ପ୍ରଚଣ୍ଡ ପ୍ରହାର

  • 03/09/2015

ପୁଷ୍ପକମଲ ଦଲାଲ ଓରଫ୍ ପ୍ରଚଣ୍ଡଙ୍କ ନେତୃତ୍ୱରେ ନେପାଳ କମୁ୍ୟନିଷ୍ଟ ପାର୍ଟି (ମାଓବାଦୀ) ଯାହାକୁ ଇଣ୍ଟରପୋଲ୍ ଏକ ସନ୍ତ୍ରାସବାଦୀ ସଙ୍ଗଠନ ଭାବେ ବିଚାର କରେ, ଇତ୍ୟବସରରେ ନେପାଳ ଶାସନ କ୍ଷମତା ଦଖଲ କରିବାରେ ସଫଳ ହୋଇଛି । ସାମ୍ୟବାଦୀ ଆନେ୍ଦାଳନ ଇତିହାସରେ ଏହା ଏକ ଉଲ୍ଲେଖନୀୟ ଘଟଣା । ବିଂଶଶତାବ୍ଦୀର ଆଦ୍ୟଭାଗରେ ପ୍ରଥମ ଥର ପାଇଁ ସାମ୍ୟବାଦୀମାନେ କୌଣସି ରାଷ୍ଟ୍ରର ଶାସନ କ୍ଷମତା ହାତକୁ ନେବାରେ ସମର୍ଥ ହୋଇଥିଲେ ଯେତେବେଳେ ଶାସକ ଜାର୍କୁ ହଟାଇ ଲେନିନ୍ଙ୍କ ନେତୃତ୍ୱରେ ଋଷର ଶାସନ କ୍ଷମତା ସେମାନେ ଦଖଲ କଲେ । ଏକବିଂଶ ଶତାବ୍ଦୀର ଆଦ୍ୟଭାଗରେ ଯେପରି ସେହିଭଳି ଘଟଣାର ପୁନରାବୃତ୍ତ ହେଉଛି, ଯେତେବେଳେ ନେପାଳର ରାଜା ଗାଦିଚ୍ୟତ ହେଉଛନ୍ତି ଓ ପ୍ରଚଣ୍ଡଙ୍କ ନେତୃତ୍ୱରେ ସାମ୍ୟବାଦୀ ଦଳ ଶାସନ କ୍ଷମତାଦଖଲ କରୁଛି । ସାଦୃଶ୍ୟ ଏତିକିରେ ସୀମିତ କି ଆହୁରି ଅନେକ ଦିଗରୁ ସାଦୃଶ୍ୟ ରହିଛି, ତାହା ଗବେଷଣାସାପେକ୍ଷ । ବିଂଶଶତାବ୍ଦୀର ଆଦ୍ୟଭାଗରେ ଋଷିଆର ସାମାଜିକ-ଅର୍ଥନୈତିକ-ରାଜନୈତିକ ଓ ସାଂସ୍କୃତିକ ପରିବେଶ ଓ ଏକବିଂଶ ଶତାବ୍ଦୀର ଆଦ୍ୟଭାଗରେ ନେପାଳର ସାମାଜିକ -ଅର୍ଥନୈତିକ-ରାଜନୈତିକ ଓ ସାଂସ୍କୃତିକ ପରିବେଶ ମଧ୍ୟରେ ଏକ ତୁଳନାତ୍ମକ ଅଧ୍ୟୟନର ଆବଶ୍ୟକତା ରହିଛି-ଯାହା ସାମ୍ୟବାଦୀ ଆନେ୍ଦାଳନର ସଫଳତାର ସଠିକ୍ କାରଣଗୁଡ଼ିକୁ ଠାବ କରିବାରେ ସାହାଯ୍ୟ କରିବ । ତେବେ ଯେଉଁମାନେ ଉଲ୍ଲସିତ ହେଉଥିଲେ ଏହା କହି ଯେ ସାମ୍ୟବାଦର ଆଉ ପ୍ରାସଙ୍ଗିକତା ନାହିଁ- ସାମ୍ୟବାଦର ମୃତୁ୍ୟ ଘଟିଛି-ସେମାନଙ୍କ ପାଇଁ ପ୍ରଚଣ୍ଡଙ୍କ ନେତୃତ୍ୱରେ ଏକ ଚରମ ସାମ୍ୟବାଦୀ ଦଳ ଶାସନ କ୍ଷମତା ଦଖଲ କରିବା ପ୍ରଚଣ୍ଡ ପ୍ରହାର ସଦୃଶ ହୋଇଛି । ଯେଉଁମାନେ ଆଶଙ୍କା କରୁଛନ୍ତି ଯେ ନେପାଳରେ ଏତାଦୃଶ କ୍ଷମତା ଦଖଲ ଭାରତରେ ଚରମ ସାମ୍ୟବାଦୀ ଦଳର ନୈତିକ ବଳକୁ ସୁଦୃଢ଼ କରିବ-ସେମାନେ କୌଣସି ଅମୂଳକ ଆଶଙ୍କା କରୁନାହାନ୍ତି ।
ଅନ୍ୟପକ୍ଷରେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଭଳି ସାମ୍ୟବାଦୀ ଓ ତାଙ୍କ ନେତୃତ୍ୱରେ ଭାରତୀୟ କମୁ୍ୟନିଷ୍ଟ ପାର୍ଟି(ମାର୍କ୍ସବାଦୀ), ସେମାନଙ୍କର ଶାସନାଧିନ ପଶ୍ଚିମବଙ୍ଗରେ ନଗ୍ନ ଜଗତୀକରଣ, ଉଦାରୀକରଣ ଓ ଘରୋଇକରଣ ଦ୍ୱାରା ସମ୍ମୋହିତ ହୋଇ ପୁଞ୍ଜିବାଦୀ ବ୍ୟବସ୍ଥାର ପ୍ରତିଷ୍ଠାରେ ଲାଗି ପଡ଼ିଛନ୍ତି ଓ ପୁଞ୍ଜିବାଦୀ ବ୍ୟବସ୍ଥାର ଭିତ୍ତଉପରେ ହିଁ ସାମ୍ୟବାଦୀ ବ୍ୟବସ୍ଥାର ପ୍ରତିଷ୍ଠା ହୁଏବୋଲି କହି ସେମାନଙ୍କର ପ୍ରଚେଷ୍ଟାରେ ଏକ ତତ୍ତ୍ୱଗତ ଯାଥାର୍ଥ୍ୟ ଦର୍ଶାଉଛନ୍ତି-ସେମାନଙ୍କ ପାଇଁ ନେପାଳରେ ସିଧାସଳଖ ସାମନ୍ତବାଦୀ ବ୍ୟବସ୍ଥାରୁ- ସାମ୍ୟବାଦୀ ବ୍ୟବସ୍ଥାକୁ ବିବର୍ତ୍ତନ-ନିଶ୍ଚିତ ଏକ ପ୍ରଚଣ୍ଡ ପ୍ରହାର । ତେଣୁ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯଦି ଭାରତୀୟ ସିପିଏମ୍ ଦଳର ଆଦର୍ଶ କରିଥିବା ନେପାଳର ଅନ୍ୟତମ ସାମ୍ୟବାଦୀ ଦଳ- ସିପିଏନ୍ (ୟୁଏମ୍ଏଲ୍)(communist party of Nepal ( United Marxist-Leninist) ନିର୍ବାଚନରେ ଚରମ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଏହା ତ’ ସୂଚାଇ ଦେଉଛିଯେ ସାଧାରଣ ଲୋକେ ସେମାନଙ୍କର ସ୍ୱାର୍ଥରେ କେଉଁ ସାମ୍ୟବାଦୀ ଦଳ, ତାହା ବୁଝିବାରେ ସକ୍ଷମ ହେଲେଣି ।
କ୍ଷମତା ବାହାରେ ବିପ୍ଳବୀହୋଇ ରହିବା ଓ ଜନସାଧାରଣଙ୍କ ଭିତରେ ଏକ ଶୋଷଣହୀନ ସମାଜ ପ୍ରତିଷ୍ଠା କରିବା ପାଇଁ ପ୍ରତିଶ୍ରୁତି ଦେଇ ଆସ୍ଥାଭାଜନ ହେବା ଓ କ୍ଷମତାରେ ରହି ଶାସନର ବାଧ୍ୟବାଧକତା ଭିତରେ- ବିଭିନ୍ନ ଆନ୍ତର୍ଜାତିକ ଚାପର ସମ୍ମୁଖୀନ ହୋଇ- ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତିଗୁଡ଼ିକୁ କାର୍ଯ୍ୟରେ ପରିଣତ କରି ଆସ୍ଥାଭାଜନ ହେବା ମଧ୍ୟରେ ବେଶ୍ ଦୂରତ୍ୱ ରହିଛି । ଦେଖାଯାଉ ଏହି ଦୂରତ୍ୱକୁ କେତେ ପରିମାଣର ବେଗରେ ପ୍ରଚଣ୍ଡ ଓ ତାଙ୍କର ସାମ୍ୟବାଦୀ ଦଳ ଅତିକ୍ରାନ୍ତ କରିବାରେ ସମର୍ଥ ହେଉଛନ୍ତି ।

Print Friendly, PDF & Email