୨୧ଡିସେମ୍ବର ୧୯୯୯ ଦିନ ଭୋରୁ ଭୋରୁ ପ୍ରଦୁ୍ୟମ୍ନ ବଳ ଆମ ସମସ୍ତଙ୍କୁ ଚିରଦିନ ପାଇଁ ଛାଡ଼ି ଚାଲିଗଲେ । ଏହା ଅତ୍ୟନ୍ତ ଅପ୍ରତ୍ୟାଶିତ ଥିଲା । ପ୍ରଦୁ୍ୟମ୍ନବାବୁଙ୍କ ବିୟୋଗ ଓଡ଼ିଶାର ସମସ୍ତ ସମାଜକର୍ମୀଙ୍କ ପାଇଁ ଏକ ବିରାଟ ଶୂନ୍ୟତା ସୃଷ୍ଟି କରିଥିଲା । ସେ ଶୂନ୍ୟତା ଏଯାବତ୍ ପୂରଣ ହୋଇପାରି ନାହିଁ । ସମାଜର ଗତି ଯେଉଁ ଦିଗରେ ହେଉଛି ଓ ବ୍ୟକ୍ତିକୈନ୍ଦ୍ରିକତା ଯେଉଁ ତୀବ୍ରତାର ସହ ବୃଦ୍ଧିପାଉଛି- ତାହା ଦେଖିଲେ ପ୍ରଦୁ୍ୟମ୍ନ ବାବୁଙ୍କର ସ୍ଥାନ ଏବେ ମଧ୍ୟ ଅପୂରଣୀୟ ରହିଛି ।
ବ୍ୟବସାୟ ଛାଡ଼ି ସେ ପଶିଲେ ରାଜନୀତିରେ । ଯୁବକଂଗ୍ରେସକୁ ସଙ୍ଗଠିତ କଲେ ଓଡ଼ିଶାରେ । କଂଗ୍ରେସର ସର୍ବୋଚ୍ଚକର୍ତ୍ତା ଇନ୍ଦିରା ଗାନ୍ଧୀଙ୍କର ସେ ଖୁବ୍ ନିକଟସ୍ଥ ହୋଇପାରିଥିଲେ । ଚନ୍ଦ୍ରଶେଖର, କୃଷ୍ଣକାନ୍ତ, ଅର୍ଜୁନ ଆରୋରା ପ୍ରମୁଖ ତରୁଣ ତୁର୍କୀ ଦଳରେ ସେ ହୋଇଥିଲେ ସାମିଲ । ନିଜଲିଙ୍ଗାପ୍ପା, ମୋରାରଜୀ ଦେଶାଇ, ଅତୁଲ୍ୟ ଘୋଷ ଆଦି କଂଗ୍ରେସର ତୁଙ୍ଗନେତାଙ୍କ ବିରୋଧରେ ଆରମ୍ଭ ହୋଇଥିବା ଇନ୍ଦିରା ଗାନ୍ଧୀଙ୍କର ଲଢ଼େଇରେ ସେ ଇନ୍ଦିରା ଗାନ୍ଧୀଙ୍କର ସମର୍ଥନ କଲେ । ବ୍ୟାଙ୍କ୍ ଜାତୀୟକରଣ, ରାଜା ମହାରାଜାଙ୍କର ପ୍ରତିପତ୍ତ ଉଚ୍ଛେଦ ଭଳି ପ୍ରଗତିଶୀଳ ପଦକ୍ଷେପଗୁଡ଼ିକ ଦ୍ୱାରା ସେ ପ୍ରଭାବିତ ହୋଇଥିଲେ । ଭାବିଥିଲେ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ ଭାରତୀୟ ଜନଗଣଙ୍କର ଦୁର୍ଦ୍ଧଶା ଲାଘବ ହେବ । ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବା-ପ୍ରଦୁ୍ୟମ୍ନ ବଳଙ୍କୁ ଇନ୍ଦିରା ଗାନ୍ଧୀଙ୍କଠାରୁ ଦୂରେଇ ଦେଲା । ରାଜ୍ୟସ୍ତରରେ ନନ୍ଦିନୀ-ଜାନକୀଙ୍କର ଜଟିଳ ରାଜନୀତି, ସ୍ପଷ୍ଟବାଦୀ ପ୍ରଦୁ୍ୟମ୍ନବଳଙ୍କ ପାଇଁ ଅସ୍ୱସ୍ତିକର ହୋଇପଡ଼ିଥିଲା । ପ୍ରଦୁ୍ୟମ୍ନବାବୁ ଭୂମିଗତ ହୋଇଗଲେ । ଜରୁରୀକାଳୀନ ପରିସ୍ଥିତି ଉଠିଲା- ପ୍ରଦୁ୍ୟମ୍ନବାବୁ ଜନତା ପାର୍ଟି ତରଫରୁ ସାଂସଦ ହେଲେ । ଏହା ଥିଲା ତାଙ୍କର ସକ୍ରିୟ କ୍ଷମତା ରାଜନୀତିର ଶେଷପର୍ଯ୍ୟାୟ । ତା’ପରେ ସେ ଓହରି ଆସିଲେ ତାଙ୍କର ପ୍ରିୟ ଖବରକାଗଜ ପ୍ରଗତିବାଦୀକୁ ଅଧିକ ଶକ୍ତିଶାଳୀ କରିବା ପାଇଁ । ଏହାକୁ ଏକ ଜନବାଦୀ ସମ୍ବାଦପତ୍ର ଭାବେ ଠିଆ କରାଇଲେ-ଯାହା ଫଳରେ ସେହି ସମୟରେ ଆରମ୍ଭ ହେଉଥିବା ବହୁ ଜୀବନଜୀବିକା ଆନେ୍ଦାଳନର ନେତୃବର୍ଗ ତାଙ୍କର ସଂଘର୍ଷକୁ ଓଡ଼ିଶାବ୍ୟାପୀ କରାଇବା ପାଇଁ ‘ପ୍ରଗତିବାଦୀ’ର ହିଁ ଆଶ୍ରୟ ନେଲେ । ଅନ୍ୟ ସମ୍ବାଦପତ୍ରମାନେ ଯେତେବେଳେ ବିଭିନ୍ନ କାରଣରୁ ଏହି ସଂଘର୍ଷଗୁଡ଼ିକୁ ପରିବେଷଣ କରିବାରେ ଅବହେଳା ଦେଖାଉଥିଲେ, ସେତେବେଳେ ପ୍ରଦୁ୍ୟମ୍ନବାବୁ ଅତି ଆଦରର ସହ ଏହି ସମ୍ବାଦଗୁଡ଼ିକ ପରିବେଷଣ କରୁଥିଲେ ଯାହା ସଂଘର୍ଷରେ ଥିବା ନେତୃତ୍ୱକୁ ନୈତିକ ସାହସ ଯୋଗାଇଥିଲା । ଏହି କ୍ରମରେ ପ୍ରଦୁ୍ୟମ୍ନବାବୁ ନିଜେ ଜଣେ ହୋଇଗଲେ ଆକ୍ଟିଭିଷ୍ଟ । ଚିଙ୍ଗୁଡ଼ି ଚାଷକୁ ବିରୋଧ, ଗୋପାଳପୁରରେ ଟାଟାପ୍ରକଳ୍ପକୁ ବିରୋଧ, ବିକଳ୍ପ ଚିନ୍ତା ଚେତନାକୁ ପ୍ରୋତ୍ସାହନ ଓ ସେଥିରେ ଅଂଶଗ୍ରହଣ-ତାଙ୍କୁ ସାଧାରଣ ଲୋକଙ୍କ ଭିତରେ ଏକ ନିଆରା ବ୍ୟକ୍ତିତ୍ୱର ପରିଚିତି ଦେଇଥିଲା । ସାଲିସ ବୋଧହୁଏ ତାଙ୍କ ଜୀବନ ଅଭିଧାନରେ ନଥିଲା । ସାଲିସ କରିଥିଲେ ସେ ଅନେକ ରାଜନୈତିକ ପଦପଦବୀର ଅଧିକାରୀ ହୋଇପାରିଥାନ୍ତେ । ସେ କିନ୍ତୁ ସଂଘର୍ଷ କରୁଥିବା ମଣିଷର ସହଯାତ୍ରୀ ହେବାକୁ ବରଣ କଲେ । ଏଥିପାଇଁ ଅନେକ ପ୍ରତିକୂଳ ପରିସ୍ଥିତିର ସେ ହେଲେ ସମ୍ମୁଖୀନ । କିନ୍ତୁ ସଂଘର୍ଷ କରୁଥିବା ମଣିଷର ସାଥିରେ ଚାଲିବାରୁ ଓହରିଗଲେ ନାହିଁ । ବହୁ ନୂତନ ଉଦ୍ୟମର ସେ ଥିଲେ ପୃଷ୍ଠପୋଷକ । କିନ୍ତୁ ନୀତି, ଆଦର୍ଶ ସହ ସାଲିସ କରି ଏହି ଉଦ୍ୟମଗୁଡ଼ିକୁ ଫଳବତୀ କରିବା ସପକ୍ଷରେ ସେ ନଥିଲେ । ନୀତି ଆଦର୍ଶ ସହ ସାଲିସ ନକରି ଏକ ସୁନ୍ଦର ଉଦାହରଣଟିଏ ସୃଷ୍ଟି କରିବା ପାଇଁ ତାଙ୍କର ଥିଲା ନିରନ୍ତର ପ୍ରଚେଷ୍ଟା । ଏହିଭଳି ବେସାଲିସ ମନୋବୃତ୍ତ ଯେ ଆଉ ଯୁଗୋପଯୋଗୀ ନୁହେଁ- ଏହି ଉପଲବ୍ଧô ତାଙ୍କୁ ଆକ୍ରାନ୍ତ କରିବା ପୂର୍ବରୁ ସେ ପୃଥିବୀରୁ ବିଦାୟ ନେଇଗଲେ ଓ ନିଜେ ଏକ ସୁନ୍ଦର ଉଦାହରଣ ହୋଇ ରହିଗଲେ । -ଶୁଦ୍ରକ