ଶୁଣାଯାଏ ଯୁକ୍ତରାଷ୍ଟ୍ର ଆମେରିକାରେ ଶନିବାର, ରବିବାରକୁ ସମସ୍ତେ ଅନାଇଥାନ୍ତି । ସୋମବାରଠାରୁ ଶୁକ୍ରବାର ପାଞ୍ଚଦିନ ମୁହଁପୋତି କାମ କରିବାର କ୍ଲାନ୍ତିର ଅବସାନ ପାଇଁ ଏହି ଦୁଇଦିନ ତାଙ୍କର ହୋଇଥାଏ ବହୁ ପ୍ରତିକ୍ଷୀତ । ଏହି ଦୁଇଦିନ ସେମାନେ କେଉଁଆଡ଼େ ଗୋଟେ ବୁଲି ଯାଇ ବେଶ୍ ଫୁର୍ତ୍ତି କରିଥାନ୍ତି । ରାଷ୍ଟ୍ରପତି ଓବାମା ଏଥିରୁ ବାଦ୍ ଯାଆନ୍ତେ କିପରି? ସେ କିନ୍ତୁ ବୁଲିବାକୁ ବାଛିନେଲେ ତାଜମହଲର ଦେଶ ଭାରତବର୍ଷକୁ । ଫରକ ଏତିକି ଯେ ସେ ଯେହେତୁ ରାଷ୍ଟ୍ରପତି-ଯୁକ୍ତରାଷ୍ଟ୍ର ଆମେରିକାର ସର୍ବୋଚ୍ଚ କର୍ତ୍ତା-ଏହି ଫୁର୍ତ୍ତି ସମୟକୁ ଆଉ ଦିନେ ବଢ଼ାଇବାରେ ତାଙ୍କର କିଛି ଅସୁବିଧା ନଥିଲା । ସୋମବାର ଦିନ ମଧ୍ୟ ସେ ଭାରତବର୍ଷରେ ଥିଲେ । ଗଣମାଧ୍ୟମରେ ତ’ ବହୁ ଫଟ ଛପାହୋଇଛି କିପରି ଓବାମା ଓ ତାଙ୍କର ସ୍ତ୍ରୀ ପିଲାମାନଙ୍କ ସହ ନୃତ୍ୟ କରୁଛନ୍ତି । ଦର୍ଶନୀୟ ସ୍ଥାନଗୁଡ଼ିକୁ ଯାଇ ଉପଭୋଗ କରୁଛନ୍ତି । ଠାକୁର ଦେଖା -କଦଳୀ ବିକା ନ୍ୟାୟରେ -ପ୍ରାୟଃ ୧୫,୦୦୦କୋଟି ଡଲାର (୭ଲକ୍ଷ କୋଟି ଟଙ୍କା ପ୍ରାୟ)ର ଆମେରିକୀୟ ସାମଗ୍ରୀ ବିକିଦେଇ ପାରିଛନ୍ତି ଆମ ଦେଶରେ-ତାଙ୍କର ଏହି ତିନିଦିନ(ଶନିବାର, ୮/୧୧/୨୦୧୦, ରବିବାର, ୯/୧୧/୧୨୦୧୦, ସୋମବାର, ୧୦/୧୧/୨୦୧୦) ରହଣିକାଳ ଭିତରେ ।
୨୦୦ରୁ ଊଦ୍ଧ୍ୱର୍ ଆମେରିକୀୟ ବ୍ୟବସାୟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଧରି ଭାରତ ଆସିଥିବା ଓବାମାଙ୍କର ମୂଳଲକ୍ଷ୍ୟ ଥିଲା ତାଙ୍କ ଦେଶରେ ଉପôାଦିତ ଜିନିଷକୁ ଭାରତ ବଜାରରେ ବିକ୍ରିକରିବା-ଯାହା ଫଳରେ ତାଙ୍କ ଦେଶରେ ସୃଷ୍ଟି ହୋଇପାରିବ ଚାକିରୀ-ତାଙ୍କଦେଶରେ ଦେଖାଯାଇଥିବା ବେକାରୀ(ଯାହାର ହାର ୯.୬%) କିଛି ପରିମାଣରେ ପ୍ରଶମିତ ହୋଇପାରିବ । କୁହାଯାଉଛି ଯେ ଯେତିକି ଆମେରିକୀୟ ସାମଗ୍ରୀ ଭାରତବର୍ଷରେ ବିକ୍ରି ହେବ ବୋଲି ଚୁକ୍ତି ସ୍ୱାକ୍ଷରିତ ହେଲା-ତାହା ଦ୍ୱାରା ଆମେରିକାରେ ୫୩,୬୭୦ ଚାକିରି ସୃଷ୍ଟି ହେବ । ଅବଶ୍ୟ ଆମେରିକାରେ ବେକାରୀ ସମାଧାନ ଯେଉଁଠି ପ୍ରତ୍ୟେକ ମାସ ୩ଲକ୍ଷ ଚାକିରୀ ସୃଷ୍ଟିର ଅପେକ୍ଷା ରଖେ-ସେଠି ଏହି ସଂଖ୍ୟା (୫୩,୬୭୦)କୁ ଏକ କ୍ଷୁଦ୍ର ଉଦ୍ୟମ ବୋଲି ଧରାଯାଇପାରେ । କିନ୍ତୁ ଓବାମାଙ୍କ ପାଇଁ ଏହା ଏକ ବିରାଟ ସଫଳତା-ବିଶେଷତଃ ଯେତେବେଳେ ତାଙ୍କର ଦଳ ମାତ୍ର ୬ଦିନ ପୂର୍ବରୁ (୨ନଭେମ୍ବର ୨୦୧୦) ମଧ୍ୟବର୍ତ୍ତୀ ନିର୍ବାଚନରେ ରିପବ୍ଲିକାନ ଦଳ ପାଖରୁ ବରଣ କରିଛି ଶୋଚନୀୟ ପରାଜୟ ।-ଯାହା ଗତ ୬୦ବର୍ଷ ଭିତରେ ଦେଖାଯାଇ ନଥିଲା ବୋଲି ପର୍ଯ୍ୟବେକ୍ଷକମାନେ ମତଦିଅନ୍ତି । ଆମେରିକୀୟ ନାଗରିକଙ୍କର ଅସନ୍ତୋଷ ଯାହାର କେନ୍ଦ୍ରରେ ରହିଛି ବେକାରୀ-ତାକୁ ପ୍ରଶମିତ କରିବାର ଉଦ୍ୟମ ସେ କରୁଛନ୍ତି-ଏହି ସମ୍ବାଦ ତାଙ୍କର ଭାରତଗସ୍ତ ଦେବ ବୋଲି ସେ ନିଶ୍ଚିତ ଆଶା କରୁଥିବେ ।
ଅପରପକ୍ଷରେ ଏହିଗସ୍ତରୁ ଭାରତ କ’ଣ ପାଇଲା ବୋଲି-ସ୍ୱାଭାବିକ ଅନେକେ ପ୍ରଶ୍ନ କରିଛନ୍ତି । ମହିନ୍ଦ୍ରା କମ୍ପାନୀର ମାଲିକ ଆନନ୍ଦ ମହିନ୍ଦ୍ରା । (କିଛିଦିନ ତଳେ ହାର୍ଭାଡ଼ ବିଶ୍ୱବିଦ୍ୟାଳୟର ହୁ୍ୟମାନିଟିଜ ସେଣ୍ଟରକୁ ୫୦କୋଟି ଟଙ୍କା ଦାନ କରିଥିଲେ) କୁହନ୍ତି ‘ପହଲେ ହାମ୍ ମାଙ୍ଗ୍ତେ ଥେ, ଅବ୍ ୱହ ମାଙ୍ଗ୍ ରହେ ହେଁ’ (ଆଗେ ଆମେ ମାଗୁଥିଲେ,ଏବେ ସେମାନେ ମାଗୁଛନ୍ତି) । ବଜାଜ ସ୍କୁଟର୍ର ମାଲିକ ରାହୁଳ ବଜାଜ କହନ୍ତି, ‘ଓବାମା ଯାହା କରିଛନ୍ତି-ତାଙ୍କ ନିଜ ରାଷ୍ଟ୍ର ପାଇଁ-୨୦୧୨ରେ ପୁନଃ ନିର୍ବାଚିତ ହେବାପାଇଁ । ଆମେ ଦେଖିବାକଥା ଯେ ଆମର ମନ୍ତ୍ରୀମାନେ, ପ୍ରଧାନମନ୍ତ୍ରୀ ଆମ ଦେଶପାଇଁ କ’ଣ କରୁଛନ୍ତି ।’ ଆଉ ଜଣେ ଶିଳ୍ପପତି କହିଲେ, ‘ସବୁ ଚୁକ୍ତି ଆମେରିକାର ଭୋଟଦାତାଙ୍କୁ ସୁହାଇଲା ଭଳି ହେଲା-ଆମ ପାଇଁ ଖାଦ୍ୟ କାହିଁ?’ (‘All the Bluster on deals will only assuage American voters but where is the meal for us?’) (DNA, Nov 8, 2010) । ଭାରତ କ’ଣ ପାଇଲା? ଏହି ପ୍ରଶ୍ନର ଉତ୍ତର ଖୋଜୁଥିବା ମଣିଷ ହୁଏତ ଶୂନ୍ୟବାଣୀ ଶୁଣିବ ‘ଢୁଣ୍ଡ୍ ତେ ରହ ଜାୟୋଗେ ।’
ତେବେ ସବୁଥିରେ ଲାଭ ଦେଖିପାରୁଥିବା ସମୀକ୍ଷକମାନେ କୁହନ୍ତି ଯେ ଓବାମାଙ୍କ ଏହି ଗସ୍ତ ଫଳରେ ତ ଆମେ ଆମେରିକୀୟ ରାଷ୍ଟ୍ରପତିଙ୍କ ମୁହଁରୁ ଶୁଣିଲେ ଯେ ସେ ଆମ ଦେଶ ଭାରତବର୍ଷକୁ ଜାତିସଂଘର ନିରାପତ୍ତା ପରିଷଦରେ ସ୍ଥାୟୀ ସଦସ୍ୟ ଭାବେ ଦେଖିବାକୁ ଚାହାନ୍ତି । ଆମେ ହୁଏତ ବ୍ୟବସାୟରେ ଏହି ଗସ୍ତରୁ ସଫଳତା ପାଇଲେ ନାହିଁ- କିନ୍ତୁ କୂଟନୈତିକ ସଫଳତା ତ’ ପାଇଲେ । ଶୁଦ୍ରକ ଏହିଭଳି ସମୀକ୍ଷକଙ୍କର ଆଶାବାଦକୁ ସମ୍ମାନ ଦେଇ କହିବ ଯେ ଓବାମା ଚାହିଁବା ଆମେରିକା ଚାହିଁବା ନୁହେଁ । ପୁନଶ୍ଚ ସେ ବର୍ତ୍ତମାନର ନିରାପତ୍ତା ପରିଷଦରେ ସ୍ଥାୟୀ ସଦସ୍ୟ ଭାବେ ଦେଖିବାକୁ ଚାହୁଁନାହାନ୍ତି-ଏକ ସୁଧୁରିଥିବା (reformed)ନିରାପତ୍ତା ପରିଷଦରେ ଭାରତ ଅନ୍ତର୍ଭୁକ୍ତ ହୋଇଥିବ ସ୍ଥାୟୀ ସଦସ୍ୟଭାବେ-ଏହା ସେ ଦେଖିବାକୁ ଚାହୁଁଛନ୍ତି । ( I can say today-in years ahead, I look forward to a reformed UN security council that includes India as a Permanent member.’)
କହିବା ବାହୁଲ୍ୟ ଯେ ଓବାମା ଯେ ଏକ ଚତୁର ସେଲ୍ସମ୍ୟାନ୍(salesman)-ତାହା ତାଙ୍କର ଏହି ତିନିଦିନିଆ ଗସ୍ତକାଳରେ ପ୍ରମାଣ କରିଦେଇଛନ୍ତି । ‘ତୁମେ ଆମର ଚାକିରି ନେଇଯାଉଛ-ତେଣୁ ଆମ ଜିନିଷ କିଣିବାକୁ ହେବ’ଏହିଭଳି ଏକ ପ୍ରଚ୍ଛନ୍ନ ଧମକ ଦେଇ ତାଙ୍କ ଜିନିଷ ବିକିଛନ୍ତି । -ଶୁଦ୍ରକ