଖଣି ଦୁର୍ନୀତିରେ ଜଡ଼ିତ ଅଛନ୍ତି । ଭିଜିଲାନ୍ସ ସେମାନଙ୍କ ନାମରେ ମାମଲା କରିଛି । ଏ କ୍ଷେତ୍ରରେ ଆପଣଙ୍କର ପ୍ରାର୍ଥୀତ୍ୱକୁ ଅନ୍ୟମାନେ କିପରି ସମର୍ଥନ ଦେବେବୋଲି ଭାବୁଛନ୍ତି’- ସେତେବେଳେ ସେ ଉତ୍ତରରେ କହିଛନ୍ତି,‘ସମସ୍ତେ ମୋର ପରିବାର । ମୋର ଖଣି ନାହିଁ । ଯେଉଁମାନେ ଦୁର୍ନୀତିରେ ଜଡ଼ିତ ଅଛନ୍ତି ଓ ମାଫିଆଗିରି କରି ଚଳୁଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ମୁଁ କାହାରିକୁ ସମର୍ଥନ କରୁନାହିଁ ।’ (ଧରିତ୍ରୀ,୮.୬.୨୦୧୦:‘ମୁଁ ବେପାରୀ -ରାଜ୍ୟସଭାକୁ ଯିବି’) । ବିଡ଼ମ୍ବନା ଯେ ଖଣି ଦୁର୍ନୀତି ପ୍ରସଙ୍ଗକୁ ପ୍ରଥମେ ଉଠାଇଥିବା ଭାଜପା ବିଧାୟକ ଦଳର ନେତା ମହାରାଜା କନକବର୍ଦ୍ଧନ ସିଂହଦେଓ କହନ୍ତି ଯେ ତାଙ୍କ ଦଳର ସଭ୍ୟମାନେ ନିର୍ବାଚନ ପ୍ରକ୍ରିୟାରେ ଭାଗ ନେବାକୁ ଚାହୁଁଛନ୍ତି ଓ ‘ସ୍ୱାଧୀନପ୍ରାର୍ଥୀ’ ତାରାରଞ୍ଜନ ପଟ୍ଟନାୟକଙ୍କୁ ହିଁ ସମର୍ଥନ ଦେବାକୁ ଚାହୁଁଛନ୍ତି ।(ଧରିତ୍ରୀ, ୯.୬.୨୦୧୦: ‘୧୦ଉପରେ ସମସ୍ତଙ୍କ ନଜର’) । ବିଜେଡ଼ିର ସହଯୋଗୀ ଦଳ ଏନ୍ସିପିର ଜଣେ ସଦସ୍ୟ ବିଜେଡ଼ି ପ୍ରାର୍ଥୀଙ୍କୁ ସମର୍ଥନ ଦେବେ ବୋଲି ନିଶ୍ଚିନ୍ତ ନୁହନ୍ତି ।(ଧରିତ୍ରୀ, ୧୦.୬. ୨୦୧୦:ଏନ୍.ସି.ପି.କେଁ ପୁରାଇଲାଣି) । ଅବଶ୍ୟ ତାରାରଞ୍ଜନ ଗଣମାଧ୍ୟମକୁ ସ୍ପଷ୍ଟ କରିଦେଇଛନ୍ତି ଯେ ‘ମୁଁ ବ୍ୟବସାୟ କରେ, ଚିଙ୍ଗୁଡ଼ିବେପାର କରେ, ଘୋଡ଼ା ବେପାର କରେନାହିଁ ।’ (ଧରିତ୍ରୀ,୮.୬.୨୦୧୦) ଦେଖାଯାଉ ରାଜନୈତିକ ବେପାରରେ ବହୁଦିନରୁ ସକ୍ରିୟ ଥିବା ଦଳ ଲମ୍ଫରେ କୁଶଳୀ ବୈଷ୍ଣବଚରଣ ପରିଡ଼ା ଓ ସ୍ଥୂଳ ବେପାରରେ ବହୁଦିନରୁ ସକ୍ରିୟ ତାରାରଞ୍ଜନଙ୍କ ଭିତରେ ବିଜୟ କାହାର ହେଉଛି । କିନ୍ତୁ ଯାହା ଏଯାବତ୍ ଶୁଦ୍ରକ ଦେଖିବାରେ ବିଫଳ ହୋଇଛି ତାହା ହେଉଛି କେ.ପି.ଙ୍କର ତାରାରଞ୍ଜନଙ୍କ ପ୍ରାର୍ଥୀତ୍ୱ ଉପରେ ବିବୃତି । ଦଳର ପ୍ରଭାବଶାଳୀ ଗୋଷ୍ଠୀ ସମ୍ମୁଖରେ ଅସହାୟ କେ.ପି. ଏହି ପ୍ରସଙ୍ଗରେ ନୀରବତାକୁ ଆଦରି ନେଇଛନ୍ତି କି? – ଶୁଦ୍ରକ

Print Friendly, PDF & Email