ବିଜେଡ଼ି ନେତୃତ୍ୱରେ ତୃତୀୟ ସାମ୍ମୁଖ୍ୟ?

  • 04/09/2015

୧୬-୩୧ ଫେବୃୟାରୀ/ ୧-୧୫ ମାର୍ଚ୍ଚ ୨୦୧୨

ଗଣମାଧ୍ୟମ ସାମ୍ନାକୁ ଆସିବା ପାଇଁ ପ୍ରାୟଃ କୁଣ୍ଠିତ ନବୀନ ପଟ୍ଟନାୟକ ଇତ୍ୟବସରରେ ତୃତୀୟ ସାମ୍ମୁଖ୍ୟର ପ୍ରସ୍ତାବଦେଇ ରାଷ୍ଟ୍ରୀୟସ୍ତରର ରାଜନୈତିକ ଜଳବାୟୁରେ ପରିବର୍ତ୍ତନର ଏକ ସମ୍ଭାବନା ଦର୍ଶାଇଛନ୍ତି । (ଦ୍ରଷ୍ଟବ୍ୟ: ଧରିତ୍ରୀ, ୧୬/୨/୨୦୧୨) ବିଜେଡ଼ିର କର୍ମୀମାନେ ଉଲ୍ଲସିତ ହେଉଛନ୍ତି ଯେ ସେମାନଙ୍କର ପ୍ରିୟ ନେତା ରାଷ୍ଟ୍ରୀୟସ୍ତରର ରାଜନୀତିରେ ଏକ ବଡ଼ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି । ନବୀନ ରାଷ୍ଟ୍ରୀୟସ୍ତରକୁ ଗଲେ ରିକ୍ତ ମୁଖ୍ୟମନ୍ତ୍ରୀ ଆସନକୁ ମଣ୍ଡନ କରିବାପାଇଁ ଆଶାୟୀଙ୍କର ଆକାଂକ୍ଷା ଯେ ପୂରଣ ହୋଇଯିବ, ଏଥିରେ ସନେ୍ଦହ ନାହିଁ ।
ଏହିଭଳି ପ୍ରସ୍ତାବର ମୂଳରେ ଅଛି କେନ୍ଦ୍ର ଗୃହ ମନ୍ତ୍ରାଳୟ ଅଧିନସ୍ଥ ‘ଜାତୀୟ ପ୍ରତି ଆତଙ୍କବାଦ କେନ୍ଦ୍ର’ (National Counter Terrorism Centre)କୁ ଦିଆଯାଇଥିବା ନୂତନ କ୍ଷମତା ବିରୋଧରେ ସମର୍ଥନ ଲୋଡ଼ିବାକୁ ଯାଇ ମମତା ବାନାର୍ଜୀ, ଜୟଲଳିତା ଓ ଚନ୍ଦ୍ରବାବୁ ନାଇଡ଼ୁଙ୍କୁ ନବୀନଙ୍କର ପତ୍ର । କହିବା ବାହୁଲ୍ୟ ଯେ ‘ଜାତୀୟ ପ୍ରତି ଆତଙ୍କବାଦ କେନ୍ଦ୍ର’ ବିରୋଧରେ ସ୍ୱର ଉଠାଇବାରେ ନବୀନ ହେଉଛନ୍ତି ପ୍ରଥମ ମୁଖ୍ୟମନ୍ତ୍ରୀ । ତାଙ୍କ ପରେପରେ ଅବଶ୍ୟ ଅନେକେ ଉଠାଇଲେଣି । ଓଡ଼ିଶାକୁ କେନ୍ଦ୍ରର ଅବହେଳା ପ୍ରସଙ୍ଗକୁ ନିରବଚ୍ଛିନ୍ନ ଭାବେ ଉଠାଇବାରେ ଅଭ୍ୟସ୍ତ ନବୀନ- ଅନ୍ୟରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ତୁଳନାରେ ଆଗୁଆ ହେବା ସ୍ୱାଭାବିକ । ଏନ୍.ଡି.ଏ.(NDA)ରେ ସାମ୍ପ୍ରଦାୟିକତାର ଛିଟା ଓ ଉପା (UPA)ରେ ଦୁର୍ନୀତିର କଳଙ୍କ-ତୃତୀୟ ସାମ୍ମୁଖ୍ୟର ଆବଶ୍ୟକତାକୁ ବଢ଼ାଇ ଦେଇଛି ବୋଲି ନବୀନ ଅନୁଭବ କରୁଛନ୍ତି । ତାଙ୍କ ପ୍ରସ୍ତାବିତ ତୃତୀୟସାମ୍ମୁଖ୍ୟ ଦୁର୍ନୀତିମୁକ୍ତ ହେବ ଓ ପାରଦର୍ଶୀ (Transparent)ହେବ ବୋଲି ସେ ଦାବି କରନ୍ତି ।
କଂଗ୍ରେସଦଳ ଏହିଭଳି ପ୍ରସ୍ତାବକୁ ପରିହାସ କରିଛି- ନବୀନଙ୍କ ଶାସନକାଳରେ ହୋଇଥିବା ବିଭିନ୍ନ ଦୁର୍ନୀତିର ନଜିର ଦେଖାଇ । ଜୟଲଳିତା ଓ ଚନ୍ଦ୍ରବାବୁ ନାଇଡ଼ୁଙ୍କର ଦୁର୍ନୀତିର ତାଲିକା ବେଶ୍ ଲମ୍ବାବୋଲି ଦର୍ଶାଇଛି । ଏହିମାନଙ୍କୁ ନେଇ ତୃତୀୟସାମ୍ମୁଖ୍ୟ କେତେଦୂର ପାରଦର୍ଶୀ ଓ ଦୁର୍ନୀତିମୁକ୍ତ ହୋଇପାରେ?-ଏ ପ୍ରଶ୍ନ ମଧ୍ୟ କଂଗ୍ରେସ ଦଳ କରିଛି । କଂଗ୍ରେସ ଦଳ ପ୍ରକାରାନ୍ତରେ ବୋଧହୁଏ କହୁଛି ଯେ, ‘ଆମେ ସମସ୍ତେ ମୁତୁରୀ- ହେଂସ କାହିଁ ପାଇଁ ଧୋଇବା’ । ଯେତେ ସାମ୍ମୁଖ୍ୟ ହେଲେ ମଧ୍ୟ ହେଁସ ଯେ ପରିଷ୍କାର ହୋଇପାରିବ ନାହିଁ- ତାହାହିଁ କଂଗ୍ରେସ ଦଳ ଦ୍ୱାରା କରାଯାଇଥିବା ପରିହାସର ମର୍ମ ।
ପୁନଶ୍ଚ ଯେଉଁମାନେ ସ୍ମରଣ କରୁଛନ୍ତି ବିଜୁ ପଟ୍ଟନାୟକଙ୍କର ବିଜେପିର ସାମ୍ପ୍ରଦାୟିକ ଚରିତ୍ରର ସମାଲୋଚନା, ଯେଉଁମାନେ ସ୍ମରଣ କରୁଛନ୍ତି, ଅଶୋକ ଦାସ(ଦିବଂଗତ)ଙ୍କର ବିଜେଡ଼ି-ବିଜେପି ମେଣ୍ଟକୁ ବିରୋଧ, ଯେଉଁମାନେ ଲକ୍ଷ୍ୟ କରିଛନ୍ତି ଯେ କିପରି ଏହି ମେଣ୍ଟରେ ରହି କେନ୍ଦ୍ରରେ କ୍ଷମତା ଉପଭୋଗ କରିଛି ବିଜେଡ଼ି ଓ ରାଜ୍ୟରେ ଅଧିକରୁ ଅଧିକ ଶକ୍ତିଶାଳୀ ହୋଇଛି- ସେମାନେ ନିଶ୍ଚିତ ଭାବରେ ନବୀନବାବୁଙ୍କର ଏନ୍ଡିଏରେ ସହସା, ସାମ୍ପ୍ରଦାୟିକ ଛିଟା ଦେଖିବାକୁ ସହଜରେ ଗ୍ରହଣ କରିପାରୁ ନଥିବେ ।
କିନ୍ତୁ ନବୀନଙ୍କର ଉଚ୍ଚାରଣ ଯେ ‘ତୃତୀୟ ସାମ୍ମୁଖ୍ୟ ଦୁର୍ନୀତି ମୁକ୍ତ ହେବ’-ଏହାକୁ ଯଦି ଆମେ ଆକ୍ଷରିକ ଅର୍ଥରେ ବିଚାରକରୁ-ତା’ହେଲେ ନବୀନ ଯେ ରନôାକରଠାରେ ବାଲ୍ମିକୀର ସମ୍ଭାବନା ଦେଖୁଛନ୍ତି, ତାହା ଆମକୁ ସ୍ୱୀକାର କରିବାକୁ ହେବ ।
ତେବେ ନିର୍ବାଚନ ପୂର୍ବରୁ ଏହିଭଳି ତୃତୀୟ ସାମ୍ମୁଖ୍ୟର ପରିକଳ୍ପନା ଯେ ଆଦୌ ନୂଆ ନୁହେଁ- ତାହା ରାଜନୈତିକ ପର୍ଯ୍ୟବେକ୍ଷକମାନେ କହିବେ । କିନ୍ତୁ ଯାହା ନୂଆ- ତାହା ହେଉଛି ଏହି ପ୍ରସ୍ତାବ କ୍ଷମତା ରାଜନୀତିରେ ଖେଳୁଆଡ଼ ବାମପନ୍ଥୀ ଦଳମାନଙ୍କଠାରୁ ଆସୁନାହିଁ- ଯେପରି ୨୦୦୯ନିର୍ବାଚନ ପୂର୍ବରୁ ଆସିଥିଲା । ତେବେ ନବୀନ ବାବୁ ଏହି ଉଦ୍ୟମରେ ମମତା ବାନାର୍ଜୀଙ୍କୁ ସାମିଲ କରିବାର ଯେଉଁ ପ୍ରବଣତା ଦେଖାଇଲେ- ସେଥିରେ ଉପରୋକ୍ତ ବାମପନ୍ଥୀ ଦଳମାନେ ନବୀନବାବୁଙ୍କର ତୃତୀୟ ସାମ୍ମୁଖ୍ୟକୁ ସମର୍ଥନ ନଜଣାଇବା ସ୍ୱାଭାବିକ । କିନ୍ତୁ ଉପାରେ ଥିବା ମମତାଙ୍କ ତୃଣମୂଳ କଂଗ୍ରେସ କେତେଦୂର ନବୀନଙ୍କର ତୃତୀୟ ସାମ୍ମୁଖ୍ୟ ସାମିଲ ହେବ- ତାହା ମଧ୍ୟ ଏକ ବିରାଟ ପ୍ରଶ୍ନ । ତେଣୁ ନବୀନଙ୍କର ତୃତୀୟ ସାମ୍ମୁଖ୍ୟ ଏକ ବିରାଟ ରାଜନୈତିକ କୁହୁକ । ଦେଖାଯାଉ ଏହାର ସମାଧାନ ପାଇଁ କେଉଁମାନେ ବାହାରୁଛନ୍ତି ।
-ଶୁଦ୍ରକ

Print Friendly, PDF & Email