ଅନଶନରେ ମେଣ୍ଟ-ଅହଂର ଆଣ୍ଟ, ଟିମ୍ ଆନ୍ନାରେ ଫାଟ

  • 05/09/2015

୧-୧୫ ମଇ ୨୦୧୨

ଭାରତୀୟ ରାଜନୈତିକ ଦୃଶ୍ୟପଟ୍ଟରେ ମେଣ୍ଟ ରାଜନୀତି ଗତ ଦେଢ଼ଦଶନ୍ଧି ଧରି ଏକ ସାଧାରଣ ଦୃଶ୍ୟ ହୋଇଥିବା ବେଳେ ଏହା ଏକ ସଂସ୍କୃତିରେ ପରିଣତ ହୋଇଗଲାଣି । ତା’ ନହେଲେ ପରସ୍ପରଠାରୁ ଏକଦା ନିରାପଦ ଦୂରତ୍ୱ ରକ୍ଷାକରୁଥିବା ଆନ୍ନା ହଜାରେ ଓ ବାବା ରାମଦେବ-ଏକାଠି ହୋଇ ଅନଶନ କରିବାର ପ୍ରସ୍ତାବ ଦେଶବାସୀଙ୍କୁ ଜଣାଇଥାନ୍ତେ କିପରି?
ରାମଦେବଙ୍କ ସହ ଆନ୍ନାଙ୍କର ମେଣ୍ଟ ହେଲେ, ଟିମ୍ ଆନ୍ନାର ବହୁ ଦୃଷ୍ଟ ଚେହେରା ଅରବିନ୍ଦ କେଜରିୱାଲ ତାଙ୍କର ଗୁରୁତ୍ୱ ହରାଇବେ ବୋଲି ଏକ ଆଶଙ୍କା ପ୍ରକାଶ ପାଉଛି । ରାମଦେବଙ୍କ ପ୍ରତି ଆନ୍ନାଙ୍କର ଆକର୍ଷଣକୁ କିପରି ବ୍ୟର୍ଥ କରାଯାଇପାରିବ- ସେଥିପାଇଁ ଟିମ୍ ଆନ୍ନାର ସଦସ୍ୟମାନେ ଅନବରତ ଚେଷ୍ଟା ଚଳାଇଛନ୍ତି । ଅପରପକ୍ଷରେ ଆନ୍ନା ଆନେ୍ଦାଳନ ସହ ପ୍ରଥମରୁ ସମ୍ପୃକ୍ତ ଥିବା ମୁସଲମାନ ନେତା ମୁଫତି ସମିମ କାଦମିଙ୍କୁ ଟିମ୍ ଆନ୍ନାଙ୍କର ଆଭ୍ୟନ୍ତରୀ (Core)କମିଟିରୁ ବହିଷ୍କାର କରାଯାଇଛି । କାଦମିଙ୍କ ବିରୋଧରେ ଅଭିଯୋଗ ଯେ ସେ ଟିମ୍ ଆନ୍ନାଙ୍କର ଆଭ୍ୟନ୍ତରୀଣ କଥୋପକଥନକୁ ମୋବାଇଲ ଦ୍ୱାରା ରେକର୍ଡ଼ କରୁଥିଲେ- ଗଣମାଧ୍ୟମରେ ପ୍ରଘଟ କରିବା ଉଦେ୍ଧଶ୍ୟରେ । କିନ୍ତୁ କାଦମି ଏହାକୁ ଖଣ୍ଡନକରି ପାଲଟା ଅଭିଯୋଗ କରି କୁହନ୍ତି ଯେ ଆନ୍ନାଙ୍କର ଆନେ୍ଦାଳନକୁ କେଜରିୱାଲ ଓ ମନୀଷ ସିସୋଡ଼ିଆ ଏକ ଘରୋଇ କମ୍ପାନୀ ଭଳି ଚଳାଉଛନ୍ତି ଯେଉଁଥିପାଇଁ ଆନ୍ନା ସୁଖୀ ନୁହନ୍ତି । (ଦ୍ରଷ୍ଟବ୍ୟ:The Statesman, 23 April 2012) । କାଦମିଙ୍କ ଦୃଷ୍ଟିରେ ଆନ୍ନା ହଜାରେ ଜଣେ ଭଲ ମଣିଷ; କିରଣ ବେଦୀ ହେଉଛନ୍ତି ‘honest’ କିନ୍ତୁ କେଜରିୱାଲ ବା ପ୍ରଶାନ୍ତ ଭୂଷଣ ନୁହନ୍ତି । ତେଣୁ ଯେଉଁମାନେ ନିଜେ ଦୁର୍ନୀତିଗ୍ରସ୍ତ- ସେମାନେ କିପରି ଦୁର୍ନୀତିବିରୋଧୀ ଆନେ୍ଦାଳନ ଚଳାଇବେ?- କାଦମି କରନ୍ତି ପ୍ରଶ୍ନ । (‘Those people themselves are corrupt. How will they run movement- he said, adding, however, that Ms Bedi was honest କାଦମି ଅବଶ୍ୟ ଘୋଷଣା କରିଛନ୍ତି ଯେ ସେ ଇସ୍ତଫା ଦେଇଛନ୍ତି ।
କାଦମିଙ୍କର ଏହି ମନ୍ତବ୍ୟ ସହ ଏକମତ ନହେଲେ ମଧ୍ୟ ଏହାକୁ ଅଣଦେଖା କରିହେବ ନାହିଁ- ଯେ ଟିମ୍ ଆନ୍ନାରେ ଫାଟ ସୃଷ୍ଟି ହୋଇଛି । ଅହଂର ଛାୟା ଯୁଦ୍ଧ ଏବେ ପ୍ରକାଶ୍ୟ ହେବାରେ ଲାଗିଛି । ଦୁର୍ନୀତିବିରୋଧୀ ଆନେ୍ଦାଳନରେ ଏକ ନୂତନ ସମୀକରଣ ଦୃଶ୍ୟମାନ ହେବାକୁ ଯାଉଛି ।
ତେବେ ଗତ କିଛିଦିନ ଧରି ପ୍ରାୟଃ ଗଣମାଧ୍ୟମରୁ ଅନ୍ତର୍ଦ୍ଧାନ ହୋଇଯାଇଥିବା ଟିମ୍ ଆନ୍ନା ଓ ଏହାର କାର୍ଯ୍ୟକଳାପ ସମ୍ପର୍କରେ ସମ୍ବାଦ ପୁନର୍ବାର ଗଣମାଧ୍ୟମରେ ଗୁରୁତ୍ୱ ପାଇବା ଆରମ୍ଭ ହୋଇଛି । ଏହା ଆନ୍ନା ଆନେ୍ଦାଳନ ପ୍ରତି ଅନୁରକ୍ତ ସଭ୍ୟସମାଜର ସଦସ୍ୟମାନଙ୍କୁ ଆହ୍ଲାଦିତ କରୁଥିବ ନିଶ୍ଚୟ । କହିବା ବାହୁଲ୍ୟ ଯେ ଦୁର୍ନୀତି ଏକ ପ୍ରସଙ୍ଗ ହୋଇ ରହିଲେ ସମ୍ପୃକ୍ତ ଆତ୍ମପରିଚିତି ପାଇଁ ଅନୁକୂଳ ହେବ ।
-ଶୁଦ୍ରକ

Print Friendly, PDF & Email