ଚନ୍ଦ୍ରଗୁପ୍ତଙ୍କୁ ରାଜଗାଦିରେ ବସାଇ ଦେଇ -ଚାଣକ୍ୟ ଯେ ମୂଳବୃତ୍ତ-ପଠନ,ପାଠନକୁ ଫେରିଗଲେ- ତାହା ହେତୁବିହୀନ ନଥିଲା । ସେ ବୋଧେ ଜାଣିଥିଲେ କ୍ଷମତାସୀନ ଚନ୍ଦ୍ରଗୁପ୍ତ ତାଙ୍କର ଆଉ ଆବଶ୍ୟକତା ଅନୁଭବ ନ କରିପାରନ୍ତି ବା ଚନ୍ଦ୍ରଗୁପ୍ତଙ୍କର ଗଢ଼ି ଉଠିଥିବା ପାରିଷଦବୃନ୍ଦ ତାଙ୍କୁ ଚନ୍ଦ୍ରଗୁପ୍ତଙ୍କ ନିକଟସ୍ଥ ହେବା କ୍ଷେତ୍ରରେ ପ୍ରତିବନ୍ଧକ ମନେ କରିପାରନ୍ତି । ତେଣୁ ସେ ପ୍ରତ୍ୟାବର୍ତ୍ତନ କରିଯାଇଥିଲେ ତାଙ୍କର ମୂଳ ବୃତ୍ତକୁ ଚନ୍ଦ୍ରଗୁପ୍ତଙ୍କୁ ନିଜ ପ୍ରଭାବରୁ ସମ୍ପୂର୍ଣ୍ଣ ମୁକ୍ତ କରିଦେଇ ।
ପ୍ୟାରୀବାବୁ ଏହା କରିଥିଲେ, ବୋଧହୁଏ, ପ୍ୟାରୀ-ନବୀନ ମଧ୍ୟରେ ଫାଟ/ବିଚ୍ଛେଦ/ ରୋମାନ୍ସରେ ଶିଥିଳତା ଭଳି ମନ୍ତବ୍ୟ ଗଣମାଧ୍ୟମକୁ ମଣ୍ଡନ କରୁ ନଥାନ୍ତା ବା ବାରମ୍ବାର ଦଳରୁ ବିତାଡ଼ିତ ଦାମବାବୁ ଏତଦ୍ୱାରା ଉଲ୍ଲସିତ ହେଉନଥାନ୍ତେ ।
କିନ୍ତୁ ଛାତ୍ରଜୀବନରୁ ରାଜନୀତି, ବିଶେଷତଃ ବାମପନ୍ଥୀ ରାଜନୀତିରେ ସକ୍ରିୟଥିବା ପ୍ୟାରୀ ବାବୁଙ୍କ ପାଇଁ ପ୍ରଶାସକର ଜୀବନକୁ ଏକ ମଧ୍ୟାନ୍ତର କୁହାଯାଇପାରେ । କାରଣ ଏହା ତ ଅନସ୍ୱୀକାର୍ଯ୍ୟ ଯେ ନିରବଛିନ୍ନ ଭାବେ ବିଜୁ ଜନତାଦଳ ଶାସନରେ ରହିବା ଓ ବିଧାନସଭାରେ ଉତ୍ତୋରତ୍ତର ଦଳର ଆସନ ସଂଖ୍ୟା ବୃଦ୍ଧି ପାଇବା – ପ୍ୟାରୀବାବୁଙ୍କର ତୀକ୍ଷ୍ଣ ରାଜନୈତିକ ରଣନୀତି ଓ ନିର୍ଭୁଲ ହିସାବ ହିଁ ଦାୟୀ । ଏହା ସ୍ୱୀକାର କରିଛନ୍ତି ପୁରୀ ସାଂସଦ ଓ ବୁଦ୍ଧିମାନ ଅଧିବକ୍ତା ପିନାକୀ ମିଶ୍ର, ୨୦୦୯ ମସିହା ନିର୍ବାଚନ ପରେ ପରେ ।
ପ୍ୟାରୀବାବୁଙ୍କ ବିନା ବିଜେଡିର ସଫଳତା ଅସମ୍ଭବ-ଏହି ଧାରଣା ସାଧାରଣରେ ବେଶ୍ ଗଭୀର । ଦୁର୍ଭାଗ୍ୟବଶତଃ ଏହି ଧାରଣାରେ ଆକ୍ରାନ୍ତ ହୋଇପଡ଼ିଲେ ନିଜେ ପ୍ୟାରୀବାବୁ । ଅବଶ୍ୟ ଏହା ଅସ୍ୱାଭାବିକ ନୁହେଁ । କିନ୍ତୁ ଏହାହିଁ – ତାଙ୍କୁ ମନମୁଖୀ ଓ ଜିଦ୍ଖୋର କରାଇଦେଲା । ଯାହା ବୋଧହୁଏ ଏବେ ଏପରି ସ୍ତରରେ ପହଞ୍ଚିଲା ଯାହା ହଜମ କରିବା ନବୀନଙ୍କ ପକ୍ଷରେ ମଧ୍ୟ ସମ୍ଭବ ହେଲାନାହିଁ । ବଦହଜମିକୁ ବଢ଼ାଇବା ପାଇଁ ଦାମବାବୁ ତ ସୁଯୋଗ ପାଇଗଲେ । ତେଣୁ ଆଜି ପ୍ୟାରୀବାବୁ ନବୀନଙ୍କ ସମ୍ପର୍କରେ ଶିଥିଳତା ଆସିଛି । ଏହି ଶିଥିଳତା କେତେଦୂର ବିଜେଡ଼ିର ରାଜନୈତିକ ଭବିଷ୍ୟତ ପାଇଁ ପ୍ରତିକୂଳ ହେବ, ତାହା ତ ଏବେଠାରୁ କହିହେବ ନାହିଁ । କିନ୍ତୁ ରାଷ୍ଟ୍ରୀୟ ଦଳ କଂଗ୍ରେସ ଓ ବିଜେପିର ଅବସ୍ଥା ଦେଖିଲେ-ଏମାନେ ବିଜେଡ଼ିକୁ ଶାସନରୁ ହଟାଇ ପାରିବେ,ତାହାର ସମ୍ଭାବନା ବ୍ଶେ କ୍ଷୀଣ ମନେହେଉଛି । ବିଜେଡ଼ିରେ ଯଦି ଫାଟ ହୁଏ – ତାହାଲେ ତ କଥା ଭିନ୍ନ ।
-ଶୁଦ୍ରକ