ମମତା ରଙ୍ଗ ବଦଳାଇଲେ

  • 18/09/2015

୧-୧୫ ଜୁନ୍ ୨୦୧୨

ବାମପନ୍ଥୀ ଶାସନରେ ଦୀର୍ଘ ୩୪ବର୍ଷ ଧରି ଠିଆ ହୋଇଥିବା ଲାଲ୍ଦୁର୍ଗ ଭୁଷୁଡ଼ିବା ପରେ ଆକାଶିଆ ନୀଳରଙ୍ଗରେ କଲିକତାକୁ ରଙ୍ଗାୟିତ କରିବାପାଇଁ ତୃଣମୂଳ କଂଗ୍ରେସର ସୁପ୍ରିମୋ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କର ଯୋଜନା ବେଶ୍ ତାପôର୍ଯ୍ୟପୂର୍ଣ୍ଣ । ଏତଦ୍ୱାରା ପାଟଳ (Pink) ସହର ଜୟପୁର ଭଳି କଲିକତା ନୀଳସହରର ପରିଚିତି ପାଇବ ବୋଲି ଆଶାବ୍ୟକ୍ତ କରନ୍ତି କଲିକତା ମୁନିସିପାଲିଟିର ମେୟର ଶୋଭନ ଚାଟାର୍ଜୀ । ଏହି ରଙ୍ଗରେ କଲିକତାକୁ ଦୃଶ୍ୟମାନ କରିବା ପାଇଁ ୮୦କୋଟି ଟଙ୍କା ବ୍ୟୟ ହେବ ବୋଲି ଏକ ଆକଳନରୁ ଜଣାପଡ଼ିଛି । ଏହି ଅର୍ଥ ସାଂସଦମାନଙ୍କୁ ମିଳୁଥିବା ଏମ୍.ପି ଲ୍ୟାଡ଼୍ ଫଣ୍ଡରୁ ଖର୍ଚ୍ଚ ହେବ ବୋଲି ମଧ୍ୟ ନିଷ୍ପତ୍ତ ହୋଇଛି । ତେବେ ଯଦି କେହି ନିଜ ଖର୍ଚ୍ଚରେ ସେମାନଙ୍କର କୋଠାବାଡ଼ିକୁ ନୀଳ ରଙ୍ଗରେ ମାଖିବେ-ତା’ହେଲେ ତାଙ୍କୁ ମ୍ୟୁନିସପାଲଟି ଟ୍ୟାକ୍ସରେ ରିହାତି ଦିଆଯିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦିଆଯାଇଛି । କାହିଁକି ଏ ଲାଲ୍ ବ୍ୟତୀତ ଏତେ ରଙ୍ଗ ଥାଉ ଥାଉ ମମତା ଆକାଶୀ ନୀଳ ବାଛିଲେ? ଏ ସମ୍ପର୍କରେ ନଗରଉନ୍ନୟନ ମନ୍ତ୍ରୀ ଫିରାଜ୍ ହକିମ କୁହନ୍ତି- ‘ଆମ ସରକାରଙ୍କର ନୀତି ବାକ୍ୟ ହେଉଛି (motto) ‘ଆକାଶ ହିଁ ସୀମା’(The sky is the limit)’ ।
ଶାସନ କ୍ଷମତାର ବର୍ଷକ ଭିତରେ ମମତା ଆକାଶ ତଳେ ଯାହାସବୁ କରିଛନ୍ତି-ତାହା ଯେ ଅନେକଙ୍କୁ ଆକାଶରୁ ଖସିପଡ଼ିବାର ଅନୁଭୂତି ଦେଇଛି,ଏହା କହିବା ଆଦୌ ଅତିଶୟୋକ୍ତି ହେବନାହିଁ । କିଶନଜୀଙ୍କର ହତ୍ୟା ମାଓବାଦୀଙ୍କୁ ଏହି ଅନୁଭୂତି ଦେଇଛି । ଯଦିଓ ଏତଦ୍ୱ୍ୱାରା ସିପିଏମ୍ର ଅଭିଯୋଗ (ମମତା-ମାଓବାଦୀ ସୁସମ୍ପର୍କ) ଅପ୍ରମାଣିତ ହୋଇଛି । ଦୀନେଶ ତ୍ରିବେଦୀଙ୍କୁ ରେଳମନ୍ତ୍ରୀତ୍ୱରୁ ବାଧ୍ୟତାମୂଳକ ଅପସାରଣ, ସବୁ ରାଜନୈତିକ ଦଳକୁ ଆକାଶରୁ ଖସିବାର ଅନୁଭୂତି ଦେଇଛି । ବୁଦ୍ଧିଜୀବୀଙ୍କର ସହର କଲିକତାରେ କାର୍ଟୁନ୍ ବିତରଣ ପାଇଁ ଅଧ୍ୟାପକ ଗିରଫ ହେବା, ସାଧାରଣ ଲୋକର ଜୀବନ ଜୀବିକାର ଲଢ଼େଇକୁ ସମର୍ଥନ ଯୋଗାଉଥିବା ଅଧ୍ୟାପକ ଗିରଫ ହେବା-ବୁଦ୍ଧିଜୀବୀଙ୍କୁ ଆକାଶରୁ ଖସିବାର ଅନୁଭୂତି ଦେଇଛି । କହିବା ବାହୁଲ୍ୟ ଯେ ମମତା ମାତ୍ର ବର୍ଷକ ଶାସନ ଭିତରେ ବହୁ ବ୍ୟକ୍ତି, ଗୋଷ୍ଠୀ, ବିଶେଷତଃ ଯେଉଁମାନେ ତାଙ୍କର ନେତୃତ୍ୱରେ ପରିବର୍ତ୍ତନର ବହୁ ଆଶାପୋଷଣ କରିଥିଲେ- ସେମାନେ ଆକାଶରୁ ଖସିପଡ଼ିବାର ଅନୁଭୂତି ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ଅସହିଷ୍ଣୁତା ଓ ଭୟର ବାତାବରଣରେ ଆଜି ବଙ୍ଗ ସମାଜର ବୁଦ୍ଧିଜୀବୀ ସ୍ତବ୍ଧ ହୋଇଯାଇଛି । ସେ ଯେପରି ଶୁଣିଛି ଫାଶୀବାଦର ପଦଧ୍ୱନି ।
ଲାଲ୍ ରଙ୍ଗ ପ୍ରତ୍ୟେକ ଲୋକ ସମାନ ବୋଲି ବଳିଷ୍ଠ ସମ୍ବାଦ ଦେଇଥିବାବେଳେ ନୀଳରଙ୍ଗ ଯେ ଏକାନ୍ତ ଭାବେ ସମ୍ଭ୍ରାନ୍ତ ଶ୍ରେଣୀର, ଏହା ଯେଉଁମାନେ ବୁଝିଛନ୍ତି-ସେମାନେ ରଙ୍ଗ ପରିବର୍ତ୍ତନର ଅନ୍ତରାଳରେ ଏକ ଭିନ୍ନ ସମାଜର ଇଶାରା ପାଉଛନ୍ତି । ହିଲାରୀ କଣ୍ଟନ ସିଧାସଳଖ ମମତାଙ୍କ ପଶ୍ଚିମବଙ୍ଗକୁ ଆସିବା, ଟାଇମ୍ସ ପତ୍ରିକାରେ ଅନ୍ୟତମ ଶକ୍ତିଶାଳୀ ମହିଳାଭାବେ ମମତା ପିରିଚିତି ପାଇବା ଓ ଅପରପକ୍ଷରେ ସାମାନ୍ୟତମ ଭିନ୍ନମତ ପୋଷଣ କରୁଥିବା ବ୍ୟକ୍ତିଙ୍କୁ ମାଓବାଦୀ ବା ସିପିଏମ୍ ବୋଲି ଅଭିହିତ କରି, ମମତା ସେମାନଙ୍କୁ ଭୟଭୀତ କରାଇବା- ଦର୍ଶାଉଛି ଯେ ସାଧାରଣ ଲୋକର ପଶ୍ଚିମବଙ୍ଗକୁ ସମ୍ଭ୍ରାନ୍ତଙ୍କର ପଶ୍ଚିମବଙ୍ଗ କରାଇବାର ଏକ ସୁଚିନ୍ତିତ ଉଦ୍ୟମ ଆରମ୍ଭ ହୋଇଛି । ରଙ୍ଗ ବଦଳାଇବା ଏକ ପ୍ରତୀକ ମାତ୍ର । -ଶୁଦ୍ରକ

Print Friendly, PDF & Email